ଥାଲକୂଥଲ

ଡ. ପ୍ରଦୀପ ମହାପାତ୍ର

‘ଥାଲକୂଥଲ’ ତାମିଲ ଭାଷାରେ ଆକ୍ଷରିକ ଅର୍ଥରେ ମୁଣ୍ଡ ଗାଧୁଆ ବା ମୁଣ୍ଡରେ ପାଣି ଢାଳିବାକୁ ବୁଝାଏ; କିନ୍ତୁ ଦକ୍ଷିଣ ତାମିଲନାଡୁର କେତେକ ଅଞ୍ଚଳରେ ମୁଖ୍ୟତଃ ଶଯ୍ୟାଶାୟୀ ରୋଗାକ୍ରାନ୍ତ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ପାରିବାରିକ ଓ ସାମାଜିକ ସମ୍ମତିରେ ପାରମ୍ପରିକ ପଦ୍ଧତିରେ ଜୀବନରେ ମାରିଦେବାକୁ ‘ଥାଲକୂଥଲ’ କୁହାଯାଏ। ସାଧାରଣରେ ବୟୋଜ୍ୟେଷ୍ଠମାନେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ଦୁରାରୋଗ୍ୟରେ ପୀଡ଼ିତ ତଥା ପରିବାରବର୍ଗ ସେମାନଙ୍କ ଯତ୍ନ ନେବାରେ ଅସମର୍ଥ ହେବା ଅବସରରେ ‘ଥାଲକୂଥଲ’ ଆୟୋଜନ ନିଷ୍ପତ୍ତି ନିଆଯାଏ। ଏଥିନିମନ୍ତେ ନିର୍ଦିଷ୍ଟ ଦିବସ ନିର୍ଦ୍ଧାରଣ ପରେ ନିକଟସଂପର୍କୀୟ ଓ ସାହିପଡ଼ିଶା ସଂପୃକ୍ତ ବ୍ୟକ୍ତିଙ୍କୁ ଶେଷ ସାକ୍ଷାତ୍‌ କରି ଶଙ୍ଖୁଳିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ‘ଥାଲକୂଥଲ’ରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଅପେକ୍ଷା କରନ୍ତି।

ଧାର୍ଯ୍ୟ ଦିବସ ପ୍ରଭାତରୁ ବ୍ୟକ୍ତିବିଶେଷଙ୍କୁ ସମସ୍ତଙ୍କ ଉପସ୍ଥିତିରେ ତେଲ ମାଲିସ କରି ଥଣ୍ଡା ପାଣିରେ ଗାଧୋଇ ଦେଇ ପ୍ରଚୁର ପରିମାଣରେ ପଇଡ଼ପାଣି ବାଧ୍ୟବାଧକତାରେ ପିଆଇ ଦିଆଯାଏ। ମୁମୂର୍ଷ ଶରୀର ଥଣ୍ଡାପାଣି ସଂସ୍ପର୍ଶରେ ତାପମାତ୍ରା ହରାଇବା ହେତୁ ସ୍ଥଳବିଶେଷରେ କିଛି ସମୟ ମଧ୍ୟରେ ହୃଦ୍‌କ୍ରିୟା ବନ୍ଦ ହୋଇଯାଏ। ପଇଡ଼ ପାଣିରେ ପଟାସିୟମ ଥାଏ। ଅଧିକ ପରିମାଣରେ ପଟାସିୟମ ଗ୍ରହଣ ହେତୁ ବୃକକ ଅଚ଼ଳ ହୋଇପଡ଼େ। ବହୁ କ୍ଷେତ୍ରରେ ଆକ୍ରାନ୍ତ ବ୍ୟକ୍ତି ଦୁଇ ତିନି ଦିନ ମଧ୍ୟରେ ପ୍ରାଣ ହରାଏ। ମୁଣ୍ଡ ଗାଧୁଆରେ ମୃତ୍ୟୁ କାରଣରୁ ପାରମ୍ପରିକ ପଦ୍ଧତିଟି ‘ଥାଲକୂଥଲ’ ନାମିତ।

ପ୍ରଚଳିତ ଅନ୍ୟାନ୍ୟ ୨୫ ଗୋଟି ମୃତ୍ୟୁ ନିମନ୍ତ୍ରଣ ପ୍ରକ୍ରିୟାରେ ପରିବାରବର୍ଗ ବ୍ୟକ୍ତିବିଶେଷଙ୍କ ନାକକୁ ଚିପି ଧରି ବହୁ ପରିମାଣରେ ଗାଈ କ୍ଷୀର ପିଆଇ ଶ୍ୱାସଋଦ୍ଧ ଅବସ୍ଥାକୁ ଠେଲି ଦେଇଥାନ୍ତି। ସାଧାରଣରେ ୫୦ ବର୍ଷୋତ୍ତର ଗୁରୁତର ରୋଗଗ୍ରସ୍ତ ଏହି ଦଶା ଭୋଗୁଥିବା ବେଳେ କମ୍‌ ବୟସରେ ଗୁରୁତର ଶାରୀରିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅକର୍ମଣ୍ୟ ମଧ୍ୟ ‘ଥାଲକୂଥଲ’ର ଶିକାର ହୋଇଥାନ୍ତି। ଆଇନ ଦୃଷ୍ଟିରୁ ପଦ୍ଧତିଟି ଅପରାଧ ଏବଂ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଗଣ ଦଣ୍ଡିତ ହେବା ପ୍ରାବଧାନ ଥିବା ହେତୁ ଏ ସଂପର୍କରେ ବିଶେଷ ଲିପିବଦ୍ଧ ବିବରଣୀ ମିଳେ ନାହିଁ।

କେତେକଙ୍କ ମତରେ ‘ଥାଲକୂଥଲ’ ଅବହମାନ ଯୁଗରୁ ଚଳି ଆସିଛି। ଅନ୍ୟ କେତେକ ଇଂଲିଶ ଶାସନ ପ୍ରବର୍ତ୍ତିତ ହେବା ପୂର୍ବରୁ ଜନୈକ ରାଜକୁମାର ଜଟିଳ ରୋଗାକ୍ରାନ୍ତ ନିଜ ଶାଶୂଙ୍କ ଯନ୍ତ୍ରଣା ଲାଘବ ପାଇଁ ଦୟା ହତ୍ୟାର ପଥ ବାଛି ନେବା ପରେ ସମାଜରେ ଅନ୍ୟମାନେ ଅନୁକରଣ କରିଥିବା କହନ୍ତି। ଭାରତ ସ୍ୱାଧୀନତା ଲାଭ ପରେ କ୍ରମାଗତ ମରୁଡ଼ି, ବର୍ଦ୍ଧିତ ଜନସଂଖ୍ୟା ଓ ଦୁର୍ବଳ ଆଞ୍ଚଳିକ ଅର୍ଥନୀତି କାରଣରୁ ବିଂଶ ଶତାବ୍ଦୀ ପଞ୍ଚମ ଦଶକରେ ଏହି ପ୍ରଥା ବ୍ୟାପିଥିବା ମଧ୍ୟ ବିଶ୍ୱାସ କରାଯାଏ।

‘ଥାଲକୂଥଲ’ ଘଟଣାକୁ କେନ୍ଦ୍ର କରି ୨୦୧୦ରେ ଏକ ମୋକଦ୍ଦମା ଦାୟର ପରେ ଏହି ପ୍ରଥା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା। ମାନବ ଅଧିକାର ସୁରକ୍ଷା ଦାବିରେ ବରିଷ୍ଠଙ୍କ ନିମନ୍ତେ ବରିଷ୍ଠ ‘ଏଲଡର୍ସ ଫର ଏଲଡର୍ସ ଫାଉଣ୍ଡେସନ’ ଭଳି ସଂଗଠନଗୁଡ଼ିକ ପକ୍ଷରୁ ଏତାଦୃଶ କୁସଂସ୍କାର ବିରୋଧରେ ଜନଚେତନା ଜାଗ୍ରତ ଲାଗି କାର୍ଯ୍ୟକ୍ରମମାନ ଗ୍ରହଣ କରାଗଲା। ଅଭିଯୋଗ ହୁଏ ଯେ ସ୍ଥଳ ବିଶେଷରେ ପରିବାରର ବରିଷ୍ଠଙ୍କ ସମ୍ପତ୍ତି ମାଲିକାନା ବଂଶସୂତ୍ରରେ ଅକ୍ତିଆର କରିବା ଉଦ୍ଦେଶ୍ୟରେ ଖଳ ପ୍ରକୃତିର ବ୍ୟକ୍ତି ସାମାନ୍ୟ ଥଣ୍ଡାକାଶ ଆକ୍ରାନ୍ତଙ୍କୁ ମଧ୍ୟ ‘ଥାଲକୂଥଲ’ ନିମନ୍ତେ ମନ୍ତ୍ରଣା କରିଥାନ୍ତି।

ସାମାଜିକ ଧାରାରେ ପାରିବାରିକସ୍ତରରେ ମହିଳାମାନେ ନିର୍ଯାତିତ ହେଉଥିବା ସ୍ଥଳେ ‘ଥାଲକୂଥଲ’ ନିମନ୍ତେ ବାର୍ଦ୍ଧକ୍ୟଗ୍ରସ୍ତ ମହିଳାଙ୍କ ବଦଳରେ ସଂଖ୍ୟାଧିକ ପୁରୁଷ ଶିକାର ହୋଇଥାନ୍ତି। ସମ୍ପତ୍ତି ଓ ସଞ୍ଚିତ ଅର୍ଥ ପୁରୁଷଙ୍କ ହେପାଜାତରେ ରହୁଥିବା ହେତୁ ଅଧିକାର ହସ୍ତାନ୍ତର ନିମନ୍ତେ ଚରମ ପଦକ୍ଷେପ ଗ୍ରହଣ କରାଯାଏ। କେତେକ ଉଦାହରଣରେ ଏହାର ପୂର୍ବାଭାସ ପାଇ ସ୍ୱଗୃହ ଓ ପରିବାର ପରିତ୍ୟାଗ କରି ବରିଷ୍ଠମାନେ ଆତ୍ମଗୋପନ କରିବା ବା ବନ୍ଧୁବାନ୍ଧବଙ୍କ ଗୃହରେ ଶରଣାପନ୍ନ ହେବା ଜଣାଯାଏ। ବୃଦ୍ଧାବସ୍ଥାରେ ମହିଳାମାନେ ଗୃହକାର୍ଯ୍ୟରେ ସାହାଯ୍ୟ ଓ ଶିଶୁମାନଙ୍କ ଯତ୍ନ ନେଇପାରୁଥିବା ସ୍ଥଳେ ଏଭଳି କାମରେ ପୁରୁଷମାନଙ୍କ ଯୋଗଦାନ ନଥିବା, ବରଂ ନିତ୍ୟକର୍ମ ପାଇଁ ଅନ୍ୟର ସହାୟତା ଆବଶ୍ୟକ କରୁଥିବା ହେତୁ ମୁଖ୍ୟତଃ ଗୃହକତ୍ତ୍ରୀ, ବୋହୂମାନଙ୍କ ରୋଷର ଶିକାର ହୋଇଥାନ୍ତି।

ମାନବ ଅଧିକାର କର୍ମୀମାନେ ଉପଦ୍ରୁତ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ଧ୍ୟାନ ଦେବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ଓ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ଉଦ୍ୟମ କରିଥାନ୍ତି। ଦୁର୍ବଳ ଆର୍ଥନୀତିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସମୁଚ଼ିତ ଚିକିତ୍ସା ସୁଯୋଗ ମିଳେ ନାହିଁ। ଉଦାହରଣରେ ଦୀର୍ଘ ଦିନ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିବା ଫଳରେ ଶରୀରରେ ଘା’ ମାଡ଼ି ଚାଲେ ଏବଂ ତୁରନ୍ତ ଉପଚାର ନକରିବା ହେତୁ ଅଣାୟତ୍ତ ଅବସ୍ଥାକୁ ଚାଲିଯାଏ। ଶାରୀରିକ ଦୁଃସ୍ଥିତି ଓ ପାରିବାରିକ ସାମର୍ଥ୍ୟ ଅଭାବ ଚରମ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଇଥାଏ। ଶିକ୍ଷାଦୀକ୍ଷାର ଅଭାବ ହେତୁ ଏଭଳି ଅପରାଧିକ କାର୍ଯ୍ୟକଳାପର କେହି ପ୍ରତିରୋଧ କରନ୍ତି ନାହିଁ।

ସମାଜର ଅବହେଳିତ ବର୍ଗରେ ‘ଥାଲକୂଥଲ’ର ପ୍ରାଦୁର୍ଭାବ ଅନୁଭୂତ ହେଉଥିବା ସ୍ଥଳେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ପେନସନ ଯୋଜନା ଏକ ଶକ୍ତିଶାଳୀ ସୁରକ୍ଷା ପରିଧି ସୃଷ୍ଟିରେ ସହାୟକ ହୋଇଥିବା ପ୍ରମାଣ ମିଳେ। ବରିଷ୍ଠ ନାଗରିକମାନେ ଜୀବିତ ଥିଲେ ହିଁ ପେନ୍‌ସନ ଓ ଅନ୍ୟାନ୍ୟ ସମାଜ କଲ୍ୟାଣ ସହାୟତା ପାଇବା ସମ୍ଭବ ଥିବା ହେତୁ ପାରିବାରିକସ୍ତରରେ ବରିଷ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଯତ୍ନବାନ ହେବା ଓ ଜୀବନଯାତ୍ରାରେ ସହାୟତା ପ୍ରଦାନ ବୃଦ୍ଧି ପାଇଥିବା ପରିଲକ୍ଷିତ। ଏତଦ୍ ବ୍ୟତୀତ ଶିକ୍ଷାର ପ୍ରସାର, ଆର୍ଥନୀତିକ ଅଭିବୃଦ୍ଧି ଓ ସାମାଜିକ କୁସଂସ୍କାର ବିରୋଧରେ ଅଭିଯାନ ସକାରାତ୍ମକ ପ୍ରଭାବ ବିସ୍ତାର କରୁଛି।

‘ଥାଲକୂଥଲ’ ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହେବାପରେ ସଂପୃକ୍ତ ପ୍ରଥା ଆଧାରରେ ଚାରିଗୋଟି ତାମିଲ ଚଳଚ୍ଚିତ୍ର ନିର୍ମିତ ହୋଇଛି। ପ୍ରଥମ ଚଳଚ୍ଚିତ୍ରଟି ୨୦୧୬, ଦୁଇଗୋଟି ଚଳଚ୍ଚିତ୍ର ୨୦୧୯ ଓ ଅନ୍ୟ ଏକ ଚଳଚ୍ଚିତ୍ର ୨୦୨୩ ଫେବୃଆରୀ ମାସରେ ମୁକ୍ତି ଲାଭ କରିଥିଲା। ଶେଷୋକ୍ତ ‘ଥାଲକୂଥଲ’ ଚଳଚ୍ଚିତ୍ରରେ ନାୟକ ଛୋଟକାଟର ବିଲଡିଂ କଣ୍ଟ୍ରାକ୍ଟର। ସ୍ଥାନୀୟ ଦିଆସିଲି କାରଖାନାରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ପତ୍ନୀ, ସରକାରୀ ବିଦ୍ୟାଳୟ ଛାତ୍ରୀ ଝିଅ ଓ ବାପାଙ୍କୁ ନେଇ ତା’ ସଂସାର।

ହଠାତ ନାୟକର ବାପା ଅବଚେତନ ଅବସ୍ଥା ‘କୋମାକୁ’ ଚାଲିଯାଆନ୍ତି। ବାପାଙ୍କ ଦେଖାଶୁଣା କରିବା ଲାଗି ନାୟକ କଣ୍ଟ୍ରାକ୍ଟରି ବୃତ୍ତି ଛାଡ଼ି ବ୍ୟାଙ୍କ ଏଟିଏମରେ ରାତି ଜଗୁଆଳ କାମ କରେ। ଦିନବେଳା ବାପାଙ୍କ ଦେଖାଶୁଣା ଓ ରାତିରେ ଡ୍ୟୁଟି। ବାପାଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ତୁଲାଇ ନପାରି ଋଣଗ୍ରସ୍ତ ହୋଇପଡ଼େ। ଏହି ପ୍ରତିକୂଳ ପରିବେଶରେ ବାପାଙ୍କୁ ‘ଥାଲକୂଥଲ’ ଦୟାହତ୍ୟା ଲାଗି ଘରର ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି। ବରିଷ୍ଠମାନଙ୍କ ଯତ୍ନକୁ ନେଇ ଜନମାନସରେ ପ୍ରତିକୂଳ ମନୋଭାବର ସଂଘର୍ଷପୂର୍ଣ୍ଣ କାହାଣୀ ଚଳଚ୍ଚିତ୍ରରେ ରୂପାୟିତ ହୋଇଛି। ‘ଥାଲକୂଥଲ’ ଓଟିଟି ମଞ୍ଚ ‘ନେଟଫ୍ଲିକ୍ସ’ରେ ଉପଲବ୍ଧ।

କୁହାଯାଏ ଯେ ତାମିଲନାଡୁର ଏହି ପ୍ରଥା ଜାପାନ, ଇସ୍ରାଏଲ, ସର୍ବିୟା ଓ ସ୍କାଣ୍ଡେନେଭିଆ ପ୍ରଭୃତି ଅଞ୍ଚଳରେ ମଧ୍ୟ ଭିନ୍ନ ରୂପରେ ପ୍ରଚଳିତ। ବୟସ୍କଙ୍କ ଶେଷ ଜୀବନରେ ଯତ୍ନ ନିମନ୍ତେ ଭିତ୍ତିଭୂମି ଅଭାବରେ ଏହି ଭଳି ଭୟଙ୍କର ସମାଧାନ ପନ୍ଥା ଅସ୍ୱାଭାବିକ ମନେହୁଏ ନାହିଁ। ବର୍ଦ୍ଧିତ ବୃଦ୍ଧଜନସଂଖ୍ୟା, ଜୀବଦ୍ଦଶା ଓ ଏକକ ପରିବାର ଆଙ୍ଗିକ ଜନଜୀବନରେ ବାର୍ଦ୍ଧକ୍ୟ-ଯତ୍ନ ଏକ ଅସମାହିତ ସମସ୍ୟା।

Comments are closed.