www.samajalive.in
Wednesday, December 10, 2025
16.1 C
Bhubaneswar

ଜିଲାପରିଷଦର ସାଧାରଣ ପରିଷଦ ବୈଠକ; ଶିକ୍ଷା ବିଭାଗ କାର୍ଯ୍ୟ ଉପରେ ଉଦ୍‌ବେଗ

ନବରଙ୍ଗପୁର : ସ୍ଥାନୀୟ ମିଶନଶକ୍ତି ବୈଠକ ଗୃହରେ ଜିଲା ପରିଷଦ ଅଷ୍ଟମ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ସଭାପତିତ୍ୱ କରିଥିଲେ। ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଜିଲାପାଳ ଡଃ. ଅଜିତ୍‍ କୁମାର ମିଶ୍ର ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିରେ ରାଜ୍ୟ ସଭା ସାଂସଦ ମୁନା ଖାନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ଜିଲାପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ସମେତ ଜିଲାପରିଷଦ ସଭ୍ୟସଭ୍ୟା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ନିର୍ବାହୀଯନ୍ତ୍ରୀମାନେ ଯୋଗ ଦେଇଥିିଲେ। ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଲୋଚନା କରଯାଇଥିଲା। ନବରଙ୍ଗପୁର ଜିଲାର ଶିକ୍ଷାର ବିକାଶ ପାଇଁ ୨୦୭୬ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି ବୋଲି ଜିଲାଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ। ମଧ୍ୟାହ୍ନ ଭୋଜନ ଯୋଜନାରେ ୧୯୪୩୫୨ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଜିଲାରେ ଶିକ୍ଷାର ଅବ୍ୟବସ୍ଥା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶିକ୍ଷା ବିଭାଗରେ ଦୁର୍ନୀତି ଚାଲିଥିବା ଅଧିକାଂଶ ଲୋକ ପ୍ରତିନିଧି ଅଭିଯୋଗ କରି ପାଟି ତୁଣ୍ଡ କରିଥିଲେ। ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଶିକ୍ଷକମାନଙ୍କ ବଦଳିରେ ବ୍ୟାପକ ଟଙ୍କା କାରବାର ହେଉଥିବା କହିଥିଲେ। ଜିଲାରେ କେତେକ ସ୍କୁଲ ବନ୍ଦ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଂସଦ ପ୍ରତିନିଧି ଶ୍ରୀ ପାଢୀ ମଧ୍ୟାହ୍ନ ଭୋଜନ ଚାଉଳ ଚୋରା କାରବାର ସମ୍ପର୍କରେ କହିଥିଲେ। ନିକଟରେ ଚନ୍ଦାହାଣ୍ଡି ଘାଟିରେ ଚାଉଳ ବୋଝେଇ ଟ୍ରକ୍ ଓଲଟି ଥିବାରୁ ଏହି ଚାଉଳ କେଉଁ ଅଞ୍ଚଳର ବୋଲି ପ୍ରଶ୍ନ କରିଥିଲେ। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଏହା ପୁଲିସ ତଦନ୍ତ କରୁଛି ଓ ସଂପୃକ୍ତ ଠିକାଦାର ୧୦ ଲକ୍ଷ ଟଙ୍କାର ଜୋରିମାନା ପାଇଁ ନୋଟିସ୍ ଦିଆଯାଇଥିବା କହିଥିଲେ।

ତେବେ ଜିଲାପାଳ ଡଃ.ମିଶ୍ର ଏହା ତଦନ୍ତ ଜାରି ରହିଥିବା କହିବା ସହ ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଲୋକ ପ୍ରତିନିଧିମାନେ ଫୋନ କଲେ ଜିଲା ଶିକ୍ଷା ଅଧିକାରୀ ଉଠାଉନଥିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅପାରଗ ଜିଲା ଶିକ୍ଷା ଅଧିକାରୀ ବଦଳି ହୋଇ ଚାଲିଯିବାକୁ କେତେକ ପ୍ରତିନିଧି ପାଟି କରି କହିଥିଲେ। ଏଣିକି ପ୍ରୋଟକଲ ଅନୁସାରେ ସମସ୍ତ ଅଧିକାରୀମାନେ ସମସ୍ତ ଲୋକ ପ୍ରତିନିଧିମାନଙ୍କ ମୋବାଇଲ ଫୋନ ଉଠାଇବାକୁ ତାଗିଦ କରି କହିଥିଲେ। ଜଙ୍ଗଲ ବିଭାଗର ଆଲୋଚନା କରାଯାଇ ୭ ବର୍ଷ ମଧ୍ୟରେ ଚାରାରୋପଣରେ କୋଟି କୋଟି ଘୋଟାଲା ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଂସଦ ପ୍ରତିନିଧି ଶ୍ରୀ ପାଢୀ ଦାବି କରିଥିଲେ। ଜଟାବାଲ ଓ ଧୋଡିପାଣି ଫରେଷ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ। କାମ୍ପା ପାଣ୍ଠିରେ ୮ କୋଟି ୬୪ ଲକ୍ଷ ଟଙ୍କା ଆସିଥିବାବେଳେ ଲୋକ ପ୍ରତିନିଧିମାନଙ୍କୁ ଅବଗତି କରାଯାଉନଥିବାରୁ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜଙ୍ଗଲ ବିଭାଗରେ ଏମଜିଏନଆଇଜିଏସ ଯୋଜନାରେ ମେସିନ କାମ କରୁଛି। ଅଭିଯୋଗ ପ୍ରକାରେ ୨ ଜଣ ପରେଷ୍ଟରଙ୍କ ବିରୋଧରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ ମଗର ଧନଜୀ ରାସୋ କହିଥିଲେ। ଚଳିତ ବର୍ଷ ୨୨୨୦ ହେକ୍ଟର ଜମିରେ ଚାରାରୋପଣ କରାଯାଇଥିବା କହିଥିଲେ। ସାଂସଦ ଶ୍ରୀ ଖାନ ଜଙ୍ଗଲ ସୁରକ୍ଷା ପାଇଁ ନୂତନ ବନ ସୁରକ୍ଷା କମିଟି ଗୁଡିକ ଗଠନ କରାଯାଉ ବୋଲି କହିଥିଲେ। ବିଦ୍ୟୁତ ବିଭାଗର ଆଉଟ୍‍ ସୋର୍ସିଂ ନିଯୁୂକ୍ତିରେ ବାହାର ଜିଲାର ପିଲାକୁୂ ନିଯୁକ୍ତି ଦେବା ଓ ଏଥିପାଇଁ ଅର୍ଥ କାରବାର ହୋଇଥିବା ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଅଭିଯୋଗ କରିଥିଲେ। ପ୍ରତ୍ୟେକ ନିଯୁକ୍ତିରେ ୪୦ ହଜାର ଟଙ୍କା ନିଆଯାଇ ନିଯୁକ୍ତି ଦିଆଯାଇଥିବା ଉମରକୋଟ ବିଧାୟକ ଶ୍ରୀ ଗଣ୍ଡ କହିଥିଲେ। ଜିଲାର୧୦ଟି ବ୍ଲକର ସମିତି ବୈଠକରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ମାନେ ଯୋଗ ଦେଉନାହାଁନ୍ତି ସେନେଇ ବିଦ୍ୟୁତ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ସୌଭାଗ୍ୟ ଯୋଜନାରେ କିଟ ଆସି ଘରେ ପଡିଛି। ସଂଯୋଗ ହୋଇ ନାହିଁ। ହିତାଧିକାରୀଙ୍କୁ ବିଲ ଆସୁଛି ବୋଲି ବିଧାୟକ ମାନେ ଅଭିଯୋଗ କରିଥିଲେ। ଜିଲାରେ ୪୮ଟି ଟ୍ରାନ୍ସଫର୍ମରପୋଡି ଯାଇଥିବାବେଳେ ସେଥିରୁ ୨୪ ମରାମତି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଅନ୍ୟ ୨୪ଟି କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ଡଃ.ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଜିଲା ମଙ୍ଗଳ ବିଭାଗ ପକ୍ଷରୁ ବେକାର ଯୁବକଯୁବତୀ ମାନଙ୍କୁ ଦକ୍ଷତା ବିକାଶ ତାଲିମ କରାଯାଉନଥିବାରୁ ଲୋକ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କୃଷି ବିଭାଗର କର୍ମଚାରୀ ମାନଙ୍କୁ ୬ ମାସର ଦରମା ଦିଆଯାଇ ନଥିବା ଆଲୋଚନା ହୋଇଥିଲା। ଜିଲାର ୨୬୨୫ ହେକ୍ଟର ଜମିରେ ଚକଡା ପୋକ ଲାଗିଥିଲା। ତେବେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା କୀଟ ନାଶକ ଔଷଧ କାମ କରିନଥିବା ନେଇ ସାଂସଦ ପ୍ରତିନିଧି ଶ୍ରୀ ପାଢୀ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ। ଏହା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆବାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ଅନ୍ୟାନ୍ୟ ବିଭାଗର ସମ୍ପର୍କରେ ଆଲୋଚନା ହୋଇ ପାରିନଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories