ଅନନ୍ୟ ନୀତିନିଷ୍ଠ ବାହାଦୁର-ଲାଲ ବାହାଦୁର

ଚିତ୍ତରଞ୍ଜନ ମହାନ୍ତି

ନୀତିନିଷ୍ଠ ଓ ସଂକଳ୍ପବଦ୍ଧ ହେଲେ ଜଣେ ସାଧାରଣ ମଣିଷଟିଏ ମଧ୍ୟ ଇତିହାସର ମୋଡ଼ ବଦଳାଇବା ସମ୍ଭବ। ଏ ତତ୍ତ୍ବକୁ ଯଥାର୍ଥ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ତାଲିକାରେ ନିର୍ବିବାଦୀୟ ଲୋକପ୍ରିୟ ଲାଲବାହାଦୁର ଶାସ୍ତ୍ରୀ। ସେ ଏକ ବିରଳ ଅମ୍ଳାନ ବ୍ୟକ୍ତି। ଭାରତର ରାଜନୈତିକ କ୍ଷେତ୍ରରେ ଜଣେ ଉଜ୍ଜ୍ୱଳ ନକ୍ଷତ୍ର। ସେ ଜଣେ ବିଶୁଦ୍ଧ ଗ୍ରାମୀଣ ଗାନ୍ଧିବାଦୀ ଅଥଚ ସହରୀ ଜବାହରଙ୍କ ଏକାନ୍ତ ବିଶ୍ୱସ୍ତ ସହକର୍ମୀ। ସେହିପରି ‘ଭାରତଛାଡ଼’ ଆନ୍ଦୋଳନର ସଂଗ୍ରାମୀ ଓ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭଳି ଦୁଇ ଭିନ୍ନ ଭୂମିକାରେ ତାଙ୍କର ବିରୋଧାଭାସ ନଥିଲା। କାରଣ ଉଭୟ ଭୂମିକାରେ ତାଙ୍କର ମୂଳମନ୍ତ୍ର ଥିଲା- ମାତୃଭୂମି ସେବା। ଭାରତ ଛାଡ଼ ଆନ୍ଦୋଳନରେ ଜେଲ ଯିବାବେଳେ ଚିକିତ୍ସା ଅଭାବରୁ ସେ ପ୍ରାଣପ୍ରିୟ କନ୍ୟାକୁ ହରାଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପଦର ଛାୟାରେ ଜେଷ୍ଠ ପୁତ୍ର ସଂପନ୍ନ ହେବାକୁ ଚେଷ୍ଟା କରିବା ଜାଣି ସେ ପୁଅଠୁ ନିଜକୁ ଦୂରେଇ ରଖିଥିଲେ। ସାଧାରଣ ପରିବାରରୁ ଆସିଥିବା ଏହି ପାଞ୍ଚ ପୁଟିଆ, ଛୋଟିଆ ମଣିଷଟି ଦେଶର ଘଡିସନ୍ଧି ମୁହୂର୍ତ୍ତରେ ଶାସନର ମଙ୍ଗ ସମ୍ଭାଳି ଦେଶକୁ ବିଜୟ ଧାରାରେ ଯେଭଳି ପ୍ରବାହିତ କ‌େ​‌ଲ ତାହା ବାସ୍ତାବିକ ଅନବଦ୍ୟ ଓ ଅବିସ୍ମରଣୀୟ। ଆଜି ଦେଶ ଆର୍ଥିକ ଓ ସାମାଜିକ ସଂକଟରେ ପଡି କୂଳ କିନାରା ପାଉ ନଥିବା ବେଳେ ଯଶସ୍ୱୀ, ସଫଳ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିଟି ନୀତି ଗ୍ରହଣୀୟ ଓ ପ୍ରତିଟି ପଦକ୍ଷେପ ଅନୁକରଣୀୟ। ଶାସ୍ତ୍ରୀଜୀଙ୍କ ଜନ୍ମ ଉତ୍ତର ପ୍ରଦେଶର ମୋଗଲ ସରାଇରେ ୧୯୦୪ ମସିହାରେ ଅକ୍ଟୋବର ଦୁଇ ତାରିଖ ଦିନ ହୋଇଥିଲା। ତାଙ୍କର ପିତା ମୁନ୍‍ସୀ ସାରଦା ପ୍ରସାଦ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗ ପରେ ମାତା ରାମ ଦୁଲାରୀ ସିଲାଇ ବୃତ୍ତି ଆଦରି ପରିବାର ପୋଷଣ କଲେ ଓ ଉଧାର କରି ଲାଲ ବାହାଦୁରଙ୍କୁ ପଢାଇଲେ। ଶାସ୍ତ୍ରୀ ମଧ୍ୟ ମା’ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ? ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରି କ୍ରମେ ଆଗେଇ ଚାଲିଲେ। କାଶୀ ବିଦ୍ୟାପୀଠକୁ ସେ ସ୍ନାତକ ଉପାଧି ‘ଶାସ୍ତ୍ରୀ’ ପାଇଥିଲେ ଓ ଶ୍ରୀବାସ୍ତବ ବଦଳରେ ଶାସ୍ତ୍ରୀ ହୋଇଗଲେ। ଉଭୟ ଅର୍ଥରେ ସେ ବାସ୍ତବବାଦୀ ଓ ବିଦ୍ୱାନ ଥିଲେ। ଛୋଟ କଳେବର ଯୋଗୁ ତାଙ୍କର ପିଲାଦିନ ଡାକ ନାମ ଥିଲା ନହ୍ନେ(କୁନି ପିଲା)। ବଡ ହୋଇଯିବା ପରେ ପିଲାଦିନ ନାଁ ହଜିଗଲା।

୧୯୬୨ରେ ଭାରତ ଉପରେ ଚୀନର ବିଶ୍ୱାସଘାତୀ ଆକ୍ରମଣ ଓ ପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତା ଯୋଗୁଁ ଯୁଦ୍ଧରେ ଭାରତର ପରାଭବ ନେହେରୁଙ୍କ ନୀତି ଓ ବ୍ୟକ୍ତିତ୍ୱ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ତଥାପି ତାଙ୍କ ବିନା ଭାରତର ଭବିଷ୍ୟତ ଅନ୍ଧକାରମୟ ଦିଶୁଥିଲା। ‘ନେହେରୁଙ୍କ ପରେ କିଏ ?’ ବୋଲି ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଥିଲା। ନେହେରୁଙ୍କ ମୃତ୍ୟୁ ପରେ ମୋରାରଜୀ ଦେଶାଇଙ୍କୁ ଏଡି, କଂଗ୍ରେସ ଦଳ, ତତ୍କାଳୀନ ସଭାପତି କାମରାଜ ନାଦରଙ୍କ ନେତୃତ୍ୱରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ସର୍ବସମ୍ମତି କ୍ରମେ ପ୍ରଧାନମନ୍ତ୍ରୀ କଲା। ସ୍ୱାଧୀନ ଭାରତ ପ୍ରତି ଏହା କଂଗ୍ରେସ ଦଳର ସର୍ବୋକୃଷ୍ଟ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ।

prayash

୧୯୬୪ ମସିହା ଜୁନ ୯ ତାରିଖରେ ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। କାଶ୍ମୀର, ତିବ୍‌ବତ୍ତ, ଭାଷା ନୀତି ଭଳି ନେହେରୁ ଛାଡି ଯାଇଥିବା ସମସ୍ୟାରେ କେବଳ ଛନ୍ଦା ନ ପଡି ଶାସ୍ତ୍ରୀଜୀ ଭାରତର ସାଧାରଣ ମଣିଷକୁ ସଶକ୍ତ କରିବାର ନୀତି ଓ କାର୍ଯ୍ୟକ୍ରମକୁ ଦୃଢତାର ସହ କାର୍ଯ୍ୟକାରୀ କରିବାରେ ଲାଗିପଡିଲେ। ବିଶ୍ୱରେ ସ୍ଥାୟୀ ଶାନ୍ତିପାଇଁ ଭାରତ ସାମୂହିକ ଓ ସାମଗ୍ରିକ ଭାବେ ଶକ୍ତିଶାଳୀ ହେବା ଓ ସ୍ୱାବଲମ୍ବୀ ହେବା ଆବଶ୍ୟକ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା। ଚୀନଠାରୁ ପରାଜୟ ଘଟଣା ତାଙ୍କୁ ଗାନ୍ଧିନୀତି ‘ଅହିଂସା ସବଳର ହିଁ ଅସ୍ତ୍ର ଓ ଦୁର୍ବଳ ପାଇଁ ପରିହାସ’ କଥାକୁ ମାର୍ମିକ ଭାବେ ମନେ ପକାଇ ଦେଉଥିଲା। ଗ୍ରାମ୍ୟ ଅର୍ଥନୀତି ସୁଦୃଢ ନହେଲେ ଓ ଦେଶ ଖାଦ୍ୟ କ୍ଷେତ୍ରରେ ଅନ୍ତତଃ ସ୍ୱାବଲମ୍ବୀ ନ ହେଲେ ଦୀର୍ଘ ଲଢ଼େଇ ଲଢ଼ି ହେବ ନାହିଁ ବୋଲି ସେ ଚୀନ ଯୁଦ୍ଧରେ ପରାଜୟ ଅନୁଭୂତିରୁ ଜାଣିଥିଲେ। ତାଙ୍କ ‘ଜୟ ଯବାନ ଜୟ କିଷାନ’ ସ୍ଲୋଗାନ ସେଇ ନୀତିର ମନ୍ତ୍ର। ଦେଶର ଅଖଣ୍ଡତା ଓ ଏକତା ରକ୍ଷା କରିବାରେ ଶାସ୍ତ୍ରୀଜୀ ଥିଲେ ଅଦ୍ୱିତୀୟ। ଧର୍ମକୁ ସେ ଦେଶପ୍ରେମର ମାନଦଣ୍ଡରେ ମାନୁ ନଥିଲେ। ତାଙ୍କର ପ୍ରେରଣା ଫଳରେ ଉତ୍ତର ପ୍ରଦେଶର ମୁସଲମାନ ଅବଦୁଲ ହମିଦ୍‍ ଭାରତ-ପାକିସ୍ଥାନ ଯୁଦ୍ଧରେ ପାକିସ୍ତାନର ପ୍ୟାଟନ ଟ୍ୟାଙ୍କ ବ୍ରିଗେଡ୍‍ର ସଫଳ ମୁକାବିଲା କରି ନିଜେ ସହିଦ ହେ‌ଲେ ଓ ଭାରତକୁ ବିଜୟୀ କରିବାରେ ଅବଦାନ ଯୋଗୁ ଆମର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ରରେ ଭୂଷିତ ହେଲେ। ଦେଶ ଐକ୍ୟବଦ୍ଧ ଓ ସମୃଦ୍ଧ ହେଲେ କେହି ତାକୁ ଆକ୍ରମଣ କରିବା ତ ଦୂରର କଥା ଅସନ୍ତୁଷ୍ଟ କରିବାକୁ ଇଚ୍ଛା କି ସାହସ କରିବେ ନାହିଁ ବୋଲି ସେ ବିଚାରୁଥିଲେ। ସେଥିପାଇଁ ଧର୍ମ, ଜାତି, ଭାଷା ବିବାଦକୁ ସେ ସବୁଦିନ ପାଇଁ ଖତମ କରିବାକୁ ଚାହୁଁଥିଲେ। ବିରୋଧୀ ଦଳର ନେତାଙ୍କ ପ୍ରତି ତାଙ୍କର ଅଶେଷ ଶ୍ରଦ୍ଧା ଓ ସମ୍ମାନ ଥିଲା। ତାଙ୍କ ସମୟରେ ଦୁଇ ବିଦ୍ୱାନ ତ୍ୟାଗୀ ନେତା ଦୁଇଟି ଧାରାର ନେତୃତ୍ୱ ନେଉଥିଲେ। ଡ. ରାମ ମନୋହର ଲୋହିଆ ଥିଲେ ସମାଜବାଦୀ ଧାରାର ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଥିଲେ ଧାର୍ମିକ ଧାରାର।

ଗୁଜୁରାଟର ରାନ ଓ କଚ୍ଛ ଅଞ୍ଚଳରେ ପାକିସ୍ତାନ ଉସକେଇବା ପାଇଁ ସାମରିକ ଅନୁପ୍ରବେଶ କଲା। ପାକିସ୍ତାନ ବିରୁଦ୍ଧରେ ସମଗ୍ର ଦେଶ ଏକଜୁଟ ହେଲା। ଲୋହିଆଙ୍କ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ଓ ଦୀନଦୟାଲ ଉପାଧ୍ୟାୟଙ୍କ ଜନସଂଘ ପାର୍ଟି କଚ୍ଛ ମୁକ୍ତି ପାଇଁ ମିଳିତ ସତ୍ୟାଗ୍ରହ କଲେ। ଶାସ୍ତ୍ରୀ ପ୍ରଥମେ କୂଟନୈତିକ ଉପାୟ ଖୋଜିଲେ। ଦେଶ ବିଭାଜନ କରିଥିବା ବ୍ରିଟିଶ ସରକାରକୁ ସୀମାରେଖାକୁ ପୁନର୍ବାର ଟାଣିବା ପାଇଁ ବାଧ୍ୟ କଲେ। ଫଳରେ ରାନ କଚ୍ଛର ମୋଟ ଅନାବାଦୀ କାଦୁଆ ଅଞ୍ଚଳ ୩ହଜାର ପାଞ୍ଚ ଶହ ବର୍ଗ କି.ମି ରୁ ମାତ୍ର ତିନିଶହ ପଚାଶ ବର୍ଗ କି.ମି ପାକିସ୍ତାନ ଭାଗରେ ପଡିଲା। କାଶ୍ମୀର ସଂକ୍ରାନ୍ତରେ ମିଳିତ ଜାତିସଂଘରେ ଚଗଲାଙ୍କ ତଥ୍ୟ ଓ ତର୍କ ଭିତ୍ତିକ ଉପସ୍ଥାପନ ସବୁଦିନ ପାଇଁ ବିଶ୍ୱ ଦୃଷ୍ଟିରେ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରି ଦେଇଥିଲା। ରାଷ୍ଟ୍ରପତି ଆୟୁବ ଖାଁ କାଶ୍ମୀର ବାହାନାରେ ଯୁଦ୍ଧ କଲେ। ସେନା ମୁଖ୍ୟମାନଙ୍କ ଚକିତ କରି ସେ ଆଦେଶ ଦେଲେ ଯେ ଯଦି ପାକିସ୍ଥାନ ଶ୍ରୀନଗର ଦଖଲ କରିବାକୁ ଲାଳାୟିତ ଆମକୁ ଲାହୋର ଦଖଲ କରିବାକୁ ହେବ। ସେନା ଅଧିକାରୀ ହରବକ୍‍ସ ସିଂହ ପ୍ରତିକ୍ରିୟାରେ କହିଲେ, ‘ଛୋଟିଆ ମଣିଷଟିର ଏତେ ବଡ ଆଦେଶକୁ ସେନା କି ଦେଶ ଭୁଲିପାରିବେ ନାହିଁ।’ ଭ୍ରଷ୍ଟାଚାର ସବୁଠୁ ବଡ଼ ଦେଶଦ୍ରୋହ ବୋଲି ଶାସ୍ତ୍ରୀଜୀ ମଣୁଥିଲେ। ତାଙ୍କ ଅମଳରେ ସି.ବି.ଆଇ. ତଦନ୍ତର ପରିସର ଦିଲ୍ଲୀରୁ ସାରାଦେଶକୁ ପରିବ୍ୟାପ୍ତ ହେଲା। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଉଭୟଙ୍କର ଜନ୍ମ ତିଥି ଅକ୍ଟୋବର ଦୁଇରେ ପଡୁଛି। ଲୋକେ ମହାତ୍ମାଙ୍କୁ ମନେ ପକାଇବାକୁ ଯାଇ ଲାଲବାହାଦୁରଙ୍କୁ ଭୁଲି ଯାଉଛନ୍ତି। ଯାହା ଦେଶ ଓ ସମାଜ ପାଇଁ ହିତକର ନୁହେଁ। ଗାନ୍ଧିଜୀ ଶାସ୍ତ୍ରୀଜୀ ପରସ୍ପରର ପରିପୂରକ। ଗାନ୍ଧିଜୀ ଗହଣା ଓ ତାଙ୍କ ପିନ୍ଧିବା ପାଇଁ ଲୋଡା କାନ ହେଲେ ଶାସ୍ତ୍ରୀ। କାରଣ କାନ ନଥିଲେ, ଗହଣା ଖାଲି ପେଡ଼ି ସାଇତା ହୋଇ ରହିବ ଯେମତି ଗାନ୍ଧିବାଦ ପୋଥିସାଇତା ହୋଇ ଉଇ ଖାଉଛି। ଗାନ୍ଧୀ ପଥ ହେଲେ ଶାସ୍ତ୍ରୀ ପଥିକ। ଆଜି ଦେଶ ଦୁନିଆ ଏକଚାଟିଆ ପୁଞ୍ଜିବାଦ ତଥା ପରୋକ୍ଷ ଉପନିବେଶବାଦର କଷାଘାତରେ ଜର୍ଜରିତ ଓ ରକ୍ତାକ୍ତ। ସଇତାନର ବେଦପାଠରେ କାନ ତାବ୍‍ଦା। ଏଇ ସମୟରେ ଯଦି ଶାସ୍ତ୍ରୀଙ୍କ ‘ସରଳ ଜୀବନ ଓ ଉଚ୍ଚ ଚିନ୍ତନ’ର ଜୀବନାଦର୍ଶ ସମାଜରେ ପରିବ୍ୟାପ୍ତ ନହେବ ତେବେ ଭବିଷ୍ୟତ ଅନିଶ୍ଚିତ ଓ ଅନ୍ଧକାରମୟ ହେବା ଅବଧାରିତ। ଶାସ୍ତ୍ରୀଙ୍କ ପ୍ରେରଣା ସ୍ରୋତ ଥିଲେ ତାଙ୍କ ମା’ ଓ ତାଙ୍କ ଆପଣା ସଂଗଠନ ଲୋକସେବକ ମଣ୍ଡଳ। ତ୍ୟାଗପୂତ ସରଳ ଜୀବନ ସତ୍ତ୍ବେ କର୍ମନିଷ୍ଠା ଓ ବାହାଦୁରପଣିଆ ଯୋଗୁ ଶାସ୍ତ୍ରୀଜୀ କ୍ଷମତା ରାଜନୀତିର ସୋପାନ ଚଢ଼ି ଦେଶର ଶୀର୍ଷତମ ପଦରେ ଆସୀନ ହୋଇଥିଲେ। ଅବଦୁଲ ହମିଦ୍‍ ହୁଅନ୍ତୁ କି ଲାଲବାହାଦୁର ଶାସ୍ତ୍ରୀ ହୁଅନ୍ତୁ କେହି ଘର ପାଇଁ କିଛି ନ ରଖି ଦେଶପାଇଁ ସହିଦ ତ୍ୟାଗର ଦୃଷ୍ଟାନ୍ତ ଛାଡ଼ିଯାଇଛନ୍ତି। ସେଥିପାଇଁ ସେମାନେ ଚିରସ୍ମରଣୀୟ ଓ ବନ୍ଦନୀୟ। (ଜୟନ୍ତୀ ଉପଲକ୍ଷେ)

kalyan agarbati

Comments are closed.