ଯାହା କରିବେ ଅଚ୍ୟୁତାନନ୍ଦ

‘‘ଚୋର ଗଲା ପର ବୁଦ୍ଧି’’ ସର୍ବଦା ଉପହାସ୍ୟ, ଅର୍ଥହୀନ ବି ଅନେକାଂଶରେ। ବିପତ୍ତି, ଦୁର୍ଘଟଣା, ଅଘଟଣ ତ ଜୀବନ ବ୍ୟାପୀ ଭରି ରହିଛି। କାହା ଜୀବନ କେବଳ ଆନନ୍ଦ ଉଲ୍ଲାସମୟ, ଉତ୍‌ଥାନ ମାର୍ଗୀ କହୁନା? କୁହା ବି ଯାଇଛି ଯେ ଯାହା ଭବିତବ୍ୟ, ଘଟିବାକୁ ଥିବ ତାକୁ କିଏ ବି ଏଡ଼ାଇ ପାରିବନି। ଯଦି ଏଡ଼ାଇ ହେଉଥାନ୍ତା, ତେବେ ନଳ, ରାମ, ଯୁଧିଷ୍ଠିର ପ୍ରମୁଖ ରାଜା ମହାରାଜା ଏତେ ହୀନାବସ୍ଥା କାହିଁକି ହୋଇଥାନ୍ତେ? ‘‘ଅବଶ୍ୟମ୍ଭାବି ଭାବ୍ୟାନାମ୍‌ ପ୍ରତିକାରମ୍‌ ଯଦି ଭବେତ୍‌, ତର୍‌ହି ନ ଲିପ୍ୟନ୍ତେ ଦୁଖୈଃ ନଳରାମ ଯୁଧିଷ୍ଠିରାଃ’’। ‘ବିଜୁଳିବତି’ ତ ଲେଖିଲେ, ‘‘ମଣିଷ ବଡ଼ାଇ ପାଣିର ଗାର, ଜର୍ମାନ କେଶରୀ ଦାଣ୍ଡ ଫକିର, ଟାଇଟାନିକ ଥିଲା କେଡ଼େ ବୋଇତ, ବରଫ ଧକ୍‌କାରେ ବୁଡ଼ି ଗଲା ତ।’’ ଅହଂ ଓ ଈଶ୍ବରଙ୍କ ପ୍ରତି ଅବିଶ୍ବାସ ସବୁ ଦୁର୍ଘଟଣା, ଦୁର୍ଦଶାକୁ ଅଧିକ ଦାରୁଣ, ମର୍ମନ୍ତୁଦ କରିଦିଏ। ଟାଇଟାନିକ ଜାହାଜ ବୁଡ଼ିବାର ଲୋମଟାଙ୍କୁରା କାହାଣୀ ବା କଥାରେ ଯେଉଁମାନେ ଜୀବନ-ତରୀ ସାହାଯ୍ୟରେ ବର୍ତ୍ତି ପାରି ନ ଥିଲେ ସେମାନଙ୍କ ଶେଷ କଥା ବର୍ଣ୍ଣନା କରାଯାଇଛି। ବୁଡ଼ୁଥିବା ଏହି ଜାହାଜର ଶେଷ ଯାତ୍ରୀ, ନିଶ୍ଚିତ ମୃତ୍ୟୁର ଶିକାରମାନେ ଭୋ ଭୋ କାନ୍ଦୁଥିଲେ, ବାଡ଼େଇ କଚାଡ଼ି ହେଉଥିଲେ? ନା, ଜୀବନର ଏ ଦାରୁଣ ଅନ୍ତିମ ମୁହୂର୍ତ୍ତରେ ପ୍ରଭୁ ନାମର ସମୂହ କୀର୍ତ୍ତନରେ ମଜ୍ଜି ରହି ଆତଙ୍କ ସୃଷ୍ଟ ମୃତ୍ୟୁକୁ ଉପହାସ କରୁଥିଲେ, ମାତ୍ର ଜଣେ ଚିକିତ୍ସକ ଘୋର ଭୟଭୀତ ଓ ଅସ୍ଥିର ହୋଇ ଭୋ ଭୋ କାନ୍ଦୁଥିଲେ ଓ କୀର୍ତ୍ତନରତ ନିଃଶଙ୍କ ଯାତ୍ରୀମାନଙ୍କ ମାନସିକତାକୁ ବୁଝିପାରୁ ନ ଥିଲେ। ସେ ତ ଜୀବନସାରା ଈଶ୍ବରଙ୍କୁ ମାନୁ ନ ଥିଲେ, ବିଶ୍ବାସ କରୁ ନ ଥିଲେ। ଏବେ ଭାବିଲେ ଏ ‘ଈଶ୍ବର’ଙ୍କୁ ତାଙ୍କୁ ଏ ମରଣ ମୁଖରୁ ରକ୍ଷାକରିବାକୁ କହିବେ। ବଡ଼ ପାଟିରେ କାନ୍ଦୁ କାନ୍ଦୁ ଚିତ୍କାର କରୁଥାନ୍ତି, ‘‘ହେ ଈଶ୍ବର ବୋଲି ଯଦି କେହି ଜଣେ ଅଛ, ତେବେ ମତେ ଏ ମରଣ ମୁଖରୁ ରକ୍ଷାକରି, ତମର ଶକ୍ତି ଓ ସ୍ଥିତିର ପ୍ରମାଣ ଦିଅ। ତା’ପରେ ମୁଁ ତମକୁ ବିଶ୍ବାସ କରିବି।’’ ପ୍ରଭୁ କିନ୍ତୁ ତାଙ୍କୁ ରକ୍ଷା କଲେ ନାହିଁ, ତାଙ୍କ ଭାଷାରେ ରକ୍ଷା କରି ପାରିଲେ ନାହିଁ।

ଗଣତନ୍ତ୍ରର ଭୋଟ ଲଢ଼େଇରେ କ୍ଷମତା ଆଶାୟୀ ଦଳମାନେ ‘ଭୋଟ’ କିଣାର ଘୋଡ଼ା ବେପାର କଲା ଭଳି, ପ୍ରଭୁ ତାଙ୍କ ସପକ୍ଷବାଦୀଙ୍କ ସଂଖ୍ୟା ବଢ଼ାଇବାକୁ ବୋଧେ ଗୋଟେ ଘୋଡ଼ା ବେପାର କରିବେ। ସବୁକାମ ପଛରେ ଭୋଟ ହିସାବ, ମୋଦିଜୀ, ନବୀନଜୀ, ପ୍ରମୁଖ ବନ୍ଦନୀୟ ରାଜନୀତିଆଙ୍କ ପରି ପ୍ରଭୁଙ୍କ ଭାବ କିଆଁ ହେବ? ଗାଦି ସୃଷ୍ଟି କରୁଥିବା ଦୟାମୟ ପ୍ରଭୁ ଆଉ କୋଉ ଗାଦି କି ଭୋଟ ପଛରେ ଗୋଡ଼େଇବେ? ଆମ ପ୍ରାର୍ଥନା ସବୁ ସର୍ତ୍ତ ସମ୍ବଳିତ ଏ କଥା ପ୍ରଭୁଙ୍କୁ ଜଣା। ସେ କାହାର ବିଶ୍ବାସ ବା ଅବିଶ୍ବାସରେ କୁତୁକୁତୁ ହୁଅନ୍ତି ନାହିଁ ବା କ୍ରୋଧ ଜର୍ଜରିତ ପ୍ରତିଶୋଧାତ୍ମକ ହୁଅନ୍ତି ନାହିଁ। ସେଇଥି ପାଇଁ ତ କୁହାଗଲା, ‘‘ଅପ୍ରାର୍ଥୀତାନି ଦୁଃଖାନି ଯଥା ବାୟାନ୍ତି ଦେହିନାମ୍‌, ସୁଖାନ୍ୟପି ତଥା ମନ୍ୟ, ଦୈନ୍ୟ ମତ୍ରାତିରିଚ୍ୟତେ।’’ ଅର୍ଥାତ୍‌ ଦୁଃଖ ଦୁର୍ଦଶା ଜୀବନରେ କେହି ତିଳେମାତ୍ର ଭୋଗ କରିବାକୁ ଚାହିଁ ନ ଥିଲେ ବି, ଅନନ୍ତ ଦୁର୍ଦଶାର ଯେମିତି ଶିକାର ହୁଅନ୍ତି ସେମିତି ‘ସୁଖ’ ନ ମାଗିଲେ ବି ତାହା ବିଧାନ ମତେ ଆପେ ଆପେ ଆସିବ। ସୁଖ ଦିଅ, ସୁଖ ଦିଅ, ଅମୁକ ଦିଅ, ସମୁକ ଦିଅ ପ୍ରାର୍ଥନା କେବଳ ତମର ଦୀନତା ଯାହା ପ୍ରକାଶ କରୁଛି। କିଓ ବାବୁ ପ୍ରଭୁ କ’ଣ ଯେ ଦେଇ ନାହାନ୍ତି ତମକୁ? ହାତ ଗୋଡ଼ ସହ ସୁସ୍ଥ ଓ ସୁସ୍ବାସ୍ଥ୍ୟର ଶରୀରଟେ ଦେଇଛନ୍ତି! ତମ ପଡ଼ୋଶୀ ଘର ସନାକୁ ଦେଖୁନା କେଡ଼େ ସୁନ୍ଦର ଭେଣ୍ଡିଆଟେ, ମାତ୍ର ଗୋଡ଼ ଦି’ଟା ନଡ଼ ନଡ଼ ହଉଚି। ଦି’ କାଖରେ ବାଡ଼ି ଦି’ଟା ଦେଇ ସେ ଚାଲୁଛି। ତମ ନିଜ ଶଳା କେଶୁକୁ ଦେଖୁନା, ଆଖି ଅଛି, ମାତ୍ର ସେ ପିଲାଦିନୁ ବି ଦେଖି ପାରୁନି। କେତେ ଟଙ୍କା ନେଲେ ତମେ ତମ ସୁସ୍ଥ ଗୋଡ଼ ଓ ସୁସ୍ଥ ଆଖିକୁ ବଦଳେଇ ଦେବ କହୁନା! ଖାଲି ସେ କେତେ ବଢ଼ିଗଲା ତା’ର କେତେ ଅଛି ସେଇ ହିସାବରେ ତମେ ପ୍ରଭୁଙ୍କୁ ଦୋଷ ଦେଇ ଚାଲୁଛ। ଆଉ ତମ ସୁସ୍ଥ ନିରାମୟ ଶରୀର ପାଇଁ ପ୍ରଭୁଙ୍କୁ କେତେ କୃତଜ୍ଞତା ଜଣାଉଛ! ଇୟେ ସବୁ କୃତଘ୍ନତାର ଭାବ, ଭାଷା।

ବିଶିଷ୍ଟ ଅର୍ଥନୀତିଜ୍ଞ ସାର୍‌ ଜେ.ଏସ୍‌. ମିଲ୍‌ କହିଲେ, ‘‘Man doesnot want to be rich, but richer than others.’’ ଅତୃପ୍ତ ମଣିଷଟାଏ ୟେ। ସ୍ବୀୟ ଦୁଃଖ ଦୁର୍ଦଶାର କାରଣ ଅନୁଧ୍ୟାନ ନ କରି, ଖାଲି ପ୍ରଭୁଙ୍କୁ, ପଡ଼ୋଶୀଙ୍କୁ ବର୍ଷିଲେ କ’ଣ ହେବ? ବାପ ବେଣୁ ଜେନା, ଏମ୍‌.ଏଲ୍‌.ଏ.ଙ୍କୁ ଧରାଧରି କରି ବିଦେଶୀ ମଦ ଦୋକାନ ଲାଇସେନ୍‌ସ ପାଇଲେ। ସେ ଖଣ୍ଡମଣ୍ଡଳରେ ଏମିତି ଲାଇସେନ୍‌ସ ମଦ ଦୋକାନ ନ ଥିଲା। ଛ’ ମାସରେ ସେ ତାଙ୍କ ନିଲାମ ପଇସା ହାତ ଗୁଞ୍ଜା ଅର୍ଥ ଉଠାଇ ଦେଇ ଗୋଟେ ଚାରିଚକିଆ କିଣି ଅଞ୍ଚଳବାସୀଙ୍କୁ ସ୍ତବ୍ଧ, ଚକିତ କରିଦେଲେ। ମନ୍ତ୍ରୀ, ଏମେଲେ ଆସିଲେ ବି ତା’ ନୂଆ ତିଆରି ବୈଠକୀଖାନାରେ ବସନ୍ତି। କି ଆତିଥେୟ ଲୋ ବୋପା! ଖଦଡ଼ ଚାଦରର ବେଣୁ ଜେନାଙ୍କ ମଦ ଦୋକାନ ଯେ ଗାଁରେ ଘରେ ଘରେ ମଦୁଆ ସୃଷ୍ଟି କରି ନିୟମିତ ଗ୍ରାହକ ସୃଷ୍ଟି କରି ପାରିଲା, ଏଥିରେ ଏ ଗାନ୍ଧିବାଦୀ ନିଜକୁ ଧନ୍ୟ ମନେ କରୁଥିଲେ। ମାତ୍ର ତାଙ୍କର ଗୋଟିଏ ବୋଲି ପୁଅ ଯେ ଘୋଡ଼ା ମଦୁଆ ବନିଯିବ, ଏ ଆଶଙ୍କା ତାଙ୍କର ନ ଥିଲା। ସୁନ୍ଦରୀ ସୁନାନାକୀ ଝିଅଟିକୁ ବୋହୂ କରିଦେଲେ। ମାତ୍ର କିଏ ଜାଣିଥିଲା ସାରା ଅଞ୍ଚଳର ଏ ଅଲିଅଳ, ସରଳା ସୁନ୍ଦରୀ ଝିଅଟି ବିଧବା ବନିଯିବ। ଏ ଯୌବନ, ଏ ରୂପସମ୍ଭାର ଗମିଯିବ! ପୁଅ ମଦ ପିଇ ତା’ର କିଡ୍‌ନୀ ନଷ୍ଟ ହୋଇଗଲା। ଦି’ କିଡ୍‌ନୀ ଦି’ଥର ବଦଳାଇଲେ। ମାତ୍ର ଆୟୁଷକୁ କୁ ବଢ଼ାଇ ପାରିଲେ? କୁହା ତ ଯାଇଛି, ‘‘ତ୍ରୟ କାଳ କୃତା ପାଶା ଶକ୍ୟନ୍ତେ ନାତି ବର୍ତ୍ତିତୁମ୍‌, ବିବାହୋ ଜନ୍ମମରଣଂ ଯେନ ଯତ୍ର ଚ ଯଦା ଚ।’’ ବିବାହ, ଜନ୍ମ ଓ ମରଣ, ବିଧାତାର ଏଇ ତିନି ଫାଶକୁ କେହି ଲଙ୍ଘି ପାରିବେନି। ବେଣୁ ଜେନା ମୁଣ୍ଡ କୋଡ଼ି ବିଧାତାକୁ ଧିକ୍‌କାର କରୁଥିବା ବେଳେ ନିଜ ଦୋଷ ଠଉରାଇ ପାରୁ ନ ଥିଲେ। ପର ପୁଏ, ଯୁବକେ ତାଙ୍କ ଦୋକାନରୁ ମଦ ପିଇ ସେଇ ଆଗରେ ଲଙ୍ଗଳା ମୁକୁଳା ହୋଇ ପଡ଼ୁଥିବା ଦେଖି ସେ ଯେ ହସୁଥିଲେ, ତା’ର ଉତ୍ତର ପ୍ରଭୁ ଦେଇଦେଲେ। ଏସବୁ ଦେଖି ମନେ ପଡ଼ୁଛି ମଣିଷର ଓଲିଆ ପଣ କଥା।

ଉତ୍ତରାଖଣ୍ଡ, ଉତ୍ତରକାଶୀର ସୁଡ଼ଙ୍ଗ ଭୁଶୁଡ଼ି ତା’ ଭିତରେ ଅଟକ ରହିଯାଇଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଶ୍ରମିକ ଥିଲେ। ଏ ଉଦ୍ଧାର କାର୍ଯ୍ୟ ଅସାଧାରଣ ଥିଲା। ସରକାର ହାତଖୋଲା ଖର୍ଚ୍ଚ କରିଥିଲେ। ସାରା ଦେଶର ଜନତାଙ୍କ ଉଦ୍‌ବେଗର ବେଶ୍‌ ପ୍ରତିଫଳନ ସରକାରଙ୍କ ଉପରେ ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ କି ଉଦ୍ଧାର କାର୍ଯ୍ୟ ୟେ ଲୋ ବୋପା। ‘‘God helps them who helps themselves.” ପ୍ରଭୁଙ୍କ ଅପାର କୃପାରୁ ଏମାନେ ଦୀର୍ଘ ପୁନର୍ଜନ୍ମ ଲଭିଲେ, ସୁଡ଼ଙ୍ଗ, ଅମୁହାଁ ନଳକୂପ ଗାତରେ ବାରମ୍ବାର ପଡ଼ି ବହୁ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ, ସରକାରୀ ରାଜସ୍ବ ବିପୁଳ ଖର୍ଚ୍ଚ ହେଉଛି। ତାରିଣୀ ଦର୍ଶନରେ ଟାଟା ଉଇଙ୍ଗର ଗାଡ଼ିରେ ଯାଉଥିବା ଏକ ଯାତ୍ରୀ ଦଳ, ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍‌କା ଦେବାରୁ ସେଥିରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ସରକାର ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ୪ ଜଣ ଶ୍ରମିକଙ୍କୁ ତୁରନ୍ତ ଦୁଇ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି, ସେମିତି ତାରିଣୀ ମୃତ ଯାତ୍ରୀଙ୍କୁ ଜଣପିଛା ତିନିଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସରକାରଙ୍କୁ ‘ସାବାସୀ’ ଦେବା ପର୍ବରେ ଏମିତି ମର୍ମନ୍ତୁଦ ମୃତ୍ୟୁ ଘଟଣାର କାରଣ ଓ ଦାୟିତ୍ବ ନିରୁଦ୍ଦିଷ୍ଟ ହୋଇଯାଉଛି। ଉତ୍ତରକାଶୀରେ ଯାଇ ଦାଦନ ଖଟୁଥିବା ଏ ଶ୍ରମିକ ବେଶ୍‌ କୃତକୃତ୍ୟ ହୋଇଥିବେ ଓ ଏ ରାଜ୍ୟର ହଜାର ହଜାର ଶ୍ରମିକଙ୍କ ଦୁର୍ଦଶା, ମୃତ୍ୟୁ ସଭିଙ୍କ ଅଲକ୍ଷ୍ୟରେ ପ୍ରତ୍ୟହ ଘଟୁଛି ଏଥିକୁ ଦାୟୀ କିଏ? ଟଙ୍କା ଦିଅ, କିଏ ମନା କରୁଛି? କାରଣ ରାଜକୋଷ ତ ତମ ହାତରେ ଓ ଇୟେ ଜନତାଙ୍କୁ ଦିଆଗଲା। ମାତ୍ର ସୁଡ଼ଙ୍ଗରୁ ମୁକ୍ତ ଏ ଭାଗ୍ୟବାନ ଶ୍ରମିକେ ଏ ଟଙ୍କାରେ ନିଜକୁ ରାଜ୍ୟରେ ସଂସ୍ଥାପିତ କରିବେ ନା ପୁଣି ଖଟିବାକୁ ବାହାରକୁ ଯିବେ ତା’ ହିସାବ କିଏ ରଖୁଛି, ଦେଖୁଛି? ମନ୍ତ୍ରୀ ସେଠିକି ଯାଇ ସେମାନଙ୍କୁ ସବୁ ବ୍ୟୋମଯାନରେ ଧରି ଫେରିବା କାର୍ଯ୍ୟକୁ କେବଳ ପ୍ରବଣତା କହି ହାଲୁକା କରି ଦିଆଯିବା କଥା ନୁହଁ। ଏ ରାଜ୍ୟରେ ଶ୍ରମ ଶକ୍ତି କିପରି ବିନିଯୋଗ ହେଉଛି, ପ୍ରତିବର୍ଷ କେତେ ଶ୍ରମିକ ଶିଶୁ ବାଳକ ଓ ମହିଳା ଦାଦନ ଖଟିବାକୁ ଯାଉଛନ୍ତି ଓ ସରକାରଙ୍କର ଏଥିକୁ କୁ ଦାୟିତ୍ବ ରହିଛି, ତା’ର ଆଲୋଚନା ଅବଶ୍ୟ ସରକାରଙ୍କ ଏ ସହାନୁଭୂତିକୁ ପାଣିଚିଆ କରିଦେବ। ନଳକୂପ ଗାତରେ ପଡ଼ି ଦାରୁଣ ମୃତ୍ୟୁ ପାଇଁ ସରକାର ଜନସାଧାରଣଙ୍କ ଉଦ୍‌ବେଗରୁ ବେଶ୍‌ ଫାଇଦା ନେବାକୁ ଓ ଏହାର ବିଷ ପ୍ରଭାବରୁ ମୁକ୍ତ ରଖିବାକୁ, ଏ ଟଙ୍କା ମୁଣି ବେଶ୍‌ କାମ କରୁଛି।

ଏକ ଗଡ଼ଜାତର ତତ୍କାଳୀନ ରାଜା, ସେ ଜ୍ଞାନୀ ଥିଲେ ମଧ୍ୟ ରାଜକୀୟ ଖିଆଲରୁ ମୁକ୍ତ ନ ଥିଲେ। ଖରାଦିନେ ସନ୍ଧ୍ୟାବେଳେ ରାଜ୍ୟର ବିରାଟ ପୋଖରୀରେ ମଣିମାଙ୍କ ଶିବିର ପଡ଼େ ସ୍ନାନ ପାଇଁ। ରାଜ୍ୟର କେତେକ ପାଖ ତଥା ବିଶି​ଷ୍ଟ ଲୋକଙ୍କୁ ତାଙ୍କ ସହ ଏ ସ୍ନାନରେ ଯୋଗ ଦେବାକୁ ଡକରା ହୁଏ। ପୋଖରୀ ଚାରିପଟେ ଘେର ଦିଆଯାଇଥାଏ। ମଣିମା ସ୍ନାନ କରିବେ! ପାଣିରେ ପଶିଥିବା ସଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ‘ସିଙ୍ଗିବୁଡ଼ା’ ଦେବାକୁ ସେ ଆଦେଶ ଦିଅନ୍ତି। ଦୁଇଜଣ ଶକ୍ତ ଲୋକ ପ୍ରୋକ୍ତ ବନ୍ଧୁଙ୍କ ଦୁଇ ଡେଣାକୁ ଧରି ପାଣିରେ ବୁଡ଼ାଉଥାନ୍ତି ଓ ଉଠାଉଥାନ୍ତି। ସେ ଦରମଲା ହୋଇ ବିକଳରେ ଚିତ୍କାର କରୁଥାନ୍ତି। ମଣିମାଙ୍କର ହୁକୁମ ହୁଏ ତାଙ୍କୁ ଛାଡ଼ି ଦେବାକୁ। ମାତ୍ର ଓଦା ଲୁଗାରେ, ସେ ପାଣି ସଲବଲ ଓ ସିଙ୍ଗାଣି ମୁହଁରେ ପୋଖରୀରୁ ଉଠିଲା ବେଳକୁ କାନ୍ଦୁଥାନ୍ତି ଓ କହୁଥାନ୍ତି, ‘‘ଆମେ ଆଉ ଏ ରାଜ୍ୟରେ ରହିବୁନି, ଯାଉଛୁ, ଇତ୍ୟାଦି।’’ ରାଜା ତାଙ୍କୁ ଅଟକାଇବାକୁ ଆଦେଶ ଦିଅନ୍ତି ଓ ଗଡ଼ଜାତରେ ଦି’ ମାଣ ଅଉଲ ଜମି ଦାନ ଘୋଷଣା କରନ୍ତି। ପ୍ରୋକ୍ତ ବିରକ୍ତ ଓ ବ୍ୟସ୍ତ ବ୍ୟକ୍ତି ତାଙ୍କ ଲୁହ ଓ ମୁହଁ ପୋଛି ଯୋଡ଼ ହସ୍ତରେ କହନ୍ତି, ‘‘ମଣିମା! ଆଉ କେବେ ସିଙ୍ଗିବୁଡ଼ା ହେବ?’’ ସେମିତି ଦରବାର ଚାଲିଥିବା ବେଳେ ସେ ହୁକୁମ ଦିଅନ୍ତି ରାଇଜରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ କୁତୁକୁତୁ କରିବାକୁ। ଜଣେ ଖରୁଆ ପଣ୍ଡିତଙ୍କ ଠେଇ ଇଏ ଲାଗୁ ହୁଏ। ଦି’ଜଣ ଲୋକ ତାଙ୍କ କାଖକୁଳ, ଅଣ୍ଟା, ପେଟ ଆଦି ସ୍ଥାନକୁ କୁତୁକୁତୁ କରନ୍ତି। ସେ ତଳେ ଗଡ଼ି ଗଡ଼ି ଯାଉଥାନ୍ତି ଓ ଅଣନିଃଶ୍ବାସୀ ହୋଇ ଗାଳିଦେବା ଆରମ୍ଭ କରନ୍ତି। କୁତୁକୁତୁରୁ ମୁକ୍ତ ହେବା ପରେ, ସେ ସିଧା ଦରବାର ଛାଡ଼ି, ଆଉ ରାଜ୍ୟରେ ମୁହୂର୍ତ୍ତେ ରହିବେନି କହି ବାହାରି ଯାଆନ୍ତି। ମଣିମାଙ୍କ ଆଦେଶରେ ତାଙ୍କୁ ଅଟକାଯାଏ ଏବଂ ମଣିମା ତାଙ୍କୁ ତିନିମାଣ ଅଉଲ ଜମି ସେଇଠି ତାଙ୍କ ନାମରେ ଦରଜ କରିଦିଅନ୍ତି। ଏଥିରେ ଅପଦସ୍ଥ ଓ ଅପମାନିତ ପଣ୍ଡିତ ନିଜ ଲୁହ ପୋଛି, ଏ ମହାର୍ହ ଦାନରେ ଉଛୁଳିପଡ଼ନ୍ତି, ହାତ ଯୋଡ଼ି କହନ୍ତି, ‘‘ମଣିମା! ଆଉ କୋଉ ଦିନ କୁତୁକୁତୁ ହେବ?’’ ତାଙ୍କର ସବୁ ରାଗ, ଅସନ୍ତୋଷ ଓ କ୍ରୋଧ ନିରୁଦ୍ଦିଷ୍ଟ ହୋଇଯାଏ। ଇଏ ହେଲା ଆତ୍ମସମ୍ମାନ ଜ୍ଞାନ ବିରହିତ ଜଣଙ୍କର ଭାବ। ଏବେ ଏ ଭାବର ସଂକ୍ରମଣ ହୋଇଛି। ଜନତାର ମୂଲ୍ୟବୋଧ ବିଚାର ଏବେ କାନି ଖାଉଛି। କୌତୂହଳତା ଓ ପ୍ରବଣତା ଏବେ ଏମିତି ସବୁ ସ୍ପର୍ଶକାତର ବିଷୟକୁ ଭିନ୍ନ ଭାବେ ବିବେଚିତ କରୁଛି। ପ୍ରତିକାର ପ୍ରତିବିଧାନର ଲହଡ଼ି ଓ ବନ୍ୟାରୁ ଏହାର ଦୁଷ୍ଟ କାରଣମାନେ ବେଶ୍‌ ଫାଇଦା ଉଠଉଛନ୍ତି ଓ ଉହାଡ଼ରେ ରହି ଯାଉଛନ୍ତି। ଦେଶ ସାରା ଏବେ ଏଇ ଭାବ ସଞ୍ଚରିଛି। କହିବା କାହାକୁ ଶୁଣିବ କିଏ? ‘‘ରଜା ଅନ୍ଧକୁ ପ୍ରଜା ଅନ୍ଧ, ଯାହା କରିବେ ଅଚ୍ୟୁତାନନ୍ଦ।’’ ‘‘ଶ୍ରୋତା ବକତା କେହି ନାହିଁ ରୋଦନ କରୁ କାହିଁ ପାଇଁ?’’ ଜୟ ଜଗନ୍ନାଥ।

Comments are closed.