ରାଜନୀତି ଜହ୍ନର ଛାଇ …
ମୁକ୍ତିକାନ୍ତ ନାୟକ
ଓଡିଆ ସାହିତ୍ୟର ପ୍ରଥିଥଯଶା ସାରସ୍ୱତ ସାଧକ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଉପନ୍ୟାସର ଗୋଟିଏ ଦୁଇଟି ଧାଡ଼ି ଆଜିର ଦଳଡିଆଁ ରାଜନୀତି ପରିପ୍ରେକ୍ଷୀରେ କେତେ ପ୍ରାସଙ୍ଗିକ ତାହା ପାଠକଙ୍କ ନଜରକୁ ଆଣିବାକୁ ପ୍ରୟାସ କରିଛି। ‘ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ।’ ‘ରାଜନୀତି ଅତି ବିଚିତ୍ର। ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ; ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରୀତ୍ୱ ଚଲାମେଘ ପରି ଅସ୍ଥିର।’
ନିର୍ବାଚନ ତାରିଖ ଘୋଷଣା ପରେ ଟିକଟ ବଣ୍ଟା କାମ ରାଜନୈତିକ ଦଳମାନଙ୍କ ପାଇଁ ଏକ ବିରାଟ ରିସ୍କ। ଗୋଟିଏ ଆସନ ପାଇଁ ଏକାଧିକ ପ୍ରାର୍ଥୀ ଦାବିଦାର ରହିବା ସ୍ୱାଭାବିକ। ଦଳପତି ଜଣକ ମୁଣ୍ଡରେ ପାଗ ଭିଡିଥା’ନ୍ତି। ଯୋଗ୍ୟତା ଆକଳନରେ ଭୁଲ ଠିକ୍ ଥାଇପାରେ। ମାତ୍ର ଟିକଟ ପ୍ରାପ୍ତିରୁ ବଞ୍ଚିତ ବିକ୍ଷୁବ୍ଧ ଆଶାୟୀ ପ୍ରାର୍ଥୀ ଦଳଡିଆଁ ଭଳି ବିକଳ୍ପ ନିଷ୍ପତ୍ତିକୁ ଆପଣେଇଥାଏ। ଏ ପ୍ରକ୍ରିୟା ଠିକ୍ ନିର୍ବାଚନ ସମୟରେ ବହୁଳ ଭାବରେ ଦେଖା ଯାଇଥାଏ। ଏଥରକୁ ନହେଲା ନାହିଁ ଆରଥରକୁ ଅପେକ୍ଷା କରିବା ଏବଂ ସାଂଗଠନିକ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦିତ କରି ଦଳୀୟ ପ୍ରାର୍ଥୀକୁ ଜିତାଇବାକୁ ଉଦ୍ୟମ କରିବା ଭଳି ଉତ୍ସର୍ଗୀକୃତ ଭାବନା ଖୁବ୍ କମ୍ ନେତାଙ୍କ ପାଖରେ ଦେଖିବାକୁ ମିଳିଥାଏ। ସନ୍ଧ୍ୟାରେ ପ୍ରାର୍ଥିତ୍ୱ କଟିଗଲା ପରେ ପରଦିନ ସକାଳକୁ ବାବୁ ଆରଦଳକୁ ଡେଇଁପଡ଼ି ପ୍ରେସ୍ମିଟ କରି କହିଥା’ନ୍ତି- ‘ଦୀର୍ଘଦିନ ଧରି ମୁଁ ଅମୁକ ଦଳରେ ଅଣନିଶ୍ୱାସୀ ହୋଇ ରହିଥିଲି। ସମୁକ ଦଳର ନୀତି ଆଦର୍ଶ ଏବଂ ସେ ଦଳର ଦଳପତିଙ୍କର ସାଧାରଣ ଜନତାଙ୍କ ପାଇଁ ସମର୍ପିତ ସେବାରେ ମୁଁ ଅନୁପ୍ରାଣିତ ହୋଇ ଅମୁକ ଦଳ ପରିତ୍ୟାଗ କରି ସମୁକ ଦଳରେ ମିଶିଲି।’ ଦଳଡିଆଁ ବାବୁମାନଙ୍କର ଏ ଏକ ଔପଚାରିକତା। ଯେଉଁମାନେ ଦଳଡିଅଁନ୍ତି ସମସ୍ତେ ପ୍ରାୟ ସମାନ କଥା ହିଁ କହିଥା’ନ୍ତି। ଚଳିତ ନିର୍ବାଚନରେ ଦଳଡିଆଁ ରୋଗର ସଂକ୍ରମଣ ଅସମ୍ଭବ ଭାବରେ କାୟାବିସ୍ତାର କରିଛି। ଅଧଘଣ୍ଟାଏ ପୂର୍ବରୁ ନିଜ ଦଳ ଏବଂ ମୁଖିଆଙ୍କ ପ୍ରଶସ୍ତି ଗାନ କରୁଥିବା ନେତା ଜଣକ ଟିକଟରୁ ବଞ୍ଚିତ ହୋଇ ଅପର ଦଳକୁ ଡେଇଁ ପଡ଼ିବାର ଅଧଘଣ୍ଟାକ ପରେ ଟିକଟ ପାଇଯାଉଛନ୍ତି। ବଡ଼ ତାଜୁବ ଲାଗୁଛି ଏ ପ୍ରକାର ଛଳନା ଏବଂ ଆତ୍ମ ପ୍ରବଞ୍ଚନାର ପ୍ରକ୍ରିୟାକୁ ଦେଖିଲା ପରେ।
ଦୀର୍ଘବର୍ଷ ଧରି ଗୋଟେ ଦଳର ନୀତି ଆଦର୍ଶକୁ ଆପଣେଇଥିବା ନେତା ଜଣକ ଯିଏ କାଲି ସନ୍ଧ୍ୟାରେ ଭାଷଣ ଦେଇ କହୁଥିଲେ ମୋ ଦଳ ମହାନ, ମୋ ଦଳ ସମାଜର ଶେଷଧାଡ଼ିର ମଣିଷର ସେବା ପାଇଁ ସମର୍ପିତ। ହଠାତ୍ କେଇ ମିନିଟ୍ ଭିତରେ କେମିତି ସେଇ ଲୋକଟା ମୁହଁରେ କଥାଟା ବଦଳି ଯାଇଥାଏ ? ଗୋଟିଏ ଥାଳିରେ ସାଥୀ ହୋଇ ଖାଉଥିବା ବନ୍ଧୁ ଜଣକ ଶତ୍ରୁ ହୋଇଯାଏ ଏବଂ ବର୍ଷବର୍ଷର ଶତ୍ରୁ ଜଣକ ପରମ ମିତ୍ର ପାଲଟି ଯାଏ? ଦିନର ଆଲୁଅ ଭଳି ଜଳଜଳ ଦିଶୁଥିବା ତାଙ୍କର ଏ ସୁବିଧାବାଦକୁ ସାଧାରଣ ଲୋକମାନେ ଖୁବ୍ ପାଖରୁ ଦେଖୁଥିଲେ ବି ବିନା ସଂକୋଚରେ ସେ ତାଙ୍କର ଜୟ ଜୟକାର କରିଥାଆନ୍ତି ଏବଂ ତାଙ୍କୁ ଜିତେଇବା ପାଇଁ ଆଣ୍ଠୁଗଣ୍ଠି ଛିଡାଇ ଥାଆନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କ ସପକ୍ଷରେ ସହର ବଜାର ଗାଁ ଦାଣ୍ଡରେ ଚାରିଆଡେ ପ୍ରଚାର କରିଥାଆନ୍ତି। ଏହି ସୁବିଧାବାଦୀ ମଣିଷ ସପକ୍ଷରେ ସାଧାରଣ ମଣିଷ ଜଣକ ତା’ର ସ୍ୱଳ୍ପ ଜ୍ଞାନ ପାଇଁ ମତଦାନ କରିଥାଏ ତା’ନୁହଁ ବରଂ ଶିକ୍ଷିତ ସଚେତନଶୀଳ ମଣିଷମାନେ ବି ଏ ପ୍ରକ୍ରିୟାରେ ସାମିଲ ହୋଇଥା’ନ୍ତି।
ପାନରୁ ଚୂନ ଟିକେ ଖସିଗଲେ ରାଜନୈତିକ ବ୍ୟକ୍ତିଙ୍କୁ ମୁଣିରେ ପୂରାଇ ରଖିବା ମୁସ୍କିଲ। ଗୋଟେ ଦଳର ନୀତି ଆଦର୍ଶକୁ ପୁଞ୍ଜିକରି ବର୍ଷବର୍ଷ ରାଜନୀତିରେ ଥିବା ବାବୁ ହଠାତ୍ ଅଣନିଶ୍ୱାସୀ ହୋଇଯାଆନ୍ତି ଏବଂ କହନ୍ତି ମୁଁ ବର୍ଷବର୍ଷ ଧରି ଗୋଟେ ଗ୍ୟାସ ସିଲିଣ୍ଡର ଭିତରେ ଅଣନିଶ୍ୱାସୀ ହେଉଥିଲି। ମୋତେ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ସ୍ୱାଧୀନତା ମିଳୁନଥିଲା। ଆଜି ମୋତେ ସେଥିରୁ ମୁକ୍ତି ମିଳିଲା। ୟା’ ଭିତରେ କେତେ ବାସ୍ତବତା ଥାଏ ? ତାଙ୍କ ଦଳ ଛାଡିବାର କାରଣ କ’ଣ ସାଧାରଣ ଲୋକେ ଜାଣିଥା’ନ୍ତି। ସାଧାରଣ ଲୋକେ ବି ଜାଣିଥା’ନ୍ତି ଟିଭିର ବୁମ୍ ଆଗରେ ଠିଆ ହୋଇ କହୁଥିବା କଥାରେ ଟିକିଏ ବି ସତ ନଥାଏ। ସବୁ ବାହାନା। କାଲି ମାଇକରେ ପ୍ରତିପକ୍ଷ ଦଳକୁ କୃଚ୍ଛ୍ର ଭାଷାରେ ଗାଳି କରୁଥିବା ନେତା ଜଣକ ଆଜି ସେ ଦଳର ସ୍ତୁତିଗାନ କରୁଛି। ଅଛୁଆଁ କହୁଥିବା ଦଳକୁ ଛାତିରେ ଜାବୁଡି ଧରୁଛି। ଏ ସକଳ ପ୍ରବଞ୍ଚନାର ନାଟକକୁ ଖୁବ୍ ପାଖରୁ ଦେଖୁଥିବା ଲୋକ ବି ଦଳୀୟ ଭାବନାରେ ଅନ୍ଧ ହୋଇଯାଇଥାଏ। ଆମ ଦେଶର ଅଧିକାଂଶ ମତଦାତା ଦଳୀୟ ଭାବନାରେ ଆକ୍ରାନ୍ତ। ଏଣୁ କଙ୍କଡ଼ାକୁ ଗୋଳିଆ ପାଣି ସୁହାଇଲା ଭଳି ଦଳଡିଆଁ ସୁବିଧାବାଦୀ ନେତାଙ୍କୁ ଏ ଶ୍ରେଣୀୟ ମତଦାତାଙ୍କୁ ଆପଣେଇବାକୁ ଆଦୌ କସରତ କରିବାକୁ ପଡେନି।
ରାଜନୀତି-ଶ୍ରେଷ୍ଠନୀତି। ବାସ୍ତବତାକୁ ପରଖିଲେ ଆଜିଦିନରେ ରାଜନୀତି ତା’ର ପରିଭାଷାକୁ ହରାଇ ବସିଛି। ଏ ଶ୍ରେଣୀୟ ତଥାକଥିତ ରାଜନୈତିକ ନେତା ଜଣକର ପ୍ରେମ ଭିତରେ ଭଲ ପାଇବା କମ୍, ପ୍ରତାରଣା-ଛଳନା ଅଧିକ। କ୍ଷମତା ପାଇଁ ଚିନ୍ତା କରାଯାଇ ପାରୁନଥିବା ନିଷ୍ପତ୍ତିକୁ ଏମାନେ ଗ୍ରହଣ କରିପାରନ୍ତି। ନିଷ୍ପତ୍ତିରେ ସ୍ଥିରତା ଏବଂ ଏକାଗ୍ରତାକୁ ପଛକରି ଯିଏ ଯେତେ ଛଳନା କରିପାରିବ ଏବଂ ବ୍ୟକ୍ତିଗତ ସୁବିଧା ନିମନ୍ତେ ନିଷ୍ପତ୍ତି ପରିବର୍ତ୍ତନ କରିପାରିବ ସେ ସେତେ ପାରିବାର ଲୋକ ବୋଲି ବିବେଚିତ ହେବ ଏବଂ ଆଜିର ସମାଜରେ ଆଦୃତ ହେବ। ସାଧାରଣ ଗଣିତରେ ଦୁଇ ଯୁକ୍ତ ଦୁଇ ସମାନ ଚାରି। ମାତ୍ର ରାଜନୀତି ଗଣିତରେ ଏହା ଚାରି ନହୋଇ ପାଞ୍ଚ ବି ହୋଇପାରେ। ଏହା ଆଦୌ ବିଚିତ୍ର ନୁହଁ। ଏହାକୁ ଭୁଲ ବୋଲି ପ୍ରମାଣିତ କରିବାକୁ କୌଣସି ପାଠ କାମ କରିବ ନାହିଁ। ଏସବୁ ନାଟକ ସେଇଦିନ ବନ୍ଦ ହୋଇଯିବ ଯେଉଁଦିନ ସାଧାରଣ ମଣିଷଟିଏ ଭୁଲ କ’ଣ ଠିକ୍ କ’ଣ ବିଚାରିବାକୁ ଦଳୀୟ ଭାବନାର ଦାସତ୍ୱରୁ ମୁକ୍ତିହୋଇ ନିରପେକ୍ଷ ନିଷ୍ପତ୍ତି ନେବାକୁ ସମର୍ଥ ହେବ।
Comments are closed.