www.samajalive.in
Saturday, December 6, 2025
23.1 C
Bhubaneswar

ହିଜାବ ବିବାଦ, ଦୁଇ ବିଚାରପତିଙ୍କ ଭିନ୍ନ ରାୟ

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦ ଉପରେ ଶୁଣାଣି କରିଥିବା ସୁପ୍ରିମକୋର୍ଟର ଦୁଇ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ଏହି ବିଭାଜିତ ରାୟ ପରେ ହିଜାବ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଏହା ସହିତ ମାମଲାର ଶୁଣାଣି ତିନି ଜଣିଆ ବିଚାରପତି ପୀଠରେ କରିବା ଲାଗି ସୁପାରିସ କରାଯାଇଛି। କର୍ଣ୍ଣାଟକର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବାରଣ କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବେଆଇନ ଘୋଷଣା ପୂର୍ବକ ବାରଣ କରିଥିଲେ। ଫେବୃଆରୀ ୫ରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ନିଷିଦ୍ଧ କରିଥିଲେ। ପରବର୍ତ୍ତି ସମୟରେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏହା କାଏମ ରହିଥିଲା। ହାଇକୋର୍ଟଙ୍କ ରାୟକୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ସୁପ୍ରିମକୋର୍ଟରେ ଚାଲେଞ୍ଜ ପୂର୍ବକ ପିଟିସନ ଦାୟର କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟର ଦୁଇ ବିଚାରପତି ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୂଲିଆ ଶୁଣାଣି କରିଥିଲେ। ଶୁଣାଣି ପରେ ବିଚାରପତି ହେମନ୍ତ ଗୁପ୍ତା ତାଙ୍କ ରାୟରେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ବିଚାରପତି ଗୁପ୍ତା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷାନୁଷ୍ଠାନରେ ହିଜାବ କିମ୍ବା ଅନ୍ୟ ଧାର୍ମିକ ପୋଷାକ ପରିଧାନ ସମ୍ପର୍କିତ କଟକଣା ଯଥାର୍ଥ। ଶିକ୍ଷାନୁଷ୍ଠାନରେ ଧାର୍ଯ୍ୟ ୟୁନିଫର୍ମ (ଗଣବେଶ) ପରିଧାନ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ବିଚାରପତି ଗୁପ୍ତା ଉପରୋକ୍ତ ରାୟ ଦେବା ସହିତ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଦାୟର ହୋଇଥିବା ସମସ୍ତ ୨୬ଟି ଯାକ ପିଟିସନକୁ ଖାରଜ କରିଦେଇଛନ୍ତି।

ବିଚାରପତି ସୁଧାଂଶୁ ଧୂଲିଆ ହିଜାବ ପରିଧାନ ପ୍ରସଙ୍ଗରେ ବିପରୀତ ରାୟ ଦେଇଛନ୍ତି। ବିଚାରପତି ଧୂଲିଆ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ହିଜାବ ପରିଧାନ କରିବା ମୁସଲମାନ ଛାତ୍ରୀଙ୍କ ଇଚ୍ଛାଧୀନ ବିଷୟ। ତେଣୁ ହିଜାବ ପରିଧାନ ପାଇଁ ଯେଉଁମାନେ ଆଗ୍ରହୀ ସେମାନଙ୍କୁ ଅନୁମତି ଦିଆଯିବା ଦରକାର। ଗ୍ରାମାଞ୍ଚଳରେ ନାରୀ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ଦରକାର। ହିଜାବ ପରିଧାନକୁ ବାରଣ କରି ଆମେ କ’ଣ ସେମାନଙ୍କ ଜୀବନକୁ ଉନ୍ନତ କରିବା କି? ବିଚାରପତି ଧୂଲିଆ ତାଙ୍କ ରାୟରେ ଫେବୃଆରୀ ୫ରେ କର୍ଣ୍ଣାଟକ ସରକାର ଦେଇଥିବା ନିର୍ଦେଶକୁ ରଦ୍ଦ କରିଦେଇଛନ୍ତି। ଏହା ସହିତ କର୍ଣ୍ଣାଟକ ହାଇକୋର୍ଟ ରାୟକୁ ମଧ୍ୟ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ହିଜାବ ପରିଧାନକୁ ବାରଣ କରାଯିବା ଦ୍ବାରା ଶିକ୍ଷାନୁଷ୍ଠାନଗୁଡିକରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ଏକତା ଓ ସମାନତାର ପରିବେଶ ନଷ୍ଟ ହେଉଛି। ସ୍କୁଲ ପରିସର ମଧ୍ୟରେ ଛାତ୍ରୀଙ୍କୁ ହିଜାବ ଓହ୍ଲାଇବାକୁ କହିବା ଦ୍ବାରା ଗୋପନୀୟତା ଉଲ୍ଳଙ୍ଘନ ହେଉଛି। ଏହା ସମ୍ବିଧାନର ଧାରା ୧୯(୧)(କ), ୨୧ ଓ ୨୫(୧)ର ଉଲ୍ଲଙ୍ଘନ କରୁଛି।

- Advertisement -

ଦୁଇ ବିଚାରପତିଙ୍କ ଭିନ୍ନ ରାୟ ପରେ ମାମଲା ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦିଆଯିବା ସହିତ ଏହାକୁ ତିନିଜଣିଆ ବିଚାରପତି ପୀଠରେ ଶୁଣାଣି କରିବାକୁ ସୁପାରିସ କରାଯାଇଛି। ବିବାଦ ଅସମାହିତ ରହିଥିବାର କର୍ଣ୍ଣାଟକ ସରକାରଙ୍କ ନିର୍ଦେଶ ବର୍ତ୍ତମାନ ସମୟରେ କାଏମ ରହିବ। ସୂଚନାଯୋଗ୍ୟ ୨୦୨୧ ଡିସେମ୍ବରରେ କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିଲା। ମୁସଲମାନ ଛାତ୍ରୀମାନେ ସ୍କୁଲ ଓ କଲେଜକୁ ହିଜାବ ପରିଧାନ କରି ଆସିବାରୁ ବିବାଦ ଆରମ୍ଭ ହୋଇଥିଲା। ପରେ ଏହି ବିବାଦ ରାଜନୈତିକ ରୂପ ନେଇଥିଲା। ୨୦୨୨ ଫେବୃଆରୀରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ନିଷିଦ୍ଧ କରିଥିଲେ। ମାର୍ଚ୍ଚ ୧୫ରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ହାଇକୋର୍ଟ କହିଥିଲେ ଯେ ହିଜାବ ପରିଧାନ ମୁସଲମାନ ଧାର୍ମିକ ପ୍ରଥାର ଜରୁରୀ ଅଂଶ ନୁହେଁ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ୨୬ଟି ପିଟିସନ ଦାୟର ହୋଇଥିଲା। ସୁପ୍ରିମକୋର୍ଟ ଏହାର ଦୀର୍ଘ ଶୁଣାଣି ପରେ ଆଜି ରାୟ ପ୍ରକାଶ ପାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories