ଧର୍ମ ବିନା ଜୀବନର ଗତି କୁଆଡ଼େ?

ଡ. ସାରଦା ପ୍ରସାଦ କର

ଆମ ସଂସ୍କୃତିରେ ଧର୍ମ, ଅର୍ଥ, କାମ ଓ ମୋକ୍ଷକୁ ପୁରୁଷାର୍ଥ କୁହାଯାଏ। ଏହି ଚତୁର୍ବଗ ମଧ୍ୟରେ ଧର୍ମର ସ୍ଥାନ ସବୁଠାରୁ ଉଚ୍ଚରେ ଯାହା ଜୀବନକୁ ନିୟନ୍ତ୍ରଣ ଓ ସୁଖମୟ କରେ। ଧର୍ମ କେବଳ ଔଷଧି ନୁହେଁ ଯେ ଅସୁସ୍ଥ ହେଲେ ଖାଇବା; କେବଳ ଅନ୍ନ ନୁହେଁ ଯେ କ୍ଷୁଧା ହେଲେ ଗ୍ରହଣ କରିବା; ବରଂ ଧର୍ମ ହେଉଛି ପ୍ରାଣବାୟୁ ଅମ୍ଳଜାନ ଯାହା ବିନା ଜୀବନର ଧାରଣ ଅସମ୍ଭବ। ଅର୍ଥ ଓ କାମ ଯଦି ନଦୀ ହୁଅନ୍ତି ତେବେ ଧର୍ମ ଓ ମୋକ୍ଷ ହେଉଛନ୍ତି ସେ ନଦୀର ଦୁଇକୂଳ। ନଦୀ ଯେ ପର୍ଯ୍ୟନ୍ତ ମର୍ଯ୍ୟାଦାରେ ରହେ ତାହା ସୁନ୍ଦର ଓ ଉପକାରୀ କିନ୍ତୁ ଯେତେବେଳେ କୂଳ ଲଙ୍ଘନକରେ ସେତେବେଳେ ବିପଦ। ଠିକ୍‌ ସେହିପରି ଧର୍ମ ଓ ମୋକ୍ଷର ମର୍ଯ୍ୟାଦାକୁ ଭାଙ୍ଗିଦେଇ ମଣିଷ ଯେତେବେଳେ ଅର୍ଥ ଓ କାମ ପଛରେ ପଡ଼ିଯାଏ ସେତେବେଳେ ତାର ଅଧୋପତନ ହୁଏ। ଆଜିର ଦୁନିଆରେ ଯେତେସବୁ ଅପରାଧ ହେଉଛି ତାହା ମୁଖ୍ୟତଃ ଅର୍ଥ ସମ୍ବନ୍ଧୀୟ ଅପରାଧ ନହେଲେ କାମ ସମ୍ବନ୍ଧୀୟ ଅପରାଧ। କାରଣ ମଣିଷ ଜୀବନରେ ଯଦି ଧର୍ମର ପ୍ରଭାବ ନାହିଁ ତେବେ ସବୁଠି ଅଶାନ୍ତି। ‘ଧର୍ମେଣ ହୀନା ପଶୁଭିଃ ସମାନା।’ ଧର୍ମ ଯୋଗୁଁ ହିଁ ମଣିଷ ମଣିଷ ପଦବାଚ୍ୟ ହୋଇଥାଏ ଆଉ ସେହି ବିଚାରର ଅଭାବରେ ସେ ପଶୁ ପାଲଟିଯାଏ। ସେଥିପାଇଁ ତ କୁହାଯାଇଛି ‘ଧାରଣାତ୍‌ ଧର୍ମମିତ୍ୟାହୁ’। ଯେପରି ଆମେ ବସ୍ତ୍ର ଓ ଅଳଙ୍କାର ପିନ୍ଧୁଛେ ଠିକ୍‌ ସେହିପରି ଜୀବନରେ ଏପରି ମହନୀୟ ଗୁଣକୁର ଧାରଣ କରିବା ଉଚିତ୍‌ ଯାହାଦ୍ବାରା ଆମ ଜୀବନ ଆନନ୍ଦମୟ ହେବା ସହ ଏକ ସୁସ୍ଥ ସମାଜ ମଧ୍ୟ ଗଠନ ହୋଇପାରିବ। ନିଜେ ଭଲହେବା, ଭଲକାମ କରିବା, ଖରାପ ଗୁଣକୁ ଛାଡ଼ିବା, ଦୁର୍ଗୁଣଠାରୁ ଦୂରେଇ ରହିବା- ଏହା ହିଁ ଧର୍ମ। ତେଣୁ ‘ଧର୍ମୋ ରକ୍ଷତି ରକ୍ଷିତଃ।’ ଯଦି ଦୈନନ୍ଦିନ ଜୀବନରେ ଆମେ ଧର୍ମକୁ ପାଳନ ଓ ସମ୍ମାନ କରୁଥିବା ତେବେ ଧର୍ମ ମଧ୍ୟ ଆମକୁ ରକ୍ଷା କରିବ। ରାମାୟଣରେ ଯେତେବେଳେ ରାବଣ ମା’ ସୀତାଠାକୁରାଣୀଙ୍କୁ ପୁଷ୍ପକ ବିମାନରେ ଅପହରଣ କରିନେଇଯାଉଥିଲା ସେହି ସମୟରେ ମା’ ଜାନକୀ ପଶୁ, ପକ୍ଷୀ, କୀଟ, ପତଙ୍ଗ, ପ୍ରକୃତିକୁ କହିକହି ଯାଉଥିଲେ ଦେଖ! ମୁଁ କିଛି ଅପରାଧ କରିନି। ଭାରତୀୟ ହିନ୍ଦୁ ନାରୀ ହିସାବରେ ଦାଣ୍ଡଦୁଆରେ ଜଣେ ବ୍ରାହ୍ମଣ ଭିକ୍ଷୁକକୁ ଭିକ୍ଷାଦେଇ ମୁଁ ମୋର ଧର୍ମକୁ ରକ୍ଷାକରିଛି। ଧର୍ମକୁ ସମ୍ମାନ ଜଣାଇବାକୁ ଯାଇ ଯଦି ମୁଁ ଆଜି ବିପନ୍ନ ହୋଇଥାଏ ତେବେ ମୋର ପୂର୍ଣ୍ଣବିଶ୍ବାସ ସେହି ଧର୍ମ ହିଁ ମୋତେ ନିଶ୍ଚୟ ରକ୍ଷାକରିବ। ଏହି ବିଶ୍ବାସର ବାଣୀ ରଘୁମଣିଙ୍କ ହୃଦୟକୁ ତରଳାଇଦେଲା ଆଉ ଭଗବାନ ବାଧ୍ୟହେଲେ ବିଶାଳ ସମୁଦ୍ର ପାରହୋଇ ଲଙ୍କା ଯାତ୍ରାକରି ଜାନକୀଙ୍କୁ ଉଦ୍ଧାର କରିବାକୁ। ପାଠକେ! ଏହା ହିଁ ଧର୍ମର ମୂଳମନ୍ତ୍ର।

prayash

ତେଣୁ ଧର୍ମ କେବଳ ଉଚ୍ଚାରଣ ମଧ୍ୟରେ ସୀମିତ ନରହି ଆଚରଣଗତ ହେବା ଉଚିତ। ଚର୍ଚ୍ଚାର ବିଷୟ ନ ହୋଇ ଚର୍ଯ୍ୟାର ବିଷୟ ହେବା ଉଚିତ। କେବଳ ପୂଜାପାଠ, କର୍ମକାଣ୍ଡ, ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ବାର ଭିତରେ ଧର୍ମ ବନ୍ଧା ନରହି ଏହା ଆମ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେବା ଉଚିତ; କିନ୍ତୁ ଆଜିର ଦୁନିଆରେ ଧର୍ମ ହୋଇଯାଇଛି ପ୍ରାୟତଃ ଉପର ଦେଖାଣିଆ। ଏହା ହରାଇବସିଛି ତା’ର ଆତ୍ମିକ ବିଚାର ଓ ନୈତିକ ମୂଲ୍ୟବୋଧକୁ। ଆଜିକାଲି ଆମେ ଉପରକୁ ଏତେ ଧାର୍ମିକ ହୋଇଯାଇଛେ ଯେ ଆମେ ପିଆଜ, ରସୁଣ ଖାଉନେ କିନ୍ତୁ ରିସୱତ୍‌ ବା ଲାଞ୍ଚ ଖାଇବାକୁ ପଛଉନେ। ଉପରେ ପରମଧାର୍ମିକ କହି ଚିତାତିଳକ ମାରୁଛେ ଆଉ ଭିତରେ ଦୁନିଆକୁ ଚିତାକାଟିବାକୁ ବି ପଛଉନେ। ପାଣିପିଇଲା ବେଳେ ଦୁଇଦୁଇଥର ଛାଣିକି ପିଉଛେ କିନ୍ତୁ ନିଜର ସ୍ବାର୍ଥ ପାଇଁ ମଣିଷର ତାଜାରକ୍ତକୁ ସେମିତି ପିଇଯାଉଛେ। ଆମେ ମଣିଷ ନା ପଶୁ ପାଠକେ ହିଁ ବିଚାର କରନ୍ତୁ। ମହାଭାରତରେ ପାଣ୍ଡବମାନଙ୍କ ପକ୍ଷରେ ଯୁଧିଷ୍ଠିର ଥିଲେ ଧର୍ମରୂପ ଓ କୌରବମାନଙ୍କ ପକ୍ଷରେ ବିଦୂର ବି ଥିଲେ ଧର୍ମରୂପ; କିନ୍ତୁ ପାଣ୍ଡବମାନେ ଧର୍ମକୁ ରାଜା ଜ୍ଞାନକରି ଧର୍ମାଚରଣ କରୁଥିଲେ ବୋଲି ସେମାନଙ୍କର ବିଜୟ ହେଲା। ଅନ୍ୟପଟରେ କୌରବମାନେ କେବଳ ବିଦୂରଙ୍କ ଧର୍ମବାଣୀ ଶୁଣୁଥିଲେ ସତ କିନ୍ତୁ ଆଚରଣ କରୁନଥିଲେ ବୋଲି ସେମାନଙ୍କର ପତନ ହେଲା। ତେଣୁ ବିଷ୍ଣୁ ସହସ୍ରନାମ ପ୍ରମାଣକରେ ‘ଆଚାର ପ୍ରଭବୋ ଧର୍ମୋ ଧର୍ମସ୍ୟ ପ୍ରଭୁରଚ୍ୟୁତଃ’। ମନେପଡ଼େ ଲଘୁକଥାଟିଏ। ଥରେ ଜଣେ ସାଧୁଙ୍କ ପାଖକୁ ଜଣେ ମହିଳା ନିଜ ଛୋଟ ପୁଅକୁ ଧରିଆସିଲେ। କହିଲେ ମୋ ପୁଅ ଜମା ମିଠା ଖାଇବା ଛାଡ଼ୁନି। ମୁଁ ଯେତେ କହିଲେ ବି ଶୁଣୁନି। ଦୟାକରି ଆପଣ ତାକୁ ଟିକେ ବୁଝାନ୍ତୁ। ସାଧୁ ସବୁ ଶୁଣିଲାପରେ ସେ ମହିଳାଙ୍କୁ କହିଲେ ପନ୍ଦରଦିନ ପରେ ଆସ ମୁଁ ପିଲାକୁ ବୁଝେଇବି। ପନ୍ଦରଦିନ ଗଲା। ମହିଳା ଜଣକ ପୁଅକୁ ଧରି ସାଧୁଙ୍କ ପାଖକୁ ଆସନ୍ତେ ସାଧୁ ପୁଅକୁ ବୁଝେଇଲେ- ବାବା! ମିଠା ବେଶୀ ଖାଇବା ଦେହପାଇଁ ଆଦୌ ଭଲନୁହେଁ। ଦେହ ଖରାପହେବ। କଷ୍ଟ ବି ପାଇବ। ତେଣୁ ଆଜିଠାରୁ ମିଠା ଖାଇବା ଛାଡ଼ିଦେବ। ପିଲାଟି କହିଲା, ଗୁରୁଦେବ! ଆପଣ ଯେହେତୁ କହୁଛନ୍ତି ମୁଁ ଆପଣଙ୍କ କଥା ମାନିବି। ପାଖରେ ଥାଆନ୍ତି ମହିଳାଜଣକ। ପଚାରିଲେ ସ୍ବାମିଜୀ! ଯେଉଁକଥା ଆଜି କହିଲେ ସେହି କଥା କ’ଣ ପନ୍ଦରଦିନ ତଳେ କହିପାରିନଥାନ୍ତେ? ପନ୍ଦରଦିନ ସମୟ ମାଗିଲେ କାହିଁିକି? ଗୁରୁ​‌େ​‌ଦବ ଉତ୍ତର ଦେଲେ ମାଆ! ପନ୍ଦରଦିନ ଏଥିପାଇଁ ମାଗିଲି କାରଣ ମୁଁ ନିଜେ ବହୁତ ମିଠା ଖାଉଥିଲି। ତେଣୁ ପନ୍ଦରଦିନ ଭିତରେ ମୁଁ ଆଗ ମିଠା ଖାଇବା ଛାଡ଼ିଲି ଓ ପରେ ଅନ୍ୟକୁ ଉପଦେଶ ଦେଲି। ଏହା ହିଁ ଧର୍ମର ପରିଭାଷା।

ଆମ ସଂସ୍କୃତିରେ ଦୁଇଟି ପ୍ରଧାନ ଗ୍ରନ୍ଥ ଅଛନ୍ତି; ଗୋଟିଏ ରାମାୟଣ ଆଉ ଅନ୍ୟଟି ମହାଭାରତ। କ’ଣ କଲେ ଜୀବନ ସୁଖମୟ ହେବ ତାହା ଶିଖାଇଦିଏ ରାମାୟଣ ଆଉ କ’ଣ ନ କଲେ ଜୀବନ ସୁରକ୍ଷିତ ରହିବ ତାହା ଶିଖାଇଦିଏ ମହାଭାରତ। ଗୋଟିଏ ହେଉଛି ‘ବିଧିରୂପୀ ଧର୍ମ’ ଆଉ ଗୋଟିଏ ହେଉଛି ‘ନିଷେଧରୂପୀ ଧର୍ମ’। ଗୋଟିଏ ହେଉଛି-Accelerator ଆଉ ଅନ୍ୟଟି ହେଉଛି Brake। ଏହି ଦୁଇଟି ଦିଗକୁ ଯଦି ଆମେ ଠିକ୍‌ ବୁଝିପାରିବା ତେବେ ଆମ ଜୀବନରେ ଧର୍ମର ଅବତରଣ ହେବ। ରାମାୟଣ ଶିଖାଇଦିଏ ଭାଇ ଭାଇ ପ୍ରତି କ’ଣ କରିବା ଉଚିତ; ରାଜା ପ୍ରଜା ପ୍ରତି କି ଆଚରଣ କରିବା ଉଚିତ; ସେବକର ଧର୍ମ କ’ଣ ହେବା ଉଚିତ। ଏହା ବିଧିରୂପୀ ଧର୍ମ। ଆଉ ମହାଭାରତ? ମହାଭାରତ ଶିଖାଇଦିଏ ଜୁଆ ଖେଳିବା ଅନୁଚିତ୍‌; କାହାକୁ କଟୁବଚନ କହିବା ଅନୁଚିତ। ଏହା ନିଷେଧରୂପୀ ଧର୍ମ। ସ୍ବୟଂ ଧର୍ମନିଷ୍ଠ ରାଜା ଯୁଧିଷ୍ଠିର ଜୁଆ ଖେଳରେ ଏତେ ବୁଡ଼ିଗଲେ ଯେ ନିଜର ସ୍ତ୍ରୀକୁ ମଧ୍ୟ ବାଜି ଲଗେଇଦେଲେ। ଦ୍ରୌପଦୀଙ୍କର କଟୁବଚନ ‘ଅନ୍ଧର ପୁଅ ଅନ୍ଧ’ ଏତେ ଭୟଙ୍କର ରୂପ ନେଲା ଯେ ଯାହା ପାଇଁ ଆରମ୍ଭ ହେଲା ବିଶ୍ବର ସବୁଠାରୁ ପ୍ରଳୟଙ୍କର ଯୁଦ୍ଧ କୁରୁକ୍ଷେତ୍ର। ତେଣୁ ପାଠକେ! ବିବେକ ରୂପୀ Steering ଅଛି ଆମ ହାତରେ। ଆମେ Accelerator ଆଉ Brakeର ଯଦି ସଦୁପଯୋଗ କରିପାରିବା ତେବେ ଏ ଜୀବନରୂପୀ ଗାଡ଼ି ନିଶ୍ଚୟ ସୁରୁଖୁରୁରେ ଆଗେଇଯିବ ମୋକ୍ଷର ସିଂହଦରଜା ଆଡ଼େ, ନ ହେଲେ ଧର୍ମ ବିନା ଜୀବନର ଗତି କୁଆଡ଼େ ଆପଣ ନିଜେ ବିଚାରକରନ୍ତୁ।

kalyan agarbati

Comments are closed.