ବରିଷ୍ଠ ଗରିଷ୍ଠ

ରବିନ୍‌ ଖଣ୍ଡାୟତରାୟ

ଷାଠିଏ, ସତୁରି କି ଅଶୀଟି ବସନ୍ତ ସେମାନଙ୍କ ଜୀବନରୁ ଅପସରି ଗଲାଣି। କେଉଁଠି ଜଣଙ୍କ ବିନା ଅନ୍ୟ ଜଣେ ଏକା ତ ଆଉ କେଉଁଠି ଦୁଇଜଣ ଯାକ ସାଙ୍ଗହୋଇ ବସିଛନ୍ତି। ମନରେ ଅଭିମାନ ଆଉ ମୁହଁରେ ଅଭିଯୋଗ, କାହିଁକି ଯମ ନେଉନାହିଁ? କ’ଣ ଦେଖିବାକୁ, କି ସୁଖ ପାଇବାକୁ ଆଉ ଏ ଜୀବନ ବଞ୍ଚିରହିଛି। କଥା କହୁ କହୁ କେତେବେଳେ ଆଖିରେ ଲୁହ ଜକେଇ ଆସୁଛି ଜଣାପଡ଼ୁନାହିଁ; ଆଉ ତାକୁ ପୋଛିଦେବାକୁ ହାତ ଉଠିଗଲା ବେଳକୁ ମନ ଅନ୍ୟମନସ୍କ ହୋଇ ଅତୀତକୁ ଫେରିଯାଉଛି। ମନେପଡ଼ୁଛି! ଦିନେ ଛୋଟବେଳେ ପୁଅ ମାଆକୁ ପଚାରିଲା : ମାଆ ତୁ ତ ମତେ ଏତେ ଭଲପାଉଛୁ, ଆଉ ମୁଁ ଭାବୁଛି ବାପା ମଧ୍ୟ ସେତିକି ଭଲ ପାଉଥିବେ, ହେଲେ ତାଙ୍କ ଆଖି ଦେଖିଲେ ମତେ ଭାରି ଡର ଲାଗେ; ମୁଁ ଭାବେ ସେ ଭାରି ରାଗି। ପୁଅର ମୁଣ୍ଡ ଆଉଁଶିକୋଳକୁ ନେଇ ମାଆ ବୁଝାଇଦେଲେ, ବାବୁ ସମସ୍ତଙ୍କ ଭଲପାଇବା ଏକା ପ୍ରକାରର ନୁହେଁ। ଯିଏ ତତେ ଆଖିବୁଜି ଭଲପାଏ ସେ ହେଉଛି ମାଆ; କିନ୍ତୁ ଯିଏ ଗଭୀର ଭାବରେ ଭଲପାଉଥିଲେ ବି ତାହା ତାଙ୍କ ଆଖିରେ ପରିପ୍ରକାଶ ହୁଏ ନାହିଁ ସେ ହେଲେ ବାପା। ସନ୍ତାନ ମାଆଠାରୁ ଏ ପୃଥିବୀ ବିଷୟରେ ଜାଣେ, ସଂସାରକୁ ଚିହ୍ନେ କିନ୍ତୁ ବାପା ସନ୍ତାନକୁ ଗଢ଼ନ୍ତି। ସେ କେମିତି ପୃଥିବୀକୁ ଚିହ୍ନିବ, କେମିତି ସଂସାରରେ ନିଜର ପରିଚୟ ସୃଷ୍ଟିକରିବ ସେ ଦାୟିତ୍ୱ ବାପାଙ୍କର। ସଂସାରକୁ ବଦଳାଇଦେବାର କ୍ଷମତା ସିନା ବାପାଙ୍କର ନାହିଁ, ହେଲେ ତତେ ସଂସାର ଉପଯୋଗୀ ତଥା ଶୃଙ୍ଖଳିତ କରିବା ଆଶାରେ ବାପା କଡ଼ା ସ୍ୱଭାବର ହୁଅନ୍ତି। ପୁଅ ଚିହ୍ନିଥିଲା ମାଆକୁ ଆଉ ଏଥର ଅସଲ ପରିଚୟ ପାଇଲା ବାପାଙ୍କର, ହେଲେ ଭବିଷ୍ୟତରେ ଦୁନିଆ ଆଗରେ ସେ ନିଜକୁ କାହାର ସ୍ୱାମୀ, କାହାର ମାଲିକ, କାହାର ଚାକର ଆଦି ଅନେକ ପରିଚୟ ପ୍ରଦାନ କରୁଥିବା ବେଳେ ନିଜକୁ ଗୋଟିଏ ପୁଅର ପରିଚୟ ଦେଇ, ତଦନୁରୂପ କର୍ତ୍ତବ୍ୟ କରିବାରେ କୁଣ୍ଠିତ ହେବ କାହିଁକି ?

ଦୁନିଆରେ ମାଆ ଆଉ ବାପା ହେଉଛନ୍ତି ଦୁର୍ଲଭ। ତେଣୁ କୁହାଯାଏ ପଇସା ଦେଲେ ସବୁକିଛି ମିଳିଯିବ ହେଲେ ମାଆବାପା ମିଳିବେନି। ମାଆବାପାଙ୍କ ପାଇଁ ସନ୍ତାନ ଖାଲି ସଂସାରକୁ ଆସେ ନାହିଁ ବରଂ ସେମାନଙ୍କ ତ୍ୟାଗ, କଠିନ ପରିଶ୍ରମ, ତପସ୍ୟା ତଥା ବଳିଦାନର ବଳିଷ୍ଠ ପୃଷ୍ଠଭୂମି ଉପରେ ସେ ଠିଆହୋଇ ଦୁନିଆ ସହିତ ପରିଚିତ ହୁଏ। ଧନ୍ୟବାଦ ସନ୍ତାନ ଯିଏ ସେ ପରିଚୟକୁ ଠିକ୍‍ ଢଙ୍ଗରେ ପରିଚାଳନା କରନ୍ତି, ଅନ୍ୟଥା ସାମାଜିକ ସଙ୍କଟ ଆଉ ମାନସିକ ଅଶାନ୍ତି ସେମାନଙ୍କୁ ପରିଚାଳିତ କରିବା ଆରମ୍ଭ କରିଦିଏ। ସେଥିପାଇଁ ବୋଧେ ଗୃହସ୍ଥାଶ୍ରମ ଥାଇ ଆଉ ଗୋଟିଏ ନୂଆ ଆଶ୍ରମ ବୃଦ୍ଧାଶ୍ରମ ଖୋଲାହେଲା। ଯେଉଁଠି ମାଆବାପାମାନେ କେତେ ମାନସିକ ଯନ୍ତ୍ରଣା ଭିତରେ ରୁହନ୍ତି ସେ କଥା ନ କହିବା ଭଲ। ତେବେ ସେ ଜାଗାର ସବୁଲୋକ ଯେ ଅଭାବୀ ତାହା ନୁହେଁ ବରଂ ପରିସ୍ଥିତିରେ କିଛିଲୋକ ସେଠାକୁ ଆସନ୍ତି। କାହାର ସବୁଥାଇ ମଧ୍ୟ ପିଲାଏ ଜାଣିଶୁଣି ପଚାରନ୍ତି ନାହିଁ ତ କାହାର ପିଲାଙ୍କର ପଚାରିବାଟା ଏମିତି ଥାଏ ଯେ, ସେମାନେ ବାଧ୍ୟରେ ଘର ଛାଡ଼ନ୍ତି। କାହାର ପିଲା ବିଦେଶରେ ଥାଇ ପଇସା ପଠାଇଦେଇ, ପାଳ ପଡ଼ି ଉଚ୍ଚାହୋଇ ଓଲଟି ଅଭିଯୋଗ କରେ କି, ଏକା ବୋଲି ମୁଁଁ ସିନା ତୁମକଥା ବୁଝିପାରୁନି ଯଦି ଆଉ ଜଣେ ଥାଆନ୍ତା ସେ ତୁମ କଥା ବୁଝୁଥାଆନ୍ତା; କିନ୍ତୁ ଆଉ କାହାର ପାଞ୍ଚପାଞ୍ଚଟା ପିଲା ଥାଇବି ବାପାମାଆଙ୍କୁ ଠିକ୍‍ରେ ପଚାରନ୍ତି ନାହିଁ। ବରଂ ନିଜଭିତରେ କଳି କରନ୍ତି ଆଉ ଭାଗବାଣ୍ଟନ୍ତି କିଏ କେତେ ଦିନ ପୋଷିବ। ଏଠାରେ ପିଲାର ସଂଖ୍ୟାକୁ ନେଇ କଥା ନାହିଁ ବରଂ ନିଜେ ନିଜକୁ ଚିହ୍ନି ନ ପାରିବାରୁ ଯେଉଁ ପରିଚୟ ସଙ୍କଟ ସୃଷ୍ଟିହୋଇଛି ତାହା ହିଁ ମୂଳକଥା। ଯଦି ଜଣେ ନିଜକୁ ଚିହ୍ନି ନ ପାରି, କି ବରିଷ୍ଠଙ୍କ ଅବଦାନକୁ ଅଣଦେଖା କରି ଖାଲି ଟଙ୍କା-ପଇସା, ଧନ-ରତ୍ନକୁ ଚିହ୍ନିଲା ତେବେ ସେ କେବଳ ନିଜର ନୁହେଁ ବରଂ ସମଗ୍ର ସମାଜ ପାଇଁ ସଙ୍କଟ ସୃଷ୍ଟିକରିବ ଏହା ନିଶ୍ଚିତ। ଏହିପରି ପରିଚୟ ସଙ୍କଟ ଆଜି ଅଧିକାଂଶ ଯୁବବର୍ଗଙ୍କ କ୍ଷେତ୍ରରେ ଦେଖାଯାଉଛି। ସୁଖ ସମ୍ପର୍କରେ ଥାଏ, ସମ୍ପଦରେ ନଥାଏ। ଆଜି ସମ୍ପଦ ଅଛି, ହୁଏତ କାଲିକୁ ନଥିବ; କିନ୍ତୁ ସମ୍ପର୍କ କାଳକାଳକୁ ରହିଥିବ। ସୁଖକୁ ଯିଏ ବସ୍ତୁ ଭିତରେ ଖୋଜୁଥାଏ, ସେ ତ ତାକୁ ପାଏନି ବରଂ ସେଥିପାଇଁ ବେଶ୍‍ କିଛି ଧାଁଧପଡ଼ କରି ଆଣ୍ଠୁଗଣ୍ଠି ଛିଣ୍ଡିବା ଯାଏ କଥାଯାଏ। କବିବର ରାଧାନାଥ ରାୟ ଲେଖିଛନ୍ତି,

‘‘ସୁଖ ବୋଲି ଯାକୁ ବୋଲଇ ସଂସାର, କରୁଥାଇ ତାକୁ ଦୂରୁ ମୁଁ ଜୁହାର
ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତୁ ଆସେ ହା​‌େ​‌ତ ପଡ଼ିବା ପାଇଁ ସେ
ବସ୍ତୁ ନୁହଁଇ ସେ ଅଟଇତ ଧୂମ, ଅନ୍ୟ ନାମ ତା’ର ଆକାଶ କୁସୁମ’’।

ଅତଏବ ଆକାଶ କୁସୁମ ସମ ସୁଖ ନୁହେଁ; ବରଂ ବାସ୍ତବ ଆନନ୍ଦ ପ୍ରାପ୍ତିର ଲକ୍ଷ୍ୟ ସବୁରି ରହିବା ଉଚିତ୍‍। ନିଦ ଦାମିକା ଶେଯ ଖୋଜେନି, ଭୋକ ପଲଉ ବେଶର ଖୋଜେନି କି ନିଜ ହାତରେ ପିଲାଙ୍କ ପାଇଁ ପଇସା ବୁଣି ଦେଇଥିବା ବାପାମାଆ ଶେଷବେଳେ ସେ ପଇସାକୁ ଖୋଜନ୍ତିନି। ସେ ଖୋଜନ୍ତି ସ୍ନେହ, ପ୍ରେମ ଆଉ ଭଲପାଇବା। ପ୍ରଭୁ ସବୁରି ଅନ୍ତରରେ ସେହି ଦିବ୍ୟପ୍ରେମର ଫଲ୍‍ଗୁଧାରା ପ୍ରବାହିତ କରିଛନ୍ତି ଆମେ ତାଙ୍କୁ ଅନ୍ୟମାନଙ୍କ ଭିତରେ ଯେତେ ପରିମାଣରେ ବାଣ୍ଟିପାରିବା, ନିଜେ ସେତେ ଆନନ୍ଦରେ ରହିପାରିବା। ଅନ୍ତରରେ ଲୁଚି ରହିଥିବା ଆନନ୍ଦର ଅବାଧ ଅନୁଭବ ସରଳତା ଓ ସନ୍ତୋଷ ଦ୍ୱାରା ହିଁ ବାହାରକୁ ଆସିଥାଏ। ଅଧିକ ବସ୍ତୁ ତଥା ଅଧିକ ଇଚ୍ଛା ଯୋଗୁଁ ଆଧୁନିକ ଯୁଗରେ ସରଳତା ରହୁନାହିଁ। ସରଳ ବାପାର ମନରେ ତା’ ପୁଅ ହୀରା, ମୋତିଠୁ ଅଧିକ ଦାମିକା ବୋଲି ବିଚାର କରୁଥିବା ବେଳେ; ପୁଅ ବଡ଼ହୋଇ ତାଙ୍କୁ ଅଚଳ ପଇସାଠୁ ବି ଅଧିକ ଗୁରୁତ୍ୱ ଦେଉନି। ସେପଟେ ଡାଇନିଙ୍ଗ୍‌ ଟେବୁଲ୍‍ ଉପରେ ଖାଦ୍ୟର ଗହଳି ହେଲେ ପେଟରେ ଭୋକନାହିଁ। ଅଥଚ ଏପଟେ ପେଟରେ ପ୍ରବଳ ଭୋକ ମାତ୍ର ଥାଳିରେ ଅନ୍ନ ନାହିଁ କି କାହାର ଅନ୍ନଥାଇ ଖାଇବାକୁ ମନ ନାହିଁ। ସେଦିନର ସଂସାର ବଗିକୁ ଟାଣିଟାଣି ପୁରୁଣା ହୋଇଯାଇଥିବା ଇଞ୍ଜିନ୍‍ ଦୁଇଟା ଆଜି କୋଇଲା ପାଣି ବିନା ଅସ୍ଥାୟୀ ଷ୍ଟେସନ୍‍ରେ ଅପେକ୍ଷା କରି ରହିଛନ୍ତି, କୋଉଦିନ ତାଙ୍କୁ ଠିକଣା ଷ୍ଟେସନ୍‍ରେ ଲଗାଇଦେବାକୁ ତାଙ୍କ ଉତ୍ତରାଧିକାରୀ ନୂଆ ଇଞ୍ଜିନ୍‍ ଆସିବ! ହେଲେ ସେ ଆସିପାରିନି। ତଥାପି ଅପେକ୍ଷା, ଆହୁରି ଅପେକ୍ଷା! ସେ ଆସିବ ଆଉ ଜୀବନର ରେଳଧାରଣାରେ କର୍ତ୍ତବ୍ୟର ଇଞ୍ଜିନ୍‍ ହୋଇ ସମ୍ପର୍କର ବଗିଗୁଡ଼ିକୁ ଟାଣି ନେଇ ନିଜର ପରିପୂର୍ଣ୍ଣ ପରିଚୟ ପାଇଯିବାର ପ୍ରମାଣ ଦେଇଦେବ। ଯେମିତି ମାଆ ବୁଝାଇଥିଲା ପୁଅକୁ, ସେମିତି ପୁଅ ତା’ ମନକୁ ବୁଝାଉ ତା’ର ପାରିବାପଣିଆର ଅସଲ କାରଣଟା କ’ଣ। ଆଉ ଏଥିପାଇଁ କାହାର ଅବଦାନ ରହିଅଛି।

ବର୍ତ୍ତମାନର ପରିବର୍ତ୍ତିତ ପୃଷ୍ଠଭୂମିରେ ଅତୀତକୁ ଭୁଲିଯିବା ହୁଏତ ସହଜ ହୋଇପାରେ, ମାତ୍ର କୃତଜ୍ଞତାକୁ ବଳିଦେଇ କୃତଘ୍ନହେବାଟା ପ୍ରଗତିର ପରିଚାୟକ ନୁହେଁ। ଯେଉଁ ବରିଷ୍ଠମାନଙ୍କର ଗରିଷ୍ଠ ଉପଦେଶ କେବଳ ଉପକାରୀ ନୁହନ୍ତି; ବରଂ ଜୀବନ ରକ୍ଷାକାରୀ; ଯେଉଁ ବୟସ୍କମାନେ ଆମ ଆପଦ ବିପଦ ସମୟର ସଦା ସାହାପକ୍ଷ। ଯାହାଙ୍କର ଅଭିଜ୍ଞତା ଆମକୁ ଆଗକୁ ନେବାରେ ସାହାଯ୍ୟ କରିଥାଏ ତାଙ୍କୁ ହତାଦର ନକରି ପାଖରେ ରଖିବାକୁ ଆଉ ତାଙ୍କୁ ଅଣଦେଖା ନକରି ତାଙ୍କର ଉପଦେଶକୁ ନିଜ ହିତପାଇଁ ଗ୍ରହଣ କରିବାକୁ ଅନୁରୋଧ, ଯାହାଦ୍ୱାରା ଆମ ପରିବାରର ଆଉ ସମାଜର ବିଶେଷ ମଙ୍ଗଳ ସାଧିତ ହେବ, ଏଥିରେ ସନ୍ଦେହ ନାହିଁ।

Comments are closed.