ଭାରତ, ଚୀନବାସୀ ପରସ୍ପରର ଭାଷା ଶିକ୍ଷା କରିବାର ଦରକାର: ସୁଷମା

0

ବେଜିଂ : ଭାରତ ଓ ଚୀନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ହେଲେ ଉଭୟ ଦେଶବାସୀଙ୍କ ମଧ୍ୟରେ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ହେବ। ଏ ନେଇ ଉଭୟଦେଶର ଲୋକେ ପରସ୍ପରର ଭାଷା ଶିକ୍ଷା କରିବାର ଆବଶ୍ୟକତା ଉପରେ ସମ୍ପ୍ରତି ଚୀନ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁତ୍ୱାରୋପ କରିଛନ୍ତି। ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ‘ଭାରତୀ-ଚୀନ ସମ୍ପର୍କ ପ୍ରତି ହିନ୍ଦି ଭାଷାର ଅବଦାନ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ସାଧାରଣତଃ ଦୁଇ ବନ୍ଧୁ ଏକତ୍ର ବସିଲେ ପରସ୍ପର ମଧ୍ୟରେ ନିଜ ହୃଦୟର କଥା ଆଲୋଚନା କରିବାକୁ ଚାହିଁଥାଆନ୍ତି। ଭାରତ ଓ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହେଉଥିବା ବେଳେ ଦ୍ୱିପାକ୍ଷିକ ବାଣିଜ୍ୟ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଭୟ ଦେଶ ପରସ୍ପରକୁ ଗୁରୁତ୍ୱ ଦେଉଛନ୍ତି। ଏହି ଦୃଷ୍ଟିକୋଣରୁ ଭାରତୀୟମାନେ ଚୀନ୍‌ର ଭାଷା ଏବଂ ଚୀନ୍‌ବାସୀ ହିନ୍ଦି ଭାଷା ବୁଝିବା ଆବଶ୍ୟକ। ଏହାଦ୍ୱାରା ଭାରତୀୟମାନେ ଚୀନ୍‌ ଆସିଲେ ଏବଂ ଚୀନ୍‌ବାସୀ ଭାରତ ଗସ୍ତକଲେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଶବ୍ଦକୁ ଅନୁବାଦ କରିହେବ, ଭାବନାକୁ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ସୁଷମା ରବିବାର ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ। ଯେକୌଣସି ବୈଦେଶିକ ମନ୍ତ୍ରୀଙ୍କ ପାଇଁ ଜନତା ହିଁ ମୁଖ୍ୟ ଶକ୍ତି। ଦୁଇଟି ଦେଶର ଲୋକେ ପରସ୍ପରକୁ ଆଦର କରିବା ଦ୍ୱାରା ଏହା ବାସ୍ତବରେ ଉଭୟ ଦେଶର ସରକାରକୁ ମଜବୁତ କରିଥାଏ ବୋଲି ୟିଙ୍କ ଉଦ୍ଦେଶ୍ୟରେ ସୁଷମା କହିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଏପ୍ରିଲ ୨୭ରୁ ୨୮ ତାରିଖ ମଧ୍ୟରେ ଏକ ଅଣଔପଚାରିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସୁଷମା ଘୋଷଣା କରିଥିଲେ ।

Leave A Reply