ଭୁବନେଶ୍ୱର: ଦୈତନଗରୀରେ ବନ୍ଧୁକ କାରବାର ବୃଦ୍ଧି ପାଉଛି। ଛୋଟ ବଡ଼ ସବୁ ଅପରାଧୀଙ୍କ ଅଣ୍ଟାରେ ବନ୍ଧୁକ ରହୁଛି। ଚୋରା ବନ୍ଧୁକ ବିହାର ମୁଙ୍ଗେରରୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବାବେଳେ ଗୁଳି ମଧ୍ୟ ସେଠାରୁ ଆସୁଛି। ଦୈତନଗରୀରେ ବିହାରୀ ବନ୍ଧୁକ କାରିଗର ଡେରା ପକାଇବା ନଜିର ରହିଛି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ବେଆଇନ ଭାବେ ପ୍ରସ୍ତୁତ ଗୁଳି ମଧ୍ୟ ଅପରାଧୀଙ୍କ ବନ୍ଧୁକରେ ରହୁଛି। ବେଆଇନ ବନ୍ଧୁକ କାରବାର ରୋକିବାରେ ପୁଲିସ ବିଫଳ ହେଉଛି। ଯେତେ ଧରୁଛି, ଅପରାଧୀ ସେତେ ଚୋରା ବନ୍ଧୁକ କିଣୁଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନେ ଏହି ଚୋରା ବନ୍ଧୁକରେ ସାଧାରଣ ଲୋକଙ୍କ ଜୀବନ ନେଉଛନ୍ତି। ଏପରିକି ପୁଲିସକୁ ମଧ୍ୟ ଆକ୍ରମଣ କରିବାକୁ ଅପରାଧୀ ପଛାଉ ନାହାନ୍ତି। ଚୋରା ବନ୍ଧୁକ ପାଇଁ ସେମାନେ ମାତ୍ର ୪୦ ଟଙ୍କାରେ ଗୁଳି ପାଇଯାଉଛନ୍ତି। ୪୦ ଟଙ୍କାରେ ଅପରାଧୀ ଜଣେ ମଣିଷର ଜୀବନ ନେଉଛନ୍ତି।
ସରକାରୀ ହିସାବରେ ପୁଲିସ ୩୫ରୁ ୯୦ ଟଙ୍କା ମଧ୍ୟରେ ଗୁଳି କିଣୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ କାରଖାନାରୁ ବନ୍ଧୁକ ଓ ଗୁଳି କିଣାଯାଉଛି। ସରକାରୀସ୍ତରରେ ଗୁଳି ସର୍ବନିମ୍ନ ମୂଲ୍ୟ ୩୫ ଟଙ୍କା ଥିବାବେଳେ ବେଆଇନ ପ୍ରସ୍ତୁତକାରୀଙ୍କ ପାଇଁ ଏହି ଗୁଳିର ଦାମ୍ ଅତିବେଶିରେ ୪୦ ଟଙ୍କା ଖର୍ଚ୍ଚ ହେଉଥିବା ଅନୁମାନ କରାଯାଏ। ମାତ୍ର ସେହି ୪୦ ଟଙ୍କା ମୂଲ୍ୟର ଗୁଳିରେ ମଣିଷ ଜୀବନ ଚାଲି ଯାଉଛି। ଗତ କିଛି ଦିନ ମଧ୍ୟରେ କଟକ ନିଆଳି ଓ ନୟାଗଡ଼ରୁ ବେଆଇନ ବନ୍ଧୁକ କାରଖାନା ଠାବ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ଏଠାରେ ବନ୍ଧୁକ ତିଆରି ହେଉଥିବାବେଳେ ତା’ର ଶେଷ କାର୍ଯ୍ୟ ବିହାରରେ କରାଯାଉଥିଲା। ଗୁଳି ମଧ୍ୟ ସେଠାରୁ ଆସୁଥିଲା। ବେଆଇନ ବନ୍ଧୁକ କାରବାର ଲାଗି କିଛି ରାଜ୍ୟ ବାହାର ବ୍ୟବସାୟୀ ଓଡ଼ିଶାରେ ରହୁଛନ୍ତି। ବିହାର ଓ ମହାରାଷ୍ଟ୍ର ଅଞ୍ଚଳରୁ ବନ୍ଧୁକ, ଗୁଳି ଆଣି ଏଠାରେ ବିକ୍ରି କରୁଛନ୍ତି। ଚୋରା ବନ୍ଧୁକ କାରବାର ପାଇଁ ଓଡ଼ିଶା ଅପରାଧୀଙ୍କ ଚାହିଦା ଅଧିକ ରହିଛି। କଟକ ମାଲ୍ଗୋଦାମ ଥାନା ପୁଲିସ ହାତରେ ଧରାପଡ଼ିଥିବା ବନ୍ଧୁକ ବ୍ୟବସାୟୀ ଦଳ ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ବେଆଇନ ବନ୍ଧୁକ ଓ ଗୁଳି କାରବାର ରୋକିବା ପୁଲିସ ପାଇଁ ଏବେ ଆହ୍ବାନ ହୋଇଛି।
ବ୍ରିଟିଶ ଶାସନ ସମୟରେ ବିହାର ମୁଙ୍ଗେରରେ ବନ୍ଧୁକ କାରଖାନା ରହିଥିଲା। ବ୍ରିଟିଶମାନେ ସେଠାରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ। ସ୍ଥାନୀୟ ଲୋକ ଏହି କାରଖାନାର କାରିଗର ଥିଲେ। ଉକ୍ତ କାରଖାନା ବନ୍ଦ ହୋଇଯିବା ପରେ କାରିଗରମାନେ ବଂଶାନୁକ୍ରମେ ଚୋରା ବନ୍ଧୁକ ପ୍ରସ୍ତୁତି ଜାରି ରଖିଛନ୍ତି। ସେଠାରେ ଘରେ ଘରେ ବନ୍ଧୁକ ତିଆରି କରୁଥିବା ବେଳେ ଗୁଳି ମଧ୍ୟ ମିଳୁଛି। ଗୁଳି ପାଇଁ ଖୋକାରେ ଅଧିକ ଖର୍ଚ୍ଚ ହେଉଛି। ବାରୁଦରେ ଖର୍ଚ୍ଚ କମ୍। ସରକାରୀସ୍ତରରେ ୩୫ ଟଙ୍କା ଖର୍ଚ୍ଚ ହେଉଥିବାେବଳେ ବାହାରେ ତାହା ୪୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ତାହାକୁ ବ୍ୟବସାୟୀମାନେ ୫୦ରୁ ୮୦ ଟଙ୍କା ଭିତରେ କିଣି ଅପରାଧୀଙ୍କୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ବ୍ୟବସାୟୀମାନେ ସେଠାରୁ ୭.୬୫ ଏମ୍ଏମ୍ ବନ୍ଧୁକକୁ ୧୫ ହଜାର ଟଙ୍କାରେ କିଣି ଏଠାରେ ୪୦ ହଜାରରେ ବିକ୍ରି କରୁଛନ୍ତି। ୯ ଏମ୍ଏମ୍ ପିସ୍ତଲକୁ ୨୦ ହଜାର ଟଙ୍କାରେ କିଣି ୫୦ରୁ ୬୦ ହଜାରରେ ବିକ୍ରି କରୁଛନ୍ତି। ଗୋଟିଏ ବନ୍ଧୁକ ବିକ୍ରି କରି ଅତି କମ୍ରେ ସେମାନେ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି। ପୂର୍ବରୁ ପେସାଦାର ବ୍ୟବସାୟୀମାନେ ବନ୍ଧୁକ କାରବାରରେ ଲିପ୍ତ ରହୁଥିଲେ। କମ୍ ନିବେଶରେ ଅଧିକ ଲାଭ ପାଇବା ଆଶା ଏବେ ସମସ୍ତଙ୍କୁ ଘାରିଛି। ଛାତ୍ରଙ୍କଠାରୁ ଆରମ୍ଭ କରି ଟ୍ରକ୍ ଚାଳକ ବନ୍ଧୁକ ଚୋରାଚାଲାଣ କରି ପୂର୍ବରୁ ପୁଲିସ ହାତରେ ଧରାପଡ଼ିଛନ୍ତି। ଯିଏ ପାରିଲା ସିଏ ମୁଙ୍ଗେରରୁ ବନ୍ଧୁକ ଆଉ ଗୁଳି ଆଣି ଓଡ଼ିଶାରେ ବିକ୍ରି କରୁଛନ୍ତି। ସେମାନଙ୍କ ପ୍ରତି କୌଣସି କଟକଣା ନଥିବା ଜଣାପଡ଼ିଛି। ଯାହାଫଳରେ ରାଜ୍ୟରେ ଚୋରା ବନ୍ଧୁକ ଓ ଗୁଳି କାରବାର ବୃଦ୍ଧି ପାଇଛି।
ମଣିଷ ଜୀବନ @୪୦ ଟଙ୍କା
Popular Categories



