www.samajalive.in
Saturday, December 6, 2025
15.1 C
Bhubaneswar

ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ; ଏଥର ଦିଲୀପ ନା ଆଉ କିଏ !

ସୁନ୍ଦରଗଡ଼ : କ୍ରୀଡ଼ା ହେଉ ବା ରାଜନୀତି ହେଉ ସୁନ୍ଦରଗଡ଼ ସର୍ବଦା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଗତ ନିର୍ବାଚନ ମାନଙ୍କରେ ବିଭିନ୍ନ ଦଳର ହିସାବ, ସମୀକ୍ଷା ଓ ଆଶାତୀତ ଫଳାଫଳ ରାଜନୈତିକ ସମୀକ୍ଷକଙ୍କ ପୂର୍ବାନୁମାନକୁ ଫେଲ କରିଥିବା ବେଳେ ଏଥର ମଧ୍ୟ ଭୋଟ ସଂଖ୍ୟା ଅଙ୍କକଶାକୁ ନେଇ ଜୋରସୋର ତର୍ଜମା ଜାରି ରହିଛି । ବିଜେପି ଦଳରୁ ଏହି ସଂସଦୀୟ କ୍ଷେତ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରିବା ପାଇଁ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲେ ହେଁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଅନ୍ୟ ଜଣେ ପ୍ରାର୍ଥୀଙ୍କ ସମ୍ପର୍କରେ ତର୍ଜମା ଜାରି ରହିଛି । ଏ ସମ୍ପର୍କରେ ସୁନ୍ଦରଗଡ଼ ବିଜେପି ପକ୍ଷରୁ କେବଳ ଜୁଏଲଙ୍କ କଥାକୁହାଯାଉଥିଲେ ମଧ୍ୟ ଅନ୍ୟ ଏକ ସୂତ୍ରରୁ ଏ ପ୍ରାର୍ଥୀଙ୍କ ସମ୍ପର୍କରେ ଚର୍ଚ୍ଚା ଚାଲିଛି ବୋଲି କୁହାଯାଇଛି । ଗତ ନିର୍ବାଚନରେ ରାଉରକେଲା ବିଧାୟକ ଦିଲୀପ ରାୟ ବିଜେପିରେ ଥିବାରୁ ଜୁଏଲଙ୍କୁ ନିର୍ବାଚନ ବୈତରଣୀ ପାର କରିବାରେ ବିଶେଷ ସହାୟକ ହୋଇଥିଲା। ମାତ୍ର ଏଥର ସମୀକରଣ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି । ଦିଲୀପ ରାୟ ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେଇ ଚୁପ ବସି ରହିଥିବା ବେଳେ ଜୁଏଲଙ୍କ ସମର୍ଥକ ପ୍ରଚାର କାର୍ଯ୍ୟ ଏକ ପ୍ରକାର ଆରମ୍ଭ କରି ଦେଇଛନ୍ତି । ଗତ ନିର୍ବାଚନରେ ଜୁଏଲ ଓରାମ ରାଉରକେଲାରୁ ପାଇଥିବା ଭୋଟ ତାଙ୍କୁ ବିଜୟୀ କରିବାରେ ସହାୟକ ହୋଇଥିଲା। ତେଣୁ ଚଳିତ ନିର୍ବାଚନରେ ଏଥିରେ ବ୍ୟତିକ୍ରମ ଦେଖାଯିବା ସ୍ବଭାବିକ ହେବ। ବ୍ରାହ୍ମଣୀ ସେତୁ, ସୁପର ସ୍ପେଲାଟିଷ୍ଟ ହସ୍ପିଟାଲ ଓ ମୁକ୍ତିକାନ୍ତ ପ୍ରସଙ୍ଗ ଏବେ ବି ଭୋଟରଙ୍କୁ ଆନ୍ଦୋଳିତ କରୁଛି ।

ଅପରପକ୍ଷରେ କଂଗ୍ରେସ ଦଳରେ ସଂସଦୀୟ ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା ଓ ଲବି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ନିକଟରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ବିଧାୟକ ଜର୍ଜ ତିର୍କୀ ଓ ତଳସରା ବିଧାୟକ ଡଃ.ପ୍ରଫୁଲ ମାଝୀ ସଂସଦୀୟ ପ୍ରାର୍ଥୀ ପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ହେଲେ ନିକଟରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଯେଭଳି ଭାବରେ ଜର୍ଜ ସଫଳ କରାଇଲେ ସେଥି ପାଇଁ ରାହୁଲ ମଧ୍ୟ ଜର୍ଜଙ୍କୁ ଧନ୍ୟବାଦ ଦେବା ପାଇଁ ଭୁଲି ନଥିଲେ । ଏ ପରିପ୍ରେକ୍ଷୀରେ ଜର୍ଜଙ୍କ ପଲା ଭାରି ଥିବାର ତାଙ୍କ ସମର୍ଥକ ମାନେ କହୁଥିବା ବେଳେ ତୃତୀୟ ଥର ବିଧାୟକ ହୋଇଥିବା ଡଃ.ମାଝୀ ମଧ୍ୟ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି ତାଙ୍କ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି । କଂଗ୍ରେସ ଦଳରୁ ଯୋଗେଶ ଯିବା ପରେ କଂଗ୍ରେସର ସ୍ଥିତି, ଦଳୀୟ କର୍ମକମର୍ତ୍ତା ଓ ନେତାଙ୍କ ମାନସିକତାରେ କି ପ୍ରଭାବ ପକାଇଛି ତାହା ସମୟ କହିବ ବୋଲି କଂଗ୍ରେସ କର୍ମୀ କହୁଥିବା ବେଳେ କଂଗ୍ରେସ ହାଇକାମଣ୍ଡ ମଧ୍ୟ ଏହି ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଚୟନରେ ଏକାଧିକ ରିପୋର୍ଟକୁ ତର୍ଜମା କରୁଛନ୍ତି ।

- Advertisement -

କଂଗ୍ରେସ ଦଳର ଦୁଇ ହେଭି ୱେଟ ପ୍ରାର୍ଥୀଙ୍କ ମଧ୍ୟରୁ ହାଇକମାଣ୍ଡ କାହାକୁ ଟିକଟ ଦେବେ ତାକୁ ନେଇ ସମଗ୍ର କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଶାସକ ବିଜେଡ଼ି ଦଳରେ ମଧ୍ୟ ସଂସଦୀୟ କ୍ଷେତ୍ର ପ୍ରାର୍ଥୀତ୍ବକୁ ନେଇ ଦଳାଚକଟା ଆରମ୍ଭ ହୋଇଯାଇଛି । କେତେକ ଦିଲୀପ ତିର୍କୀଙ୍କୁ ପୁନଶ୍ଚ ପ୍ରାର୍ଥୀ କରିବା ଉପରେ ଗୁରୁତ୍ବ ଦେଇ ଗତ ନିର୍ବାଚନରେ ଦିଲୀପ ପାଖାପାଖି ୧୮ହଜାର ଭୋଟରେ ଜୁଏଲ ଓରାମଙ୍କଠାରୁ ହାରି ଥିବାରୁ ଏ ନିର୍ବାଚନ ଜୁଏଲ ଓରାମଙ୍କ ଭାବମୂର୍ତ୍ତିରେ ଯେଉଁ କିଛିଟା ପ୍ରଭାବ ପକାଇଛି ସେଥିରୁ ଦିଲୀପ ତିର୍କୀଙ୍କୁ ଫାଇଦା ମିଳିବ ବୋଲି ତାଙ୍କ ସମର୍ଥକ ମାନେ କହି ବୁଲୁଛନ୍ତି। ରାଜ୍ୟ ସଭା ସାଂସଦ ପଦରୁ ଦିଲୀପଙ୍କ ସମୟ ସୀମା ସରିଯିବାରୁ ସେ ହକି ଖେଳରେ ମନୋନିବେଶ କରିବା ସହ ରାଜନୈତିକ ଥଇଥାନ ଯୋଜନାରେ ତାଙ୍କୁ ନବୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଦଳରେ ବାନ୍ଧି ରଖିଛନ୍ତି । ହେଲେ ଜିଲାର ତୃଣମୂଳସ୍ତରରୁ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଚୟନ କୁଆଡ଼େ ବିଜେଡ଼ି ହାଇକାମଣ୍ଡ(ତୃତୀୟ ମହଲା)ଙ୍କ ପାଇଁ ଏକ ପ୍ରକାର ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଉଭୟ ଜର୍ଜ ଓ ଜୁଏଲଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀଙ୍କ ଉପରେ ଗୁରୁତ୍ବ ଦେଉଛନ୍ତି । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ମତାମତ ନେବା ସହ ଗୋଇନ୍ଦା ରିପୋର୍ଟ, ଦଳ ପକ୍ଷରୁ ନିଯୁକ୍ତ କରାଯାଇଥିବା ଏଜେନ୍ସି ରିପୋର୍ଟକୁ ମଧ୍ୟ ସମୀକ୍ଷା କରାଯାଉଛି । ଜିଲାର ବିଭିନ୍ନ ସଂପ୍ରଦାୟ(ଏ,ବି,ସି,ଡ଼ି)ର ଭୋଟର ସଂଖ୍ୟାକୁ ମଧ୍ୟ ଗୁରୁତ୍ବର ସହ ନେଇ କେଉଁ ପ୍ରାର୍ଥୀଙ୍କ ଉପରେ ସେମାନଙ୍କ ସର୍ବାଧିକ ‘ଚଏସ’ ରହିବ ସେ ସମ୍ପର୍କରେ ମଧ୍ୟ ତର୍ଜମା ଆରମ୍ଭ ହୋଇଛି । ଦିଲୀପ ତିର୍କୀଙ୍କୁ ଛାଡ଼ି ନିକଟରେ ବିଜେଡ଼ିରେ ଯୋଗଦେଇ ଥିବା ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଟପ୍ପୋଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଛି । ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନ୍ୟାଙ୍କୁ ସଂସଦୀୟ କ୍ଷେତ୍ରର ଦଳୀୟ ପ୍ରାର୍ଥୀନୀ କରେଇବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ଏହି ମହିଳାଙ୍କ ପ୍ରାର୍ଥୀତ୍ବକୁ ସଂପ୍ରଦାୟ ଭିତ୍ତିରେ ଅଧିକ ଗୁରୁତ୍ବ ଦିଆଯାଉଥିବାର ସୂତ୍ର କହୁଥିଲେ ହିଁ ପିତାଙ୍କ ଖ୍ୟାତି ଓ ରାଜନୈତିକ ପ୍ରତିଷ୍ଠାକୁ ପାଥେୟ କରି ବିଜେଡ଼ି କୁଆଡ଼େ ଲାଭବାନ ହୋଇପାରିବ ବୋଲି ଅନୁମାନ କରାଯାଉଥିବା ବେଳେ ସଂସଦୀୟ କ୍ଷେତ୍ର ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନିଶ୍ଚିତ ବୋଲି ରାଜନୈତିକ ବିଶାରଦ ମାନେ ମତ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories