mission shakti banner

ଭୁବନେଶ୍ୱର; ଆର୍‍ଏସ୍‍ପି ଚମ୍ପିଆନ

BSKY banner  750×100
0

କଟକ: ଓଡ଼ିଶା ବାସ୍କେଟ୍‍ବଲ ଆସୋସିଏସନ୍‍ ଆନୁକୂଲ୍ୟରେ ଚାଲିଥିବା ଜୁନିୟର ରାଜ୍ୟ ବାସ୍କେଟ୍‍ବଲ ଚମ୍ପିଆନ୍‍ସିପ୍‍ ରବିବାର ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। କଟକର ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମ୍‍ ଓ ବାରବାଟୀ ଷ୍ଟାଡିୟମ୍‍ସ୍ଥିତ ବାସ୍କେଟ୍‍ବଲ କମ୍ପେ୍ଲକ୍ସରେ ଅନୁଷ୍ଠିତ ଏହି ଚମ୍ପିଆନ୍‍ସିପ୍‍ରେ ବାଳିକା ବିଭାଗରେ ଭୁବନେଶ୍ୱର ବାସ୍କେଟ୍‍ବଲ ଆସୋସିଏସନ୍‍ (ବିବିଏ) ଓ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‍ଏସ୍‍ପି) ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛନ୍ତି।
ବାଳିକା ଫାଇନାଲରେ କଟକର ଟ୍ରଟର୍ସ କ୍ଲବ୍‍କୁ ସହଜରେ ୫୪-୨୫ ପଏଣ୍ଟରେ ଭୁବନେଶ୍ୱର ବାସ୍କେଟ୍‍ବଲ ଆସୋସିଏସନ୍‍ (ବିବିଏ) ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ବିବିଏ ୩୫-୧୪ ପଏଣ୍ଟରେ କଟକର ଏଣ୍ଟରଟେନରକୁ ଏବଂ ଟ୍ରଟର୍ସ ୩୨-୭ରେ ଗଞ୍ଜାମକୁ ପରାସ୍ତ କରିଥିଲେ। ବାଳକ ବିଭାଗ ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ସଂସଦ (ବିଏଏ)କୁ ସହଜରେ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟ (ଆର୍‍ଏସ୍‍ପି) ୬୯-୩୫ ପଏଣ୍ଟରେ ପରାସ୍ତକରି ଚମ୍ପିଆନ୍‍ ହୋଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ୨ଟି ସେମିଫାଇନାଲରେ ଆର୍‍ଏସ୍‍ପି ୯୨-୭୮ ପଏଣ୍ଟରେ ଭଦ୍ରକକୁ ପରାସ୍ତ କରିଥିଲା। ଅନ୍ୟ ସେମିରେ ବିଏଏ ୯୫-୭୭ ପଏଣ୍ଟରେ ଗଞ୍ଜାମ ଜିଲା ଦଳକୁ ପରାସ୍ତ କରିଥିଲା। ୪ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ବାଳକ ବର୍ଗରେ ୨୭ଟି ଏବଂ ବାଳିକା ବର୍ଗରେ ୧୦ଟି ଦଳ ଭାଗ ନେଇଥିଲେ। ଉଦ୍‍ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହକାରୀ ନିର୍ଦେଶକ ସନାତନ ସାହୁ, ପ୍ରୋଆଚିଭରର ପରିଚାଳନା ନିର୍ଦେଶକ କମଳେଶ ଅଗ୍ରୱାଲ ଓ କଟକ ଜିଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ବାସ୍କେଟ୍‍ବଲ ଆସୋସିଏସନ୍‍ର ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ଉପସଭାପତି ଜେ. କାମେଶ୍ୱର ରାଓ, ଯୁଗ୍ମସମ୍ପାଦକ ମଦନ ରାଓ ଓ ପୂର୍ବତନ ଖେଳାଳି ସାଜନ ମୋଦି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply