ବିଲୁପ୍ତ ହେବାକୁ ଲାଗିଲାଣି  ଜଳାଶୟ

ପଞ୍ଚାନନ ଅଗ୍ରୱାଲା

ଜଳ ହିଁ ଜୀବନ, ବର୍ଷାଜଳ ସଂରକ୍ଷଣ ପାଇଁ ଜଳାଶୟମାନ ନିର୍ମାଣ କରାଯାଉଥିଲା। ଦେଶ ସ୍ୱାଧୀନ ହେବା ସମୟରେ ଆମ ଦେଶରେ ୨୪ଲକ୍ଷ ପୋଖରୀ ବା’ ପୁଷ୍କରିଣୀ ଥିଲା। ୨୦୦୦-୨୦୦୧ରେ ଦେଶରେ ଥିବା ପୋଖରୀ, ବାମ୍ଫି, ଆଦି ଜଳାଶୟମାନଙ୍କ ଗଣନା କରାଗଲା। ଗଣନା ପରେ ୫ଲକ୍ଷ ଜଳାଶୟ ଥିବା ଜଣା ପଡ଼ିଥିଲା। ଆଜି ମଧ୍ୟ ବୁନ୍ଦେଲଖଣ୍ଡ, କଳାହାଣ୍ଡି, ତେଲେଙ୍ଗାନା, ଲାଟୁର ଭଳି ଅଞ୍ଚଳରେ ମୁନ୍ଦାଏ ପାଣି ପାଇଁ ଲୋକେ ଅନାଇ ରହିଛନ୍ତି ଆକାଶକୁ। ୨୮ ଜାନୁଆରୀ ୨୦୨୧ରେ ସୁପ୍ରୀମକୋର୍ଟର ବିଚାରପତି ମାର୍କଣ୍ଡେୟ କାଟଜୁ ଏକ ଯୁକ୍ତି ସଙ୍ଗତ କଥା କହିଥିଲେ ଯେ ଆମ ପୂର୍ବ ପୁରୁଷମାନେ ମୂର୍ଖ ନଥିଲେ, ସେମାନେ ଜାଣିଥିଲେ ଏକ ନିଶ୍ଚିତ ଅବଧି ମଧ୍ୟରେ ମରୁଡ଼ି ବା ଜଳସମସ୍ୟା ଦେଖାଯିବ, ତେଣୁ ପ୍ରତ୍ୟେକ ଗାଁରେ ଜଳାଶୟ ନିର୍ମାଣ ହେଉଥିଲା, ପ୍ରତ୍ୟେକ ମନ୍ଦିର ନିକଟରେ ମଧ୍ୟ ପୁଷ୍କରିଣୀ ହେଉଥିଲା। ଏହାଦ୍ବାରା ପରମ୍ପରାଗତ ବର୍ଷାଜଳ ଉତ୍ସକୁ ସଂରକ୍ଷଣ କରାଯାଉଥିଲା। ଆଜି ଆମେ କୌଣସି ଗାଁ ବା ମନ୍ଦିର ଗଲେ ଜଳାଶୟମାନଙ୍କର ଉପେକ୍ଷା ହେଉଥିବା ବାସ୍ତବ ଚିତ୍ରମାନ ଦେଖୁଛୁ। କିଛି ବଡ଼ ସହରମାନଙ୍କ ପରିଚୟ ଜଳାଶୟରୁ ହିଁ ଦେଖିବାକୁ ମିଳିଥାଏ, ଉଦାହରଣ ସ୍ୱରୂପ ଅଦିଲବାଦ ଆଉ ହାଇଦ୍ରାବାଦ। ଜଳାଶୟର ଚିକିଟାମାଟି ଆଣି କୁମ୍ଭାର ତାର ମାଟିର ପାତ୍ରମାନ ଗଢିଥାଏ। ଜଳାଶୟ ଦ୍ୱାରା ଜଳ ସମସ୍ୟା ଦୂର ହୋଇଥାଏ। ମତ୍ସ୍ୟଜୀବୀମାନେ ଜଳାଶୟରେ ମାଛ ଚାଷ କରି ତାଙ୍କ ଜୀବିକା, ନିର୍ବାହ କରିଥାନ୍ତି।

ନିକଟରେ ଭୁବନେଶ୍ୱର ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରାଯାଇଛି। ଦକ୍ଷିଣ-ପଶ୍ଚିମ ଜୋନ୍‍ରେ ୩୧ଟି, ଦକ୍ଷିଣପୂର୍ବ ଜୋନ୍‍ରେ ୪୭ଟି ଓ ଉତ୍ତର ଜୋନରେ ୨୭ଟି ଏଭଳି ବି.ଏମ.ସି. ଅଞ୍ଚଳରେ ୧୦୫ଟି ଜଳାଶୟ ରହିଛି। ସେଥିରୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା ଜଳାଶୟଗୁଡ଼ିକୁ ଛାଡ଼ି ୯୨ଟି ଜଳାଶୟ ପୁନରୁଦ୍ଧାର କାମ ହାତକୁ ନେଇଛି ବି.ଏମ.ସି.। ଏହି ଜଳାଶୟଗୁଡ଼ିକର ବିକାଶ ପାଇଁ ବିଭିନ୍ନ କାମ ଯଥା ମାଟିବନ୍ଧର ବିକାଶ, ଚାରାରୋପଣ, ଜଳସଫା, ପାଣି ଉଝଳା, ପଙ୍କୋଦ୍ଧାର ଓ ଜଳାଶୟ ଚାରିପାଖେ ପଥର ଛାଉଣୀ କରିବା ଇତ୍ୟାଦି କାମ କରିବାକୁ ନିଷ୍ପତ୍ତି ନିଆଯାଉଛି। ଡ଼୍ରେନ ନଂ ୧୦ ନିକଟସ୍ଥ ନିକୋପାର୍କ ଜଳାଶୟ, ଡ଼୍ରେନ ନଂ ୭ ନିକଟ ଝରଣା ଟ୍ୟାଙ୍କ, ନୟାପଲ୍ଲୀ ହଜ, ଗଙ୍ଗୁଆ ଓ ୭ର ମୁହାଣ କାମ କରାଯାଉଛି। ଓଡ଼ିଶାରେ ମୋଟ ୭୮ ହଜାର ୫୦୫ ଗୋଟି ଜଳାଶୟ ମଧ୍ୟରୁ ଅଧିକାଂଶ ପୋତି ହୋଇଗଲାଣି। ଆବର୍ଜନା, ନର୍ଦମା ପାଣି ଯୋଗୁଁ ଅନେକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ।

prayash

ଦିଲ୍ଲୀ ସରକାରଙ୍କ ପାର୍କ ଏଣ୍ଡ ଗାର୍ଡ଼େନ ସୋସାଇଟି ଅନୁସାରେ ବର୍ତ୍ତମାନ ୬୨୯ ଗୋଟି ପୋଖରୀ ଅଛି, ୧୮୦ ଗୋଟି ପୋଖରୀ ଅତିକ୍ରମଣ ହୋଇଛି, ୭୦ରେ ଆଂଶିକ ଓ ୧୧୦ ପୋଖରୀରେ ସଂପୂର୍ଣ୍ଣ ଅବୈଧ କବ୍‍ଜା କରାଯାଇଛି। ଅଧିକାଂଶ ପୋଖରୀରେ ଅଳିଆ, ନର୍ଦମା ଆଦି ପକାଯାଉଥିବାରୁ ତାହା କୌଣସି ହିତ ସାଧନ କରୁନାହିଁ। ୨୦୧୪ରେ ଉତ୍ତର ପ୍ରଦେଶ ସରକାର ଆରଟିଆଇ ଜବାବରେ ମାନିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ବୁନ୍ଦେଲଖଣ୍ଡରେ ୪୦୨୦ ପୋଖରୀ ବିଲୁପ୍ତ ହୋଇଛି। ଚିତ୍ରକୂଟରେ ୧୫୧, ବାନ୍ଦାରେ ୮୫୯, ହମିରପୁର ରେ ୫୪୧, ଝାନସୀରେ ୨୪୫୯ ପୋଖରୀ ନିଶ୍ଚିହ୍ନ ହୋଇସାରିଛି। ଜଳାଶୟ ଲୋପ ପାଇବା ପଛରେ ସମାଜ ଆଉ ସରକାର ସମାନ ରୂପେ ଦାୟୀ ଅଟନ୍ତି। ଜଳାଶୟ କେଉଁଠି ଜମି ମାଫିଆଙ୍କ କବଜା ତ କେଉଁଠି ବୈଷୟିକ ଜ୍ଞାନ କୌଶଳ ଅଭାବରୁ ଶୁଖିଲା ପଡ଼ିଛି। ଜଳାଶୟର ଦେଖାଶୁଣା କରିବାକୁ ଅଲଗା ଅଲଗା ବିଭାଗ ହାତରେ ରହିଛି। ରାଜସ୍ୱ ବିଭାଗ, ବନ ବିଭାଗ, ପଞ୍ଚାୟତ, ମତ୍ସ୍ୟ ଓ ପଶୁପାଳନ ବିଭାଗ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, ଜଳ ସେଚନ ବିଭାଗ ଆଦି ଦାୟିତ୍ୱ ରକ୍ଷଣା ବେକ୍ଷଣା ପାଇଁ ରହିଛି। କେରଳର ଗୋଟିଏ ଗାଁ ରେ ଶୁଷ୍କ ଜଳାଶୟକୁ ପୋତାଯାଇ ଜିନିଷ କିଣାବିକା ପାଇଁ ଏକ ବଡ଼ ଆଧୁନିକ ଅଟ୍ଟାଳିକା କରାଯାଇଥିଲା। ୧୭ ଅଗଷ୍ଟ ୨୦୦୫ରେ ସୁପ୍ରିମକୋର୍ଟର ଜଷ୍ଟିସ ଏସ.ବି.ସିହ୍ନା ଆଉ ବଲବୀର ଭଣ୍ଡାରୀଙ୍କ ଖଣ୍ଡପୀଠରେ ମାମଲା ଆସିଥିଲା। ବରେଲୀ ଜିଲାର ଦେଲାପୀର ପୋଖରୀ କବ୍‍ଜା ବିରୁଦ୍ଧରେ ଉଚ୍ଛେଦ କରିବାକୁ ନୋଟିସ ଦିଆଯାଇଥିଲା। ସେହିପରି ଆଗ୍ରା ହାଇକୋର୍ଟ ସେପ୍ଟେମ୍ବର ୨୦୧୯ରେ ପୋଖରୀ କବ୍‍ଜା କରିଥିବା ଭୂ-ମାଫିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୨୨ ଏକର ପରିମିତ ଜଳାଶୟ ବିନ୍ଦୁ ସାଗର। ଖୀଷ୍ଟ ପୂର୍ବ ୫ମ ଶତାବ୍ଦୀରେ ଆଶୋକ ନିଜ ବାପା ବିନ୍ଦୁସରଙ୍କ ନାଁ ଅନୁସାରେ ଏ ଉତ୍ସର ନାମକରଣ କରିଥିଲେ। ପୁରାଣ ଅନୁସାରେ ମହାଦେବ ମାତା ପାର୍ବତୀଙ୍କୁ ବ୍ରହ୍ମଜ୍ଞାନ ଦେବାକୁ ଚାହିଁଲେ, ସେ ଏକାମ୍ର କ୍ଷେତ୍ରକୁ ଶ୍ରେଷ୍ଠ ସ୍ଥାନ ଭାବେ ବାଛିଥିଲେ। ବ୍ରହ୍ମଜ୍ଞାନ ଦେବା ଭିତରେ ମାତା ପାର୍ବତୀଙ୍କୁ ଶୋଷ ଲାଗିଲା, ତେଣୁ ତୃଷ୍ଣା ମେଣ୍ଟାଇବାପାଇଁ “ଜଳଧାର ବାହାର କରିଥିଲେ। ଯେଉଁଠାରେ ତ୍ରିଶୂଳ ନିକ୍ଷେପ କରିଥିଲେ ତାର ନାମ ଶଙ୍କର ବାମ୍ପି। ପଙ୍କ ଉଦ୍ଧାର ସମୟରେ ସେ ବାମ୍ପି ଦେଖିବାକୁ ମିଳିଥାଏ। ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କାର୍ଯ୍ୟ ଏଠାରେ ହୋଇଥାଏ। ତେବେ ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର ଆଉ ଅଧିକ ପଦକ୍ଷେପ ନେବା ଜରୁରୀ। ଶ୍ରାଦ୍ଧ ତିଳ ତର୍ପଣ ସମୟରେ ପୁଷ୍କରିଣୀକୁ ନିର୍ମଳ ରଖିବାକୁ ଜନସାଧାରଣ ସଚେତନ ହେବା ଜରୁରୀ। ପୁରୀର ମାର୍କଣ୍ଡେୟ ପୁଷ୍କରିଣୀ ନିକଟରେ ବସ୍ତିଥିବାରୁ ଏଠାରେ ଏବେ ବି ଲୋକେ ଶୈାଚ କରୁଛନ୍ତି। ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ନଳା ପାଣି ଦୂଷିତ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁଲାଇ ମାସରେ “ଆମ ପୋଖରୀ” କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ପୋତି ହୋଇଯାଇଥିବା ଜଳାଶୟର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ନିର୍ମଳ କରାଯିବାକୁ କହିଛନ୍ତି। ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ୍ ଜଳାଶୟର ନବୀକରଣ କରାଯିବା କଥା କହିଛନ୍ତି। ତେବେ ସେ ସବୁ କେବେ ହେବ ତାହା ଦେଖିବାକୁ ହେବ।

ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଆଜି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳୁଛି। ପବିତ୍ର କାର୍ତ୍ତିକ ମାସରେ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ବୁଡ଼ ପକାଇବାକୁ ଆସନ୍ତି। ଏଠାରେ ଗଜଲକ୍ଷ୍ମୀ ଦୁର୍ଗାପୂଜା ମେଢ ବିସର୍ଜନ କରିବାଦ୍ୱାରା ପାଣି ଦୂଷିତ ହେବା ସଂଗେ ସଂଗେ ରାସାୟନ ରଙ୍ଗର ପ୍ରଭାବରୁ ପାଣି ବିଷାକ୍ତ ହୋଇଥାଏ। ବୌଦ ରାଜାଙ୍କ ଦ୍ୱାରା ନଗର ସୁରକ୍ଷିତ ରଖିବା ପାଇଁ ଜରିଖଣ୍ଡି ନାମରେ ଜଳାଶୟ ନିର୍ମାଣ କରାଯାଇଥିଲା, ତାହା ଏବେ ପ୍ରାୟ ପୋତିହୋଇ ସାରିଲାଣି। ଆଜି ​‌େ​‌ବଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବଇ, ଭୁବନେଶ୍ୱର ବଡ଼ ବଡ଼ ନଗରମାନଙ୍କରେ ବର୍ଷାଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି, ତାହାର କାରଣ ହେଉଛି, ନାଳ ଆଉ ଜଳାଶୟମାନ ପୋତି, ଜଳପ୍ଲାବନ ସ୍ରୋତକୁ ରୋକାଯାଇ ଅଟ୍ଟାଳିକାମାନ ସୃଷ୍ଟି ହେବା ଯୋଗୁଁ ମଣିଷ କୃତ ବନ୍ୟା ସମସ୍ୟା ଦେଖାଯାଉଛି। ଅନେକ ଭୂମାଫିଆ ଏଥିରେ ସଂଶ୍ଳିଷ୍ଟ ରହିଥିବା ଅଭିଯୋଗ ହୁଏ।

ରାଜସ୍ଥାନର ମାଉଣ୍ଟ ଆବୁ ନିକଟରେ ନକୀଦ୍ରଦ ନାମରେ ଏକ ସୁନ୍ଦର ଜଳାଶୟଟିଏ ରହିଛି। ଏହା ଦର୍ଶକମାନଙ୍କ ମନକୁ ଅଧିକ ଆନନ୍ଦ ଦେଇଥାଏ। କିମ୍ବଦନ୍ତୀ ଅନୁସାରେ ସ୍ଥାନୀୟ ରାଜା ତାଙ୍କ କନ୍ୟାକୁ ବିବାହ ଦେବାପାଇଁ ଏକ ସର୍ତ୍ତ ରଖିଥିଲେ ଯେ ଗୋଟିଏ ରାତି ମଧ୍ୟରେ ଯିଏ ଏଠାରେ ଜଳାଶୟ ଖନନ କରିଦେବ, ତାକୁ ରାଜକୁମାରୀ ସହ ବିବାହ କରାଇବେ। ସେଠାକାର ନିବାସୀ ରସିଆ ବାଲମ ନାମକ ଜଣେ ପ୍ରେମିକ ପ୍ରେମ​‌େ​‌ର ନିମଜ୍ଜିତ ହୋଇ ସାରା ରାତିରେ ନଖରେ ଖୋଳି ଜଳାଶୟ ନିର୍ମାଣ କରିଥିଲା ; କିନ୍ତୁ ପରେ ନିଜେ ରାଜା ତାଙ୍କ ପ୍ରତିଶ୍ରୁତି ପାଳନ କଲେ ନାହିଁ। ରସିଆ ବାଲମ ଏବେ ବି ରାଜକୁମାରୀଙ୍କୁ ଝୁରୁଥିବା ଲୋକ ପ୍ରବାଦ ରହିଛି।

kalyan agarbati

Comments are closed.