ସୁନନ୍ଦାଙ୍କ ମୃତ୍ୟୁ ଘଟଣା ; ଆତ୍ମହତ୍ୟା ନୁହେଁ, ହତ୍ୟା

0

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଆତ୍ମହତ୍ୟା ନୁହେଁ ବରଂ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୀର୍ଘ ଦିନ ଧରି ଏହି ରିପୋର୍ଟକୁ ଗୁପ୍ତ ରଖାଯାଇଥିବା ବେଳେ ‘ଡିଏନ୍‌ଏ’ ଖବରକାଗଜ ଏହାକୁ ହସ୍ତଗତ କରିବାରେ ସଫଳ ହୋଇଛି। ସୁନନ୍ଦାଙ୍କ ହତ୍ୟାକାରୀ କିଏ ତାହା ତଦନ୍ତକାରୀମାନେ ଜାଣନ୍ତି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ଏହା ସୁନନ୍ଦା ମୃତ୍ୟୁ ସମ୍ବନ୍ଧରେ ଡିସିପି ବି.ଏସ୍‌. ଜୟସ୍ୱାଲଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ରିପୋର୍ଟ। ଏଥିଅନୁଯାୟୀ, ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ୍‌ ବସନ୍ତ ବିହାର ଆଲୋକ ଶର୍ମା ‘ଲୀଲା ହୋଟେଲ’ରେ ସୁନନ୍ଦାଙ୍କ ସନ୍ଦେହଜନକ ମୃତ୍ୟୁ ଖବର ପାଇ ତଦନ୍ତ ନିମନ୍ତେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ଏକ ଆତ୍ମହତ୍ୟା ନୁହେଁ ବୋଲି ଶର୍ମା ଘଟଣାସ୍ଥଳ ଦେଖି ଜାଣିପାରିଥିଲେ। କିନ୍ତୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ ଏହି ଘଟଣାକୁ ଏକ ହତ୍ୟା ମାମଲା ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିବାକୁ ଶର୍ମା ଷ୍ଟେସନ ହାଉସ୍‌ ଅଫିସର୍‌ ସରୋଜିନୀ ନାଗରଙ୍କୁ ନିର୍ଦେଶ ଦେଇଥିଲେ। ଶରୀରରେ ବିଷ ପ୍ରବାହ ଯୋଗୁ ସୁନନ୍ଦାଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସୁନନ୍ଦାଙ୍କୁ ଆଲ୍‌ପ୍ରାଜୋଲମ୍‌ ଦିଆଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଥିଲା। ତାଙ୍କ ଶରୀରରେ ୧୫ଟି କ୍ଷତ ଚିହ୍ନ ରହିଥିବା ବେଳେ ଏଗୁଡିକ ୧୨ଘଣ୍ଟାରୁ ୪ ଦିନ ମଧ୍ୟରେ ସୃଷ୍ଟି ହୋଇଥିଲା। ୧୦ ନମ୍ବର କ୍ଷତ ଏକ ଇଞ୍ଜେକସନ ଚିହ୍ନ ହୋଇଥିବା ବେଳେ ୧୨ ନମ୍ବର କ୍ଷତ ଦାନ୍ତରେ କାମୁଡିବା ଯୋଗୁ ସୃଷ୍ଟି ହୋଇଥିଲା। ଅନ୍ୟ କ୍ଷତଗୁଡିକ ବଳ ପ୍ରୟୋଗ ପୂର୍ବକ ମାରପିଟ ଯୋଗୁ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ମୃତ୍ୟୁ ଘଟିବା ଭଳି କ୍ଷତ ନୁହେଁ। ତେବେ ଇଞ୍ଜେକ୍‌ସନ ଚିହ୍ନ ସଦ୍ୟ ସୃଷ୍ଟି ହୋଇଥିଲା ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଘଟଣାଦିନ ସୁନନ୍ଦା ଏବଂ ତାଙ୍କ ସ୍ୱାମୀ ଶଶି ଥରୁର୍‌ଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ଏପରିକି ମାରପିଟ ହୋଇଥିବା ସେମାନଙ୍କ ବ୍ୟକ୍ତିଗତ ସହଯୋଗୀ ନରେନ୍‌ ସିଂହ ପ୍ରକାଶ କରିଥିଲେ। ତତ୍‌କାଳୀନ ଯୁଗ୍ମ ପୁଲିସ କମିଶନର ବିବେକ ଗୋଗୋଇଙ୍କ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଥିଲା। ବ୍ୟକ୍ତିଗତ ଭାବେ ମାମଲାର ଯାଞ୍ଚ କରିବା ଲାଗି ତାଙ୍କୁ ନିର୍ଦେଶ ରହିଥିଲା। ପରେ ଏହି ରିପୋର୍ଟକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା।

ମୃତ୍ୟୁର କାରଣ ଜଣାପଡିବା ପରେ ମଧ୍ୟ ପୁଲିସ ଏ ସମ୍ବନ୍ଧରେ କୌଣସି ମାମଲା ରୁଜୁ କରି ନ ଥିଲା। ଏକ ସପ୍ତାହ ପରେ ଘଟଣାଟି କ୍ରାଇମ୍‌ ବ୍ରାଞ୍ଚ ହାତକୁ ଯାଇଥିଲା। ତଥାପି କେବଳ ଏକ ଏଫ୍‌ଆଇଆର୍‌ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗୋଗୋଇ ମାତ୍ର ୪ ଘଣ୍ଟା ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚ ହାତରୁ ମାମଲାଟିକୁ ପୁନଃ ନିଜ ହାତକୁ ନେବାକୁ ସକ୍ଷମ ହୋଇଥିଲେ। ବ୍ୟବଚ୍ଛେଦ, ରାସାୟନିକ, ଜୈବିକ ଏବଂ ଫିଙ୍ଗର ପ୍ରିଣ୍ଟ ସମ୍ବନ୍ଧୀୟ ପୃଥକ୍‌ ରିପୋର୍ଟ ରହିଛି। ସୁନନ୍ଦାଙ୍କୁ ହତ୍ୟା କରାଯାଇଥିବା ଏହି ରିପୋର୍ଟ ସୂଚୀତ କରୁଛି।

୨୦୧୪ ଜାନୁଆରୀ ୧୭ରେ ହୋଟେଲ ଲୀଲା ପ୍ୟାଲେସର ୩୪୫ ନମ୍ବର କୋଠରୀରେ ସୁନନ୍ଦାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୁଲିସ ରାତି ୯ଟାରେ ଖବର ପାଇଥିଲା। ଘଟଣା ପୂର୍ବରୁ ସୁନନ୍ଦା ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଥିଲେ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ଏବଂ ସାମ୍ବାଦିକା ନଳିନୀ ସିଂହ ପ୍ରକାଶ କରିଥିଲେ। ଏ ନେଇ ନିଜର ଶ୍ୱେତ ପୋଷାକ ବାହାର କରିବାକୁ ସୁନନ୍ଦା ତାଙ୍କ ବ୍ୟକ୍ତିଗତ ସହଯୋଗୀଙ୍କୁ କହିଥିଲେ। କିନ୍ତୁ ଏହା ପରେ ହୋଟେଲ ପ୍ରକୋଷ୍ଠରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ବିବାହର ୭ ବର୍ଷ ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିବାରୁ ଆଇନ ଅନୁଯାୟୀ ଏସ୍‌ଡିଏମ୍‌ ଶର୍ମାଙ୍କୁ ପ୍ରାଥମିକ ତଦନ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଥିଲା।

Leave A Reply