ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମା ଦାୟର କରିଥିବା ପିଟିସନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ବିଚାରପତି ଦୀପଙ୍କର ଦତ୍ତ ଓ ଅଗଷ୍ଟାଇନ ଜର୍ଜ ମସିହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଶୁଣାଣି ସମୟରେ ଜଷ୍ଟିସ ବର୍ମାଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ବର୍ମା ତାଙ୍କ ପିଟିସନରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠନ କରାଯାଇଥିବା ତଦନ୍ତ କମିଟିର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରି ଆବେଦନକୁ ନେଇ ସୁପ୍ରିମକୋର୍ଟ ପୀଠ ଜଷ୍ଟିସ ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି ଯେ ତଦନ୍ତ କମିଟି ଗଠନ ଯଦି ଅବୈଧ ତେବେ ଏହି କମିଟି ନିକଟରେ ସେ କହିଁକି ହାଜର ହୋଇ ନିଜର ପକ୍ଷ ରଖିଲେ। କମିଟି ନିକଟରେ ହାଜର ହେବା ପୂର୍ବରୁ ଏହାର ବୈଧତାକୁ ଚାଲେଞ୍ଜ କରିବା ଯୁକ୍ତିଯୁକ୍ତ ହୋଇଥାନ୍ତା। ଏବେ କମିଟି ରିପୋର୍ଟ ଦେଇସାରିବା ପରେ କମିଟି ଗଠନର ବୈଧତାକୁ ଚାଲେଞ୍ଜ କରିବାର କୌଣସି ଯଥାର୍ଥତା ନାହିଁ। ଏପରି କି ପୀଠ ଜଷ୍ଟିସ ବର୍ମାଙ୍କୁ କହିଛନ୍ତି ଯେ ତୁମର କାର୍ଯ୍ୟ ବିଶ୍ବାସଯୋଗ୍ୟ ନୁହେଁ। ବିଚାରପତି ବର୍ମାଙ୍କ ଘରୁ ବିପୁଳ ପରିମାଣର ପୋଡା ଟଙ୍କା ମିଳିବା ଘଟଣା ପରେ ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ କମିଟି ଗଠନ କରିଥିଲେ। କମିଟି ଜଷ୍ଟିସ ବର୍ମାଙ୍କୁ ଦୋଷୀ ଦର୍ଶାଇବା ପରେ ତାଙ୍କୁ ଇସ୍ତଫା ପାଇଁ ପରାମର୍ଶ ଦିଆଯାଇଥିଲା। ମାତ୍ର ସେ ଏହି ପରାମର୍ଶକୁ ଗ୍ରହଣ କରି ନଥିଲେ। ଫଳରେ ଜଷ୍ଟିସ ବର୍ମାଙ୍କୁ ବହିଷ୍କାର କରିବା ଲାଗି ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଥିଲେ। ପତ୍ର ଆଧାରରେ ଜଷ୍ଟିସ ବର୍ମାଙ୍କୁ ବହିଷ୍କାର କରିବା ଲାଗି ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକ୍ରିୟା ଆରମ୍ଭ ହେବାକୁ ଦେଖି ଜଷ୍ଟିସ ବର୍ମା ତଦନ୍ତ କମିଟି ଗଠନର ବୈଧତା ଓ ଏହାର ରିପୋର୍ଟକୁ ଚାଲେଞ୍ଜ କରିଛନ୍ତି। ଏପରି ପିଟିସନକୁ ଦେଖି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ପୂର୍ବରୁ କାହିଁକି ଏପରି ପିଟିସନ ଦାୟର କଲ ନାହିଁ ଜଷ୍ଟିସ ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟପାଳିକା କ୍ଷେତ୍ରରେ କୌଣସି ପ୍ରକାର ଅନୈତିକ କାର୍ଯ୍ୟ ହେଲେ ଏ ବାବଦରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନ ବିଚାରପତି ଅବଗତ କରାଇଥାନ୍ତି। ଏଥିରେ କୌଣସି ବ୍ୟତିକ୍ରମ ହେବା ଉଚିତ ନୁହେଁ। ଜଷ୍ଟିସ ବର୍ମାଙ୍କୁ ବହିଷ୍କାର କରାଯିବା ନେଇ ପ୍ରକ୍ରିୟା ଆଗକୁ ଯିବ କି ନାହିଁ ତାହା ଏକ ରାଜନୈତିକ ନିଷ୍ପତ୍ତିର ବିଷୟ। ମାତ୍ର ନ୍ୟାୟପାଳିକା ସମାଜକୁ ଏହି ବାର୍ତ୍ତା ଦେବାକୁ ଚାହେଁ ଯେ ପ୍ରତ୍ୟେକ କ୍ଷେତ୍ରରେ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୪ ତାରିଖ ରାତିରେ ବିଚାରପତି ବର୍ମାଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ତାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ବଡ ଚର୍ଚ୍ଚା ହୋଇଥିଲା। ପରେ ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ କମିଟି ଗଠନ କରିଥିଲେ।
Popular Categories



