ଗାନ୍ଧୀ କେବଳ ବ୍ୟକ୍ତି ନୁହନ୍ତି; ଏକ ବିଚାରଧାରା
୧୯୨୧ ମସିହାର କଥା, ଅହିଂସାର ପୂଜାରୀ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ ପ୍ରଥମ କରି ପାଦ ଥାପିଥିଲେ ଉତ୍କଳ ମାଟିରେ। ସେ ଉତ୍କଳକୁ ଦେଖି ହୋଇଥିଲେ ମର୍ମାହତ କାରଣ ଉତ୍କଳ ଥିଲା ଭାରି ଗରିବ। ଉତ୍କଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କାହା ପାଖରେ ଖାଇବାକୁ ଖାଦ୍ୟ ନାହିଁ ତ ପିନ୍ଧିବାକୁ ପୋଷାକ ନାହିଁ । କାହା ମୁହଁ ଶୁଖି କଳା କାଠ ପଡିଗଲାଣି ତ, ଅସ୍ଥି କଙ୍କାଳ କାହାର ଗଣି ହେଲାଣି। ସେଥିପାଇଁ ବାପୁ ଉତ୍କଳର ସେବାକୁ ଦରିଦ୍ର ନାରାୟଣଙ୍କ ସେବା ବୋଲି ବିଚାର ମନସ୍ଥ କରିଥିଲେ। ଗରିବର ଦୁଃଖ କିପରି ଯିବ ସେଥିପାଇଁ ସେ ସଂଗ୍ରାମ ଆରମ୍ଭ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ ଓ ଗାନ୍ଧୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା । କାରଣ ଉଭୟଙ୍କ ଚିନ୍ତା, ଚେତନା ଥିଲା ଏକ, ସମାଜର ବିକାଶ, ମାନବର କଲ୍ୟାଣ । ଯେବେ ଉତ୍କଳରେ ଦୁର୍ଭିକ୍ଷ, ମରୁଡି, ବନ୍ୟା ହେଉଥିଲା ଗାନ୍ଧୀ ଭାରତର ଧନୀ ଲୋକଙ୍କଠାରୁ ଧନ ସଂଗ୍ରହ କରି ଓଡ଼ିଶାକୁ ପଠାଉ ଥିଲେ । ସେ କାଠଯୋଡ଼ି ସଭାରେ ବିଦେଶୀ ବସ୍ତ୍ର, ବିଦେଶୀ ଶିକ୍ଷା ଓ ବିଦେଶୀ ଚାକିରି ବର୍ଜନ କରିବାକୁ କହିଥିଲେ । ସେଥି ପାଇଁ ତାଙ୍କୁ ଜଣେ ପ୍ରଶ୍ନ କରିଥିଲେ ମହାତ୍ମା “ ଇଂରେଜୀ ପାଠ ତ ମନ୍ଦ, ଆମେ ବୁଝୁଛୁ; ମାତ୍ର ସେହି ଇଂରାଜୀ ପାଠ ପଢି ରାମମୋହନ ରାୟ , ତିଳକ ପରି ନେତା ବାହାରିଛନ୍ତି । ଆପଣ ନିଜେ ତ ସେହି ପାଠ ପଢ଼ି ଏମିତି ହୋଇଛନ୍ତି। ତେବେ ଇଂରାଜୀ ପାଠ ଆମର ଆଖି ଫିଟାଇ ଦେଇଛି ବୋଲି କାହିଁକି ନ କହିବା’’ ? ଉତ୍ତରରେ ଗାନ୍ଧୀ କହିଲେ ମୁଁ ତ ନଗଣ୍ୟ ମୋ କଥା ଛାଡ଼ି ଦିଅ। ତିଳକ, ରାମମୋହନ ଇଂରାଜୀ ଛୁଇଁ ନଥିଲେ ଆହୁରି ବଡ ମଣିଷ ହୋଇଥାନ୍ତେ । ଚୈତନ୍ୟ, କବୀର, ଶଙ୍କରଙ୍କ ତୁଳନାରେ ସେମାନେ ବାମନ ଥିଲେ। କାରଣ ଜନସାଧାରଣଙ୍କ ଉପରେ ତାଙ୍କର ସେମିତି ପ୍ରଭାବ ନଥିଲା। ଶଙ୍କର, ନାନକ, ଚୈତନ୍ୟ ଏପରି ଅନେକ ଭାରତୀୟ ମହାମହାମନୀଷୀ ଯାହା କରି ଯାଇଛନ୍ତି । ତାହା ଇଂରାଜୀ ପଢୁଆମାନେ କ’ଣ କରି ପାରିଛନ୍ତି । ଜାତିକୁ ପୁଣି ଜୀଆଁଇବାକୁ ହେବ ତ, ଇଂରାଜୀ ଶିକ୍ଷା ଦ୍ବାରା ନୁହଁ ।” ଗାନ୍ଧୀ ସର୍ବଦା ସ୍ବଦେଶ ପ୍ରୀତି, ସ୍ୱଦେଶୀ ଶିକ୍ଷା, ସ୍ୱଦେଶୀ ଦ୍ରବ୍ୟକୁ ବେଶୀ ଗୁରୁତ୍ବ ଦେଉଥିଲେ । ତେଣୁ ସେ “କୁଟି ଖାଅ କାଟି ପିନ୍ଧ’’ ନୀତିକୁ ନିଜେ ପାଳନ କରିବା ସହିତ ଅନ୍ୟକୁ ପାଳନ କରିବାକୁ କହୁଥିଲେ।
୧୯୨୦ ମସିହାର କଥା ପୁରୀ ଜିଲା ଦୁର୍ଭିକ୍ଷ ଦ୍ବାରା ଅତ୍ୟନ୍ତ ଖରାପ ହୋଇ ପଡ଼ିଥାଏ। ଗାନ୍ଧୀଙ୍କୁ ଥରୁଟେ ଉତ୍କଳର ଅବସ୍ଥା ଦେଖି ଯିବାକୁ ବାରମ୍ବାର ଅନୁରୋଧ ହେଉଥାଏ। ମାତ୍ର ଗାନ୍ଧୀ ନ ଆସି ପାରିବାରୁ ସେ ଠକ୍କର ବାପାଙ୍କୁ ପଠାଇ ଥିଲେ । ଠକ୍କର ବାପା ଓଡ଼ିଶାର ଗାଁ ଗଣ୍ଡାର ହାଲ ଦେଖି ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଗାନ୍ଧୀ ତାହାକୁ ଗୁଜରାଟୀ ‘ନବଜୀବନ’ କାଗଜରେ ଛାପି ଦେଉଥିଲେ। ଆଉ ଗୁଜରାଟୀମାନଙ୍କଠାରୁ ଯାହା ଅର୍ଥ ଆଦାୟ ହେଉଥିଲା ତାକୁ ଓଡ଼ିଶାର ଦୁର୍ଭିକ୍ଷ ଅଞ୍ଚଳକୁ ପଠାଉଥିଲେ। ସେ ସମୟରେ ପ୍ରାୟ ପଚାଶ ହଜାର ଟଙ୍କା ଆଦାୟ କରି ଠକ୍କର ବାପାଙ୍କ ନିକଟକୁ ପଠାଇ ଥିଲେ ଗାନ୍ଧୀ । ବିଦେଶୀବସ୍ତ୍ର ବର୍ଜନକୁ ସହଜ କରିବା ପାଇଁ ଗାନ୍ଧୀ ଖଦି ଲୁଗାର ଉତ୍ପାଦନ ପ୍ରଚାର ପ୍ରସାର ଉପରେ ବିଶେଷ ଗୁରୁତ୍ବ ଦେଉଥିଲେ। ସେ କହିଥିଲେ- ‘‘ଓଡ଼ିଶାବାସୀଙ୍କୁ ଦାନ ଗଣ୍ଡାକ ଜୁଟେଇ ଦେବା ହିଁ ଓଡ଼ିଶା ପକ୍ଷରେ ସ୍ବରାଜ୍ୟ।’’ ଅନେକ ଓଡ଼ିଆ ବିଦେଶରେ ରହି କାମ କରନ୍ତି । ତାଙ୍କୁ ଖଦି କାମରେ ଲଗାଇ ପାରିଲେ ତାଙ୍କର ଦୁଃଖ ଘୁଞ୍ଚିବ । ଏହା ଦ୍ବାରା ଉତ୍କଳରେ ଖଦି କାମ ବୃଦ୍ଧି ପାଇବ ଯତ୍ ଦ୍ବାରା ଦିନେ ଉତ୍କଳ ଭାରତର ଖଦୀ ଭଣ୍ଡାର ହୋଇ ପାରିବ।’’ ଗାନ୍ଧୀ ‘ସ୍ବାଧୀନତା ଠାରୁ ଓଡ଼ିଆଙ୍କ ଆର୍ଥିକ ଦିଗ’ ପ୍ରତି ଅଧିକ ଧ୍ୟାନ ଦେଉଥିଲେ। ଉତ୍କଳର ଆର୍ଥିକ ବିକାଶ ପାଇଁ ସେ ପାଦରେ ଚାଲି ଚାଲି କପାଚାଷ, ସୂତାକଟା ଓ ହାତବୁଣା ଖଦି ବସ୍ତ୍ର କାମରେ ଲାଗିଥିଲେ । ସ୍ବର୍ଗତ ମଧୁସୂଦନ ଦାସଙ୍କ ସହ ଗାନ୍ଧୀଙ୍କ ଘନିଷ୍ଠ ସମ୍ପର୍କ ଥିଲା, ଉଭୟେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିଲେ। ଉଭୟେ ଅରଟକୁ ପ୍ରାଧାନ୍ୟ ଦେଉଥିଲେ । ସେ କହୁଥିଲେ- ‘‘ଶରୀର ଶ୍ରମରୁ ବୃଦ୍ଧିକୁ ଅଲଗା କରିଦେବା ଫଳରେ ଆମେ ସବୁଠୁ ଅଳ୍ପାୟୁଷ, ସବୁଠାରୁ ସଙ୍ଗତିହୀନ ଓ ସବୁଠାରୁ ଶୋଷିତ ଜାତି ହୋଇ ଯାଇଛୁ।’’ ଦିନକର ଘଟଣା ମଧୁବାବୁଙ୍କ ‘ଉତ୍କଳ ଟ୍ୟାନେରୀ’ ଦେଖିବାକୁ ମହାତ୍ମା ଗାନ୍ଧୀ ସତ୍ୟଭାମାପୁର ଆସିଥିଲେ । ଆଉ ଉତ୍କଳ ଟ୍ୟାନେରୀ ଜୋତା କାରଖାନା ଦେଖି ଖୁସି ମଧ୍ୟ ହୋଇଥିଲେ । ତତ୍ ସହିତ ଗ୍ରାମେ ଗ୍ରାମେ ଚର୍ମାଳୟ ସହିତ ଗୋ ସମ୍ପଦର କିପରି ବିକାଶ ହୋଇପାରିବ ସେଥିପ୍ରତି ମଧୁବାବୁଙ୍କ ସହିତ ଆଲୋଚନା କରିଥିଲେ ।
୧୯୨୧ ମସିହାରେ ପ୍ରଥମେ ଉତ୍କଳ ଗସ୍ତ ସମୟର ପ୍ରାଦେଶିକ କଂଗ୍ରେସ କମିଟି ଗଠନ ହୋଇଥିଲା । ତା’ର ପରବର୍ତ୍ତୀ ପର୍ଯ୍ୟାୟରେ ଗାନ୍ଧୀ କୁରୁତା ଟୋପି ପିନ୍ଧା ଛାଡ଼ି, ଛୋଟ ଖଦି ଓ ଚାଦର ପିନ୍ଧିବା ଆରମ୍ଭ କରିଦେଇଥିଲେ। ଦିନକର ଘଟଣା ଗାନ୍ଧୀ ସମ୍ବଲପୁର ଶୋଭାରେ ସ୍ତ୍ରୀ ଲୋକମାନେ ନିଜେ ବୁଣି ଲୁଗା ପିନ୍ଧିବାର ଦେଖି ବହୁତ ଖୁସି ହୋଇଥିଲେ। ଆଉ ଏକ ବାକ୍ୟ କହିଥିଲେ- “ହନୁମାନଙ୍କର ହୃଦୟ ଚିରି ଦେଖିଲା ବେଳକୁ ରାମ ନାମଲେଖା ଥିବାର ଦେଖାଗଲା, ସେମିତି ମୋର ହୃଦୟ ଚିରି ଦେଖିଲେ ‘ଦରିଦ୍ର ନାରାୟଣ’ ଲେଖା ଥିବାର ଦେଖିବ ।” ଯାହା ମନେରଖିବା ଉଚିତ୍ ଯେ ମହାତ୍ମା ଉତ୍କଳକୁ କେତେ ଭଲପାଉଥିଲେ ।
୧୯୩୦ରେ ଲୁଣ ମରା ସତ୍ୟାଗ୍ରହ ଫଳରେ ଦେଶରେ ଅଦ୍ଭୁତ ଚହଳ ପଡ଼ିଥିଲା। ଆଉ ଉତ୍କଳର କର୍ମୀମାନେ ମଧ୍ୟ ଏଥିରେ ଉତ୍ସାହର ସହିତ ଗାନ୍ଧୀଙ୍କ ସହ ମିଶି ଲବଣ ଆଇନ ଭଙ୍ଗ କରିଥିଲେ । ୧୯୩୨ରେ ଗାନ୍ଧୀ ହରିଜନ ପାଇଁ ଆମରଣ ଉପବାସ କରିଥିଲେ। ସେ ପୁରୀ ଜଗନ୍ନାଥ ଧାମରୁ ୧୯୩୪ ମେ ୯ ତାରିଖ ପଦଯାତ୍ରା ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ, କାଦୁଆ, ବୀରପୁରୁଷୋତ୍ତମପୁର, ଦାଣ୍ଡମୁକୁନ୍ଦପୁର, ପିପିଲି, ଶିଉଳାଚକ, ବାଳକାଟି, ସତ୍ୟଭାମାପୁ୍ର, ବାଲିଅନ୍ତା, ତେଲେଙ୍ଗା ପେଣ୍ଠ, କାଜିପାଟଣା, କଟକ ଅଭିମୁଖେ ଆରମ୍ଭ ହୋଇଥିଲା । ସେଦିନ ତେଲେଙ୍ଗାପେଣ୍ଠ ରାତ୍ରି ରହଣି ସମୟରେ ଗାନ୍ଧୀ ଓ କର୍ମୀ ମଧ୍ୟରେ “କଂଗ୍ରେସ କର୍ମୀଙ୍କ ପିଲାଙ୍କ ଶିକ୍ଷା’’ “ ସମ୍ବନ୍ଧରେ ଏପରି ଆଲୋଚନା ହୋଇଥିଲା । ଗାନ୍ଧୀ ପରାମର୍ଶ ଦେଇଥିଲେ ପ୍ରଚଳିତ ସରକାରୀ ଶିକ୍ଷା ଦେଇ ଲାଭ ନାହିଁ । ବାପା ମା’ଙ୍କ ଠାରୁ ସବୁଠାରୁ ଭଲ ଶିକ୍ଷା ମିଳେ । ଯେଉଁ ବାପା ମା ପିଲାଙ୍କୁ ଶିକ୍ଷା ଦେବା ଦାୟିତ୍ବ ନେଇ ପାରିବେ ନାହିଁ, ସେମାନଙ୍କ ପାଇଁ ପ୍ରତି ପ୍ରଦେଶରେ କିଛି ବ୍ୟବସ୍ଥା ହେବା ଦରକାର।
ଉତ୍କଳର ରମାଦେବୀ, ଆଚାର୍ଯ୍ୟ ହରିହର, ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ଏହି ଯାତ୍ରାରେ ନିଜକୁ ସମ୍ପୂର୍ଣ ଭାବରେ ସାମିଲ କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କିପରି ଉତ୍କଳରୁ ଅସ୍ପୃଶ୍ୟତା ଓ ଅଭାବ ଦୂର ହେବ। ସେଥିପାଇଁ ସେମାନେ କାର୍ଯ୍ୟ କରି ଆସୁଥିଲେ। ଗାନ୍ଧୀ କହୁଥିଲେ “ଭଗବାନ ମନ୍ଦିରରେ ନାହାନ୍ତି କି ମସଜିଦରେ ନାହାନ୍ତି, ବାହାରେ ନାହାନ୍ତି କି ଭିତରେ ନାହାନ୍ତି। ଯଦି ସେ କେଉଁଠି ଥାଆନ୍ତି ତେବେ ତାହା ହେଉଛି ଦୀନ ଓ ଦରିଦ୍ରର କ୍ଷୁଧା ଓ ତୃଷାରେ।” ତେଣୁ ସେ ଦରିଦ୍ରଙ୍କ ସେବାକୁ ନାରାୟଣଙ୍କ ସେବା ବୋଲି ଭାବୁଥିଲେ । ଆଉ ସର୍ବଦା ତତ୍ପର ଥିଲେ । ଡେଲାଙ୍ଗ ସମ୍ମିଳନୀର ଗୋଳମାଳରେ ଗାନ୍ଧୀ ତାଙ୍କ ବାଡ଼ିଟିକୁ କୁଆଡେ ହଜେଇ ଦେଇଥିଲେ। ଏହା ଦେଖି ଆଚାର୍ଯ୍ୟ ହରିହର ଗୋଟେ ସୁନ୍ଦର ବାଡ଼ିନିର୍ମାଣ କରି ଆଣି ଦେଇଥିଲେ। ବାସ୍ତବରେ ଉତ୍କଳ ପ୍ରତି ଗାନ୍ଧୀଙ୍କ ଭୂମିକା ଥିଲା ଅତୁଳନୀୟ ଯେବେ ଉତ୍କଳରେ ବନ୍ୟାୟ, ମରୁଡି, ପ୍ରାକୃତିକ ବିପର୍ଯ୍ୟୟ ଆସେ, ଅସ୍ପୃଶ୍ୟତା, ଜାତି ଭେଦ, ଗରିବୀ କଥା ଉଠେ ମନେ ପଡ଼ିଯାଏ ଗାନ୍ଧୀଙ୍କ କଥା। ମନେ ପଡ଼ି ଯାଏ ଅସ୍ପୃଶ୍ୟତା, ଜାତିଭେଦକୁ ଦୂର କରିବା ପାଇଁ ଅନଶନ କଥା। ମନେ ପଡ଼ିଯାଏ ନିଜ ହାତେ କୁଷ୍ଠ ରୋଗୀଙ୍କୁ ସଫା କରିଦେବା କଥା । ଯାହାକୁ କି ଉତ୍କଳ ତଥା ଆଜିର ଓଡ଼ିଶା କେବେ ଭୁଲିପାରିବ ନାହିଁ।
ଗାନ୍ଧୀ ଏକ ବ୍ୟକ୍ତି ନୁହଁ ଏକ ବିଚାରଧାରା, ସତ୍ୟ, ଅହିଂସା, ନ୍ୟାୟର ପୂଜାରୀ। ଚିରସ୍ମରଣୀୟ, ପୂଜନୀୟ, ବନ୍ଦନୀୟ, ଅଗ୍ରଗଣ୍ୟ ପ୍ରାତ ସ୍ମରଣୀୟ ହୋଇ ଚିରଦିନ ମନେ ରହିବେ ମୋହନ ଦାସ୍ କରମ୍ ଚାନ୍ଦ ଗାନ୍ଧୀ।
Comments are closed.