ମୋଡ୍ରିଚ୍‍ଙ୍କ ପ୍ରତି ସତର୍କ ରହିଛି ଇଂଲଣ୍ଡ

0

ମସ୍କୋ : ସେମିଫାଇନାଲ ମ୍ୟାଚ୍‍ରେ କ୍ରୋଏସିଆର ବରିଷ୍ଠ ମିଡ୍‍ଫିଲ୍‍ଡର ଲୁକା ମୋଡ୍ରିଚ୍‍ ତାଙ୍କ ଦଳ ପାଇଁ ବିପଦ ସାଜିପାରନ୍ତି। ତେଣୁ ତାଙ୍କ ଦଳ ମୋଡ୍ରିଚ୍‍ଙ୍କ ପ୍ରତି ସତର୍କ ରହିବ ବୋଲି କହିଛନ୍ତି ଇଂଲଣ୍ଡର ଦୁଇ ଖେଳାଳି ଏରିକ୍‍ ଡାୟର ଓ ଆସ୍‍ଲେ ୟଙ୍ଗ୍‍। ସ୍ୱିଡେନ୍‍କୁ ୨-୦ ଗୋଲ୍‍ରେ ପରାସ୍ତକରି ୧୯୯୦ ପରେ ଫୁଟ୍‍ବଲ ବିଶ୍ୱକପ୍‍ର ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ବୁଧବାର କ୍ରୋଏସିଆ ବିପକ୍ଷରେ ଇଂଲଣ୍ଡ ୨ୟ ସେମିଫାଇନାଲ ମ୍ୟାଚ୍‍ ଖେଳିବ।
ରିଅଲ ମାଦ୍ରିଦ୍‍ର ଲୁକା ମୋଡ୍ରିଚ୍‍ ଏହି ବିଶ୍ୱକପ୍‍ରେ କ୍ରୋଏସିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଦଳର ମିଡ୍‍ଫିଲ୍‍ଡର ନେତୃତ୍ୱ ନେଇଛନ୍ତି। ମିଡ୍‍ଫିଲ୍‍ଡରେ ମୋଡ୍ରିଚ୍‍ଙ୍କ ସହ ବାର୍ସେଲୋନାର ଇଭାନ୍‍ ରାକିଟିଚ୍‍ ଓ ଇଣ୍ଟର ମିଲାନ୍‍ର ଇଭାନ୍‍ ପେରିସିଚ୍‍ ରହିଛନ୍ତି। ଏଦୁହେଁ ମଧ୍ୟ ମୋଡ୍ରିଚ୍‍ଙ୍କ ସହ ମିଶି ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାଞ୍ଚେଷ୍ଟର ୟୁନାଇଟେଡ୍‍ ତଥା ଇଂଲଣ୍ଡର ଫୁଲ୍‍ବ୍ୟାକ୍‍ ଆସ୍‍ଲେ ୟଙ୍ଗ୍‍ କହିଛନ୍ତି, ଲୁକା ମୋଡ୍ରିଚ୍‍ ଜଣେ ଚମତ୍କାର ଖେଳାଳି; ତେବେ କ୍ରୋଏସିଆ ଦଳରେ ଏପରି ଖେଳାଳି ଅଛନ୍ତି; ଯେଉଁମାନେ ଆମକୁ ଅସୁବିଧାରେ ପକାଇ ପାରନ୍ତି। କ୍ରୋଏସିଆ ଏକ ଭଲ ଦଳ। ଭଳ ପ୍ରଦର୍ଶନ କରିନଥିଲେ ଏହା ସେମିଫାଇନାଲରେ ପହଞ୍ଚିନଥାଆନ୍ତା। ସେମାନଙ୍କ ପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ୟଙ୍ଗ୍‍ଙ୍କ ସାଥୀ ଖେଳାଳି ଏରିକ୍‍ ଡାୟର କହିଛନ୍ତି, ମୋଡ୍ରିଚ୍‍ ଓ ରାକିଟିଚ୍‍ ମିଡ୍‍ଫିଲ୍‍ଡରେ ଦୁଇ ବିଶ୍ୱସ୍ତରୀୟ ଖେଳାଳି। ସେମାନଙ୍କ କ୍ଲବ୍‍ ପାଇଁ ଦୁହେଁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଦୁହେଁ ମହାନ୍‍ ଖେଳାଳି। ତେଣୁ କ୍ରୋଏସିଆର ମିଡ୍‍ଫିଲ୍‍ଡ ସମ୍ମାନର ହକ୍‍ଦାର। ଆମେ ଆଶାରଖିଛୁ ଯେ ଦଳଗତ ଭାବେ କ୍ରୋଏସିଆ ବିପକ୍ଷରେ ଆମେ ଭଲ ଖେଳିବୁ ଏବଂ ଏହାକୁ ରୋକିପାରିବୁ। ଆମେ ଏବେ ଫାଇନାଲ ଖେଳିବା କଥା ଭାବୁନାହୁଁ। ଆମର ସମସ୍ତ ଧ୍ୟାନ ସେମିଫାଇନାଲ ଉପରେ ରହିଛି।

Leave A Reply