ସାମାଜିକ ଗଣମାଧ୍ୟମ ଟ୍ୟାପିଂ ଦ୍ୱାରା ନିରୀକ୍ଷଣ ରାଜ୍‍ ଆରମ୍ଭ ହେବ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଅନ୍‍ଲାଇନ୍‍ ତଥ୍ୟ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମ କେନ୍ଦ୍ର ବା ହବ୍‍ ଗଠନ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ହବ୍‍ ଗଠନ ପୂର୍ବକ ସାମାଜିକ ଗଣମାଧ୍ୟମର ତଥ୍ୟ ନିରୀକ୍ଷଣ କରିବା ଦ୍ୱାରା ‘ନିରୀକ୍ଷଣ ରାଜ୍‍’ ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର୍‍ ଏବଂ ଡି. ୱାଇ. ଚନ୍ଦ୍ରଚୂଡଙ୍କ ପୀଠ କହିଛନ୍ତି। ତୃଣମୂଳ କଂଗ୍ରେସ ବିଧାୟକ ମହୁଆ ମୈତ୍ରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ୨ ସପ୍ତାହ ମଧ୍ୟରେ ନିଜ ମତାମତ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ପୀଠ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କ ସହଯୋଗ ଲୋଡିଛନ୍ତି। ଟ୍ୱିଟର୍‍, ଫେସ୍‍ବୁକ୍‍, ଇନ୍‍ଷ୍ଟାଗ୍ରାମ ଓ ଇମେଲ୍‍ରେ ଛଡାଯାଉଥିବା ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମ ଦ୍ୱାରା ସରକାର ନିରୀକ୍ଷଣ କରିବାକୁ ଚାହୁଁଛନ୍ତି ବୋଲି ଆବେଦନକାରୀ ମୈତ୍ରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏ. ଏମ୍‍. ସାଙ୍ଘଭୀ ଯୁକ୍ତି ଦର୍ଶାଇଥିଲେ। ଏହି ହବ୍‍ ପ୍ରତିଷ୍ଠା ଲାଗି ଏକ ସଫ୍ଟୱେର ଯୋଗାଇ ଦେବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ତ ବ୍ରୋଡକାଷ୍ଟ ଇଞ୍ଜିନିୟରିଂ କନ୍‍ସଲ୍‍ଟାଣ୍ଟ ଇଣ୍ଡିଆ ଲିମିଟେଡ୍‍ (ବେସିଲ) ନାମକ ଏକ କମ୍ପାନୀ ଟେଣ୍ଡର ଆହ୍ୱାନ କରିଛି। ଅଗଷ୍ଟ ୨୦ରେ ଟେଣ୍ଡର ଖୋଲିବା ପୂର୍ବରୁ ୩ ତାରିଖରେ ଆବେଦନ ଉପରେ ଶୁଣାଣି ହେବ ବୋଲି ପୀଠ କହିଛନ୍ତି। ହବ୍‍ ପ୍ରତିଷ୍ଠା ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ ନିମନ୍ତେ ହୋଇଥିବା ଏହି ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଜୁନ୍‍ ୧୮ରେ ମନା କରିଥିଲେ।

Leave A Reply