www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନରେ ହିନ୍ଦୁଙ୍କୁ ଧର୍ମାନ୍ତରୀକରଣ

ଇସଲାମାବାଦ: ପାକିସ୍ତାନରେ ଦୁଇଜଣ ହିନ୍ଦୁ ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇ ମୁସଲମାନ ଯୁବକଙ୍କ ସହିତ ବିବାହ କରାଯାଇଛି। ପାକିସ୍ତାନର ସିନ୍ଧ ପ୍ରଦେଶ​‌ରେ ଏହି ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ଘଟଣା ଉପରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କଠାରୁ ରିପୋର୍ଟ ମାଗିଛନ୍ତି। ନିର୍ଦେଶ ପରେ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ ‘ଆମେ ଘଟଣା ସମ୍ପର୍କରେ ଅବଗତ ଅଛୁ ଓ ଖୁବ୍‌ଶୀଘ୍ର ସବିଶେଷ ରିପୋର୍ଟ ପ୍ରଦାନ କରିବୁ।’ ଧର୍ମାନ୍ତରୀକରଣ ହୋଇଥିବା ଦୁଇ ନାବାଳିକା ହେଉଛନ୍ତି ରବିନା (୧୩) ଓ ରୀନ (୧୫)।  ସେମାନେ ଦୁଇ ଭଉଣୀ। ଅଭିଯୋଗ ଅନୁଯାୟୀ, ହୋଲି ଦିନ ରୀନା ଓ ରବିନାଙ୍କୁ ସେମାନଙ୍କ ଘରୁ ଅପହରଣ କରିନିଆଯାଇଥିଲା। ସିନ୍ଧ ପ୍ରଦେଶ ଘୋଟକି ଜିଲାର କେତେକ ପ୍ରଭାବଶାଳୀ ବ୍ୟକ୍ତି ସେମାନଙ୍କୁ ଅପହରଣ କରିନେଇଥିଲେ। ଅପହରଣର କିଛି ସମୟ ପରେ ଏକ ଭିଡିଓ ପ୍ରସାରିତ ହୋଇଥିଲା ଯେଉଁଥିରେ ଦୁଇ ଭଉଣୀଙ୍କୁ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ ହେଉଥିବା ଦେଖାଯାଇଥିଲା। ଭିଡିଓରେ ଦେଖାଯାଇଛି ଯେ ଦୁଇ ଭଉଣୀ ସ୍ବଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରୁଛନ୍ତି।  ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ରବିବାର ତାଙ୍କ ଟ୍ବିଟରରେ ପୋଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କଠାରୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ନାବାଳିକା ଦୁଇଜଣଙ୍କୁ ଏବେ ପଞ୍ଜାବରେ ରଖାଯାଇଛି। ତେଣୁ ପଞ୍ଜାବ ଓ ସିନ୍ଧ ପ୍ରଦେଶ ସରକାରଙ୍କୁ ଘଟଣା ଉପରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଇମ୍ରାନ ନିର୍ଦେଶ ଦେଇଛନ୍ତି। ତେବେ ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ରିପୋର୍ଟ ତଲବକୁ ଚୌଧୁରୀ ବିରୋଧ କରିଛନ୍ତି। ଚୌଧୁରୀ କହିଛନ୍ତି ଏହା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର। ଏହା ଉପରେ ଭାରତ ସରକାର ରିପୋର୍ଟ ମାଗିବାର କୌଣସି ଆବଶ୍ୟକତା ନାହିଁ। ଏହି ଘଟଣାକୁ ନେଇ ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ ସମୟରେ ଇମ୍ରାନ ପାକିସ୍ତାନର ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ବିକ୍ଷୋଭକାରୀମାନେ ମନେ ପକାଇବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଗତବର୍ଷ ଇମ୍ରାନ ନିର୍ବାଚନ ପ୍ରଚାରବେଳେ ହିନ୍ଦୁ ଯୁବତୀଙ୍କ ବଳପୂର୍ବକ ବିବାହକୁ ରୋକିବା ଦିଗରେ ତାଙ୍କ ସରକାର କଠୋର ପଦକ୍ଷେପ ନେବ ବୋଲି କହିଥିଲେ। ଏହା ସହିତ ଧାର୍ମିକ ସଂଖ୍ୟାଲଘୁଙ୍କ ଉତଥାନ ଦିଗରେ ପଦକ୍ଷେପ ନିଆଯିବ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ଏହି ଘଟଣାକୁ ନେଇ ଅପହୃତ ନାବାଳିକାଙ୍କ ଭାଇ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ନାବାଳିକାଙ୍କ ପିତା ସହିତ ଅଭିଯୁକ୍ତଙ୍କର ଅତୀତରେ  ଯୁକ୍ତିତର୍କ ହୋଇଥିଲା। ହୋଲି ଅବସରରେ ଅଭିଯୁକ୍ତମାନେ ବନ୍ଧୁକ ଓ ପିସ୍ତଲ ସହିତ ସେମାନଙ୍କ ଘରେ ବଳପୂର୍ବକ ପ୍ରବେଶ କରି ଦୁଇ ଝିଅଙ୍କୁ ଅପହରଣ କରିନେଇଥିଲେ। ହିନ୍ଦୁ ସମ୍ପ୍ରଦାୟର ନେତାଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ କୋହବାର ଓ ମଲିକ ସମ୍ପ୍ରଦାୟର ଲୋକ। ପାକିସ୍ତାନରେ ଏବେ ପ୍ରାୟ ୯୦ ଲକ୍ଷ ହିନ୍ଦୁ ବସବାସ କରୁଥିବାବେଳେ ଅଧିକାଂଶ ସିନ୍ଧ ପ୍ରଦେଶର ବାସିନ୍ଦା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories