ମାତୃଭାଷା ଓ ଶିକ୍ଷା
ଡ. ପ୍ରଜ୍ଞା ଇ.ଭି. ମିଶ୍ର
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ, ପ୍ରାକ୍-ପ୍ରାଥମିକରୁ ଦ୍ବାଦଶ ଶ୍ରେଶୀ ପର୍ଯ୍ୟନ୍ତ ଏକ ଇଚ୍ଛାଧୀନ ମାଧ୍ୟମ ଭାବରେ ମାତୃଭାଷା ବା କ୍ଷେତ୍ରୀୟ ଭାଷାକୁ ବ୍ୟବହାର କରିବାପାଇଁ ଜୁଲାଇ ୨୧ ତାରିଖ ଦିନ ଏକ ସର୍କୁଲାର ମାଧ୍ୟମରେ ଜଣାଇ ଦିଆଯାଇଛି। ଭାରତ ସରକାରଙ୍କର ନୂତନଶିକ୍ଷା ନୀତି ୨୦୨୦ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କର ଶିକ୍ଷାନୀତିରେ ଏହି ପରିବର୍ତ୍ତନକୁ ଦେଶରେ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମାଜିକ ବୈଜ୍ଞାନିକ ଓ ମନସ୍ତତ୍ତ୍ବବିତ୍ ସମସ୍ତେ ସ୍ବାଗତ କରିଛନ୍ତି। ଏହି ପଦକ୍ଷେପର ସବୁଠାରୁ ବଡ଼ କାରଣ ହେଉଛି; ଶିକ୍ଷା ସମ୍ବନ୍ଧୀୟ ଯେଉଁ ପାଞ୍ଚଗୋଟି ଅାଭିମୁଖ୍ୟ ରହିଛି, ପ୍ରାୟ ସମସ୍ତ ଅାଭିମୁଖ୍ୟକୁ ଏହା ପୂର୍ଣ୍ଣ କରିବ। ଏହା ବିଦ୍ୟାର୍ଥୀର ନିର୍ମାଣବାଦୀ, ସହଯୋଗୀ ସମନ୍ବିତ ଓ ଅନୁସନ୍ଧାନ ଆଧାରିତ ସବୁ ଆଭିମୁଖ୍ୟକୁ ଆଗେଇ ନେଇଯିବା ନିମନ୍ତେ ଯଥାର୍ଥରେ ଉପଯୋଗୀ ହେବ। ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର ଶିକ୍ଷା କ୍ଷେତ୍ରରେ ମାତୃଭାଷାର ଉପଯୋଗ ଭାରତର ଛାତ୍ରଛାତ୍ରୀଙ୍କ ନିମନ୍ତେ ନ୍ୟାୟର ଏକ ରୂପଦେବ ଏବଂ ସାମାଜିକ କ୍ଷେତ୍ରରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଯଥାର୍ଥରେ ଆମ ପ୍ରଧାନମନ୍ତ୍ରୀ କହିଛନ୍ତି।
ମଣିଷର ଚରିତ୍ର ଗଠନ ନିମନ୍ତେ ଭାଷା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେବଳ ଜ୍ଞାନାତ୍ମକ କ୍ଷମତା, ମନୋଚାଳନା ଦକ୍ଷତାର ବିକାଶ ନୁହେଁ, ପରନ୍ତୁ ଠିକ୍ ମାନସିକ ଗଠନ ଓ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ମଧ୍ୟ ଭାଷାର ମୁଖ୍ୟ ଆଭିମୁଖ୍ୟ। ମାତୃଭାଷାରେ ଶିକ୍ଷା ସବୁ କୋମଳମତି ଶିଶୁଙ୍କର ଶିକ୍ଷା ଆରମ୍ଭର କେତେକ ପ୍ରାଥମିକ ବର୍ଷରେ ଗୁରୁତ୍ବପୂର୍ଣ୍ଣ ଅଟେ। ସେଥିପାଇଁ ଆମର ସମ୍ବିଧାନର ଧାରା ୩୫୦-ଏ ଅନୁଯାୟୀ, ‘ଭାଷା ଭିତ୍ତିକ ସଂଖ୍ୟାଲଘୁ ଗୋଷ୍ଠୀର ପିଲାମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ମାତୃଭାଷାରେ ଶିକ୍ଷାଦାନ ପାଇଁ ପର୍ଯ୍ୟାପ୍ତ ସୁବିଧା ଯୋଗାଇବା ପ୍ରତ୍ୟେକ ରାଜ୍ୟ ତଥା ରାଜ୍ୟ ମଧ୍ୟରେ ଥିବା ପ୍ରତ୍ୟେକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପ୍ରୟାସ ହେବ। ରାଜ୍ୟ ଏହି କାର୍ଯ୍ୟକୁ ରୂପାୟିତ କରିବାପାଇଁ ସମସ୍ତ ପ୍ରୟାସ କରିବ।’ ସେଥିପାଇଁ, ରାଜ୍ୟଶିକ୍ଷା ବୋର୍ଡ ଅଧୀନସ୍ଥ ସ୍କୁଲଗୁଡ଼ିକରେ କେବଳ ମାତୃଭାଷା ବା କ୍ଷେତ୍ରୀୟ ଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା ଥିଲା। ସିବିଏସଇ ଶିକ୍ଷାରେ ଏହି ପରିବର୍ତ୍ତନ ନିଶ୍ଚିତ ଭାରତ ସରକାରଙ୍କ ଏକ ଠିକ୍ ପଦକ୍ଷେପ। ଏକଦା, ମହାତ୍ମା ଗାନ୍ଧୀ କହିଥିଲେ କି- ‘ଇଂରାଜୀ’ ସବୁ ସ୍ଥାନରେ ଯୋଗାଯୋଗ ଓ ନିର୍ଦେଶାବଳୀର ମାଧ୍ୟମ ହୋଇଗଲେ, ସ୍ବଳ୍ପ ଉଚ୍ଚଶିିକ୍ଷିତ ଲୋକ ଓ ବହୁ ଅଳ୍ପଶିକ୍ଷିତ ଲୋକଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ପ୍ରତିବନ୍ଧକ ସୃଷ୍ଟି ହେବ। ଏହା ମଧ୍ୟ ସମଗ୍ର ଦେଶରେ ଜ୍ଞାନର ବିକାଶର ପ୍ରତିବନ୍ଧକ ହେବ। ଇଂରାଜୀ ଭାଷାକୁ ଅଧିକ ଗୁରୁତ୍ବ ଦେବା ଦ୍ବାରା ଶିକ୍ଷିତ ଶ୍ରେଣୀ ଭାରାକ୍ରାନ୍ତ ହୋଇଛନ୍ତି। ଏହା ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ସହିତ, ନିଜର ତୃଣମୂଳ ସ୍ତରରୁ ବିଚ୍ଛିନ୍ନ କରୁଛି।’
ଗବେଷଣାରୁ ମଧ୍ୟ ପ୍ରକାଶିତ ହୋଇଛି ଯେ, ମାତୃଭାଷାରେ ଶିକ୍ଷା ଦ୍ବାରା କୋମଳମତି ଶିଶୁର ବୁଦ୍ଧିର ବିକାଶ ଶୀଘ୍ର ହୋଇଥାଏ। ଶିକ୍ଷାର୍ଥୀର ବିଶ୍ଳେଷାତ୍ମକ, ଯୁକ୍ତିଯୁକ୍ତ ଓ ତୁଳନାତ୍ମକ କ୍ଷମତା ପ୍ରାରମ୍ଭିକ ସ୍ତରରେ ମାତୃଭାଷା ହିଁ ବଢ଼ାଇଥାଏ। ମାତୃଭାଷା ବା ଯାହାକୁ ଆମେ ସ୍ଥାନୀୟ ଭାଷା ବୋଲି କହୁ, ତାହା ଶିଶୁକୁ ତା’ର ପରିବେଶ, ସମାଜ, ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପରେ ଆବିଷ୍କାର କରିବାରେ ସହାୟକ ହୋଇଥାଏ। ଏକ ଶିଶୁ ପ୍ରଥମେ ତା’ର ମାଆ ଓ ପରିବାର ଦ୍ବାରା ନିଜର ପାଖରେ ଥିବା ଜିନିଷ ଓ ତା’ର ବିଶେଷତ୍ବକୁ ବୁଝିଥାଏ। ପରିବେଶ କ’ଣ, ତାହା ବୁଝିଥାଏ। ନିଜର ସମାଜର ପ୍ରଚଳିତ ସଂସ୍କୃତି ସହିତ ପରିବାରର ଅନ୍ୟମାନେ ତାକୁ ଯୋଡ଼ି ଥାଆନ୍ତି। ଏହିପରି ଭାବରେ ନିଜର ଜ୍ଞାନର ବିକାଶ କରୁକରୁ ପରବର୍ତ୍ତୀ କାଳରେ ଅନ୍ୟଭାଷା ଶିଖିବା ସହଜ ହୋଇଥାଏ। ପିଲାଟି ଦିନୁ ଅନ୍ୟ ଏକ ଭାଷାର ବୋଝ ତା’ର ମୁଣ୍ଡରେ ଲଦି ଦେବା ଦ୍ବାରା, ସେ ପାଠପଢ଼ା ପ୍ରତି ବିମୁଖଗାମୀ ହୋଇଥାଏ କିମ୍ବା ଯାନ୍ତ୍ରିକ ହୋଇଯାଇଥାଏ। ଏକ ସୁଷମ, ସ୍ବାସ୍ଥ୍ୟକର ମାନସିକ ବିକାଶ ତା’ର ଘଟି ନଥାଏ। ଶିକ୍ଷାର ଗୁଣାତ୍ମକ ଉନ୍ନତି ଆଣିବାକୁ ହେଲେ ଭାଷାନୀତିରେ ମାତୃଭାଷା ଶିକ୍ଷାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଶିଶୁଟି ଖୁବ୍ଶୀଘ୍ର ଶିକ୍ଷାପ୍ରତି ବିମୁଖ ନହୋଇ ବିଦ୍ୟାଳୟ ନଛାଡ଼ିବା ପାଇଁ ଓ ଶିଶୁଟିକୁ ବିଦ୍ୟାଳୟରେ ଯୋଡ଼ି ରଖିବାପାଇଁ ମାତୃଭାଷା ଏକାନ୍ତ ଆବଶ୍ୟକ।
ଆମ ଭାରତ ପରି ଇଂରାଜୀ ଶାସନାଧୀନ ଦେଶଗୁଡ଼ିକରେ ଏପରି ଏକ ଭ୍ରାନ୍ତ ଧାରଣା ବହୁଲୋକଙ୍କୁ ପ୍ରଭାବିତ କରି ରଖିଛି କି ଇଂରାଜୀ ଶିକ୍ଷା ହିଁ ଶିଶୁକୁ ସ୍ମାର୍ଟ ଓ ଆତ୍ମବିଶ୍ବାସୀ କରାଇଥାଏ। କିନ୍ତୁୁ ବର୍ତ୍ତମାନର ଗବେଷକମାନଙ୍କ ମତରେ ପ୍ରାଥମିକ ସ୍ତରରୁ ମାତୃଭାଷାରେ ଶିକ୍ଷା ଓ ପରବର୍ତ୍ତୀ କାଳରେ ଧୀରେଧୀରେ ଇଂରାଜୀ କିମ୍ବା ଅନ୍ୟଭାଷା ଶିକ୍ଷା, ଶିଶୁର ଦକ୍ଷତା ଓ ବୁଝିବାର କ୍ଷମତା ଅଧିକ କରିଥାଏ। ଏହା ମଧ୍ୟ ବିଶେଷଜ୍ଞମାନେ ପ୍ରମାଣ କରିସାରିଛନ୍ତି। ତୃଣମୂଳ ସ୍ତରରୁ ଇଂରାଜୀ ଶିକ୍ଷା ହୁଏତ ଇଂରାଜୀ କହିବାର ଦକ୍ଷତା ପିଲାଟିର ବଢ଼ାଇଦେଇପାରେ କିନ୍ତୁ ପ୍ରକୃତ ଇଂରାଜୀ ଭାଷାରେ ଜ୍ଞାନର ବିକାଶ, କେବଳ ତୃଣମୂଳ ସ୍ତରରୁ ମାତୃଭାଷାରେ ପଢ଼ି ପରବର୍ତ୍ତୀ ସମୟରେ ଇଂରାଜୀ ଶିଖିଥିବା ପିଲାଟିର ଅଧିକ ହୋଇଥାଏ। ‘ଜିଜ୍ଞାସା’ର ଅଭିବୃଦ୍ଧି କେବଳ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦ୍ବାରା ହିଁ ହୋଇଥାଏ।
ଇଂରାଜୀ ଉପରେ ଅଧିକ ଗୁରୁତ୍ବ ଦେବା ଶିକ୍ଷିତ ଶ୍ରେଣୀକୁ ଅଧିକ ଭାରାକ୍ରାନ୍ତ କରିଛି। ଜୀବନ ଓ ଜୀବିକା ଦୁହିଁଙ୍କର ସମ୍ମନ୍ବୟ ରଖୁରଖୁ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ପରବର୍ତ୍ତୀ ସମୟରେ ନିଜର ସଂସ୍କୃତି, ପରିବେଶ ଏପରିକି ନିଜର ମୂଳଭୂଖଣ୍ଡଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ୁଛନ୍ତି। ୟୁନେସ୍କୋ ମାତୃଭାଷାର ବିଶେଷତ୍ବକୁ ଉପଲବ୍ଧି କରି ୨୧ ଫେବୃଆରୀକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ରୂପରେ ୧୯୯୯ରୁ ପାଳନ କରୁଛି। ମାତୃଭାଷାକୁ ଆଧାର କରି ବହୁଭାଷୀ ଶିକ୍ଷା ପଦ୍ଧତିକୁ ଆଗେଇ ନେବା ନିମନ୍ତେ ୟୁନେସ୍କୋ ଚେଷ୍ଟିତ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାତୃଭାଷାର ଗୁରୁତ୍ବ ବୁଝିବା ଓ ସାଧାରଣ ଜୀବନରେ ଏହାର ବିକାଶ ପାଇଁ ୟୁନେସ୍କୋ ଦ୍ବାରା ଅଧିକ ପ୍ରତିବଦ୍ଧତା ପ୍ରକାଶ ପାଇଛି।
ଆଜି ଭାରତ ସରକାରଙ୍କ ଦ୍ବାରା ସିବିଏସଇ ମାଧ୍ୟମରେ ‘ମାତୃଭାଷାରେ ଶିକ୍ଷା ପଦ୍ଧତି’ ଏକ ଉତ୍ତମ ପଦକ୍ଷେପ। ଏଥିନିମନ୍ତେ ଅନେକ ପୁସ୍ତକ, ଶିକ୍ଷାଖସଡ଼ା, ନୂତନ ଶିକ୍ଷକ/ଶିକ୍ଷୟିତ୍ରୀ ଆବଶ୍ୟକତା ରହିଛି। ଏହି ଶିକ୍ଷାନୀତିକୁ ପ୍ରୟୋଗ କରିବା ନିମନ୍ତେ ପ୍ରାଞ୍ଜଳ ଭାବରେ ଗବେଷଣା କରି ତାକୁ କାର୍ଯ୍ୟକାରୀ କରିବା ଉଚିତ୍। ଭାରତ ସରକାରଙ୍କର ଅଧୀନରେ ଥିବା କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥାକୁ ପରିଭାଷା ଦେବା ନିମନ୍ତେ ସମୟ ହୁଏତ ଲାଗିପାରେ କିନ୍ତୁ ଅଧିକ ଡେରି ହେବା ଉଚିତ ନୁହେଁ। ମାତୃଭାଷାରେ ଶିକ୍ଷା ପାଇବା ସବୁପିଲାଙ୍କର ଏକ ଜନ୍ମଗତ ଅଧିକାର। ଏହି ପ୍ରକାରରେ ଏକ ନୂତନ ଶିକ୍ଷା ପଦ୍ଧତି ଆମର ସାଂସ୍କୃତିକ, ସାମାଜିକ ଲୋକାଚାରକୁ ସୁଦୃଢ଼ କରିଥାଏ। ପିଲାଟିକୁ ମାତୃଭାଷା ଶିକ୍ଷା ମାଧ୍ୟମରେ ହିଁ ତା’ର ସାମାଜିକ ବ୍ୟବସ୍ଥା, ଭୌଗୋଳିକ ଅବସ୍ଥା, ଆଖପାଖ ପରିବେଶ, ଇତିହାସ ଏପରିକି କୌଳିକ କୌଶଳ ଶିକ୍ଷା ସହିତ ଯୋଡ଼ି ରଖିବ। ଏକ ଉନ୍ନତ ପରିବେଶ ମଧ୍ୟ ଗଢ଼ିଉଠିବ, ଯେଉଁଠିକି ପରସ୍ପର ପ୍ରତି ସ୍ନେହ, ସହନଶୀଳ ମନୋଭାବ ସହଯୋଗ ରହିବ।
ଇଂରାଜୀ ଭାଷାରେ ଶିକ୍ଷା ଆମ ଦେଶରେ ଧୀରେଧୀରେ ଅନେକ ଭାଷାର ଐତିହ୍ୟକୁ ବଳିଦେଇଛି। ଭାରତରେ ବହୁ ପ୍ରଚଳିତ ଭାଷା ଓ ଉପଭାଷା ମଧ୍ୟରୁ ପ୍ରାୟ ୫୭୩ ଗୋଟି ଭାଷାର ବିଲୁପ୍ତି ଘଟିଛି। ଏଗୁଡ଼ିକ ଏପରି ଭାଷା, ଯାହା ଏବେ କୁହାଯାଉନି କି ଅଧ୍ୟୟନ କରାଯାଉ ନାହିଁ। ଏଥିରୁ ଅନେକ ଭାଷା, ଉପଭାଷା ଥିଲା। ଯେଉଁଥିରେ ସେମାନଙ୍କର ଅକ୍ଷର କିମ୍ବା ଶବ୍ଦର ରେକର୍ଡ ନାହିଁ। ଅନ୍ୟକିଛି ଭାଷା, ଏକଦା ପ୍ରମୁଖ ଭାଷା ଥିଲେ ମଧ୍ୟ ସମାଜ ଓ ପରିବର୍ତ୍ତିତ ସଂସ୍କୃତି ସେମାନଙ୍କୁ ପଛରେ ପକାଇ ଦେଇଛି। ଆମ ମାତୃଭାଷାର ଦାୟିତ୍ବ ଆମ ଉପରେ ରହିଛି। ତେଣୁ ସରକାରଙ୍କ ସହିତ ଆମେ ସମସ୍ତେ ମଧ୍ୟ ଏକଜୁଟ ହେବା, ନିଜର ମାତୃଭାଷା ତଥା ସଂସ୍କୃତିର ରକ୍ଷଣାବେକ୍ଷଣ ନିମନ୍ତେ।
କଟକ
ଦୂରଭାଷ : ୯୪୩୭୦୧୨୩୩୨
Comments are closed.