ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କଲେ ଲକ୍ଷାଧିକ ଭକ୍ତ; ଶୁକ୍ରବାର ରାତି ନିଳାଦ୍ରୀ ବିଜେ

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ଗୁରୁବାର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଧାର୍ଯ୍ୟ ସମୟ ୪ଟାରେ ତିନି ଦିଅଁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ଶ୍ରୀଜୀଉଙ୍କ ଏହି ସୁନାବେଶ ଦର୍ଶନ କରିପାରିବେ। ତିନି ଠାକୁରଙ୍କ ସୁନାବେଶ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଗୋପାଳଜୀଉମଠ ପକ୍ଷରୁ ୧୨ହଜାର ରସଗୋଲା ମଣୋହୀ କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା। ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କ ୧୩ପ୍ରକାର ସୁନା ଅଳଙ୍କାରକୁ ରଥ ଉପରକୁ ଅଣାଯାଇ ଅପରାହ୍ନ ୩ଟାରେ ଶ୍ରୀଜୀଉଙ୍କ ସୁନାବେଶ ଶେଷ ହୋଇଥିଲା। ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମୋଟ ୩୭କିଗ୍ରାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ମଧ୍ୟରୁ ୧୬.୭୫୦କିଗ୍ରା ସୁନା ଅଳଙ୍କାର ଓ ୩୦ କିଗ୍ରା ରୁପା ଅଳଙ୍କାରକୁ ସୁନାପାଣି ବ୍ୟବହାର କରାଯାଇ ତିନିଠାକୁରଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା। ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ମାଜିଷ୍ଟ୍ରେଟ୍‌‌ ଭାବେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶକୁ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସୁନାବେଶକୁ ଭକ୍ତ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେ ନେଇ ସଦର ତହସିଲଦାର ଆଶିଷ ମହାପାତ୍ର, ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀ, ଅନୀତା ନାଏକ, ବସୁନ୍ଧରା ଭିତିରିଆ, ଗୌରୀ ନାଏକ ଓ ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୀବ ରାୟ, କସ୍ତୁଭ ଷଡଙ୍ଗୀ, ପ୍ରକାଶ ସେଠୀ, ରଶ୍ମୀତା ସ୍ୱାଇଁ ମାଜିଷ୍ଟ୍ରେଟ ଭାବେ ମୁତୟନ ହୋଇ ପୁଲିସ ପ୍ରଶାସନ ସହାୟତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶୁକ୍ରବାର ତିନିଠାକୁର ରଥ ଉପରେ ଦିନତମାମ ଭକ୍ତଙ୍କୁ ଦର୍ଶନ ଦେବାପରେ ରାତି ୮ଟାରେ ଗୋଟିପହଣ୍ଡି କରାଯାଇ ଶ୍ରୀଜୀଉମାନଙ୍କୁ ନିଳାଦ୍ରୀ ବିଜେ କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ କୁହାଯାଇଛି।

ଜିଲାପାଳ ଆଶିଷ ଠାକରେ ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁନାବେଶ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟକୋ କୁଜୁର, ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ସଂରକ୍ଷିତ ଆରକ୍ଷୀ ନୀରିକ୍ଷକ ବିମଳ ରାଉତ, ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ରଥ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ରଥ ଚାରିପଟେ ବ୍ୟାରିକେଡ ନିର୍ମାଣ ସହ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୪ଜଣ ଡିଏସ୍‌‌ପି, ୮ଜଣ ଇନ୍ସପେକ୍ଟର, ୧୮ଜଣ ସବ୍‌‌ଇନ୍ସପେକ୍ଟର ଓ ୨୦ଜଣ ଏଏସ୍‌‌ଆଇଙ୍କ ସମେତ ୧୬ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା ବେଳେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ନିମନ୍ତେ କୌଣସି ଭକ୍ତଙ୍କୁ ରଥ ଉପରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜୀବ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉଙ୍କ ସୁନାବେଶର ପ୍ରତିଟି କାର୍ଯ୍ୟକ୍ରମର ବିବରଣୀ ଭକ୍ତଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୁନାବେଶର ପ୍ରସାରଣ କରାଯାଇଥିଲା।

Comments are closed.