ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ : କଂଗ୍ରେସ
ବିଜେଡି-ବିଜେପି ମିଶିଛନ୍ତି, ତେଣୁ ବିଜେଡି ଦାବି ଉଠାଉ ନାହିଁ
ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ଓଡିଶାର ଲୋକ ମାନଙ୍କୁ କଷ୍ଟ ଦେଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗତକାଲିର ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପିସିିସି ସଭାପତି ଶରତ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର ଶାସନ ସତ୍ୱେ ରାଜ୍ୟରେ ଦାରିଦ୍ର୍ୟ ଲାଗି ରହିଛି । ତେଣୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ ରାଜ୍ୟବାସୀଙ୍କ ଲାଭ ହୁଅନ୍ତା । କିନ୍ତୁ ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ମିଳିମିଶି ଅଛନ୍ତି । ତେଣୁ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ଉଠାଉ ନାହିଁ । ସେ କହିଛନ୍ତି ଯେ ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ବିଧାୟକ ମାନେ ଭୋଟ ଦେଇ ରାଜ୍ୟସଭାକୁ ପଠାଇଛନ୍ତି। ଏହା ସମସ୍ତେ ଜାଣନ୍ତି ।
ସେ କହିଛନ୍ତି ଯେ ଆଗାମୀ ବିଧାନସଭାର ଅଧିବେଶନରେ ନବ ଦାସ ହତ୍ୟା ମାମଲାକୁ କଂଗ୍ରେସ ଉଠାଇବ। କେଉଁ କାରଣରୁ ନବ ଦାସଙ୍କ ହତ୍ୟା ହୋଇଛି ଓ ଏହା ପଛରେ କିଏ ଅଛି ତାହା ସ୍ପଷ୍ଟ ହୋଇ ନାହିଁ । ଏହା ରାଜନୈତିକ ବା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଚ ହେବା ଉଚିତ ବୋଲି ସେ କହିଛନ୍ତି ।
Comments are closed.