ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମହାନାଟକର ଶୁଣାଣି, ଆଜି ଆସିବ ରାୟ

ସମର୍ଥନ ଓ ଆମନ୍ତ୍ରଣ ପତ୍ର ଦାଖଲ ନିର୍ଦେଶ କେନ୍ଦ୍ର,ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମହାରାଷ୍ଟ୍ର ମାମଲାର ଭିନ୍ନ ଦିଗ ଉନ୍ମୋଚନ କରିଛନ୍ତି। ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ତୁରନ୍ତ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଦେବେନ୍ଦ୍ର ଫଡ଼ନ୍‌ବିସଙ୍କୁ ନିର୍ଦେଶ ଦେବାକୁ ହୋଇଥିବା ଆବେଦନକୁ ପଛକୁ ରଖି କେନ୍ଦ୍ର ସରକାରଙ୍କଠାରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ପତ୍ର ଲୋଡ଼ିଛନ୍ତି। ସୋମବାର ସକାଳ ସାଢ଼େ ୧୦ଟା ସୁଦ୍ଧା​ଏହି ଦୁଇଟି ପତ୍ର ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ସେଥିମଧ୍ୟରେ ରହିଛି ସରକାର ଗଠନ ପରିପ୍ରେକ୍ଷୀରେ ଫଡ଼ନ୍‌ବିସଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସଂଖ୍ୟାଗରିଷ୍ଠତା ଦାବିର ପ୍ରମାଣ ସଂକ୍ରାନ୍ତ ପତ୍ର ଓ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବାର ପତ୍ର। ଅଜିତ ପୱାରଙ୍କ ସମର୍ଥନରେ ଫଡ଼ନ୍‌ବିସ ଅତି ତରବରରେ ସରକାର ଗଠନ ପୂର୍ବରୁ ଯେଉଁ ରାତିଅଧିଆ କାରବାର ହୋଇଥିଲା ତା’ ପୂର୍ବରୁ ଏହି ମୌଳିକ ପତ୍ର ଦୁଇଟି ମାମଲାର ବିଚାର ପାଇଁ ଅପରିହାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ଏଥିସହିତ ତିନିଦଳିଆ ମେଣ୍ଟ ପକ୍ଷରୁ ସୋମବାର ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଯେଉଁ ଦାବି କରାଯାଇଥିଲା ତାହା ଉପରେ ସୁପ୍ରିମକୋର୍ଟ ନିରବ ରହିଥିବାରୁ ଫଡ଼ନ୍‌ବିସ ଏକରକମ ବର୍ତ୍ତିଯାଇଛନ୍ତି। ଶନିବାର ପ୍ରତ୍ୟୁଷ ୫ଟା ୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଓ ସକାଳ ୭ଟା ୫୦ଟାରେ ଫଡ଼ନ୍‌ବିସ ଓ ଅଜିତ ପୱାରଙ୍କ ଶପଥ ଗ୍ରହଣ ପରିପ୍ରେକ୍ଷୀରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ମନୋମୁଖି ଓ ପକ୍ଷପାତମୂଳକ କାର୍ଯ୍ୟର ପ୍ରତିବାଦ ସହ ତୁରନ୍ତ ସଂଖ୍ୟାଗରିଷ୍ଠତା ପ୍ରମାଣ କରାଇବାକୁ ରାଜ୍ୟପାଳଙ୍କୁ ନିର୍ଦେଶ ଦେବା ଦାବିରେ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରି ଏହାର ତ୍ବରିତ ଶୁଣାଣି ପାଇଁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତିଙ୍କ ନିର୍ଦେଶକ୍ରମେ ଜଷ୍ଟିସ ଏନ୍‌.ଭି ରମଣ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ପୀଠ ରବିବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ମାମଲାର ଶୁଣାଣି କରିଥିଲେ। ଶୁଣାଣିବେଳେ ଜଷ୍ଟିସ ଭୂଷଣ ଫଡ଼ନ୍‌ବିସ କେତେବେଳେ ରାଜ୍ୟପାଳଙ୍କ ନିକଟରେ ଏନ୍‌ସିପି ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲେ ବୋଲି ଜାଣିବାକୁ ଚାହିଁବାରେ ‘ଏ ସମ୍ପର୍କରେ କୌଣସି ରେକର୍ଡ ନାହିଁ’ ବୋଲି ଏନ୍‌ସିପି ଓକିଲ କପିଳ ସିବଲ କହିଥିଲେ। ‘ରାଜ୍ୟପାଳ କୌଣସି କାଗଜପତ୍ର ମାଗି ନାହାନ୍ତି’ ବୋଲି ମଧ୍ୟ ଶିବସେନା ଓକିଲ ଅଭିଷେକ ମନୁ ସିଂହଭି କହିଥିଲେ। ସୁପ୍ରିମକୋର୍ଟ ଗତ ବର୍ଷ କର୍ଣ୍ଣାଟକରେ ୨୪ଘଣ୍ଟା ମଧ୍ୟରେ ଆସ୍ଥା ଭୋଟ୍‌ କରାଇବାକୁ ନିର୍ଦେଶ ଦେଇଥିବାରୁ ମହାରାଷ୍ଟ୍ରରେ ମଧ୍ୟ ସମାନ ନିର୍ଦେଶ ଦେବା ଦରକାର ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ମେଣ୍ଟ ପକ୍ଷରୁ ଦର୍ଶାଯାଇଥିଲା ଯେ ରାଜ୍ୟପାଳ ଫଡ଼ନ୍‌ବିସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ପୂର୍ବରୁ ତାଙ୍କ ସଂଖ୍ୟାଗରିଷ୍ଠତାର ଦାବି ଉପରେ ବିଚାର କରିବାକୁ ବାଧ୍ୟ। ଏତଦ୍‌ବ୍ୟତୀତ ଏନ୍‌ସିପିର ୫୪ ବିଧାୟକଙ୍କ ସମର୍ଥନ ପାଇଥିବା ନେଇ ବିଜେପି ଯେଉଁ ଦାବି କରୁଛି ତାହା ଭୁଲ୍‌। ୨୨ତାରିଖ ରାତିରୁ ୨୩ତାରିଖ ସକାଳ ମଧ୍ୟରେ ରାଜ୍ୟପାଳ ଯେଉଁ ଭୂମିକା ନିଭାଇଛନ୍ତି ତାହା ନିଜ ପଦମର୍ଯ୍ୟାଦା ପ୍ରତି ପରିହାସ। ସେ କେନ୍ଦ୍ର ଶାସନରେ ଥିବା ଦଳର ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି ବୋଲି ଉଭୟ ଓକିଲ କହିଥିଲେ। ଏହାର ପ୍ରତିବାଦରେ ବିଜେପି ଓକିଲ ମୁକୁଲ ରୋହତଗି ଦର୍ଶାଇଥିଲେ ଯେ ସମ୍ବିଧାନର ଧାରା ୩୬୧ ଆଧାରରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ କିମ୍ବା ବିଚାର ବିଭାଗୀୟ ତର୍ଜମା କରାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ଯୁକ୍ତି ଦର୍ଶାଯାଇଥିଲା। ଏତଦ୍‌ବ୍ୟତୀତ ପୀଠ ଚାହିଁଥିବା ଦୁଇଟି ପତ୍ର ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ତିନି ଦିନ ସମୟ ମାଗିଥିଲେ ମଧ୍ୟ ପୀଠ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ରାଜ୍ୟପାଳଙ୍କ ଭୂମିକା ପରିପ୍ରେକ୍ଷୀରେ ରୋହତଗିଙ୍କୁ ଜଷ୍ଟିସ ରମଣ କହିଥିଲେ ଯେ ଅଦାଲତରେ ଆକାଶର ସୀମା ରହିଛି। ଏଠାରେ ଯେକୌଣସି ଆବେଦନ କରାଯାଇପାରିବ ନାହିଁ। ବିଧାନସଭା ଓ ଅଦାଲତ ପରସ୍ପରଙ୍କ ସୀମା ଜାଣନ୍ତି; ଉଭୟ ଉଭୟଙ୍କୁ ସମ୍ମାନ ଦେବା ଉଚିତ।
ଏହି ପରିପ୍ରେକ୍ଷୀରେ ‘ଏହି ଦୁଇଟି ପତ୍ର ପାଇବା ପରେ ପୀଠ ଉଭୟ ପକ୍ଷଙ୍କ ଶୁଣାଣି କରିବେ ଓ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ କେତେବେଳେ ମତଦାନ ହେବ ତାହା ସ୍ପଷ୍ଟ କରିବେ। ସେତେବେଳେ ଯାଇ ବିଜେପିର ମୁଖା ଖୋଲିବ’ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସ​ୂ‌େ​‌ର୍ଯ୍ୟୱାଲା। ରବିବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଉଭୟ ଶିବିରରେ ଘନଘନ ବୈଠକ ଚାଲିଥିଲା। ଉଭୟ ପକ୍ଷ ମଧ୍ୟ ସରକାର ଗଠନ ପାଇଁ ନିଜ ସପକ୍ଷରେ ଆବଶ୍ୟକ ସଂଖ୍ୟା ରହିଥିବା ବୈଠକ ପରେ ଦାବି କରିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସରକାର ଗଠନ ନେଇ ଆଶାବାଦୀ ଥିବାବେଳେ ଏନ୍‌ସିପି ମୁଖ୍ୟ ଶରଦ ପୱାର ୫୪ ମଧ୍ୟରୁ ୫୦ ବିଧାୟକଙ୍କୁ ଏକତ୍ର ରଖିବା ପ୍ରୟାସ ଚଳାଇଛନ୍ତି। ଏନ୍‌ସିପି ବିଧାୟକମାନେ ମୁମ୍ବଇ ହୋଟେଲରେ ଅବସ୍ଥାନ କରୁଛନ୍ତି। ଫଡ଼ନ୍‌ବିସ ମଧ୍ୟ ନିଜ ବିଧାୟକଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ରବିବାର ବିଜେପି ମଧ୍ୟ ଏହାର ବିଧାୟକ ଦଳ ବୈଠକ କରିଛି। ବୈଠକରେ ଆସ୍ଥା ଭୋଟ୍‌ ବିଜୟ ହେବା ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରାଯାଇଥିବା ଦଳୀୟ ନେତା କହିଛନ୍ତି। ଅପରପକ୍ଷରେ ବିଜେପି ସାଂସଦ ସଞ୍ଜୟ କାକ୍‌ଡ଼େ ଶରଦ ପୱାରଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ କହିଛନ୍ତି। ରବିବାର ରାତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଦୁଇ ଜଣଙ୍କର ସାକ୍ଷାତ ପରେ ଏନ୍‌ସିପିର ୩ଜଣ ବିଧାୟକଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପଠାଯାଇଛି।

kalyan agarbati

Comments are closed.