ବାଚସ୍ପତିଙ୍କ ରୁଲିଂ : ଆଜି ବିବୃତି ରଖିବେ ସରକାର

0

ଭୁବନେଶ୍ୱର : ନାବାଳିକା ବଳାତ୍କାର ଘଟଣାରେ ସରକାର ମଙ୍ଗଳବାର ବିବୃତି ରଖିବାକୁ ବାଚସ୍ପତି ପ୍ରଦୀପକୁମାର ଅମାତ ରୁଲିଂ ଦେଇଛନ୍ତି। ମଙ୍ଗଳବାର ଗୃହ କାର୍ଯ୍ୟ ଶେଷ ସୁଦ୍ଧା ସରକାର ଏ ସମ୍ପର୍କରେ ବିବୃତି ରଖିବାକୁ ସେ ନିର୍ଦେଶ ଦେଇଛନ୍ତି।
ନାବାଳିକା ବଳାତ୍କାର ଘଟଣାକୁ ନେଇ ବିଧାନସଭାରେ ସୋମବାର ପୂର୍ବାହ୍ନ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିଥିଲେ। ଏକାଦିକ୍ରମେ ୪ରୁ ୫ଟି ସ୍ଥାନରେ ନାବାଳିକା ବଳାତ୍କାର ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ଦେଖାଇ କଂଗ୍ରେସ ଓ ବିଜେପି ବିଧାୟକମାନେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ସରକାର କି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଗୃହରେ ଉତ୍ତର ରଖାଯାଉନଥିବାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ତିନିଟି ପର୍ଯ୍ୟାୟରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ଣ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏହି ପ୍ରସଙ୍ଗରେ ଆପଣ କିଛି କହିଲେ ନାହିଁ କି ସରକାର କିଛି ଉତ୍ତର ରଖିଲେ ନାହିଁ। ଆମେ ଏହି ପ୍ରସଙ୍ଗ ଉପରେ ଦାବି ଅବ୍ୟାହତ ରଖିବୁ। ତେବେ କୃଷି ଓ ସମବାୟ ବିଭାଗ ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ଥିବାରୁ ସେଥିରେ ବିରୋଧୀ ଭାଗ ନେବେ ବୋଲି କହିଥିଲେ। ଆଲୋଚନା ସରିବା ପରେ ବାଚସ୍ପତି ରୁଲିଂ ଦେଇଥିଲେ।

Leave A Reply