କେଉଁ ଆଡ଼େ ହଜିଗଲେ ଏମାନେ?
ଅଜୟ ଚନ୍ଦ୍ର ଜେନା
ଆମ ପିଲା ବେଳ କଥା ଅନେକ ସମୟରେ ମନେପଡ଼ିଯାଏ । ସେତେ ବେଳେ ଗାଁ ଗହଳିରେ ବିଜୁଳି ଆଲୁଅ ଅପହଞ୍ଚ ଥିଲା। ଡିବି, ଲଣ୍ଠନ ଜାଳି କିମ୍ବା ଜଡ଼ା ତେଲ କି ପୋଲାଙ୍ଗ ତେଲରେ ଦୀପ ଜାଳି ସେଇ ଆଲୁଅରେ ରାତିରେ ରୋଷେଇବାସ, ପାଠପଢା କି କୁଆଡେ ଯିବା ଆସିବା କରିବାକୁ ପଡ଼ୁଥିଲା। ଖୁବ୍ କମ ଲୋକେ ଟର୍ଚ୍ଚଟିଏ ଧରି ରାତିରେ ଯା ଆସ କରୁଥିଲେ । ଅଧିକାଂଶ ଲୋକ ବେଳା ବେଳି ସଞ୍ଜ ପହରରୁ ଖିଆପିଆ ସାରି ଆଲୁଅ ଲିଭାଇ ଶୋଇ ପଡୁଥିଲେ। ସେମିତି ବଡି ଭୋରରୁ ବି ଉଠିପଡୁଥିଲେ।
ଗାଁ କେନାଲ ବନ୍ଧ କଡରେ ଥିବା ଘଞ୍ଚ କିଆ ବଣ ବୁଦାରେ ରହୁଥିବା ବିଲୁଆମାନେ ରାତିରେ ଘଡିକ ପହଡ଼ରେ ଭୁକୁଥିଲେ। ସେମାନଙ୍କ ଭିତରେ ଥିବା ଅଣ୍ଡିରା ବିଲୁଆ ବା ଫେରଣ୍ଡା ଅତି ବିକଟାଳ ଶବ୍ଦରେ ଭୁକିଲା ବେଳେ ମନରେ ଭୟ ସଂଚାର ହେଉଥିଲା। ଏବେ ସେ କିଆବଣ ସବୁ ସଫା ଆଉ ବିଲୁଆ ଭୁକା ଶବ୍ଦ ବି ଶୁଣିବାକୁ ମିଳୁନି। କେବଳ ସେମାନଙ୍କୁ ଚିଡ଼ିଆଖାନରେ ଯାହା ଦେଖିବାକୁ ମିଳିବ। କିଆବଣ ଥିବାବେଳେ କିଆଫୁଲ ଫୁଟିଲେ ତୋଳିବା ପାଇଁ କେତେ କଳି ଝଗଡ଼ାଲାଗେ। କିଆବୁଦା କି ବିଲୁଆଭୁକା କୁଆଡେ ସବୁ ହଜିଗଲା । ଗାଧୁଆ ତୁଠ ନିକଟ ଅପର ପାର୍ଶ୍ୱରେ କେନାଲ ବନ୍ଧ କଡ଼କୁ ଥିବା ପ୍ରକାଣ୍ଡ ଶିମିଳି ଗଛରେ ଯେତେବେଳେ ଗାଢ଼ ଲାଲ ଫୁଲର ସମ୍ଭାରରେ ପରିପୂର୍ଣ୍ଣ ହୋଇ ରକ୍ତିମ ଆଭାର ଲାଲିମାରେ ଭରିଯାଏ ସେତେବେଳେ ସଂସ୍କୃତ ବହିର ମିତ୍ରଲାଭ ଗଳ୍ପରେ ବର୍ଣ୍ଣିତ -“ଅସ୍ତି ଭାଗୀରଥି ତୀରେ ବିଶାଳ ଶାଳ୍ମଳି ତରୁ, ତତ୍ର ନାନା ଦିଗ ଦେଶାଗତ ପକ୍ଷୀଣଃ ନିବସନ୍ତିସ୍ମ-” ମନେ ପଡ଼ିଯାଏ । ଏବେ ସେ ବିଶାଳ ଶିମିଳି ଗଛ କି ଫୁଲର ଶୋଭା କୁଆଡେ ହଜି ଗଲାଣି ।
ଖରାଦିନେ ସକାଳୁଆ ସ୍କୁଲ ଛୁଟିପରେ ଘରେ ଖାଇପିଇ ସମସ୍ତେ ଶୋଇପଡନ୍ତି, ଲୁଚି ଛପି ସାଙ୍ଗମାନଙ୍କ ସାଙ୍ଗରେ ଯାଇ ବେତ କୋଳି, କଣ୍ଟେଇକୋଳି, ଖିରିକୋଳି, ପାଚିଲା କେନ୍ଦୁ ଓ କଇଥ ତୋଳି ଖାଉଥିବାର ମଜା ନେଉଥିଲୁ ମାତ୍ର ଏବେ ଗାଁରେ ସେସବୁ ଗଛ ପ୍ରାୟ ନିଶ୍ଚିହ୍ନ । ଭାବେ ବର୍ଷ କେତେଟାରେ କେଉଁଆଡେ ହଜିଗଲେ ଏମାନେ ସବୁ?
ବର୍ଷା ଋତୁରେ ଲାଲ ଭେଲଭେଟ ପୋଷାକପରିହିତ ଭ୍ରମ ସୃଷ୍ଟି କରୁଥିବା ଲାଲ ଟୁକୁ ଟୁକୁ ସାଧବବୋହୂ କୀଟମାନେ ଧାଡି ଧାଡ଼ି ହୋଇ ରାସ୍ତା କଡରେ ଚାଲିବା ଏବେ ଅଦୃଶ୍ୟ । ଗାଁ ମଝିରେ ଥିବା ମେଲା ଗାଡିଆରୁ ଯେଉଁ ଦିନ ଜାଲରେ ମାଛ ଧରାଯାଏ ଧରାଳିଙ୍କ ଠାରୁ ଢେର ଅଧିକ ଦେଖଣାହାରୀ ପୋଖରୀ ହୁଡାରେ ବସି ମାଛ ଧରାର ଦୃଶ୍ୟ ଉପଭୋଗ କରୁଥାନ୍ତି । ଧଳା ଚିକ ଚିକ କରି ମାଛମାନେ ଡେଇଁବାବେଳେ ଉପରୁ ଉଡିଉଡି ଆସି ଶଙ୍ଖଚିଲ, ମାଟିଆ ଚିଲ, ମାଛରଙ୍କା ଚଢ଼େଇମାନେ ଝାମ୍ପ ମାରି ମାଛ ଧରି ଉଡି ଯାଆନ୍ତି । ପିଲାଏ ଗୀତ ଗାଆନ୍ତି – ଶଙ୍ଖ ଚିଲ ଭାଇ ନମସ୍କାର, ମାଟିଆଚିଲକୁ ଗୋଇଠା ମାର। ଏବେ ଶଙ୍ଖ ଚିଲ ଖୋଜିଲେ ବି ଦେଖିବାକୁ ମିଳୁନି। ଏହି ପକ୍ଷୀ ଦେଖିଲେ ଶୁଭ ବୋଲି କୁହାଯାଏ ସେମିତି ଭଦ ଭଦଳିଆ ପକ୍ଷୀ ଦେଖିଲେ ଅତି ଶୁଭ ବୋଲି କୁହାଯାଏ ମାତ୍ର ଏବେ ପ୍ରାୟ ନିଶ୍ଚିହ୍ନ ଏହି ପକ୍ଷୀଟି ହଳଦୀବସନ୍ତ, ଘରଚଟିଆ, ଶାଗୁଣା ପରି ପକ୍ଷୀମାନେ ବି ଏବେ ଦେଖିବାକୁ ବିରଳ। ମୃତ ଜୀବଜନ୍ତୁଙ୍କୁ ଖାଇ ପୂତିଗନ୍ଧ ମୟ ପରିବେଶକୁ ସଫା ରଖୁଥିବା ମେହେନ୍ତର ପରି କାମ କରୁଥିବା ଶାଗୁଣାମାନେ ଗାଈଗୋରୁଙ୍କ ଶରୀରରେ ଦିଆ ଯାଉଥିବା ଡ଼ାଇକ୍ଲୋଫେନାକ ଇଞ୍ଜେକ୍ସନର ବିଷାକ୍ତ ପ୍ରଭାବରେ ସେମାନଙ୍କ ମୃତ ଶରୀରକୁ ଭକ୍ଷଣ କରୁଥିବାରୁ ସେମାନଙ୍କ ବଂଶ ଲୋପ ପାଇଗଲାଣି। ଏବେ ଏହି ପକ୍ଷୀଙ୍କୁ କେବଳ ଚିଡ଼ିଆ ଖାନାରେ ଦେଖିବାକୁ ମିଳୁଛି ଏବଂ କୃତ୍ରିମ ଉପାୟରେ ପ୍ରଜନନ ପ୍ରକ୍ରିୟାରେ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଗବେଷଣା କରାଯାଉଛି।
ମନୁଷ୍ୟ କୃତ ପରିବେଶ ପ୍ରଦୂଷଣ ଯୋଗୁଁଁ କ୍ରମେ ଜୈବ ବିବିଧତାର ଦ୍ରୁତ ଅବକ୍ଷୟ ଘଟି ଚାଲିଛି। ଟେଲିଫୋନ ଟାୱାର ମାନଙ୍କରୁ ନିର୍ଗତ ବୈଦ୍ୟୁତିକ ତରଙ୍ଗରେ ମାଛି, ମହୁମାଛି ପ୍ରଭୃତି ନାନାଦି କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି। ଫସଲ କିଆରିରେ କୀଟ ନାଶକ ସିଞ୍ଚନ କାରଣରୁ ଅଦରକାରୀ ସାଙ୍ଗକୁ ଅନେକ ଦରକାରୀ କୀଟ ପତଙ୍ଗ ମଧ୍ୟ ଲୋପ ପାଇଯାଉଛନ୍ତି । ଏହାର କୁପରିଣାମ ବଶତଃ ଫସଲ କିଆରିରେ ପରାଗ ସଙ୍ଗମ ବ୍ୟାହତ ହୋଇ ଉତ୍ପାଦନ କମିଯାଉଛି। କେବଳ କୀଟ ପତଙ୍ଗ ନୁହେଁ ଅନେକ ଗୁଳ୍ମ ଲତା ମଧ୍ୟ ଲୋପ ପାଇଚାଲିଛନ୍ତି। ଭୁବନେଶ୍ୱରରେ ରାସ୍ତାରେ ଯିବା ବେଳେ ଉଭୟ ପାର୍ଶ୍ୱରେ ଲାଜକୁଳୀ ଲତା ଏବଂ ବିଶଲ୍ୟକରଣି ଗୁଳ୍ମ ମାନ ଦେଖୁଥିଲୁ। ଏବେ ସେ ସବୁ ଗୁଳ୍ମ ଏପରି କି ଦୂବଘାସ ବି ବହୁତ କମ ଦେଖିବାକୁ ମିଳୁଛି। ପିଲାବେଳେ ସକାଳେ ନାଳକୁ ଗାଧୋଇ ଯିବାବେଳେ ଗାଧୁଆ ତୁଠ ପାଖରେ ଦେଖୁଥିଲୁ, ରାତିରେ ଧାନ ବିଲରେ ବଜା, ମୁଗୁରା ବସାଇ ଥିବା ଚାଷୀମାନେ ମାଛ ଝାଡ଼ିବା ବେଳର ଦୃଶ୍ୟ ଏବେ ପ୍ରାୟ ନାହିଁ। ଧାନ ବିଲରେ ସ୍ପ୍ରେ କରାଯାଉଥିବାରୁ କୀଟ ନାଶକ ପ୍ରଭାବରୁ ମାଛମାନେ ଆଉ ଧାନ ବିଲରେ ତିଷ୍ଠି ରହି ପାରୁ ନାହାନ୍ତି।
ମନୁଷ୍ୟକୃତ ଏହିସବୁ କାରଣରୁ ପ୍ରାକୃତିକ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ପର୍ଯ୍ୟାବରଣରେ ସନ୍ତୁଳନ ନଷ୍ଟ ହୋଇ ଘୋର ଦୈବ ଦୁର୍ବିପାକ ଚରମ ସୀମାରେ ପହଞ୍ଚି ଅକଥନୀୟ ଧନ ଜୀବନ ହାନି ବାରମ୍ବାର ଘଟି ଚାଲିଛି। ଏତେ ସବୁ ପ୍ରାକୃତିକ ବିପର୍ଯ୍ୟୟ ଦେଖି ଦେଖି ସୁଦ୍ଧା ମଣିଷର ଚେତନା ପଶୁନଥିବା ଘୋର ପରିତାପର ବିଷୟ। ଦ୍ରୁତ ଗତିରେ ବରଫ ତରଳିବା, ବାଦଲଫଟା ବୃଷ୍ଟିପାତ, ଭୂସ୍ଖଳନ ଯୋଗୁଁଁ ନାହିଁ ନଥିବା ଧନ ଜୀବନ ହାନି ସାଙ୍ଗକୁ ଅକଥନୀୟ କ୍ଷୟ କ୍ଷତି ବାରମ୍ବାର ଘଟି ଚାଲିଛି। ଅବିଚାରିତ ଭାବେ ପୋଡୁ ଚାଷ, ଜଙ୍ଗଲ ନଷ୍ଟ, ଗଛକଟା, ନଡା ଜାଳିବା, କଳ କାରଖାନାରୁ ନିର୍ଗତ ଧୂଆଁ, ଗାଡିମୋଟରରୁ ନିର୍ଗତ ବିଷାକ୍ତ ବାଷ୍ପ ଦ୍ୱାରା ବାୟୁ ପ୍ରଦୂଷଣ ବୃଦ୍ଧି ପାଇ ଚାଲିଛି। ବିନା ବିଶୋଧନରେ କଳ କାରଖାନରୁ ନିର୍ଗତ ବର୍ଜ୍ୟ ଜଳକୁ ନଦୀମାନଙ୍କୁ ଛାଡିବା ଦ୍ୱାରା ଜଳ ପ୍ରଦୂଷଣ ବୃଦ୍ଧି ପାଇ ଚାଲିଛି । ଆମ ପିଲାବେଳେ କାଚକେନ୍ଦୁ ପରି ସ୍ୱଚ୍ଛ ନଦୀ ଜଳକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ଏବେ ପ୍ରଦୂଷିତ ନଦୀଜଳ ଗାଧୁଆ ପାଧୁଆ ପାଇଁ ମଧ୍ୟ ଅନୁପଯୁକ୍ତ। ରାସ୍ତା ଚଉଡା କରିବା, କୋଠା ବାଡ଼ି ନିର୍ମାଣ ପାଇଁ ଗଛ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁଁଁ ବାୟୁମଣ୍ଡଳର ଉତ୍ତାପ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବୃହତ୍ ନଦୀବନ୍ଧ ଯୋଜନା। ଜଳ ଭଣ୍ଡାର ନିର୍ମାଣ ଯୋଗୁଁଁ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବା ସାଙ୍ଗକୁ ଭୂପୃଷ୍ଠରୁ ଚାପ ବୃଦ୍ଧି ଦ୍ୱାରା ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ବାରମ୍ବାର ଘଟି ପ୍ରଭୁତ କ୍ଷୟକ୍ଷତି ସାଧିତ ହେଉଛି। ଏ ସବୁ ଅଦୂରଦର୍ଶିତାର କୁପରିଣାମ ଆମକୁ ହିଁ ଭୋଗିବାକୁ ପଡୁଛି।
ସବୁଜଗୃହ ବାଷ୍ପ ନିର୍ଗମନର ମାତ୍ରାଧିକ ଅଭିବୃଦ୍ଧି ଯୋଗୁଁଁ ସାରା ପୃଥିବୀର ତାପମାତ୍ରା ବୃଦ୍ଧିପାଇ ମେରୁ ଅଞ୍ଚଳରୁ ବରଫ ତୀବ୍ର ଗତିରେ ତରଳି ଯାଉଛି। ଏଥଯୋଗୁଁଁ ସମୁଦ୍ର ତଟବର୍ତ୍ତୀ ନିମ୍ନ ଭୂଭାଗ ଅଞ୍ଚଳ ସମୁଦ୍ରରେ ବିଲୀନ ହେବା ଆଶଙ୍କା କରା ଯାଉଛି ଯେମିତି ଦ୍ୱାପର ଯୁଗର ଦ୍ବାରକା ନଗରୀ ସମୁଦ୍ର ଗର୍ଭରେ ବିଲୀନ ହେବାର ପ୍ରମାଣିତ ହୋଇସାରିଛି (ଭାଗବତରେ ରଚିତ – ଜଳେ ଦ୍ବାରକା ଯିବ ନାଶ)ର ସତ୍ୟତାରେ କୌଣସି ସନ୍ଦେହ ନାହିଁ । ଋତୁଚକ୍ରର ପରିବର୍ତ୍ତନ ଆମେ ସମସ୍ତେ ଅନୁଭବ କରୁଛୁ। ବର୍ଷକ ଛ’ ଋତୁ ଆଉ ଜଣାପଡୁନାହିଁ । ସ୍ୱଳ୍ପ ଅବଧିର ଶୀତଋତୁ ସାଙ୍ଗକୁ ଶରତ, ହେମନ୍ତ, ବସନ୍ତ ଋତୁମାନ କୁଆଡେ ସବୁ ହଜିଗଲେଣି । ପ୍ରାୟ ବର୍ଷ ତମାମ ଗ୍ରୀଷ୍ମଋତୁ ଅନୁଭୂତ ହେଉଛି । ଜଳବାୟୁର ଅହେତୁକ ପରିବର୍ତ୍ତନ ପାଇଁ କେବଳ ଆଧୁନିକ ସଭ୍ୟ ସମାଜ ହିଁ ନିଃସନ୍ଦେହରେ ସଂପୂର୍ଣ୍ଣ ଭାବେ ଦାୟୀ । ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କଲେଣି କି ଦିନେ ବରଫାବୃତ ହିମାଳୟରୁ ଯେଉଁ ହାରରେ ବରଫ ତରଳିବା ଆରମ୍ଭ ହେଲାଣି ତାହା ଅବ୍ୟାହତ ରହିଲେ ସେଦିନ ଆଉ ଦୂର ନୁହେଁ ଯେତେବେଳେ ହିମାଳୟ ବରଫ ଶୂନ୍ୟ ହୋଇଯିବ ଆଉ ଗଙ୍ଗାନଦୀ ଚିରସ୍ରୋତା ହୋଇ ରହିବନି। ନେଡିଗୁଡ଼ କହୁଣିକୁ ବୋହିଯିବା ଆଗରୁ ସାବଧାନ ନହେଲେ. ଅବସ୍ଥା ଅସମ୍ଭାଳ ହୋଇଯିବ। ସତର୍କତା ସହ ପ୍ରତିକାର ବ୍ୟବସ୍ଥା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ଏବଂ କର୍ତ୍ତବ୍ୟ ।
Comments are closed.