ନୂଆଦିଲ୍ଲୀ : ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଲୋଧୀରୋଡ ଶ୍ମଶାନରେ ବୁଧବାର ଅପରାହ୍ଣରୁ ଆରମ୍ଭ ହୋଇଛି। ଅପରାହ୍ଣ ୩ଟାରେ ଅଶୋକ ରୋଡ଼ସ୍ଥିତ ବିଜେପି ମୁଖ୍ୟାଳୟରୁ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଲୋଧୀ ଶ୍ମଶାନ ପଡ଼ିଆକୁ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦଳ, ମତ ନିର୍ବିଶେଷରେ ସହସ୍ରାଧିକ ଲୋକ ସାମିଲ ହୋଇଥିଲେ।
ବିଜେପି ଅଧ୍ୟକ୍ଷ ଅମିତ ଶାହା, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଦଳର ମୁଖ୍ୟାଳୟରେ ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ କରିବା ସହ ପାର୍ଥିବ ଶରୀର ଉପରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଦଳୀୟ ପତାକାରେ ଘୋଡା ଯାଇଥିଲା। ମଥାରେ ବଡ଼ ବିନ୍ଦୀ ଓ ଲାଲ ଓଢଣିରେ ସେ ଶେଷ ଯାତ୍ରାରେ ବାହାରିଥିଲେ ।
ଏହା ପୂର୍ବରୁ ରାଜ୍ୟସଭାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଥିଲେ ଯେ ସୁଷମାଙ୍କ ଅକାଳ ମୃତ୍ୟୁରେ ଦେଶ ଜଣେ ସକ୍ଷମ ପ୍ରଶାସକ, ପ୍ରଭାବୀ ସାଂସଦ ଏବଂ ଏକ ସତ୍ୟର ସ୍ୱରକୁ ହରାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିର୍ମଳା ସୀତାରମଣ, ଥବରଚନ୍ଦ୍ର ଗେହଲୋଟ ସମେତ ଅନେକ ନେତା ଉପସ୍ଥିତ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁଷମାଙ୍କ ବିୟୋଗରେ ଦିଲ୍ଲୀ ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଲୋଧୀ ରୋଡସ୍ଥିତ ଶ୍ମଶାନରେ ସୁଷମାଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଯାଇଥିଲା। ଶବଦାହସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଅମିତ ଶାହା, ଲାଲକୃଷ୍ଣ ଆଡୱାଣି ପ୍ରମୁଖ ଉପସ୍ଥିତ ଅଛନ୍ତି।
ମଙ୍ଗଳବାର ରାତିରେ ହୃଦଘାତରେ ସୁଷମା ସ୍ବରାଜଙ୍କ ପରଲୋକ ଘଟିଥିଲା । ଦିଲ୍ଲୀସ୍ଥିତ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।



