ଚତୁର୍ଥ କୃଷି ବିପ୍ଳବ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଆଦିମ ମଣିଷକୁ ‘ଶିକାରୀ ଓ ସଂଗ୍ରହକାରୀ’ ରୂପେ ଅଭିହିତ କରାଯାଏ। କାରଣ ସେ ସମୟରେ ସେ ଜୀବଜନ୍ତୁ ଶିକାର କରି କିମ୍ବା ଫଳମୂଳ ସଂଗ୍ରହ କରି ନିଜର ଭରଣପୋଷଣ କରୁଥିଲା। ତେବେ ଦିନକୁ ଦିନ ବଂଶ ବଢ଼ିବା ସଙ୍ଗେ ସଙ୍ଗେ ଏହା ତା’ ପାଇଁ ଯଥେଷ୍ଟ ହେଲାନାହିଁ। ତେଣୁ ଖ୍ରୀଷ୍ଟ ଜନ୍ମର ପ୍ରାୟ ଏକ ଲକ୍ଷ ବର୍ଷ ପୂବେ ତା’ ମନକୁ ଆସିଲା ଫସଲ ଲଗାଇ ଶସ୍ୟ ଉତ୍ପାଦନ କରିବା କଥା। ସେତେବେଳେ ପାଳିତ ପଶୁମାନଙ୍କୁ ସାଥୀରେ ଧରି ସେ ଯାଯାବର ଜୀବନ ଯାପନ କରୁଥିଲା। ତେବେ ଏହା ପରେ ସେ କିଛିକିଛି ସ୍ଥାନରେ ଅଟକି ତାହା ଲଗାଇବାକୁ ଲାଗିଲା। ଫଳରେ ଆରମ୍ଭ ହେଲା କୃଷି। ଏଥିରୁ ତାକୁ ଏବଂ ତା’ ପାଳିତ ପଶୁଙ୍କୁ ଯଥେଷ୍ଟ ଖାଦ୍ୟ ମିଳିଲା। ବୈଜ୍ଞାନିକଙ୍କ ମତରେ ଏହାକୁ ଆମେ ‘ପ୍ରଥମ କୃଷି ବିପ୍ଳବ’ ବୋଲି କହିପାରିବା। ଏହା ପରେ ମଣିଷ ଧୀରେଧୀରେ ସ୍ଥାୟୀ ବସତି ସ୍ଥାପନ କରିବାକୁ ଲାଗିଲା। ମୁଖ୍ୟତଃ ଏଗୁଡ଼ିକ ଥିଲା ନଦୀକୂଳ ତଥା ବଣଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ। ସେଠାରେ ସେ ଅଧିକରୁ ଅଧିକ ଫସଲ ଲଗାଇବାକୁ ଲାଗିଲା। ଅତଏବ ଚାଷ ଉପରେ ତା’ର ନିର୍ଭରଶୀଳତା ବଢ଼ିଲା। ତତ୍ପରେ ପ୍ରାୟ ୧୭ଶ ଏବଂ ୧୯ଶ ଶତାବ୍ଦୀ ମଧ୍ୟରେ ସେ ଚାଷଜମିକୁ ସୁସଂଯୋଜିତ କଲା। କେଉଁ ଜମିରେ କେଉଁ ଫସଲ ଭଲ ହେବ ସେ ବିଷୟରେ ତା’ର କିଛିଟା ଧାରଣା ଆସିଲା। ପୁନଶ୍ଚ ସେ ଫସଲରେ ଜଳସେଚନ ମଧ୍ୟ କରି ଶିଖିଲା। ଇତିମଧ୍ୟରେ ଚାଷଜମିର ଆକାର ବଢ଼ିବଢ଼ି ଚାଲିଲା। ଅଧିକରୁ ଅଧିକ ଲୋକ କୃଷିକୁ ଜୀବିକା ରୂପେ ଗ୍ରହଣ କରିବାକୁ ଲାଗିଲେ। ଫସଲ ଉପୁଜାଇବାର ପଦ୍ଧତିରେ ବିକାଶ ମଧ୍ୟ ସେ ନିଜ ଅନୁଭୂତିରୁ ଶିକ୍ଷାକଲା। ଫଳରେ ଜମିକୁ ଚାଷ କରିବାରେ ଉନ୍ନତ ତଥା ଅଧିକ ଉପଯୋଗୀ ବ୍ୟବସ୍ଥାମାନ ବ୍ୟବହାର କରିବା,ବଦଳ କରି ନାନା ପ୍ରକାର ଫସଲ ଲଗାଇବା ଏବଂ ସେଥିରେ ଜଳସେଚନ କରିବା ଆଦି ମାଧ୍ୟମରେ ସେ ଉତ୍ପାଦନ ବୃଦ୍ଧି କରି ପାରିଲା। ଏହା ତା’ର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ସଙ୍ଗେସଙ୍ଗେ ଏକ ଅର୍ଥନୈତିକ ବ୍ୟବସାୟରେ ପରିଣତ ହେଲା। ଏହାକୁ ମନେ କରାଯାଏ ‘ଦ୍ବିତୀୟ କୃଷି ବିପ୍ଳବ’ ରୂପେ। ସଭ୍ୟତା ସ୍ଥାପନରେ ଏହାର ଭୂମିକା ଥିଲା ଅନନ୍ୟ।
ତତ୍ପରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗକୁ ଆରମ୍ଭ ହେଲା ‘ତୃତୀୟ ପୃଷି ବିପ୍ଳବ’, ଯାହାକି ରୂପାନ୍ତରିତ ହେଲା ସୁବିଦିତ ‘ସବୁଜ ବିପ୍ଳବ’କୁ। ଏହାର ମୂଳଲକ୍ଷ୍ୟ ଥିଲା ହଠାତ୍ ଉତ୍ପାଦନ ବୃଦ୍ଧି ଘଟାଇ ଦ୍ରୂତ ବର୍ଦ୍ଧମାନ ଜନସଂଖ୍ୟାକୁ ଖାଦ୍ୟସୁରକ୍ଷା ପ୍ରଦାନ କରିବା। ବିବିଧ ଯନ୍ତ୍ରପାତିର ବ୍ୟବହାର, ଅଧିକ ଉତ୍ପାଦନକ୍ଷମ ନୂତନ କିସମର ସଂକର ବିହନ ସୃଷ୍ଟି, ରାସାୟନିକ ସାର ଏବଂ ରୋଗ କୀଟ ନିରୋଧକ ଔଷଧ ପ୍ରୟୋଗ ସମେତ ଅଧିକ ଜଳସେଚନର ସୁଯୋଗ ସୃଷ୍ଟି ଥିଲା ଏହି ବିପ୍ଳବର ପ୍ରଧାନ ଆୟୁଧ। ଉନ୍ନତ ପଶୁପାଳନ ଏବଂ ଫସଲ ସଂରକ୍ଷଣ ଲାଗି ନୂତନ ନୂତନ ବ୍ୟବସ୍ଥା ସୃଷ୍ଟି ଏହାକୁ ଅଧିକ ସୁଦୃଢ଼ କରିଥିଲା। ଏହି ବିପ୍ଳବକୁ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ ଆମେରିକୀୟ କ୍ଷେତ ବିଜ୍ଞାନୀ ନର୍ମ୍ୟାନ୍ ବର୍ଲାଗ ମେକ୍ସିକୋସ୍ଥିତ ‘ଇଣ୍ଟର ନ୍ୟାସନାଲ୍ ସେଣ୍ଟର ଫର୍ ହୁଇଟ୍ ଏଣ୍ଡ୍ ମେଜ୍ ଇମ୍ପ୍ରୁଭ୍ମେଣ୍ଟ୍’ ଠାରେ ଗବେଷଣା କରି ୧୯୬୦ ଦଶକରେ ଅଧିକ ଉତ୍ପାଦନକ୍ଷମ ବାମନ କିସମର ଗହମର ସେ ବିକାଶ ଘଟାଇଥିଲେ। ଏହି ବିହନ ଭାରତ ସମେତ ପୃଥିବୀର ଅନେକ ଦେଶରେ ଗହମଚାଷ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଲା। ଅତଏବ ବର୍ଦ୍ଧିତ ଜନସଂଖ୍ୟା ହେତୁ ଉତ୍ପନ୍ନ ଖାଦ୍ୟସମସ୍ୟା ସମାଧାନର ଆଶୁ ସମାଧାନର ବାଟ ଫିଟିଲା। ଆମ ଦେଶରେ ‘ସବୁଜ ବିପ୍ଳବ’ର ଜନକ ଥିଲେ ନିକଟରେ (ଅକ୍ଟୋବର ୨୦୨୩) ମୃତ୍ୟୁବରଣ କରିଥିବା ମହାନ୍ କୃଷି ବୈଜ୍ଞାନିକ ଏମ୍.ଏସ୍.ସ୍ବାଥୀନାଥନ୍।
ଅନ୍ୟ ପକ୍ଷରେ, ଏହି ଯୁଗାନ୍ତକାରୀ ସଫଳତାର ଏକ ଧୂସର ଦିଗ ମଧ୍ୟ ଥିଲା। ତାହାର ଅନ୍ତର୍ଭୁକ୍ତ ହେଲା ଜୈବ ବିଭିନ୍ନତା ସଂକୋଚନ, ଅତ୍ୟଧିକ ଜଳସେଚନ ଯୋଗୁଁ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରୁ ଜମି ମରୁମୟ ହେବା ସହିତ ରାସାୟନିକ ସାର ଏବଂ କୀଟାଣୁନାଶକର ବ୍ୟାପକ ବିନିଯୋଗ ହେତୁ ମୃତ୍ତିକାର ପ୍ରାକୃତିକ ଗୁଣ ତଥା ମାନ ହ୍ରାସ ଏବଂ ପରିବେଶ ପ୍ରଦୂଷଣ। ସେଥିପାଇଁ ଏବେ ଚିନ୍ତା କରାଗଲାଣି ଏଥିରେ ପରିବର୍ତ୍ତନ ଆଣିବାକୁ। କେତେକ ଲୋକ ଜୈବିକ କୃଷିକୁ ଏହାର ସମାଧାନ ରୂପେ ଉପସ୍ଥାପିତ କରୁଛନ୍ତି। ତେବେ, ଅନ୍ତତଃ ବର୍ତ୍ତମାନର ରୂପରେ ଏହାର ଉତ୍ପାଦନ କ୍ଷମତା ଆମ ଖାଦ୍ୟାଭାବ ମେଣ୍ଟାଇବାକୁ ସମର୍ଥ ହେଲାପରି ମନେ ହୁଏନାହିଁ। ନିକଟରେ ଶ୍ରୀଲଙ୍କାରେ ଘଟିଯାଇଥିବା ଘଟଣା ଏହାର ମୂକସାକ୍ଷୀ। ଏପରି ସ୍ଥଳେ ଏବେ ଲୋଡ଼ା ହେଲାଣି ଏକ ‘ଚତୁର୍ଥ କୃଷିବିପ୍ଳବ’, ଯାହାକି ଉତ୍ପାଦନ ବୃଦ୍ଧି ସହିତ ପରିେବଶ ଓ ପରିସଂସ୍ଥା ସହାୟକ ହୋଇପାରିବ। ବୈଜ୍ଞାନିକମାନେ ଏଥିପାଇଁ ନାନା ଦିଗରୁ ଚିନ୍ତାକରିବାକୁ ଆରମ୍ଭ କଲେଣି। ତନ୍ମଧ୍ୟରୁ କେତୋଟି ସମ୍ପର୍କରେ ସୂଚନା ଏଠାରେ ଉପସ୍ଥାପନ କରାଗଲା। ପାରଜିନୀୟ ଫସଲକୁ ‘ଚତୁର୍ଥ କୃଷି ବିପ୍ଳବ’ର ପ୍ରଥମ ଓ ପ୍ରଧାନ ଆୟୁଧ ରୂପେ ଗ୍ରହଣ କରାଯାଇପାରେ। ଏହା କରାଯାଉଛି ଭିନ୍ନ ଏକ ପ୍ରଜାତିର ସଜୀବଠାରୁ ଏକ ସୁନିର୍ବାଚିତ ଜିନ୍ ନେଇ କୌଣସି ଏକ ଫସଲଠାରେ ତାହାକୁ ପ୍ରତିରୋପଣ କରି ତା’ଠାରେ ଏକ ବାଞ୍ଛନୀୟଗୁଣ ପ୍ରକଟ କରାଇବା ମାଧ୍ୟମରେ। ଆମ ଦେଶରେ ଏବେ ବହୁଳଭାବେ ଚାଷ ହେଉଥିବା ବିଟି-କପା ଏହାର ଏକ ଉଦାହରଣ। ଏଥିରେ ପ୍ରତିରୋପଣ କରାଯାଇଛି ମୃତ୍ତିକାରେ ବାସ କରୁଥିବା ‘ବାସିଲସ ଥୁରିଙ୍ଗିଏନେସିସ୍’ ବା ‘ବିଟି’ ନାମକ ଜୀବାଣୁର ଏକ ଜିନ୍, ଯାହାକି ଏହାକୁ ରୋଗକୀଟରୁ, ବିଶେଷକରି, ‘ବୋଲୱାର୍ମ’ରୁ ସୁରକ୍ଷା ପ୍ରଦାନ କରୁଛି। ସେହିପରି ‘ଗୋଲ୍ଡେନ୍ ରାଇସ୍’ରେ ରହିଛି ଡାଫୋଡିଲସ୍ ଏବଂ ସୋୟାବିନ୍ର ସୁନିର୍ବାଚିତ ଜିନ୍। ଏହା ତାହାକୁ ଅଧିକ ପୁଷ୍ଟିକର ଏବଂ ଭିଟାମିନ୍-ଏ ରେ ସମୃଦ୍ଧ କରୁଛି। ବର୍ତ୍ତମାନର ପୃଥିବୀରେ ଅନେକ ଦେଶରେ ପାରଜିନୀୟ ଫସଲ ଚାଷ କରାଗଲାଣି। ଏଥିରେ ଆଗୁଆ ହେଲେ ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ଭାରତ ଏବଂ କାନାଡ଼ା। ବିଟି-କପାକୁ ବାଦ୍ଦେଲେ ଏବେ ବ୍ୟାବସାୟିକ ଭିତ୍ତିରେ ବହୁଳଭାବେ ଚାଷ ହେଲାଣି ସୋୟାବିନ୍, ମକା, ରେପ୍ସିଡ୍ (ତେଲ) ଆଦି ଫସଲ। ଆମ ଦେଶରେ ବର୍ତ୍ତମାନ ପାରଜିନୀୟ ସୋରିଷ ଏବଂ ବାଇଗଣ ଆଦିର ଚାଷ ପାଇଁ ସରକାରଙ୍କ ଅନୁମତି ଅପେକ୍ଷାରେ ଅଛି।
ଆଶା କରାଯାଏ ଯେ ପାରଜିନୀୟ ପ୍ରଯୁକ୍ତିବିଦ୍ୟାର ବିକାଶ ତଥା ତାହାର ଅଧିକରୁ ଅଧିକ ପ୍ରୟୋଗ ଅଧିକ ଉତ୍ପାଦନକ୍ଷମ ଏବଂ ପୁଷ୍ଟିକର ଫସଲ ସୃଷ୍ଟିକରି ଚାଲିବ, ଯାହାକି କଠୋର ପରିବେଶ ସହ୍ୟକରି ପାରିବ, କମ୍ ଜଳ ଆବଶ୍ୟକ କରିବ, ନିକୃଷ୍ଟ ମୃତ୍ତିକାରେ ବଢ଼ିପାରିବ ଏବଂ ରାସାୟନିକ ସାର ବା ରୋଗ କୀଟନାଶକ ଆବଶ୍ୟକ କରିବ ନାହିଁ। ଅତଏବ ଆଗାମୀ ଦିନରେ ତାହା ବିଶ୍ବର ଖାଦ୍ୟ ଓ ପୁଷ୍ଟି ସଂକଟ ଦୂର କରିବା ସହିତ ପରିବେଶ ସହାୟକ ହେବ। ଅନ୍ୟପକ୍ଷରେ, ଏହାର ଜୈବ ବିଭିନ୍ନତା, ପରିେବଶ ଓ ପରିସଂସ୍ଥା ଏବଂ ଜନସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ଥିବାର ଦର୍ଶାଇ କେତେକ ମହଲରେ ଏହାର ବିରୋଧ କରାଯାଉଛି। ତେବେ ପ୍ରତ୍ୟେକ ନୂତନ ଉଦ୍ଭାବନ ଆରମ୍ଭରେ ବିବିଧ ସମସ୍ୟା ଜଡ଼ିତ ହୋଇଥିବାର ଦେଖାଯାଏ। କ୍ରମେ ବୈଜ୍ଞାନିକମାନେ ତହିଁରେ ବିକାଶ ଆଣି ସେଗୁଡ଼ିକୁ ଦୂର କରିଥାନ୍ତି। ଏ କ୍ଷେତ୍ରରେ ସେମାନେ ମଧ୍ୟ ତାହା ଆରମ୍ଭ କରିଛନ୍ତି। ପୁନଶ୍ଚ ଜିନ୍ ସଂପାଦନା ପ୍ରଯୁକ୍ତିବିଦ୍ୟା କ୍ରମେ ବ୍ୟବହାର କ୍ଷେତ୍ରକୁ ଓହ୍ଲାଇ ଆସୁଥିବା ଦୃଷ୍ଟିରୁ ଏହା ଅଧିକ ସହଜ ଓ ସରଳ ହେବ ବୋଲି ଆଶା କରାଯାଏ। କାରଣ, ଏଥିରେ ଜିନୀୟ ପଦାର୍ଥକୁ ସଂଶୋଧିତ କରି ତା’ଠାରୁ ଅବାଞ୍ଛିତ ଗୁଣମାନ ନିଷ୍କାସନ ଏବଂ ବାଞ୍ଛିତ ଗୁଣମାନ ପ୍ରକଟିତ କରାଯାଇପାରୁଛି। ଯଥାଶୀଘ୍ର ଫସଲ କ୍ଷେତ୍ରରେ ମଧ୍ୟ ତାହାର ପ୍ରୟୋଗ ହୋଇପାରିବ ବୋଲି ଆଶା।
‘ଚତୁର୍ଥ କୃଷି ବିପ୍ଳବ’ର ଅନ୍ୟତମ କର୍ଣ୍ଣଧାର ରୂପେ ଏବେ କୃଷିକ୍ଷେତ୍ରକୁ ବହୁଳଭାବେ ପ୍ରବେଶ କରିବାକୁ ଲାଗିଲାଣି କୃତ୍ରିମ ମେଧା। ଏହା ମୃତ୍ତିକାର ମାନ, କେଉଁ ଜମି କେଉଁ ଫସଲ ପାଇଁ ଉପଯୁକ୍ତ ଆଦି ନିର୍ଦ୍ଧାରଣ କରିବାଠାରୁ ଚାଷକରିବା, ବିହନବୁଣିବା, ଜଳସେଚନ, ଔଷଧ ସିଞ୍ଚନ, ଫସଲ ଅମଳ, ତାହାର ସଂରକ୍ଷଣ,ବ୍ୟବସାୟ ଇତ୍ୟାଦି ସୁଚାରୁରୂପେ ଦକ୍ଷତାର ସହ ସଂପାଦନ କରିପାରିବାର ଦେଖାଯାଉଛି। ଏହା ଫଳରେ କୃଷି ସମ୍ମୁନ୍ନତ ହୋଇପାରିବ। କାରଣ, ତାହା ଏସବୁ କରିବ ନିର୍ଭୁଲ ହିସାବ ମୁତାବକ। ଅର୍ଥାତ୍ ଜମିରେ କେଉଁ ବିହନ କେତେ ବୁଣାଯିବ, କେଉଁ ଫସଲରେ କେତେ ଜଳସେଚନ କରାଯିବ, ଫସଲ ରୋଗ, କୀଟ ବା ଅଗଚ୍ଛାଦ୍ବାରା ପ୍ରଭାବିତ ହେଲେ କେଉଁ ଔଷଧ କେତେ ସିଞ୍ଚାଯିବ, ଫସଲରେ କେଉଁ ସାର କେତେ ପରିମାଣରେ ଦିଆଯିବ, ଫସଲ କେବେ ଅମଳ ହେବ ଏବଂ ତତ୍ପରେ କିପରି ଗଚ୍ଛିତ ରଖାଯିବ ଇତ୍ୟାଦି କାର୍ଯ୍ୟ ଏହାଦ୍ବାରା ଚାଳିତ ଡ୍ରୋନ୍ କିମ୍ବା ରୋବଟ୍ ସାହାଯ୍ୟରେ ସଠିକ୍ ରୂପେ କରାଯାଇପାରିବ। ଫଳରେ ଫସଲ ସମୃଦ୍ଧ ହେବ, ଚାଷ କମ୍ ଶ୍ରମ ଓ ଅର୍ଥ ଆବଶ୍ୟକ କରିବ ଏବଂ ତାହା ପରିସଂସ୍ଥା ଓ ପରିବେଶ ସହାୟକ ହେବ। ସେହିପରି ଗୋପାଳନ କ୍ଷେତ୍ରରେ ପଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଚିକିତ୍ସାଠାରୁ ଆରମ୍ଭ କରି ତାଙ୍କୁ ଉପଯୁକ୍ତ ଖାଦ୍ୟ ଦେବା ଏବଂ ଏପରି କି ଦୁଗ୍ଧ ଦୋହନ କରିବା ଆଦି ସମସ୍ତ କାର୍ଯ୍ୟ ଏହାଦ୍ବାରା କରାଯାଇ ପାରିବ। ଖାଦ୍ୟ ଉତ୍ପାଦନ କୃଷିର ମୂଳ ଲକ୍ଷ୍ୟ। ଏ କ୍ଷେତ୍ରରେ ଏବେ ନୂତନ ସମ୍ଭାବନାଟିଏ ସୃଷ୍ଟି କରିଛି ବିଜ୍ଞାନାଗାରରେ ସଂଶ୍ଳେଷିତ ଖାଦ୍ୟ। ଏଥିପାଇଁ ମୁଖ୍ୟତଃ ଜୀବକୋଷ କର୍ଷଣ, ଜୀବତନ୍ତୁ (ଟିସୁ)କର୍ଷଣ, କାଣ୍ଡ କୋଷିକା ପ୍ରଯୁକ୍ତିବିଦ୍ୟା, କ୍ବଶନ ଏବଂ ଜିନୀୟ ପରିବର୍ତ୍ତନ ଆଦି ପଦ୍ଧତି ଅବଲମ୍ବନ କରାଯାଏ। ବର୍ତ୍ତମାନ ସୁଦ୍ଧା ଏସବୁର ବ୍ୟବହାର ଦ୍ବାରା କଟକରୁ ଚିଙ୍ଗୁଡ଼ି, ଉଦ୍ଭିଦଜ ଛେନା ଏବଂ ମାଂସ, ଜୀବଜନ୍ତୁ ବା ଜୀବକୋଷରୁ ମାଂସ, କ୍ଷୀର ଏବଂ ଛେନାର ଅନ୍ୟାନ୍ୟ ବିକଳ୍ପମାନ ପ୍ରସ୍ତୁତ କରାଗଲାଣି। ଅତଏବ ଏହା ହୁଏତ ଦିନେ କୃଷି ଓ ପଶୁପାଳନ ଉପରୁ ଆମର ନିର୍ଭରଶୀଳତା ହ୍ରାସ କରିବ, ଯାହାକି ପରିବେଶ ଓ ପରିସଂସ୍ଥା ଲାଗି ଅନୁକୂଳ ହେବା ସଙ୍ଗେସଙ୍ଗେ ବର୍ଦ୍ଧମାନ ଜନସଂଖ୍ୟାରୁ ଖାଦ୍ୟ ଓ ପୁଷ୍ଟି ସମସ୍ୟା ଦୂର କରିପାରିବ। ପୁନଶ୍ଚ ସୁଦୀର୍ଘ ମହାକାଶ ଯାତ୍ରା କାଳରେ କିମ୍ବା ଚନ୍ଦ୍ର, ମଙ୍ଗଳ ଅଥବା ଅନ୍ୟ କୌଣସି ଗ୍ରହରେ ବସତି ସ୍ଥାପନ କରାଗଲେ ପାରମ୍ପରିକ କୃଷି ଅପେକ୍ଷା ଏସବୁ ପଦ୍ଧତିରେ ଖାଦ୍ୟ ଉତ୍ପାଦନ ଅଧିକ ଗ୍ରହଣୀୟ ହେବ। ଅତଏବ ‘ଚତୁର୍ଥ କୃଷି ବିପ୍ଳବ’ ପାଇଁ ଏହାର ଦାନ ହେବ ଗୁରୁତ୍ବପୂର୍ଣ୍ଣ।
Comments are closed.