ପାକିସ୍ତାନ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଆଜି

ସିଡ୍‌ନୀ :  ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ବୁଧବାର ଏଠାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟ​ରେ‌ ମୁକାବିଲା ହେବ। କାଗଜରେ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ମନେହେଉଛି । ହେଲେ ଇତିହାସ ଏହା ସପକ୍ଷରେ। ସେ ୫୦ ଓଭରର ହେଉ ବା ଟ୍ବେଣ୍ଟି-୨୦ ବିଶ୍ବକପ୍‌; ବହୁତଥର ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିଛି; ବେଶ୍‌ କିଛି ଥର ଫାଇନାଲରେ ମଧ୍ୟ ପହଞ୍ଚିଛି । ହେଲେ ଥରେ ମଧ୍ୟ କୌଣସି ବିଶ୍ବକପ୍‌ ଚମ୍ପିଆନ୍ ହୋଇ ପାରିନାହିଁ । ଚମ୍ପିଆନ୍‌ସ ଟ୍ରଫି ହେଉଛି ନ୍ୟୁଜିଲାଣ୍ଡ ଜିତିଥିବା ଏକମାତ୍ର ଆଇସିସି ଟୁର୍ଣ୍ଣାମେଣ୍ଟ। ଗତବର୍ଷର ଚମ୍ପିଆନ୍ ତଥା ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ବିପୁଳ ବିଜୟ ସହ ନ୍ୟୁଜିଲାଣ୍ଡ ଚଳିତ ଟି-୨୦ ବିଶ୍ବକପ୍‌ରେ ତା’ର ଅଭିଯାନ ଆରମ୍ଭ କରିଥିଲା। ପରେ ଇଂଲଣ୍ଡଠାରୁ ଏହା ମ୍ୟାଚ୍‌ ହାରିଥିଲେ ହେଁ ଗ୍ରୁପ୍‌-୧ର ଶୀର୍ଷ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ବିଜୟୀହେବା ସ୍ଥିତିରେ ଥିବା ବେଳେ ବିରାଟ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ଓ ଦୁର୍ଭାଗ୍ୟ ଏହାଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ପରେ ଜିମ୍ବାୱେଠାରୁ ପରାସ୍ତହେବା ପରେ ପାକିସ୍ତାନ ବିଶ୍ବକପ୍‌ରୁ ବିଦାୟନେବା ଦ୍ବାରରେ ପହଞ୍ଚି ଯାଇଥିଲା। ହେଲେ ଶେଷ ଗ୍ରୁପ୍‌-୨ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ଅପ୍ରତ୍ୟାଶିତ ଭାବେ ପରାସ୍ତ କରିବା ପରେ ପାକିସ୍ତାନ ପୁନର୍ଜୀବନ ପାଇ ସେମିଫାଇନାଲରେ ପହଞ୍ଚିଛି। ଏହାଫଳରେ ପାକିସ୍ତାନ ବେଶ୍‌ ଉତ୍ସାହିତ ଅଛି।
୧୯୯୨ ଦିନିକିଆ ବିଶ୍ବକପ୍‌ରେ ସମାନ ପରିସ୍ଥିତି ଥିଲା। ପାକିସ୍ତାନ ବିଦାୟ ନେବା ଦ୍ବାରରେ ଥିବା ବେଳେ ଅନ୍ୟ ମ୍ୟାଚ୍‌ର ଫଳାଫଳ ଯୋଗୁଁ ଏହା ସେମିଫାଇନାଲରେ ପହଞ୍ଚିଥିଲା। ସେମିରେ ନ୍ୟୁଜିଲାଣ୍ଡକୁ ହରାଇ ଏହା ଇଂଲଣ୍ଡ ସହ ଫାଇନାଲ ଖେଳିଥିଲା। ଇଂଲଣ୍ଡକୁ ହରାଇ ପାକିସ୍ତାନ ଚମ୍ପିଆନ୍ ହୋଇଥିଲା। ଏବେ ସମାନ ସ୍ଥିତିରେ ରହିଛି ପାକିସ୍ତାନ। ଏଣେ ଅଷ୍ଟ୍ରେଲିଆ ପରେ ଶ୍ରୀଲଙ୍କା ଓ ଆୟରଲାଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚିଛି। ପାକିସ୍ତାନ ବୋଲିଂରେ ଯେପରି ବିବିଧତା ରହିଛି; ତାହା ଅନ୍ୟ କୌଣସି ଦଳର ନାହିଁ। ଦଳରେ ବିଶ୍ବର ଶ୍ରେଷ୍ଠ ବାମହାତି ଫାଷ୍ଟବୋଲଙ୍କ ସହ ଦେଢ଼ଶହ କିଲୋମିଟରରୁ ଅଧିକ ଗତିରେ ବୋଲିଂ କରୁଥିବା ହାରିସ୍ ରୌଫ୍‌ ଓ ନସିମ୍ ଶାହା ରହିଛନ୍ତି। ଲେଗ୍‌ସ୍ପିନର ସଦ୍ଦାଦ ଖାଁ ଭଲ ବୋଲିଂ କରୁଥିବା ବେଳେ ବାମହାତି ସ୍ପିନର ମହମ୍ମଦ ନୱାଜ୍‌ ସିଡ୍‌ନୀ ପିଚ୍‌ରୁ ଫାଇଦା ପାଇପାରନ୍ତି। ୧୯୯୨ ଓ ୧୯୯୯ ଦିନିକିଅା ବିଶ୍ବକପ୍‌ ଏବଂ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳା ଯାଇଥିବା ବେଳେ ୩ଟିଯାକ ମ୍ୟାଚ୍‌ ଜିତି ପାକିସ୍ତାନ ଫାଇନାଲ ଖେଳିଥିଲା। ବିଶ୍ବକପ୍‌ର ସେମିଫାଇନାଲ ଓ ଫାଇନାଲରେ ପରାସ୍ତହେବା ନ୍ୟୁଜିଲାଣ୍ଡର ଯେପରି ଅଭ୍ୟାସରେ ପରିଣତ ହୋଇଛି। ସମସ୍ତ ଫର୍ମାଟରେ ଗତ ୪ଟି ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିଥିଲେ ହେଁ ଚମ୍ପିଆନ୍ ହୋଇ ପାରିନାହିଁ। ଗତ ୭ ବର୍ଷରେ ନ୍ୟୁଜିଲାଣ୍ଡ ୨ଟି ଦିନିକିଆ ଓ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ହାରିଛି। ହେଲେ ଅଷ୍ଟ୍ରେଲିଆର ବାତାବରଣ ନ୍ୟୁଜିଲାଣ୍ଡକୁ ସୁହାଇବ। ପୁଣି ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ମଧ୍ୟ ମଜ୍‌ଭୁତ ଅଛି। ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଭଲ ପ୍ରଦର୍ଶନ କରି ପାରିନଥିବା ବେଳେ ଏହା ଫାଇଦା ଉଠାଇବା ପ୍ରୟାସରେ ରହିଛି ନ୍ୟୁଜିଲାଣ୍ଡ। ଜିମ୍ବାୱେଠାରୁ ହାରିବା ପରେ ବାଂଲାଦେଶ ବିପକ୍ଷରେ ୧୨୮ ରନ୍‌ ପିଛା କରିବାରେ ପାକିସ୍ତାନ ନାକେଦମ୍ ହୋଇ ଯାଇଥିଲା। ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଉପର ଅର୍ଡରକୁ ଧ୍ବଂସ୍ତ କରିଥିଲେ ଟ୍ରେଣ୍ଟ୍ ବୋଲ୍‌ଟ ଓ ଟିମ୍ ସାଉଦି। ନ୍ୟୁଜିଲାଣ୍ଡର ସମସ୍ତ ବ୍ୟାଟ୍‌ସମ୍ୟାନ୍ ଏହି ବିଶ୍ବକପ୍‌ରେ କିଛି ରନ୍ କରିଛନ୍ତି। ପାକିସ୍ତାନର ମହମ୍ମଦ ରିଜ୍‌ୱାନ୍‌ ଅଦ୍ୟାବଧି ଗୋଟିଏ ଅର୍ଦ୍ଧଶତକ ମାରିନାହାନ୍ତି ଏବଂ ଅଧିନାୟକ ବାବର ଆଜମ୍‌ ରନ୍ କରିନାହାନ୍ତି। ସାହିନ୍‌ ଶାହା ଆଫ୍ରଦି ଲୟ ଫେରିପାଇବା ପରି ଲାଗୁଛନ୍ତି। ଅଫ୍‌ସ୍ପିନ୍ ଅଲ୍‌ରାଉଣ୍ଡର ମାଇକେଲ ବ୍ରେସ୍‌ୱେଲଙ୍କ କଥା ନ୍ୟୁଜିଲାଣ୍ଡ ଚିନ୍ତା କରୁଥିଲେ ହେଁ ଏହା ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ଭାରତଠାରୁ ପରାଜୟ ପରେ ପାକିସ୍ତାନ ୪ର୍ଥ ପେସ୍‌ ବୋଲର ଖେଳାଇ ଆସୁଛି। ମହମ୍ମଦ ହାରିସ୍‌ ୨ଟି ମ୍ୟାଚ୍‌ ଖେଳି ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି। ଚଳିତ ବିଶ୍ବକପ୍‌ରେ ସିଡ୍‌ନୀରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟିରୁ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଏଠାରେ ଅଧିକ ରନ୍‌ ହେବାର ସମ୍ଭାବନା ରହିଛି। ପାଗ ଶୁଖିଲା ରହିବାର ପୂର୍ବାନୁମାନ କରାଯାଇଛି।

Comments are closed.