www.samajalive.in
Saturday, December 6, 2025
14.1 C
Bhubaneswar

ଛୁଟିରେ ଆମ ପିଲା

ଭୁବନେଶ୍ଵର: ଆଉ କିଛି ଦିନ ପରେ ଖରାଛୁଟି ହେବ। ଖରା ବଢ଼ିଲେ ଖରାଛୁଟିର ସମୟ ବି ବଢ଼ିବ। ଗତ କିଛି ବର୍ଷ ଧରି ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିଦ୍ୟାଳୟ ଛୁଟି ଘୋଷଣା ହେଉଛି। ପିଲାମାନଙ୍କୁ ଲମ୍ବା ଛୁଟିରେ ଯିବାକୁ ସମୟ ମିଳୁଛି। ଗ୍ରୀଷ୍ମଋତୁରେ ସ୍କୁଲଗୁଡ଼ିକରେ ଲମ୍ବାଛୁଟି ହେବାର ଦୁଇଟି କାରଣ ରହିଛି। ଗୋଟିଏ ହେଲା ପିଲାଙ୍କୁ ଦୀର୍ଘ ସମୟ ଧରି ଧରାବନ୍ଧା ରୁଟିନ ଭିତରୁ ମୁକୁଳାଇ ଏକ କଠିନ ପରିସ୍ଥିତିରୁ ସାମୟିକ ବିରତି ପ୍ରଦାନ କରିବା। ଦ୍ୱିତୀୟଟି ହେଲା ସୂର୍ଯ୍ୟଙ୍କ ଉତ୍ତରାୟଣ ଜନିତ ଅସହ୍ୟ ତାପଜନିତ ଅସ୍ୱାଭାବିକ ପରିସ୍ଥିତିରେ ବିଦ୍ୟାଳୟ କୋଠରି ମଧ୍ୟରୁ ଦୂରେଇ ଘରେ ନିରାପଦ ଭାବରେ ରଖିବା। ଅପର ପକ୍ଷେ ଶିକ୍ଷା ଅଧ୍ୟୟନ ଏକ ମନୋବିଜ୍ଞାନ ପ୍ରକ୍ରିୟା ସହ ଜଡିତ ଥିବାରୁ ଗୁଣାତ୍ମକ ଓ ଫଳପ୍ରଦ ଶିକ୍ଷଣ ପ୍ରକ୍ରିୟା ଲାଗି ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ସାମୟିକ ବିରତି ଆବଶ୍ୟକ। ବ୍ୟାଟେରି ଭଳି ସାମୟିକ ବିରତି ନେଇ ପ୍ରତିଟି ମଣିଷ ରିଚାର୍ଜ ହେବା ଜରୁରୀ। ଏଥିପାଇଁ ବିରତି ଆବଶ୍ୟକ। ବିରତି ପରବର୍ତ୍ତୀ ସମୟରେ ପିଲାମାନେ ଅଧିକ ଭାବେ ଶିକ୍ଷଣ ପ୍ରକ୍ରିୟାରେ ମନୋନିବେଶ କରିଥାନ୍ତି ଏବଂ ଶିକ୍ଷା ପ୍ରତି ଅଧିକ ରୁଚି ପ୍ରଦର୍ଶନ କରନ୍ତି। ଏ କଥା ବି ସତ ଯେ ଦିନଥିଲା ଲୋକଙ୍କ ଜୀବନର ପ୍ରତିଟି ଦିଗ କୃଷି ଉପରେ କେନ୍ଦ୍ରୀଭୂତ ଥିଲା। ବିବଶତା ବଶତଃ ହେଉ ଅବା ସ୍ୱାଭାବିକ ଭାବେ ହେଉ ଅଭିଭାବକଙ୍କୁ କୃଷିକର୍ମରେ ଛୋଟଛୋଟ ସହାୟତା ପାଇଁ ପିଲାଙ୍କୁ ବିନିଯୋଗ କରାଯାଉଥିଲା। କୃଷି ସମ୍ପର୍କିତ କାର୍ଯ୍ୟରେ ବ୍ୟବହାର କରି ତାଙ୍କୁ କୃଷି ସମ୍ପର୍କିତ ଜ୍ଞାନ ପ୍ରଦାନ କରାଯାଉଥିଲା। ସମୟ ସହ ଏହି ଧାରାରେ ପରିବର୍ତ୍ତନ ଆସିଲା ଅନେକାଂଶରେ। ପିଲାଙ୍କୁ ଚାପମୁକ୍ତ ହୋଇ କେବଳ ଶିକ୍ଷା ଦିଗରେ ମନୋନିବେଶ କରିବା ଲାଗି ଅଭିଭାବକ ପସନ୍ଦ କଲେ। ଯାବତୀୟ ଦୁଃଖକଷ୍ଟ ସହି ମଧ୍ୟ ପିଲାଙ୍କୁ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକଟକଲେ। ଗ୍ରୀଷ୍ମ ଛୁଟି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର କଠିନତାରୁ ଏକ ଅତ୍ୟନ୍ତ ଆବଶ୍ୟକୀୟ ବିରତି ପ୍ରଦାନ କରୁଥିବାରୁ ସେଥିପ୍ରତି ଶିକ୍ଷିତ ଅଭିଭାବକ ସଚେତନ ହେଲେ। ବିଶ୍ରାମ ଏବଂ ବ୍ୟକ୍ତିଗତ ବିକାଶ ପାଇଁ ସୁଯୋଗ ପ୍ରଦାନ କଲେ। ଶ୍ରେଣୀଗୃହ ବାହାରେ ଆଗ୍ରହର ଅନୁସନ୍ଧାନ, ସୃଜନର ବିକାଶ, ନୂତନ କୌଶଳ ସମ୍ପର୍କିତ ଜ୍ଞାନ ହାସଲ, ପରିଭ୍ରମଣ ଏବଂ ପରବର୍ତ୍ତୀ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତି ଦିଗରେ ପିଲାଙ୍କୁ ନିୟୋଜିତ କରାଉଛନ୍ତି। ନିକଟରେ ମାନନୀୟ ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଛୁଟି ଅବକାଶରେ ନିଜର ବ୍ୟକ୍ତିତ୍ୱ ଗଠନ ସହ ବୈଷୟିକ ଦକ୍ଷତାର ହାସଲ ପାଇଁ ଅନ୍‌ଲାଇନ ପ୍ରଶିକ୍ଷଣର ସୁଯୋଗ ନେବାକୁ ଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶାର ଆମ ଗାଁ ଗହଳିର ପିଲା କରୁଛନ୍ତି କଣ? ଶିକ୍ଷିତ ଏବଂ ସ୍ୱାବଲମ୍ବୀ ଅଭିଭାବକଙ୍କ ପରି ସବୁ ସୁବିଧା ଯୋଗାଇ ପାରୁଛନ୍ତି କି ଅଭିଭାବକ? ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଯଦିଓ ଉତ୍ତମ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିପାରିବେ କି ଗ୍ରାମାଞ୍ଚଳର ପିଲାମାନେ? ଲମ୍ବା ଛୁଟିରୁ ଫେରିଲା ପରେ ଆମ ପିଲାଙ୍କ ଶୈକ୍ଷିକ ସ୍ଥିତି ଓ ବ୍ୟବହାର କିପରି ରହୁଛି ଏହାକୁ କେବେ ଅନୁଧ୍ୟାନ କରାଯାଇଛି କି? ଶିକ୍ଷକମାନେ ଏ କଥାରେ ସହମତ ହେବେ ଯେ ଖରାଛୁଟି ସାରି ପିଲା ପୁଣି ବିଦ୍ୟାଳୟ କୋଠରିକୁ ଫେରିବାବେଳେ ପୁନଶ୍ଚ ମୂଳରୁ ଶିକ୍ଷା ଅଭ୍ୟାସ କରାଇବା ଭଳି ସ୍ଥିତି ଉପୁଜୁଛି ବିଦ୍ୟାଳୟଗୁଡିକରେ। ଗୋଟେ ଉଦ୍ଭଟ ସ୍ଥିତିରେ ପହଞ୍ଚି ଯାଇଥାନ୍ତି ପିଲାମାନେ। ସେଠାରୁ ପୁଣି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୁଏ। ବିଦ୍ୟାଳୟ ଖୋଲିଲା ପରେ ସ୍କୁଲମୁହାଁ ହେବାକୁ ପିଲାଙ୍କୁ ଅନେକ ଦିନ ଲାଗେ। ତାରି ଭିତରେ ଅନେକ ଉଚ୍ଚ ଶ୍ରେଣୀର ପିଲା ପାଠ ଛାଡିବାକୁ ଆଗ୍ରହ ଦେଖାଇଥାନ୍ତି। କେତେକ ସ୍ଥାନରେ ବାଲ୍ୟ ବିବାହ ଭଳି ପରିସ୍ଥିତି ବି ଉପୁଜି ଥାଏ। ଏବେ କିଛି ବର୍ଷ ହେଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କ ଭିତରେ ଜାଗ୍ରତ ହୋଇଛି ଆଉ ଏକ ମାନସିକତା। ତାହାହେଲା ନିଜ ପାଖରେ ଗୋଟେ ଭଲ ମୋବାଇଲ ରଖିବା। ଏଥିପାଇଁ ଗରିବ ଅଭିଭାବକ ସମର୍ଥ ନୁହନ୍ତି। ଏଇ କାରଣରୁ ଉଚ୍ଚ ଶ୍ରେଣୀର ପାଠ ପଢ଼ୁଆ ପିଲା ନିଜ ବାପାମାଆଙ୍କ ଅନିଚ୍ଛା ସତ୍ତ୍ବେ ଛୁଟିରେ ଦାଦନ ଖଟିବାକୁ ଚାଲିଯାଆନ୍ତି। ସେଠାରେ କାମକରି ଯାହା ରୋଜଗାର କରନ୍ତି ସେଥିରେ ମୋବାଇଲ କିଣନ୍ତି। ତା’ପରବର୍ତ୍ତୀ ସ୍ଥିତି ପିଲାଙ୍କ ପାଇଁ ଜଟିଳ ହୋଇପଡୁଛି। ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ସୃଷ୍ଟି ହେଉଛି। ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ସମ୍ମାନ କ୍ରମଶଃ ହ୍ରାସ ପାଉଛି। ସେମାନଙ୍କ ମନରେ ଏକ ସୁନେଲି ସମ୍ଭାବନା ସୃଷ୍ଟି ହେଉଛି – ପାଠ ନ ହେଲେ ଅସୁବିଧା ନାହିଁ, ବାହାର କାମକୁ ଚାଲିଗଲେ ବଞ୍ଚିବା ଲାଗି ଚିନ୍ତା ନାହିଁ। ଏଇ ମାନସିକତା କ୍ରମଶଃ କବଳିତ କରୁଛି ଆଦିବାସୀ ଅଧ୍ୟୁଷିତ ଅନେକ ପାଠ ପଢ଼ୁଆପିଲାଙ୍କୁ। ଏ ସବୁରୁ ମୁକ୍ତି ପାଇଁ ବିକଳ୍ପ ବ୍ୟବସ୍ଥା ଆବଶ୍ୟକ। ସମ୍ଭବତଃ ପିଲାଙ୍କୁ ଗ୍ରୀଷ୍ମ ଅବକାଶରେ ପର୍ଯ୍ୟଟନ ପରିଭ୍ରମଣ, ସ୍ୱତନ୍ତ୍ର ବୈଷୟିକ ଦକ୍ଷତା ବିକାଶ ତାଲିମ, ପ୍ରକଳ୍ପ ଆଧାରିତ ପ୍ରଶିକ୍ଷଣ, ଧନ୍ଦାମୂଳକ ଶିକ୍ଷା ତାଲିମ, ବୃତ୍ତଗତ ତାଲିମ, କଳା, କ୍ରୀଡା, ସଙ୍ଗୀତ, ନୃତ୍ୟ ଭଳି ସ୍ୱତନ୍ତ୍ର ଆବାସିକ ପ୍ରଶିକ୍ଷଣ ଦିଗରେ ଯୋଜନା ପ୍ରସ୍ତୁତି କରି ଛୁଟିରେ ପିଲାଙ୍କୁ ନିୟୋଜିତ କରିବା ଅନିବାର୍ଯ୍ୟ। ଅନ୍ୟଥା କିଛି ବର୍ଷ ଭିତରେ ଶିକ୍ଷା ବ୍ୟବସ୍ଥାର ଉଚ୍ଚ ଶ୍ରେଣୀରେ ଆଉ ଏକ ଉଦ୍ଭଟ ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories