ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ ପ୍ରସଙ୍ଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୋଟର ତାଲିକା ମୁଦ୍ରଣ ପାଇଁ ପ୍ରତିଦିନ କଟାଯାଉଛି ୩୧ଟି ଗଛ

ଡେସ୍କ: ଭୋଟର ପଞ୍ଜିକରଣ ଅଧିନିୟମ ୧୯୬୦ର କେତେକ ନିୟମର ବୈଧତାକୁ ନେଇ ହୋଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିନିୟମ ଅନୁଯାୟୀ, ନିର୍ବାଚନ କମିଶନ ପ୍ରତ୍ୟେକ ପ୍ରତିଯୋଗୀ ପ୍ରାର୍ଥୀଙ୍କୁ ଦୁଇଟି କପି ଭୋଟର ତାଲିକା ଯୋଗାଇବାକୁ ବାଧ୍ୟ।

ଦୁଇ ଜଣ ଆଇନଜୀବୀ ହରଜ୍ଞାନ ସିଂ ଗହଲୋତ ଏବଂ ସଞ୍ଜନା ଗହଲୋତଙ୍କ ଦ୍ୱାରା ଦାଖଲ ହୋଇଥିବା ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏଥିପାଇଁ ବିପୁଳ ଖର୍ଚ୍ଚ ତଥା ବହୁ ପରିମାଣର କାଗଜ ବ୍ୟବହାରକୁ ବଞ୍ଚାଇବା ବିଷୟ ଉପସ୍ଥାପନ କରାଯାଇଛି। ଏଥିରେ ଅଭିଯୋଗ ହୋଇଛି ଯେ ଭୋଟର ତାଲିକା ମୁଦ୍ରଣ କରିବା ଏବଂ ପ୍ରତିଯୋଗୀତା କରୁଥିବା ସ୍ୱୀକୃତିପ୍ରାପ୍ତ ଦଳର ପ୍ରାର୍ଥୀଙ୍କୁ ମାଗଣାରେ ଯୋଗାଇବା ପାଇଁ ଦେଶକୁ ପ୍ରାୟ ୪୭.୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

ପ୍ରଧାନ ବିଚାରପତି ୟୁ ୟୁ ଲଲିତ ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୧୯୬୦ର ଭୋଟର ଅଧିନିୟମ ୧୧ (ସି) ଏବଂ ୨୨ (ସି) ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ କୁହାଯାଇଛି। ଏହି ନିୟମାବଳୀ ଅନୁଯାୟୀ, ନିର୍ବାଚନ ଆୟୋଗ ପ୍ରତ୍ୟେକ ପ୍ରତିଯୋଗୀ ପ୍ରାର୍ଥୀଙ୍କୁ ଦୁଇଟି କପି ଭୋଟର ତାଲିକା ଯୋଗାଇବାକୁ ବାଧ୍ୟ। ଏଥିପାଇଁ ଗତ ନିର୍ବାଚନରେ ​​ନିର୍ବାଚନ ଆୟୋଗ ୪୭ କୋଟି ୮୪ ଲକ୍ଷ ୩୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତେଣୁ ଏହି ନିୟମର ବୈଧତାକୁ ନେଇ ପ୍ରଶ୍ନ ଉଠିଛି ଏବଂ ଏହା ମଧ୍ୟ ଉପସ୍ଥାପିତ ହୋଇଛି ଯେ ଏକ ବିକଳ୍ପ ପ୍ରସ୍ତୁତ କରାଯାଉ ଯାହା ଦ୍ୱାରା ବିପୁଳ ଖର୍ଚ୍ଚ ସଞ୍ଚୟ ହେବା ସହ ବହୁ ପରିମାଣର କାଗଜ ବ୍ୟବହାର ମଧ୍ୟ ବନ୍ଦ କରାଯାଇପାରିବ। ଭୋଟର ତାଲିକା ମୁଦ୍ରଣ ପାଇଁ ପ୍ରତିଦିନ ପ୍ରାୟ ୩୧ଟି ଗଛ କଟାଯାଇଥିବା ସେମାନେ ଦାବି କରିଛନ୍ତି।

Comments are closed.