ତ୍ୟାଗ ଓ ତପସ୍ୟାର ଅନନ୍ୟ ଜନସେବକ

ବୀରକିଶୋର ବାରିକ

ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ପଟ୍ଟଶିଷ୍ୟ, ନୀତି ଆଦର୍ଶର ଅନୁଗାମୀ ଓ ମହାନ୍‌ ସୂତ୍ରଧର ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ସାଧାରଣରୁ ଅସାଧାରଣ ବ୍ୟକ୍ତିରେ ସୁପ୍ରତିଷ୍ଠିତ ହୋଇ ପାରିଥିଲେ। ତାଙ୍କର ନିରବଚ୍ଛିନ୍ନ ସାଧନା ହିଁ ତାଙ୍କୁ ସିଦ୍ଧି ଲାଭରେ ସହାୟକ ହୋଇପାରିଥିଲା। ସେ ଦୀର୍ଘ ନିରାମୟ ଜୀବନଯାପନ କରି ୧୦୨ ବର୍ଷ ବୟସରେ ସ୍ବର୍ଗାରୋହଣ କରିଥିଲେ। ସେହି ସତ୍ୟନିଷ୍ଠ, ସ୍ପଷ୍ଟବାଦୀ, ସାହସୀ ତଥା କଠୋର ଚରିତ୍ରବାନ ମହାପୁରୁଷଙ୍କ ଅବଦାନ ନିକଟରେ ଏ ଜାତି ଋଣୀ ହୋଇ ରହିଗଲା। ଯାହା କରିଗଲେ ତା’ ମୂଳରେ ତାଙ୍କର ନିଷ୍ଠା ଓ ନିଃସ୍ବାର୍ଥପର କର୍ମ ହିଁ ସହାୟକ ହୋଇପାରିଛି। ଅନୁଭୂତି ହିଁ ମଣିଷର ଅନ୍ୟତମ ଗୁରୁ। ଡକ୍ଟର ରଥ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଭାବରେ କାରାବରଣ କରି ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥୀ ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ଏକାଧାରରେ ସ୍ବାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ସମାଜସେବୀ, ସାମ୍ବାଦିକ ଓ ସଂସ୍କାରକ। ସେ ରାଜନୀତି କରିଥିଲେ, ରାଜ୍ୟରେ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ ସେ ଓଡ଼ିଶା, ଭାରତ ତଥା ପୃଥିବୀର କେତେକ ଦେଶର ଓଡ଼ିଆ ଭାଷା ଭାଷୀଙ୍କ ନିକଟରେ ‘ସମାଜ’ର ସମ୍ପାଦକ ତଥା ଜନସେବକ ଭାବରେ ବିଶେଷ ପରିଚିତ ହୋଇପାରିଥିଲେ।

ସେ ଅତି ସରଳ କିନ୍ତୁ ମହାନ୍‌। ଦୈନିକ ଖବରକାଗଜ ‘ସମାଜ’ ସହିତ ସେ ଦୀର୍ଘ ୭୯ ବର୍ଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିବା କିଛି କମ୍‌ କଥା ନୁ​‌େ​‌ହଁ। ମୋ ମତରେ ଏହିଭଳି ସୌଭାଗ୍ୟ ଭାରତର ଅନ୍ୟ ଖବରକାଗଜର ସମ୍ପାଦକଙ୍କୁ ମିଳିନାହିଁ। ‘ସମାଜ’ କାଗଜର ମହିମା ଓ ଗୁରୁତ୍ବ ବର୍ଣ୍ଣନା କରିବା ଅସମ୍ଭବ। ‘ସମାଜ’ ଖବରକାଗଜକୁ ଗୋଟିଏ ସମୟରେ ଓଡ଼ିଶା ରାଜନୀତିର ପ୍ରମୁଖ ଦିଗ୍‌ଦର୍ଶକ ଭା​‌େବ ଗ୍ରହଣ କରାଯାଉଥିଲା। ଏବେ ମଧ୍ୟ ଉକ୍ତ କାଗଜର ଗୁରୁତ୍ବ ଜନମାନସରେ ପ୍ରତିବିମ୍ବିତ ହେଉଛି। ସମ୍ପୂର୍ଣ୍ଣ ନିରପେକ୍ଷ ରହି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ବାର୍ଥ ରକ୍ଷା ଦିଗରେ ‘ସମାଜ’ ସବୁବେଳେ ସ୍ବର ଉତ୍ତୋଳନ କରିଆସିଛି ଓ ଦୃଢ଼ ଜନମତ ସୃଷ୍ଟି କରି ଅନେକ ସଫଳତା ଆଣିଦେଇ ପାରିଛି।

ସମାଜସେବା କ୍ଷେତ୍ରରେ ପଦ୍ମଭୂଷଣ ଡ. ରଥଙ୍କ ସାଫଲ୍ୟ ଅବିସ୍ମରଣୀୟ ହୋଇରହିବ। ମାନବ ପୂଜା ହିଁ ମାଧବ ପୂଜା। ଏହା ସେ କର୍ମରେ କରି ଦେଖାଇ ଯାଇଛନ୍ତି। ସେବା ମନ୍ତ୍ରରେ ସେ ଦୀକ୍ଷିତ। ତାଙ୍କର ଦେଶପ୍ରେମ ଓ ଅତୁଳନୀୟ ସମାଜସେବା ଆମର ଯୁବଶକ୍ତି ପାଇଁ ଆଲୋକବର୍ତ୍ତିକା ହୋଇରହିବ। ବହୁ ଅନୁଷ୍ଠାନର କର୍ଣ୍ଣଧାର ଓ କର୍ମକର୍ତ୍ତା ହେବାର ସୌଭାଗ୍ୟ ଡକ୍ଟର ରଥ ଲାଭ କରିଛନ୍ତି। ବିଶେଷ କରି ସେ ବୃଦ୍ଧାଶ୍ରମ, ଅନାଥାଶ୍ରମ, ବାଳାଶ୍ରମ, କୁଷ୍ଠାଶ୍ରମ, ଗୋମଙ୍ଗଳ ସମିତି, ରେଡକ୍ରସ ଓ ଓଡ଼ିଶା ସ୍କାଉଟ ଗାଇଡ୍‌ ପ୍ରଭୃତି ବହୁ ଅନୁଷ୍ଠାନକୁ ଉଜ୍ଜୀବିତ କରି ସଫଳ ନେତୃତ୍ବ ଓ ଦିଗ୍‌ଦର୍ଶନ ଦେଇଥିଲେ। ସତ୍ୟ, ଧର୍ମ, ନ୍ୟାୟର ତ୍ରିବେଣୀ ଧାରରେ ଡକ୍ଟର ରଥଙ୍କର ପ୍ରଗାଢ଼ ବିଶ୍ବାସ ଥିଲା। ସମାଜସେବା କ୍ଷେତ୍ରରେ ମହାନ୍‌ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ଉପାଧିରେ ଭୂଷିତ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାର୍ଯ୍ୟଧାରାକୁ ସେ ଅନୁସରଣ କରି ପରିଣତ ବୟସରେ ଏବଂ ମରୁଡ଼ି, ମହାମାରୀ ତଥା ଘରପୋଡ଼ି ପ୍ରଭୃତି ଅଞ୍ଚଳରେ ପ୍ରଥମେ ପହଞ୍ଚି ‘ସମାଜ’ ରିଲିଫ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିଲେ ଓ ସରକାରୀ ସାହାଯ୍ୟ ତୁରନ୍ତ ପହଞ୍ଚାଇବାକୁ ଦୃଢ଼ ସ୍ବରଉତ୍ତୋଳନ କରୁଥିଲେ । ସୁବକ୍ତା ଭାବରେ ଡକ୍ଟର ରଥ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ କରିଥିଲେ। ରାଜ୍ୟ ତଥା ଦେଶର ହିତ ପାଇଁ ସେ ବହୁ ତଥ୍ୟ ସମ୍ବଳିତ ଅକାଟ୍ୟ ଯୁକ୍ତି ବିଭିନ୍ନ ସମୟରେ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିଲେ। ଓଡ଼ିଶାର ବିକାଶ ସଂକ୍ରାନ୍ତରେ ସେ ତଥା ତାଙ୍କର ସମ୍ପାଦିତ ପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ସଦା ସଚେତନ। ଅନେକ କ୍ଷେତ୍ରରେ ଓଡ଼ିଶାର ନ୍ୟାଯ୍ୟଦାବି ପ୍ରତି କେହି ଉପେକ୍ଷାକଲେ, ଡକ୍ଟର ରଥଙ୍କ ଲେଖନୀମୁନ ଶାଣିତ ହୋଇଉଠେ,ଜାଗ୍ରତ ହୋଇଉଠେ।

ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସଭାସମିତିରେ ଯୋଗଦାନ କରିବାକୁ ଆସୁଥିବା ନିମନ୍ତ୍ରଣକୁ ସେ ଗ୍ରହଣ କରୁଥିଲେ ଓ ନିଜର ଦୃଢ଼ ନିରପେକ୍ଷ ମତ ଦେଇ ଜନମତକୁ ସଜାଗ କରିପାରିଥିଲେ। ଓଡ଼ିଶାରେ ୪୩ ପ୍ରକାର ଖଣିଜ ପଦାର୍ଥ ରହିଛି। ମୁଖ୍ୟତଃ କ୍ରୋମାଇଟ୍‌, ନିକେଲ, ବକ୍ସାଇଟ, କୋଇଲା, ଲୁହାପଥର, ମାଙ୍ଗାନିଜ, ଗ୍ରାଫାଇଟ, ୪୮୦ ମାଇଲ ସମୁଦ୍ର ଉପକୂଳ ଓ ଜଳ ଭାରତବର୍ଷର ୧୨% ବିଦ୍ୟମାନ ସତ୍ତ୍ବେ ଓଡ଼ିଶାର ଲୋକେ ଗରିବ। ଏଠାକାର ଲୋକଙ୍କ ମୁଣ୍ଡପିଛା ଆୟ ​‌େ‌ଢର କମ୍‌। ଏହି ସବୁ ଅବ୍ୟବସ୍ଥା ସଂକ୍ରାନ୍ତରେ ଡକ୍ଟର ରଥଙ୍କ ସମ୍ପାଦିତ ‘ସମାଜ’ ସିଂହ ଭଳି ଗର୍ଜନ କରି ଏହାର ନିରାକରଣ ପାଇଁ ମତାମତ ଦେବା ଫଳରେ କିଛି ସୁଫଳ ବିଳମ୍ବରେ ହେଲେ ମଧ୍ୟ ମିଳିଛି।

‘ସମାଜ’ ଅନୁଷ୍ଠାନ ସର୍ବଧର୍ମର ସମନ୍ବୟ ପୀଠ ହୋଇପାରିଛି। ବିଭିନ୍ନ ସମୟରେ ଭାରତବର୍ଷର ତଥା ବିଦେଶରୁ ଆସୁଥିବା ରାଷ୍ଟ୍ରନେତା, ବିଶିଷ୍ଟ ଜନନାୟକ ତଥା କୂଟନୀତିଜ୍ଞମାନେ ଓଡ଼ିଶାର ସ୍ବର୍ଣ୍ଣତ୍ରିଭୁଜ ସହ ଗୋପବନ୍ଧୁ ଭବନକୁ ଆସି ଡକ୍ଟର ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରୁଥିଲେ। ଆଗନ୍ତୁକ ବିଶେଷ ଅତିଥିଗଣଙ୍କୁ ଯଥାମାନ୍ୟ ଓ ସମ୍ବର୍ଦ୍ଧନା ସାଙ୍ଗକୁ ବିଭିନ୍ନ ଉପଢ଼ୌକନ, ଓଡ଼ିଶାର ନିଜସ୍ବ କାରିଗରଙ୍କ ପ୍ରସ୍ତୁତ ଅନେକ ଆଶ୍ଚର୍ଯ୍ୟକର ହସ୍ତଶିଳ୍ପ ଓ କୁଟୀରଶିଳ୍ପ ପଦାର୍ଥ ତଥା ତାରକସି କାମ, ଶିଙ୍ଗକାମ ପ୍ରଦାନ କରି ଓଡ଼ିଶାକୁ ମହିମାମଣ୍ଡିତ କରିପାରିଥିଲେ।

‘ଝିଟିପିଟି କହେ’ର ସ୍ରଷ୍ଟା ଡକ୍ଟର ରଥ ପ୍ରତିଥର ତାଙ୍କର ସମ୍ପାଦକୀୟ ମାଧ୍ୟମରେ ଦେଶର ତଥା ସମଗ୍ର ଜଗତର ବିଶେଷ ଘଟଣାବଳୀ ଉପରେ ଏତେ ତଥ୍ୟଭିତ୍ତିକ ଚର୍ଚ୍ଚା କରନ୍ତି ଯେ ତାହା ପାଠକଙ୍କ ବୌଦ୍ଧିକତାର ସୀମାକୁ ବିସ୍ତାରିତ କରିଥାଏ। ସେହି ସମ୍ପାଦକୀୟ ମଧ୍ୟରେ ଓଡ଼ିଆ ଘରର ଅନେକ ଢଗଢମାଳି ଓ ମହାପୁରୁଷଙ୍କର ବାଣୀକୁ ଉଦ୍ଧାର କରି ତାଙ୍କର ସମ୍ପାଦକୀୟଙ୍କୁ ଅଧିକ ଚମତ୍କୃତ ଓ ରସାଣିତ କରୁଥିଲେ। ‘ସମାଜ’ ଏକ ବିଶ୍ବସ୍ତ ଦୈନିକ ଭାବରେ ସୁଖାତି ଅର୍ଜନ କରି ତାହାର ସମ୍ପାଦକ ମହୋଦୟଙ୍କୁ ଏକ ଚଳନ୍ତି ଅନୁଷ୍ଠାନରେ ପରିଣତ କରିପାରିଥିଲା। ସେହି ଶତାୟୁ ପୁରୁଷଙ୍କ ଜନ୍ମଦିନରେ ତାଙ୍କୁ ପ୍ରଣାମ ଜଣାଉଛୁ ଓ ସମଗ୍ର ଓଡ଼ିଆ ଜାତିକୁ କଲ୍ୟାଣ ବର୍ଷଣ କରନ୍ତୁ ଏହା ହିଁ ପ୍ରାର୍ଥନା।

Comments are closed.