www.samajalive.in
Wednesday, December 10, 2025
16.1 C
Bhubaneswar

ବିଭିନ୍ନ ଦାବି ନେଇ ଓପିଜିସିରେ ମୁଖ୍ୟ ଗେଟ୍ ସମ୍ମୁଖରେ କର୍ମଚାରୀଙ୍କ ପ୍ରତିବାଦ

ଲଖନପୁର/ଇବ୍‌ଥର୍ମାଲ : ଲଖନପୁର ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବଥର୍ମାଲର ମୁଖ୍ୟ ଗେଟ୍ ନିକଟରେ ବିଭିନ୍ନ ଦାବି ନେଇ ସୋମବାର ଠାରୁ ଦୈନିକ ୧୫ ମିନିଟ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଏଥିରେ ଓପିଜିସି ଅଫିସର ୟୁନିୟନ, ଓପିଜିସି କର୍ମଚାରୀ ସଂଘ, ଆଇଟିପିଏସ୍ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଚଳିତ ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ।
ଆଜି ପ୍ରଥମ ଦିନରେ ବିଦ୍ୟୁତ କେନ୍ଦ୍ର ପରିସରରେ ଥିବା ମୁଖ୍ୟ ଗେଟ୍ ନିକଟରେ ପୂର୍ବରୁ ରହିଥିବା ୧୦ ଦଫା ଦାବିକୁ ନେଇ ମଧ୍ୟାହ୍ନ ୧ଟା ୫ ମିନିଟରୁ ୧ଟା ୨୦ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ପ୍ରତିବାଦ କରାଯାଇଥିଲା । ଉପସ୍ଥାପିତ ଦାବି ମୁତାବକ କାର୍ଯ୍ୟରତ କର୍ମଚାରୀଙ୍କୁ ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ, ସରକାରଙ୍କ ପେନସନ ଯୋଜନା ଅନୁସାରେ ଓପିଜିସି କର୍ମଚାରୀଙ୍କ କ୍ଷେତ୍ରରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା, ସମାନ କାର୍ଯ୍ୟକୁ ସମାନ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମେଡିକାଲ ପଲିସିର ସମ୍ପ୍ରସାରଣ କରି ୮୦ ବର୍ଷ ପର୍ଯ୍ୟନ୍ତ ଲାଗୁ କରିବା ହୁଏତ ଏଥିପାଇଁ ପ୍ରିମିୟମ ଅର୍ଥ ଅବସର ପ୍ରାପ୍ତ କର୍ମଚାରୀ ନିଜେ ବହନ କରିବେ, ସାଇଟ ଆଲାଉନ୍ସ ପ୍ରଦାନ କରିବା, ଏଇଏସ୍ ରିସୋର୍ସ ସେୟାରିଂ ବନ୍ଦ କରିବା, ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପଦୌନ୍ନତିକୁ ପୁନଃ ଲାଗୁ କରିବା ଆଦି ଦାବି କରାଯାଇଛି । ଏ ନେଇ କର୍ମଚାରୀ ତଥା ସଂଘ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଓପିଜିସି କର୍ତ୍ତୃପକ୍ଷ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ସହ ସର୍ବଦା ଟାଳଟୁଳ ନୀତି ଅବଲମ୍ବନ କରିଆସୁଥିବା ଅଭିଯୋଗ ହୋଇଛି। କର୍ମଚାରୀମାନେ କହିଛନ୍ତି ଗତ ଫେବୃୟାରୀ ୨୫ ତାରିଖରୁ ଏହି ଦାବି ନେଇ ସେମାନେ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରି ଆସୁଛନ୍ତି । ହେଲେ କୌଣସି ସମଧାନ ନହେବାରୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯଦି ଆଗାମୀ ଦିନରେ ଏହାର ସମାଧାନ ନ ହୁଏ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories