କୃଷ୍ଣ ବିରହ

ଡ. ତପନ କୁମାର ଦାଶ

କୃଷ୍ଣ ବିରହରେ ଜର୍ଜରିତ ଗୋପୀମାନଙ୍କୁ ବୋଧ କରିବା ଉଦ୍ଦେଶ୍ୟରେ ବୃନ୍ଦାବନ ଆସିଥାନ୍ତି ତତ୍ତ୍ବଜ୍ଞାନୀ ଉଦ୍ଧବ। ମାତ୍ର ସେ ସେଠାକୁ ଆସି ଯାହା ଦେଖିଲେ ତାହା ଥିଲା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅବିଶ୍ୱସନୀୟ। କହ୍ନେଇ ମଥୁରା ଚାଲିଆସିବା ପରେ ଗୋପପୁର ଓ ବୃନ୍ଦାବନରେ ସତେ ଯେମିତି ଅଟକି ଯାଇଥାଏ ସମୟର ଗତି। ପୁରୁଣା ଦିନର ସ୍ମୃତିରେ ଆଜି’ବି ସମସ୍ତେ ବିଭୋର। ଗୋପ ଯୁବତୀମାନେ କେତେବେଳେ ନିଜନିଜ ଭିତରେ ହାସ୍ୟରୋଳ କରୁଥାନ୍ତି ତ ପୁଣି କେତେବେଳେ ସେମାନଙ୍କ ଭିତରୁ ଶୁଭୁଥାଏ ହା କୃଷ୍ଣ, ହା କୃଷ୍ଣ ଭଳି ବିଳାପର କରୁଣ ସ୍ବର। ରାଧାଙ୍କ କଥା ତ ନ କହିବା ଭଲ। ଭୁବନମୋହିନୀ ମା’ ଆଦ୍ୟାଶକ୍ତି ବୁଲୁଥାନ୍ତି ପାଗଳୀ ପ୍ରାୟ। କିଏ କିଏ ବ୍ୟସ୍ତଥାନ୍ତି ରାସେଶ୍ୱରଙ୍କ ପାଇଁ ରଙ୍ଗ ବେରଙ୍ଗ ଫୁଲପତ୍ରରେ କୁଞ୍ଜ ସଜାଇବାରେ ତ’ ଆଉ କିଏ ବନମାଳୀଙ୍କ ଉଦ୍ଦେଶ୍ୟରେ ଚାଖିଚାଖି ଯତ୍ନରେ ସାଇତି ରଖୁଥାନ୍ତି ଜାତିଜାତିକା ଖଟାମିଠା କୋଳି। ସତେ ଯେମିତି କେଉଁ ମୁହୂର୍ତ୍ତରେ ଆସି ପହଞ୍ଚି ଯିବେ ସେମାନଙ୍କର ପ୍ରାଣପ୍ରିୟ ଗୋପୀବଲ୍ଲଭ।

ଏ ସବୁ ଦେଖି ଉଦ୍ଧବ ଖୁବ୍‌ ବିବ୍ରତ ହେଲେ। ସମସ୍ତଙ୍କୁ ପାଖକୁ ଡାକି ଭିନ୍ନଭିନ୍ନ ଶାସ୍ତ୍ର ସମ୍ମତ ଉଦାହରଣ ମାଧ୍ୟମରେ ଆଶ୍ୱାସନା ଦେବାକୁ ଲାଗିଲେ। କହିଲେ ଯେଉଁ କଳାକାହ୍ନୁ ବିରହରେ ତୁମେ ଅଧୀର ହେଉଛ, ସେ ହେଉଛନ୍ତି ସାକ୍ଷାତ୍‌ ପରମେଶ୍ୱର। ଈଶ୍ୱର ଆମ ସହ ସର୍ବଦା ସର୍ବତ୍ର ବିଦ୍ୟମାନ। ତେଣୁ ତାଙ୍କ ବିଚ୍ଛେଦରେ ଅଧୀର ହେବା ମୂର୍ଖାମି ଭିନ୍ନ ଅନ୍ୟକିଛି ନୁହେଁ। ଏକାଗ୍ରତାର ସହ ଉପଦେଶ ଶୁଣୁଥିବା ଗୋପୀମାନେ ଏହା ଶୁଣି ତାଚ୍ଛଲ୍ୟ କରି ହସିଉଠିଲେ। ଜଣେ ଗୋପୀ କହିଲେ, ଆପଣ ଏହି ଜ୍ଞାନକୁ ବୋଧହୁଏ କେବଳ ଶାସ୍ତ୍ରରୁ ଅଧ୍ୟୟନ କରିଛନ୍ତି, ମାତ୍ର ଏହି ସତ୍ୟକୁ ଆମେ ଅନୁଭବ କରୁଛୁ ପ୍ରତିକ୍ଷଣ। ଯେଉଁଆଡେ ଚାହିଁଲେ ବାଙ୍କବିହାରୀଙ୍କ ସେହି ମନମୋହକ ଛବି ଆମ ଆଖି ଆଗରେ ନାଚିଉଠୁଛି। ଚତୁଃଦିଗରୁ ମୁରଲୀର କୁହୁକ ତାନ ପ୍ରତ୍ୟକ୍ଷ ଆମ ନାମ ଧରି ଡାକୁଥିବାର ଶୁଭୁଛି। ତା ନ’ହୋଇଥିଲେ ପ୍ରାଣଧନ କହ୍ନେଇ ଅବା କେତେଦୂରରେ ରହିଛନ୍ତି ଯେ ଆମେ ତାଙ୍କ ପାଖକୁ ଯାଇ ପାରୁନାହୁଁ। ଆତ୍ମୀୟ ସ୍ୱଜନଙ୍କ ଦୀର୍ଘ ଦିନର ଅନୁପସ୍ଥିତିରେ ତାଙ୍କ ସ୍ମୃତି ଧୀରେ ଧୀରେ ମଳିନ ପଡ଼ିଯାଏ। ମାତ୍ର କୃଷ୍ଣ ଅନୁଭୂତି ନିତ୍ୟ ବର୍ଦ୍ଧିତ ସ୍ୱରୂପରେ ଆମ ମନ ପ୍ରାଣ ଶରୀରକୁ ପୁଲକିତ କରୁଅଛି। ଅପୂର୍ବ ଶିହରଣ ଖେଳାଇ ଦେଉଥିବା ଏହି ଦିବ୍ୟ ଅନୁଭୂତି ବାକ୍ୟରେ ଅପ୍ରକାଶ୍ୟ। ଏହି ଆନନ୍ଦ ତୁଳନାରେ ଶତସହସ୍ର ସ୍ୱର୍ଗସୁଖ ମଧ୍ୟ ତୁଚ୍ଛ। ଏ ସବୁ ଶୁଣି ସାରିବା ବେଳକୁ ଉଦ୍ଧବଙ୍କର ଜ୍ଞାନ ଅହଂକାର ଭାଙ୍ଗିଯାଇଥାଏ। ସେ ଗୋପୀମାନଙ୍କ ଚରଣ ରେଣୁ ମୁଣ୍ଡରେ ମାରି କୃଷ୍ଣନାମ ଜପ କରି ଦ୍ୱାରିକା ପ୍ରତ୍ୟାବର୍ତ୍ତନ କଲେ।

ପ୍ରେମ ହିଁ ଈଶ୍ୱର ପ୍ରାପ୍ତିର ସବୁଠୁ ସରଳ ଏବଂ ନିଶ୍ଚିତ ମାର୍ଗ। କୌଣସି କାହାଣୀ ପଢି ତାର ବିଷୟବସ୍ତୁ ଜାଣିହୁଏ ମାତ୍ର ସେହି କାହାଣୀର ନାଟ୍ୟ ରୂପାନ୍ତର ସହଜରେ ହୃଦୟ ସ୍ପର୍ଶକରେ। ନାଟକରେ ମଜ୍ଜି ଯାଇଥିବା କଳାକାର କିଛି କ୍ଷଣ ପାଇଁ ନିଜର ଅସଲି ପରିଚୟ ଭୁଲିଯାଇ ଅଭିନୟ କରୁଥିବା ଚରିତ୍ରକୁ ଅନୁଭବ କରେ ସେହିପରି ବିଭୁପ୍ରେମରେ ତାଲ୍ଲୀନ ହୋଇଥିବା ପ୍ରେମୀଭକ୍ତ ପରମେଶ୍ୱରଙ୍କ ସହ ଏକାତ୍ମଭାବର ଅଖଣ୍ଡ ଦିବ୍ୟ ଅନୁଭୂତି ପ୍ରାପ୍ତ ହୁଏ ।

 

 

Comments are closed.