ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦରେ ଚାଲିଥିବା ଭାରତ-ଇଂଲଣ୍ଡ ଅନ୍ତିମ ଦିନିକିଆରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୩୫୭ ରନର ବିଜୟ ଲକ୍ଷ୍ୟ ଦେଇଛି। ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଛି। ଶୁବମନ ଗିଲଙ୍କ ଶତକ, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ସ୍କୋର କରିବାରେ ସକ୍ଷମ ହୋଇଛି।
ଶେଷ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ ହେଁ ଶୁବମନ ଗିଲ ଏବଂ ବିରାଟ କୋହଲି ଫର୍ମକୁ ଫେରିଛନ୍ତି। ଦୁଇ ଓପନର ରୋହିତ ଏବଂ ଗିଲ ପାଳି ଆରମ୍ଭ କରିଥିବାବେଳେ ୨ୟ ଓଭରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ୨ୟ ଓଭରର ପ୍ରଥମ ବଲରେ ରୋହିତ ୧ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ଗିଲ ଏବଂ କୋହଲି ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ୧୯ ତମ ଓଭରରେ ୧୨୨ ରନ ହୋଇଥିବାବେଳେ କୋହଲି(୫୨) ୨ୟ ଉଇକେଟ ଭାବେ ଆଉଟ ହୋଇଥିଲେ। ଏହା ପରେ ୨୨୬ ରନରେ ଗିଲ (୧୧୨ରନ) କରି ଆଉଟ ହୋଇଥିଲେ। ଶ୍ରେୟସ ଆୟର ୬୪ ବଲରୁ ୭୮ ରନ କରିଛନ୍ତି।
ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ଏବଂ ସାକିବ ମହମ୍ମୁଦ, ଗସ ଆଟକିନସନ ଓ ଜୋ ରୁଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହିତ ଆଗୁଆ ସିରିଜ କବଜା କରିସାରିଛି।
Comments are closed.