ଦୁର୍ଘଟଣା ରୋକିବାକୁ ଚିନ୍ତା ; କାର୍ଯ୍ୟକାରୀ ହେବ ଓଡ଼ିଶା ଦୁର୍ଘଟଣା ଯାଞ୍ଚ ଯୋଜନା
ମଞ୍ଜୁରି ଅପେକ୍ଷାରେ ଚିଠାନୀତି, ପୁଲିସ ଅଧିକାରୀ, ଯନ୍ତ୍ରୀ, ବୈଷୟିକ ଅଧିକାରୀଙ୍କୁ ନେଇ ଗଠନ ହେବ କମିଟି
ଭୁବନେଶ୍ୱର : ଦୁର୍ଘଟଣାଜନିତ ମୃତ୍ୟୁରେ ବିଶ୍ୱସ୍ତରରେ ଭାରତ ଶୀର୍ଷରେ। ଦେଶରେ ଅଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ବି ଆଗରେ। ବିଶେଷକରି ୨୦୧୫ରୁ ୨୦୨୦ ମଧ୍ୟରେ ଦୁର୍ଘଟଣାଜନିତ ମୃତାହତ ହାର ଉଦ୍ବେଗଜନକ ଭାବେ ବଢ଼ିଛି। ଏଭଳି ସ୍ଥିତିରେ ଦୁର୍ଘଟଣାର କାରଣ ଖୋଜିବା ଏବଂ ଏହାର ନିରାକରଣ ବାଟ ବାହାର ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଓଡ଼ିଶା ଦୁର୍ଘଟଣା ଯାଞ୍ଚ ଯୋଜନା। ଏ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ପରିବହନ ଆୟୁକ୍ତ ବାଣିଜ୍ୟ ଓ ପରିବହନ ବିଭାଗକୁ ପ୍ରସ୍ତାବ ପଠାଇଛି।
କେଉଁ କାରଣରୁ ରାସ୍ତା ଦୁର୍ଘଟଣା ବଢୁଛି ତା’ର ଏକ ବୈଜ୍ଞାନିକ ଅନୁସନ୍ଧାନ କରାଯିବ। ସଡ଼କ ନିରାପତ୍ତା ପାଇଁ ଗଠିତ ସୁପ୍ରିମକୋର୍ଟ କମିଟି ଏଥିପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି। ପ୍ରତିଟି ଦୁର୍ଘଟଣାର ତ୍ୱରିତ ଅନୁସନ୍ଧାନ ଓ ତତ୍କାଳ କାର୍ଯ୍ୟାନୁଷ୍ଠାନ ଉପରେ କମିଟି ଗୁରୁତ୍ୱାରୋପ କରିଥିବାରୁ ସେହି ଆଧାରରେ ଚିଠା ପ୍ରସ୍ତାବ ପ୍ରସ୍ତୁତ ହେଉଛି।
ପ୍ରସ୍ତାବିତ ଯୋଜନା ଅନୁସାରେ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଜଣେ ପୁଲିସ ଅଧିକାରୀ(ଏସଆଇ ପାହ୍ୟା), ସଡ଼କ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଯନ୍ତ୍ରୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ର ଜଣେ ବୈଷୟିକ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ। ଜଣେ ଏଏସଆଇ ପାହ୍ୟାର ପୁଲିସ ଅଧିକାରୀ ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ତଦନ୍ତ କରିବେ ଏବଂ ଫୋରେନସିକ ତଦନ୍ତ ବିଷୟରେ ପରିବହନ ଆୟୁକ୍ତ, ଇନ୍ସପେକ୍ଟର ଜେନେରାଲ(କ୍ରାଇମ ବ୍ରାଞ୍ଚ)ଙ୍କୁ ଅବଗତ କରାଇବେ। ସଡ଼କ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ପରିବହନ କାର୍ଯ୍ୟାଳୟ ବୈଷୟିକ ଅଧିକାରୀଙ୍କୁ ମଧ୍ୟ ଦୁର୍ଘଟଣା ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବେ। କୌଣସି ପରିସ୍ଥିତିରେ ତଦନ୍ତକାରୀ ଅଧିକାରୀ ସୁପ୍ରିମକୋର୍ଟ କମିଟି ସୁପାରିସ ଅନୁସାରେ ପଦକ୍ଷେପ ଗ୍ରହଣ କରି ନଥିଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ଅଧିକାରୀଙ୍କୁ ପୀଡ଼ିତଙ୍କ ବୟାନ ସଂଗ୍ରହ, ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ ସହିତ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରିବାକୁ ପଡ଼ିବ। ଦୁର୍ଘଟଣାର ୧୦ଦିନ ଭିତରେ ସମ୍ପୃକ୍ତ ଅଧିକାରୀ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବୈଷୟିକ ଅଧିକାରୀଙ୍କ ମିଳିତ ସ୍ୱାକ୍ଷରରେ ସଡ଼କ ନିରାପତ୍ତା ଦାୟିତ୍ୱରେ ଥିବା ପ୍ରମୁଖ ସଂସ୍ଥା ତଥା ପୁଲିସ ଆଇଜି(ସିବି)ଙ୍କୁ ରିପୋର୍ଟ ପଠାଇବେ।
ସଡ଼କ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦୁର୍ଘଟଣା ସଂକ୍ରାନ୍ତ ଖବର ତୁରନ୍ତ ଜାଣିବା ପାଇଁ ଥାନା ସହିତ ତାଙ୍କ କାର୍ଯ୍ୟାଳୟର ସୂଚନା ଯୋଗାଯୋଗ ବ୍ୟବସ୍ଥାକୁ ସଂଯୋଜିତ କରିବେ। ମାନବିକ, ଯାନ୍ତ୍ରିକ, ରାସ୍ତା ଭିତ୍ତିଭୂମି କିମ୍ବା ଅନ୍ୟାନ୍ୟ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ତଥ୍ୟ ସଂକ୍ରାନ୍ତରେ ଅନୁସନ୍ଧାନ ବିବରଣୀ ସଂଗ୍ରହ କରିବାକୁ ପଡ଼ିବ। ବଡ଼ଧରଣର ଦୁର୍ଘଟଣା କ୍ଷେତ୍ରରେ ଘଟଣାସ୍ଥଳ ଗସ୍ତ କରିବେ। ସେହିପରି ବୈଷୟିକ ତଦନ୍ତ ଅଧିକାରୀ ମୋଟରଯାନ ଆଇନ ଅନୁସାରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିସହିତ ଦୁର୍ଘଟଣା ରିପୋର୍ଟ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିକଟକୁ ୫ ଦିନମଧ୍ୟରେ ପଠାଇବେ। ପୁଲିସ ଅଧିକାରୀ, ଯନ୍ତ୍ରୀ ଓ ବୈଷୟିକ ଅଧିକାରୀ ୫ଦିନ ଭିତରେ ବୈଠକ ଡାକି ନିଜର ସ୍ୱାକ୍ଷର ଥିବା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ସଡ଼କ ଦୁର୍ଘଟଣା ଯାଞ୍ଚ କମିଟି ସହିତ ସମନ୍ୱୟ ରକ୍ଷା ଏବଂ କୌଣସି ବିବାଦର ସମାଧାନ ନିମନ୍ତେ ଜିଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରାଯିବ। ଏଥିରେ ଏସ୍ପି କିମ୍ବା ଡିସିପି, ନିର୍ବାହୀ ଯନ୍ତ୍ରୀ, ଆରଟିଓ, ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ମ୍ୟାନେଜର କିମ୍ବା ନିର୍ଦେଶକ ,ଏଡିଏମଓ ସଦସ୍ୟ ରହିବେ। ଆରଟିଓ ଏହାର ସମ୍ପାଦକ ରହିବା ସହିତ ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦେଶ ଅନୁସାରେ କମିଟି ପରିଚାଳନା କରିବେ। ସଡ଼କ ଦୁର୍ଘଟଣା ଯାଞ୍ଚ କମିଟିର କୌଣସି ସଦସ୍ୟ କର୍ତ୍ତବ୍ୟରେ ତ୍ରୁଟି କଲେ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅନୁରୂପ ଭାବେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ଏଥିରେ ଆଇଜି(ସିବି), ମୁଖ୍ୟ ଯନ୍ତ୍ରୀ(ସଡ଼କ) ଏବଂ ମୁଖ୍ୟ ଯନ୍ତ୍ରୀ , ଜାତୀୟ ରାଜପଥ, ଜାତୀୟ ରାଜପଥ ପ୍ରାଧିକରଣର ସିଜିଏମ୍ ଏବଂ ସଡ଼କ ନିରାପତ୍ତା ଦାୟିତ୍ୱରେ ଥିବା ପରିବହନ ବିଭାଗ ଅତିରିକ୍ତ ଆୟୁକ୍ତ ସଦସ୍ୟ ରହିବେ। ଜିଲସ୍ତରୀୟ କମିଟି ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ ଯାଞ୍ଚ କମିଟିରେ ଥିବା ତିନିଜଣିଆ ସଦସ୍ୟ ରାଜ୍ୟ କମିଟିରେ ନିଜର ସମସ୍ୟା ଅପିଲ କରିପାରିବେ। ତଦନ୍ତ ଦାୟିତ୍ୱରେ ଥିବା ସଦସ୍ୟଙ୍କ ମଧ୍ୟରୁ ଯେ କେହି ବିଭାଗୀୟ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ରାଜ୍ୟ କମିଟି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତି ତିନି ମାସରେ ଯାଞ୍ଚ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାର ୪୫ ଦିନ ଭିତରେ ସଡ଼କ ନିରାପତ୍ତା ଦାୟିତ୍ୱରେ ଥିବା ପ୍ରମୁଖ ସଂସ୍ଥାକୁ ରିପୋର୍ଟ ପ୍ରଦାନ କରିବେ। ଜିଲା ସଡ଼କ ନିରାପତ୍ତା କମିଟି ଦ୍ୱାରା ଠିକଣା ସମୟରେ ଯାଞ୍ଚ କମିଟି ରିପୋର୍ଟ ଏବଂ କାର୍ଯ୍ୟନୁଷ୍ଠାନ ରିପୋର୍ଟରେ ଥିବା ସୁପାରିସଗୁଡ଼ିକ କାର୍ଯ୍ୟକାରୀ କରାଯିବ।
Comments are closed.