www.samajalive.in
Sunday, December 14, 2025
16.1 C
Bhubaneswar

ଟିଡିଏସ୍‌ ଦୁର୍ନୀତିର ଖୋଳତାଡ଼ ; ଓଡ଼ିଶାରେ ୧୦୦ କୋଟି

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ନିରବ ମୋଦିଙ୍କ ଦ୍ୱାରା ମହାଠକେଇ ପରେ ଏବେ ଆଉ ଏକ ବଡ ଦୁର୍ନୀତିର ପର୍ଦାଫାସ କରିଛି ଆୟକର ବିଭାଗ। ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) ଅର୍ଥ ପଇଠ କ୍ଷେତ୍ରରେ ଓଡ଼ିଶାରେ ପାଖାପାଖି ୧୦୦ କୋଟି ଟଙ୍କାର ଏକ ଦୁର୍ନୀତି ଘଟଣା ଏବେ ପଦାକୁ ଆସିଛି। ଏଥିରେ ୫୦୦ରୁ ଅଧିକ କମ୍ପାନୀ ଟିକସ ଫାଙ୍କି ଏଭଳି ଦୁର୍ନୀତି କରିଛନ୍ତି। ଇସ୍ପାତ ଏବଂ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରୁ ସର୍ବାଧିକ କମ୍ପାନୀ ଟିଡିଏସ୍‌ ଅର୍ଥ ପଇଠ କରିବାରେ ଖିଲାପ କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ କେତେକ କମ୍ପାନୀଙ୍କ ନାମରେ ଆପରାଧିକ ମାମଲା ରୁଜୁ କରାଯାଇଛି। ଦେଶରେ ନିକଟରେ ୩୨୦୦ କୋଟି ଟଙ୍କାର ଟିଡିଏସ୍‌ ଦୁର୍ନୀତି ଘଟଣା ଜଣାପଡିବା ପରେ ରାଜ୍ୟରେ ଆୟକର ବିଭାଗ ପକ୍ଷରୁ ଏ ନେଇ ଖୋଳତାଡ ଆରମ୍ଭ କରାଯାଇଛି। ଆୟକର ବିଭାଗର ଓଡ଼ିଶା ଟିଡିଏସ୍‌ ଶାଖା ପକ୍ଷରୁ ଏ ନେଇ ସର୍ଭେ ଏବଂ ଅନୁସନ୍ଧାନ ଜାରି ରହିଛି। ଏଥିରେ ପାଖାପାଖି ୫୦୦ କମ୍ପାନୀ
ସେମାନଙ୍କର କର୍ମଚାରୀଙ୍କ ଦରମାରୁ ଟିଡିଏସ୍‌ କାଟିଥିଲେ ମଧ୍ୟ ତାହାକୁ ସରକାରୀ ତହବିଲ୍‌ରେ ଜମା କରି ନ ଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ପଠଇ କରାଯାଇ ନ ଥିବା ଟିଡିଏସ୍‌ ପରିମାଣ ପାଖାପାଖି ୧୦୦ କୋଟି ଟଙ୍କା ହେବ ବୋଲି ଏକ ବିଭାଗୀୟ ଆକଳନରୁ ଜଣାଯାଇଛି। ଆୟକର ଅଧିନିୟମ ୧୯୬୧ ଅନୁଯାୟୀ, ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାକୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ସମୟରେ ନିୟମାନୁଯାୟୀ ଟିକସ ନ କାଟିବା କିମ୍ବା କାଟି ରଖିଥିବା ଟିକସକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ତହବିଲ୍‌ରେ ପଇଠ ନ କରିବା ଏକ ଅପରାଧ। ଏହି ଟିଡିଏସ୍‌ ବାବଦ ଅର୍ଥକୁ କମ୍ପାନୀଗୁଡିକ ସେମାନଙ୍କର ବ୍ୟବସାୟିକ କାର୍ୟ୍ୟରେ ବିନିଯୋଗ କରିଥିବା ଜଣାଯାଇଛି। ୨୦୧୩-୧୪ ଆର୍ଥିକବର୍ଷରୁ ୨୦୧୬-୨୦୧୭ ମାର୍ଚ୍ଚ ମଧ୍ୟରେ କମ୍ପାନୀଗୁଡିକ କର୍ମଚାରୀଙ୍କ ଟିଡିଏସ୍‌ କାଟ୍‌ ବାବଦ ଅର୍ଥ ଜମା କରିନାହାନ୍ତି। ରାଜ୍ୟର କେତେକ ଇସ୍ପାତ କମ୍ପାନୀ, କଣ୍ଟ୍ରାକ୍ଟର ଏବଂ ରିଅଲ ଇଷ୍ଟେଟ୍‌ କମ୍ପାନୀ ଏହିଭଳି ଟିକସ ଫାଙ୍କି କାର୍ୟ୍ୟକଳାପ ସହ ସମ୍ପୃକ୍ତି ଥିବା ନେଇ ନିର୍ଦ୍ଦିଷ୍ଟ ଭାବେ ପ୍ରମାଣ ରହିଥିବା ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଟିଡିଏସ୍‌ ଅର୍ଥ ପଇଠ ଖିଲାପକାରୀଙ୍କ ତାଲିକାରେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ରହିଥିବା ଜଣାଯାଇଛି। ଖିଲାପକାରୀମାନେ କେବଳ ଟିଡିଏସ୍‌ ଦାଖଲରେ ବିଳମ୍ବ କରୁଛନ୍ତି ତା ନୁହେଁ ସେମାନେ ତ୍ରୈମାସିକ ରିଟର୍ଣ୍ଣ ମଧ୍ୟ ଫାଇଲ୍‌ କରୁନାହାନ୍ତି। ଏଭଳି ଘଟଣାକୁ ନଜରରେ ରଖି ଆୟକର ଅଧିନିୟମ ୧୯୬୧ର ଧାରା ୨୭୬ଖ ଅନୁଯାୟୀ ବିଭାଗ ଶତାଧିକ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଅନୁକ୍ରମରେ ଆୟକର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି। ଏହି ଏଥିରେ ୫୦୦ରୁ ଅଧିକ ଖିଲାପକାରୀଙ୍କୁ ନୋଟିସ୍‌ ଜାରି କରାଯାଇଥିବାବେଳେ ୧୨୦ରୁ ଅଧିକଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯାଇଛି। ବିଭାଗର ଏଭଳି କାର୍ୟ୍ୟାନୁଷ୍ଠାନରେ ୩୦-୩୫ କରଦାତା ଦେୟଯୋଗ୍ୟ କର ଉପରେ ମାସିକ ୩%ରୁ ୫% ହାରରେ ଜୋରିମାନା ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।
ସମ୍ପ୍ରତି ରାଜ୍ୟରେ ୪୦,୭୭୨ ଟିକସ କାଟ୍‌ ଆକାଉଣ୍ଟ ନମ୍ବର(ଟାନ୍‌) ନମ୍ବର ରହିଛି। ଏହି ଟାନ୍‌ ନମ୍ବରଧାରୀମାନେ କାଟ୍‌ କରି ରଖିଥିବା ଟିଡିଏସ୍‌ ଅର୍ଥକୁ ସରକାରୀ ତହବିଲ୍‌ରେ ପଇଠ କରିଥାନ୍ତି। ଗତ ଆର୍ଥିକବର୍ଷରେ ରାଜ୍ୟରେ ଆୟକର ବିଭାଗ ଟିଡିଏସ୍‌ ବାବଦରେ ୩୮୫୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିବାବେଳେ ଚଳିତ ଆର୍ଥିକବର୍ଷ ନିମନ୍ତେ ୪୧୫୨ କୋଟି ଟଙ୍କାର ଟିଡିଏସ୍‌ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି , ଯାହାକି ନେଟ୍‌ ସଂଗୃହୀତ ଆୟକରର ୪୦% ବୋଲି ଅଧିକାରୀ ଜଣକ କହିଛନ୍ତି। କେବଳ କର୍ମଚାରୀଙ୍କ ବେତନ କାହିଁକି ମାଲ ପରିବହନ ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡିକରେ ନିୟୋଜିତ ଯାନ ସଂଖ୍ୟା ୧୦ରୁ କମ୍‌ ରହିଥିବା ନେଇ ମିଥ୍ୟା ଘୋଷଣା ଦେଇ ମାଲିକ ଏବଂ କଣ୍ଟ୍ରାକ୍ଟରମାନେ ଟିଡିଏସ୍‌ ନ କାଟିବା ଲାଗି ଆୟକର ଅଧିନିୟମର ଧାରା ୧୯୪ସି(୬)ର ଅପବ୍ୟବହାର ଭଳି ଅଭିନବ କୌଶଳ ଅବଲମ୍ବନ କରିଥିବା ସର୍ଭେ ସମୟରେ ଜଣାପଡିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories