ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଇରାକରେ ନିଖୋଜ ୩୯ଜଣ ଭାରତୀୟଙ୍କ ସମ୍ପର୍କରେ ସଂସଦକୁ ବିଭ୍ରାନ୍ତକର ତଥ୍ୟ ଦେବା ନେଇ ସୁଷମାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯିବ ବୋଲି କଂଗ୍ରେସ କହିଛି। ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନିଙ୍କ କହିବା ଅନୁଯାୟୀ ଶୁକ୍ରବାର ସଂସଦର ଉଭୟ ଗୃହରେ ଏହି ସ୍ୱାଧିକାର ଭଙ୍ଗ ନୋଟିସ ଆଣାଯିବ। ଇରାକର ମୋସୁଲ ସହରରେ ନିଖୋଜ ୩୯ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ନେଇ ସୁଷମା ମଙ୍ଗଳବାର ରାଜ୍ୟସଭାରେ ଘୋଷଣା କରିବା ପରେ କଂଗ୍ରେସ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ କ୍ଷୁବ୍ଧ ହୋଇଛି। ୨୦୧୪ରୁ ଭାରତୀୟମାନେ ଇରାକରେ ନିଖୋଜ ଥିବାବେଳେ ସେମାନେ ଜୀବିତ ଥିବା ନେଇ ସରକାର କହିଆସୁଥିଲେ। ଏପରି କି ନିଜେ ମନ୍ତ୍ରୀ ସୁଷମା ସଂସଦରେ ଘୋଷଣା କରିଥିଲେ ଯେ ଇରାକରେ ନିଖୋଜ ଭାରତୀୟମାନେ ମୃତ କି ଜୀବିତ ତାହା ସ୍ପଷ୍ଟ ହୋଇ ନାହିଁ। ସେମାନଙ୍କ ସନ୍ଧାନ ଲାଗି ସରକାର ଉଦ୍ୟମ କରୁଛନ୍ତି। ସୁଷମାଙ୍କ ଏପରି ମନ୍ତବ୍ୟ ଦେଶ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ବିଭ୍ରାନ୍ତ କରିଥିଲା। କାରଣ ଏବେ ସୁଷମା କହିଛନ୍ତି ଯେ ଇରାକରେ ନିଖୋଜ ଭାରତୀୟଙ୍କର ମୃତ୍ୟୁ ହୋଇଛି। ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଛନ୍ତି। ମୃତ ଭାରତୀୟଙ୍କ ମୃତଦେହ ଠାବ କରାଯିବା ପୂର୍ବକ ଡିଏନଏ ନମୁନା ପରୀକ୍ଷା ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ସରକାର ଏପରି ଘୋଷଣା କରିଥିଲେ। ତେବେ ସୁଷମା ପ୍ରଥମେ ନିଖୋଜ ଭାରତୀୟମାନେ ଜୀବିତ ଥିବା ନେଇ କହି ସଂସଦକୁ ବିଭ୍ରାନ୍ତ କରିଥିବାରୁ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରାଯିବ।
Popular Categories



