ସାମାଜିକ କଲ୍ୟାଣ ନୀତି: ଏକ ସମୀକ୍ଷା

ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ

ନିର୍ବାଚନ ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟକର୍ମର ପ୍ରତିଶ୍ରୁତି ଦେଇଥାନ୍ତି। ସରକାରରେ ଥିବା ଦଳ ମଧ୍ୟ ଏଭଳି ଯୋଜନା ହାତକୁ ନେବାପାଇଁ ପ୍ରୟାସ କରନ୍ତି। ସାଧାରଣ ଗରିବ ମତଦାତା ଏହାଦ୍ବାରା ପ୍ରଭାବିତ ହୋଇ ଦଳକୁ ସମର୍ଥନ ଦେବାର ଆଶା ରଖିଥାନ୍ତି । ଏହା ନିର୍ବାଚନୀ ଉପହାର ବୋଲି ଅନେକ ସମୀକ୍ଷକ କହନ୍ତି। ଆମର ପ୍ରଧାନ ମନ୍ତ୍ରୀ ଏହାକୁ ‘ରେୱଡି’ ସଂସ୍କୃତିର ଆଖ୍ୟା ଦେଇଛନ୍ତି। ରାଶି ଓ ଚିନି ମିଶା ଏକ ଉତ୍ତର ଭାରତୀୟ ମିଠାର ନାମ ‘ରେୱଡି’। ପର୍ବପର୍ବାଣିରେ ଏ ମିଠା ବଣ୍ଟାଯାଏ। ଗରିବ ଜନତାଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ରେୱଡି ପରି ମାଗଣା ଦାନ ବୋଲି କୁହାଯାଏ। ଆଉ କିଛି ସମୀକ୍ଷକ ମତରେ ସରକାରୀ ସାହାଯ୍ୟ ଅଭାବୀ ନାଗରିକମାନଙ୍କର ସାମର୍ଥ୍ୟ ବୃଦ୍ଧି କରେ। ରାଷ୍ଟ୍ରର କଲ୍ୟାଣ ନୀତି ଏକ ସରକାରୀ ବଦାନ୍ୟତା ଅଥବା ଏହା ସମାଜ ପାଇଁ ହିତକର – ଏ ବିତର୍କ ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହିଆସିଛି। ଏ ବିତର୍କ ପରିପ୍ରେକ୍ଷୀରେ ସାମାଜିକ କଲ୍ୟାଣ ନୀତିର କିଛି ପୃଷ୍ଠଭୂମି ଦେବା ଏ ପ୍ରବନ୍ଧର ଉଦ୍ଦେଶ୍ୟ।

କଲ୍ୟାଣର ଅଭିଧାନ ଅର୍ଥ ହେଉଛି: ଜନ ସାଧାରଣଙ୍କ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ହାସଲ କରିବା। ଅଭାବ ଅନଟନରେ ଥିବା ପରିବାରକୁ ସାମାଜିକ ସୁରକ୍ଷା ଦିଆଯାଏ। ସବୁ ଯୁଗରେ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା – ପ୍ରାକୃତିକ କିମ୍ବା ସାମୟିକ – ପ୍ରତ୍ୟେକ ମାନବ ସମାଜ ପାଇଁ ଏକ ଆହ୍ବାନ। ପାରମ୍ପରିକ ଭାବରେ ସ୍ଥାନୀୟ ସମ୍ପ୍ରଦାୟ କିମ୍ବା ଧାର୍ମିକ ଗୋଷ୍ଠୀ ଅଭାବଗ୍ରସ୍ତ ବ୍ୟକ୍ତିକୁ ସାହାଯ୍ୟ କରୁଥିଲେ। ଏହି ଦାୟିତ୍ୱ ଧୀରେ ଧୀରେ ରାଷ୍ଟ୍ରର ଦାୟିତ୍ବ ହୋଇଯାଇଛି। ବର୍ତ୍ତମାନ ସମୟରେ ବିଶ୍ୱରେ ଏପରି କୌଣସି ଦେଶ ନାହିଁ ଯେଉଁଠାରେ ଜନ କଲ୍ୟାଣ ନୀତି ପାଇଁ ଅର୍ଥର ବ୍ୟବସ୍ଥା ହୁଏ ନାହିଁ। କେତେକ ଦେଶ ଯଥେଷ୍ଟ ଉଦାର ଏବଂ ବ୍ୟାପକ ବ୍ୟବସ୍ଥା କରନ୍ତି। ଅନ୍ୟମାନେ ସମ୍ବଳର ଅଭାବ କିମ୍ବା ଅନ୍ୟାନ୍ୟ ଚାହିଦାକୁ ଦୃଷ୍ଟିରେ ରଖି ସୀମିତ ବ୍ୟବସ୍ଥା କରନ୍ତି। କୁହାଯାଉଥିଲା ଯେ, ଜଗତୀକରଣର ପରିଣାମ ସ୍ୱରୂପ କଲ୍ୟାଣକାରୀ ଯୋଜନାର ଖର୍ଚ୍ଚ କମି ଯାଉଛି; କିନ୍ତୁ କୋଭିଡ୍ ମହାମାରୀ ଆମକୁ ସାମାଜିକ ସୁବିଧା ପ୍ରଦାନ କରିବାର ଆବଶ୍ୟକତା ବିଷୟରେ ଆଉ ଥରେ ଚେତାଇ ଦେଇଛି। ବର୍ତ୍ତମାନ ବିଶ୍ବର ପ୍ରତ୍ୟେକ ଗଣତାନ୍ତ୍ରିକ ସରକାର ସାମାଜିକ ସୁରକ୍ଷା ଏବଂ ସାମାଜିକ ନ୍ୟାୟକୁ ପ୍ରାଧାନ୍ୟ ଦେଉଛନ୍ତି।

ସର୍ବଶ୍ରେଷ୍ଠ ଜନ ମଙ୍ଗଳ ରାଷ୍ଟ୍ରରେ ନାଗରିକମାନେ ଆଦୌ ସରକାରୀ ସହାୟତା ଆବଶ୍ୟକ କରନ୍ତି ନାହିଁ। ଭାରତ ସମେତ ଅନ୍ୟ ବିକାଶଶୀଳ ଦେଶମାନେ ଏ ବର୍ଗର ନୁହନ୍ତି। ଗରିବ ଜନସାଧାରଣଙ୍କ ଆର୍ଥିକ ଅସୁରକ୍ଷିତତା ଏବଂ ଜୀବିକା ନିର୍ବାହର ସମସ୍ୟା ସର୍ବଦା ରହି ଆସିଛି। ତେଣୁ ପ୍ରତ୍ୟେକ ବିକାଶଶୀଳ ଗଣତାନ୍ତ୍ରିକ ଦେଶ ସାମାଜିକ କଲ୍ୟାଣ ନୀତିକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହେଉଛନ୍ତି। ଅଭାବୀ ଲୋକଙ୍କ ଆବଶ୍ୟକତାକୁ ପୂରଣ କଲେ ସାମାଜିକ ତଥା ରାଜନୈତିକ ସ୍ଥିରତା ବଢିଥାଏ। ପାଶ୍ଚାତ୍ୟ ଦେଶମାନେ ଶିଳ୍ପର ପ୍ରସାର ପାଇଁ ସାମାଜିକ କଲ୍ୟାଣ ନୀତି ଆରମ୍ଭ କରିଥିଲେ। ସାମାଜିକ ସୁରକ୍ଷା ଦେଇ ସୁସ୍ଥ କର୍ମଜୀବୀ ସୃଷ୍ଟି କରିବା ଏ ନୀତିର ପ୍ରଧାନ ଉଦ୍ଦେଶ୍ୟ ଥିଲା। କିନ୍ତୁ ଉପନିବେଶ ଶୋଷଣରୁ ମୁକ୍ତି ପାଇଥିବା ବିକାଶଶୀଳ ରାଷ୍ଟ୍ରଗୁଡିକରେ ଶିଳ୍ପାୟନର ଗତି ଅତି ମନ୍ଥର। କୃଷି ଉପରେ ନିର୍ଭରଶୀଳ ଅର୍ଥନୀତିରେ ଶ୍ରମିକ ଶ୍ରେଣୀ ସଂଗଠିତ ନୁହନ୍ତି। କମ ରାଜସ୍ୱରେ ଚଳାଉଥିବା ସରକାର ଅନେକ ସମୟରେ ନୈତିକ ସଙ୍କଟରେ ପଡନ୍ତି, ଯେପରି କି ଗରିବର କ୍ଷୁଧା ମେଣ୍ଟାଇବେ ନା ସେମାନଙ୍କୁ ଶିକ୍ଷା ଦେବେ। ଜନ କଲ୍ୟାଣ ନୀତି ଦ୍ବାରା ଅସମାନତା ଦୂର କରିବାରେ ପ୍ରୟାସ ଅନେକାଂଶରେ ସଫଳ ହୁଏ ନାହିଁ। ପାଶ୍ଚାତ୍ୟ ଦେଶର ସଫଳ ଅର୍ଥନୀତି ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ବାରା ସାମାଜିକ ସୁରକ୍ଷାର ବ୍ୟବସ୍ଥା କରାଯାଏ। ବିକାଶଶୀଳ ଦେଶର ପରିସ୍ଥିତି ଠିକ୍ ଓଲଟା: ନାଗରିକଙ୍କୁ ସାମାଜିକ ସୁରକ୍ଷା ଦେଇ ଅର୍ଥନୀତି ଓ ଗଣତନ୍ତ୍ରକୁ ମଜଭୁତ କରିବାକୁ ହୁଏ ।

prayash

ଅଭାବୀ ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବାର ଏକ ନୈତିକ ଯଥାର୍ଥତା ରହିଛି। ଯଦି ଗଣତନ୍ତ୍ରରେ ସବୁ ନାଗରିକମାନଙ୍କର ସମାନ ପ୍ରାଧାନ୍ୟ ରହିଛି, ତେବେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହେବା ଉଚିତ୍। ଯଦି କେହି ଗରିବ କିମ୍ବା ଅସୁସ୍ଥ କିମ୍ବା କାହାର ଶିକ୍ଷା ଅଭାବରୁ ସ୍ୱାଧୀନତା ସୀମିତ ହେଉଛି, ସେମାନଙ୍କର ସାମର୍ଥ୍ୟ ବଢାଇ ବ୍ୟକ୍ତିଗତ ପୂର୍ଣ୍ଣତା ଆଣିବା ସମାଜର ଦାୟିତ୍ବ। ଏହି ପ୍ରକାରର ସାମାଜିକ ସୁରକ୍ଷା କେବଳ ମାନବୀୟ ସହାନୁଭୂତି ପ୍ରଦର୍ଶନ ନୁହେଁ। ସମାଜରେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଏକ ଛୋଟ ପିଲା ପିତାମାତାଙ୍କ ଉପରେ ନିର୍ଭରଶୀଳ। ବୃଦ୍ଧ ହେବାପରେ ସେମାନେ ପିଲାମାନଙ୍କ ଉପରେ ନିର୍ଭର କରନ୍ତି । ଯେଉଁମାନେ କାମ କରିପାରିବେ ନାହିଁ ସେମାନଙ୍କୁ ସକ୍ରିୟ ବ୍ୟକ୍ତିମାନେ ସହାୟତା କରନ୍ତି। ଯେତେବେଳେ ସେମାନେ ଅକ୍ଷମ ହୁଅନ୍ତି ସେତେବେଳେ ସେମାନଙ୍କର ଯତ୍ନ ନିଆଯିବ ବୋଲି ସେମାନେ ଆଶା ରଖିଥାନ୍ତି। ଏଇ କାରଣରୁ ଆଧୁନିକ ରାଷ୍ଟ୍ରରେ ଧନୀମାନଙ୍କଠାରୁ ଅଧିକ ଟିକସ ଆଦାୟ କରି ଗରିବମାନଙ୍କର ସାମର୍ଥ୍ୟ ବଢାଯାଏ। ପରସ୍ପର ମଧ୍ୟରେ ଆଦର, ଭାଇଚାରା ଓ ସାମୂହିକ ଏକତା ପରି ସକାରାତ୍ମକ ଭାବନା ଏହି ପାରସ୍ପରିକ ନିର୍ଭରଶୀଳତାକୁ ଆଗକୁ ନେଇଯାଏ।

ରାଷ୍ଟ୍ର ଦ୍ୱାରା ସାମାଜିକ ସୁରକ୍ଷା ପ୍ରଦାନ କିଛି ନୂଆ କଥା ନୁହେଁ। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମୌର୍ଯ୍ୟ ସାମ୍ରାଜ୍ୟରେ ଥିବା କଲ୍ୟାଣକାରୀ ନୀତିର ଯଥେଷ୍ଟ ପ୍ରମାଣ ଅଛି। କୌଟିଲ୍ୟଙ୍କ ଭାଷାରେ, ଅଧିବାସୀମାନଙ୍କ ସୁଖରେ ମହାରାଜାଙ୍କ ସୁଖ; ସେମାନଙ୍କର କଲ୍ୟାଣରେ, ତାଙ୍କର କଲ୍ୟାଣ। ବୃଦ୍ଧ, ଅନାଥ, ଦୁର୍ବଳ, ଅସୁସ୍ଥ ଓ ଅସହାୟ ମହିଳା ଇତ୍ୟାଦିଙ୍କ ରକ୍ଷଣାବେକ୍ଷଣ ରାଜା କରୁଥିଲେ । ଖାଦ୍ୟ ଉତ୍ପାଦନର ଅଧା ଅଂଶ ଗରିବ ଲୋକଙ୍କୁ ବଣ୍ଟା ଯାଉଥିଲା। ସାମାଜିକ ସୁରକ୍ଷା ରାଜାଙ୍କ ସ୍ୱାର୍ଥରେ ଥିଲା, କାରଣ ଲୋକ ସୁବିଧା ସୁଯୋଗ ପାଇଲେ ବିଦ୍ରୋହ କରିବେ ନାହିଁ ଏବଂ ବାହାରୁ ଆକ୍ରମଣ ହେଲେ ଜନସାଧାରଣଙ୍କ ସମର୍ଥନ ମିଳିବ। ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ୍ ପରମ୍ପରାରେ ଅଭାବୀ ଲୋକଙ୍କୁ ସାହାଯ୍ୟ ମିଳୁଥିଲା । ରୋମାନ୍ ଦାର୍ଶନିକ ସିସେରୋ ସାମାଜିକ ସହଭାଗିତା ଉପରେ ଗୁରୁତ୍ବ ଦେଇଥିଲେ। ଇସଲାମିକ ପରମ୍ପରା ମଧ୍ୟ ସାମାଜିକ ନ୍ୟାୟ ଓ ପରୋପକାରିତା ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରେ। ଗରିବ ଲୋକଙ୍କର ସୁରକ୍ଷା ପାଇଁ ରୋଜଗାରର ୨.୫ ପ୍ରତିଶତ ଭାଗ ଯୋଗାଇବା ଇସଲାମିକ ସାମାଜିକ କଲ୍ୟାଣର ଏକ ପ୍ରତିଷ୍ଠିତ ବ୍ୟବସ୍ଥା। ଚୀନ ଦେଶର କନଫୁସିୟସ୍ ସାମାଜିକ ସୁସ୍ଥତା ବୃଦ୍ଧି ପାଇଁ ଶାସକମାନଙ୍କୁ ଏକ ବିସ୍ତୃତ ନି‌େ‌ର୍ଦଶାବଳୀ ପ୍ରଦାନ କରିଥିଲେ, ଯାହାର ପ୍ରଭାବ ଆଜି ପୂର୍ବ ଏସୀୟ ସମାଜରେ ରହିଛି। ରାଷ୍ଟ୍ରର ଦାୟିତ୍ୱ ବିଷୟରେ ଏପରି ପ୍ରାଚୀନ ଚିନ୍ତାଧାରା ଆଧୁନିକ ଯୁଗରେ ମଧ୍ୟ ପ୍ରତିଫଳିତ ହୋଇଛି। ଗଣତାନ୍ତ୍ରିକ ରାଷ୍ଟ୍ରମାନେ କଲ୍ୟାଣ ନୀତିକୁ ଆଇନର ମାନ୍ୟତା ଦେଇଛନ୍ତି। ଅର୍ଥନୈତିକ ବୈଷମ୍ୟକୁ କମ୍ କରି ସାମାଜିକ ସୁରକ୍ଷା ପ୍ରଦାନ କରିବା କଲ୍ୟାଣ ନୀତିର ପ୍ରଧାନ ଉଦ୍ଦେଶ୍ୟ। ବ୍ରିଟିଶ ସମାଜବିଜ୍ଞାନୀ ମାର୍ଶାଲ୍ କହିଛନ୍ତି, ନାଗରିକର କଲ୍ୟାଣ ଏକ ଅଧିକାର। ଏହା ସାମାଜିକ ଓ ରାଜନୈତିକ ଅଧିକାରକୁ ସୁଦୃଢ କରେ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନରେ ସାହାଯ୍ୟ କରେ।

ଏହି ପରିପ୍ରେକ୍ଷୀରେ ଭାରତରେ କଲ୍ୟାଣ ଯୋଜନା ଜନ ହିତକର ଅଥବା ବଦାନ୍ୟତା – ଏ ବିତର୍କ ମୂଳରୁ ତ୍ରୁଟିପୂର୍ଣ୍ଣ। ଅର୍ଥନୀତିଜ୍ଞମାନେ ଗୁଣାତ୍ମକ ଓ ଗୁଣବିହୀନ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥା’ନ୍ତି। ଯେପରି କି, ସରକାରୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଗୁଣାତ୍ମକ; ମାଗଣା ଗ୍ୟାସ ଅଥବା ସାଇକଲ ଗୁଣବିହୀନ। ଗୁଣାତ୍ମକ ପଦାର୍ଥ ମନୁଷ୍ୟର ଦକ୍ଷତା ବଢାଏ ବୋଲି କୁହାଯାଏ। କିନ୍ତୁ ସାଇକଲ ମଧ୍ୟ ଗୋଟିଏ ଝିଅର ଦକ୍ଷତା ବଢାଏ। ସିଏ ସୁବିଧାରେ ବିଦ୍ୟାଳୟ ଯାଇ ପାରେ। ଶିକ୍ଷା ତାର ଶକ୍ତି ଓ ସାମର୍ଥ୍ୟ ବଢାଏ। ମାଗଣା ଖାଦ୍ୟ ଅନେକ ନାଗରିକଙ୍କୁ ଅପପୁଷ୍ଟିରୁ ରକ୍ଷା କରେ। ସେମାନଙ୍କୁ ବଞ୍ଚିବାର ଅଧିକାର ମିଳେ। ଜୀବନ ବଞ୍ଚାଇ ପାରିଲେ ଶିକ୍ଷା ବା ସ୍ୱାସ୍ଥ୍ୟର ସୁଯୋଗ ନେଇ ସଫଳ କର୍ମୀ ହେବାର ସମ୍ଭାବନା ବଢେ।

ଆମର ମାନବ ସମ୍ବଳ ଏବେ ସୁଦ୍ଧା ସଶକ୍ତ ନହୋଇ ପାରିବା ଦୁଃଖଦାୟକ। ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସମୃଦ୍ଧ କରି ଦକ୍ଷତା ବୃଦ୍ଧି ନ କରିପାରିବାର ପରିଣାମ ହେଉଛି ଯେ ଆମକୁ ଏବେ ବି ମାଗଣା ବାଣ୍ଟିବା କାର୍ଯ୍ୟକ୍ରମ ହାତକୁ ନେବାକୁ ପଡୁଛି। କୌଣସି କଲ୍ୟାଣ ଯୋଜନା ପ୍ରକୃତରେ ମାଗଣା ନୁହେଁ। ଜନ ସାଧାରଣ ଦେଉଥିବା ଟିକସରୁ ସବୁ ଖର୍ଚ୍ଚର ଭରଣା ହୁଏ। ସରକାରୀ ସହାୟତା ଦେଇ ମତଦାତାଙ୍କ ଭୋଟ କିଣାଯିବାର ବିଚାର ଠିକ୍ ନୁହେଁ। ପ୍ରତିଯୋଗିତାମୂଳକ ନିର୍ବାଚନରେ ଦଳମାନେ ସାଧାରଣ ଜନତାଙ୍କ ଆବଶ୍ୟକତାକୁ ସମ୍ମାନ ଦିଅନ୍ତି। ଶାସନକୁ ଆସିଥିବା ଦଳ ଜନତା ଦରବାରରେ ଉତ୍ତରଦାୟୀ ହୁଅନ୍ତି। ଅର୍ଥନୀତିରେ ସୃଜନଶୀଳତାର ଅଭାବରୁ କଲ୍ୟାଣ ନୀତି ରାଜନୀତିର ଦରବାରରେ ପହଞ୍ଚିଛି; କିନ୍ତୁ କେବଳ ସରକାରୀ ବଦାନ୍ୟତା ଯେ ଗୋଟିଏ ଦଳକୁ ଜିତାଏ ଏହାର କୌଣସି ଠୋସ ପ୍ରମାଣ ଆଜି ପର୍ଯ୍ୟନ୍ତ ନାହିଁ। ଏପରି ହୋଇଥିଲେ, ସରକାରରେ ଥିବା ଦଳ ସବୁଦିନ ଶାସନରେ ରହିଥାନ୍ତେ। ଜନସାଧାରଣଙ୍କ ମତ ଅନୁସାରେ ପଟ ପରିବର୍ତ୍ତନ ହେଉଛି। ଅତି ବଦାନ୍ୟ ଦଳ ମଧ୍ୟ ହାର ମାନୁଛନ୍ତି। ତେଣୁ କଲ୍ୟାଣ ନୀତି ବଦାନ୍ୟତା ନୁହେଁ, ବରଂ ଏହା ସାମାଜିକ ସୁରକ୍ଷା ଦେଇ ଜଣେ ନାଗରିକକୁ ମୁଣ୍ଡ ଟେକି ଠିଆ ହେବାର ଅଧିକାର ଦିଏ ଓ ସମାଜର ସ୍ଥାୟୀ ସମୃଦ୍ଧିର ଆଧାର ହୁଏ।

kalyan agarbati

Comments are closed.