ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ଦିଲ୍ଲୀର ଏକ ଅତିରିକ୍ତ ଦୌରାଜଜ କୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଅଭିଯୁକ୍ତ ରହିଛନ୍ତି। ସୁନନ୍ଦାଙ୍କ ମୃତ୍ୟୁ ପାଇଁ ଥରୁରଙ୍କୁ ଦାୟୀ କରାଯିବା ସହ ତାଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଏବଂ ୩୦୬ରେ ମାମଲା ରୁଜୁ ହୋଇଛି। ଶୁଣାଣି ସମୟରେ ଥରୁରଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିବା ଲାଗି ପୁଲିସ କୋର୍ଟଙ୍କୁ ୧୦ ଦିନ ସମୟ ମାଗିଛି। ଅନ୍ୟପଟେ ଥରୁରଙ୍କ ଓକିଲ ବିକାଶ ପାହ୍ବା କୋର୍ଟଙ୍କୁ ଦର୍ଶାଇଛନ୍ତି ଯେ, ପୋଲିସ ରିପୋର୍ଟ ଏବଂ ମାମଲା ସମ୍ପର୍କିତ କାଗଜପତ୍ରରେ ତଥ୍ୟକୁ ନେଇ ଅନେକ ଭିନ୍ନତା ରହିଛି। ତେଣୁ ତାଙ୍କ ମହକିଲଙ୍କୁ ଏଫଆଇଆର ନକଲ ଏବଂ ମାମଲା ସମ୍ପର୍କିତ କାଗଜପତ୍ରର ନକଲ ପ୍ରଦାନ କରିବାକୁ ସିଆରପିସିର ଧାରା ୨୦୭ ଅନୁଯାୟୀ କୋର୍ଟରେ ଏକ ରିଭିଜନ ପିଟିଶନ ଦାୟର କରାଯାଇଛି। ଏହା ପରେ କୋର୍ଟ ଶୁଣାଣିକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
ସୂଚନାଯୋଗ୍ୟ, ୨୦୧୪ ଜାନୁୟାରୀ ୧୭ରେ ଦିଲ୍ଲୀର ଏକ ତାରକା ହୋଟେଲରୁ ସୁନନ୍ଦାଙ୍କ ମୃତଦେହ ଜବତ ହୋଇଥିଲା। ଏହି ମାମଲାରେ ଥରୁରଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ତାହା ପ୍ରମାଣିତ ହେଲେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ।



