ଜାତୀୟ ସେବା ଯୋଜନା: ଯୁବ ବିକାଶର ପ୍ରୟୋଗଶାଳା
ରମେଶ ଚନ୍ଦ୍ର ବେହେରା
ଜାତୀୟ ସେବା ଯୋଜନା ବା ନେସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍.ଏସ୍.ଏସ୍) ଆମ ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବରଦାନ ସଦୃଶ। ସମାଜ ସେବା ଜରିଆରେ ଛାତ୍ରଛାତ୍ରୀମାନେ ନିଜ ବ୍ୟକ୍ତିତ୍ୱର ବିକାଶ ସାଧନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଥିବା ଏନ୍.ଏସ୍.ଏସ୍. ଏକ ସୁସଂଗଠିତ ଯୁବ କଲ୍ୟାଣକାରୀ ବ୍ୟବସ୍ଥା ଭାବରେ ସର୍ବଜନବିଦିତ ହୋଇପାରିଛି। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ପରିଚାଳିତ ଏହି ଯୋଜନାରେ ସଂପ୍ରତି ପ୍ରାୟ ଚାଳିଶ ଲକ୍ଷ ବିଦ୍ୟାର୍ଥୀ ସମଗ୍ର ଦେଶରେ ବହୁମୁଖୀ ସାମାଜିକ କାର୍ଯ୍ୟରେ ନିୟୋଜିତ ହେବା ଗୌରବର ବିଷୟ। ଆମ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଏହି ଯୋଜନା ୨୪ଟି ବିଶ୍ୱବିଦ୍ୟାଳୟ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ସଂପ୍ରସାରିତ ହୋଇଛି ଏବଂ ଏଥିରେ ଏବେ ୧,୨୪,୧୦୦ ଜଣ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଭାବରେ ଅଂଶଗ୍ରହଣ କରି ସମାଜ ସେବାର ବାହକ ସାଜିବା ଅତ୍ୟନ୍ତ ଆନନ୍ଦର କଥା।
ଉଚ୍ଚ ମାଧ୍ୟମିକ ସ୍ତରରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇ ନିଜ ଶିକ୍ଷାର୍ଥୀ ଜୀବନକୁ ଅଧିକ ଶକ୍ତିଶାଳୀ ଓ ସଂପ୍ରସାରଣଶୀଳ କରିବାର ସୁଯୋଗ ପାଇଥାନ୍ତି। ବିଦ୍ୟା ଅଧ୍ୟୟନ ସହ ସମାଜର ଛୋଟବଡ଼ ସମସ୍ୟା ଅଧ୍ୟୟନ ପୂର୍ବକ ସେଗୁଡ଼ିକର ସମାଧାନ ପାଇଁ ଏନ୍.ଏସ୍.ଏସ୍ ଯୋଗାଇ ଦେଇଥାଏ ଏକ ପ୍ରୟୋଗଶାଳା। ଜଣେ ପ୍ରଶିକ୍ଷଣପ୍ରାପ୍ତ ଅଧ୍ୟାପକ / ଅଧ୍ୟାପିକା ଗୋଟିଏ ଏନ୍.ଏସ୍.ଏସ୍ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଭାବରେ ଦାୟିିତ୍ୱ ନିର୍ବାହ କରିଥାନ୍ତି। ତାଙ୍କ ଅଧୀନରେ ଶହେ ଜଣ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଭାବରେ ମନୋନୀତ ହୋଇ ଅବସର ସମୟ ବା ଛୁଟି ଦିନରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ସଂପୃକ୍ତ ହୋଇଥାନ୍ତି। ବର୍ଷସାରା ନିୟମିତ କାର୍ଯ୍ୟକ୍ରମ ସହ ଦଶହରା ପୂଜା ଛୁଟି, ଗ୍ରୀଷ୍ମକାଳୀନ ଛୁଟି ବା ଅନ୍ୟ ଅବକାଶ ସମୟରେ ସ୍ୱେଚ୍ଛାସେବୀମାନେ ପୋଷ୍ୟଗ୍ରାମରେ ସାତ ଦିନିଆ ସ୍ୱତନ୍ତ୍ର ଶିବିର ଆୟୋଜନ କରନ୍ତି।
ଏହି ଶିବିର ଏକ ସୁସଂଯୋଜିତ ଓ ସୁସମନ୍ୱିତ କାର୍ଯ୍ୟକ୍ରମ। ସ୍ଥୂଳତଃ ଜାତୀୟ ସେବା ଯୋଜନା ଛାତ୍ରବିକାଶ, ସମାଜ ବିକାଶ ଓ ଦେଶବିକାଶର ଅନ୍ୟତମ ବଳିଷ୍ଠ ମାଧ୍ୟମ ରୂପେ ସଂଚାଳିତ। ଶିକ୍ଷା ଓ ସେବା, ତତ୍ତ୍ୱ ଓ ପ୍ରୟୋଗ, ଶିକ୍ଷାନୁଷ୍ଠାନ ଓ ଜନଗୋଷ୍ଠୀ, ସମସ୍ୟା ଓ ସମାଧନ, ମାନ ଓ ମୂଲ୍ୟବୋଧ, ଏକତା ଓ ବିବିଧତା ସର୍ବୋପରି ବ୍ୟକ୍ତିବାଦ ଓ ରାଷ୍ଟ୍ରବାଦ ମଧ୍ୟରେ ଏନ୍.ଏସ୍.ଏସ୍ ଯେ ଏକ ସଂଯୋଗ ସେତୁର ଭୂମିକା ନିର୍ବାହ କରିଥାଏ, ତାହା ଅନୁଧ୍ୟାନର ବିଷୟ।
କଥାରେ ଅଛି – ‘ଗାଁ ପରିମଳ ଧୋବା ତୁଠରୁ’। ତେଣୁ ସ୍ୱେଚ୍ଛାସେବୀମାନେ ପ୍ରଥମେ ନିଜ ଶିକ୍ଷାନୁଷ୍ଠାନ ପରିସରର ସ୍ୱଚ୍ଛତା, ସବୁଜିମା ଓ ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଧାନ୍ୟ ଦେବା ସାଧାରଣ କଥା। ଶିକ୍ଷାୟତନ ସହ ନିବିଡ଼ ଭାବରେ ସଂଯୋଗର ଏହା ହିଁ ଆଦ୍ୟପର୍ବ। ପୋଷ୍ୟଗ୍ରାମରେ ବସବାସ କରୁଥିବା ଅପେକ୍ଷାକୃତ କମ୍ ଉନ୍ନତ ବା ଅନୁନ୍ନତ ବର୍ଗର ଲୋକମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଚଳଣି ଇତ୍ୟାଦିର ଅଭିବୃଦ୍ଧି ପାଇଁ ସ୍ୱେଚ୍ଛାସେବୀମାନଙ୍କ ସାମୂହିକ ଯୋଗଦାନ ସେମାନଙ୍କ ଶିକ୍ଷାର୍ଥୀ ଜୀବନକୁ ଅଧିକ ପ୍ରାଣବନ୍ତ ଓ କ୍ରିୟାଶୀଳ କରେ। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷାକରି ଜନଗୋଷ୍ଠୀର ଆବଶ୍ୟକତା ପୂରଣ ଦିଗରେ ସେମାନେ ଯତ୍ନବାନ୍ ହୁଅନ୍ତି। କେତେବେଳେ ରକ୍ତଦାନ କରି ତ କେତେବେଳେ ଚାରାରୋପଣ କରି, କେତେବେଳେ ନିଶା ଓ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରି ତ, ଆଉ କେତେବେଳେ ସଡ଼କ ନିରାପତ୍ତା ସମ୍ପର୍କରେ ଜାଗରଣ ସୃଷ୍ଟି କରି ଜନସେବାର କ୍ଷେତ୍ର ବ୍ୟାପକ କରିଥାନ୍ତି। ଏଥି ସହିତ ବନ୍ୟା, ବାତ୍ୟା, ମହାମାରୀ, ଦୁର୍ଘଟଣା ଇତ୍ୟାଦି ସମୟରେ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନକୁ ସେମାନେ ସହଯୋଗ କରି ଜଣେ ଜଣେ ଦାୟିତ୍ୱବାନ ଛାତ୍ରଛାତ୍ରୀ ଭାବରେ ପ୍ରଶଂସିତ ହୋଇଥାନ୍ତି।
ପ୍ରତି ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ଏହି ଯୋଜନାର ଦ୍ୱାର ଉନ୍ମୁକ୍ତ। କଳା, ବିଜ୍ଞାନ, ବାଣିଜ୍ୟ, ଡାକ୍ତରିପାଠ, ପ୍ରଯୁକ୍ତିବିଦ୍ୟା, ଆଇନ ଇତ୍ୟାଦି ଯେ କୌଣସି ପ୍ରକାର ଶିକ୍ଷାନୁଷ୍ଠାନର ଯୁବଶକ୍ତି ବିଭିନ୍ନ ଶ୍ରମଦାନମୂଳକ କାର୍ଯ୍ୟକ୍ରମ ସହ ନିଜର ଜ୍ଞାନକୁ ସେବା କ୍ଷେତ୍ରରେ ବିନିଯୋଗ କରିବାର ସୁଯୋଗ ପ୍ରାପ୍ତ ହୋଇଥାନ୍ତି। ଉଦାହରଣ ସ୍ୱରୂପ ଡାକ୍ତରି ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରି ଗରିବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଆଗଭର ହେଲାବେଳେ ଆଇନପାଠର ଛାତ୍ର ସ୍ୱେଚ୍ଛାସେବୀମାନେ ଗ୍ରାମ ଅଦାଲତ ଆୟୋଜନ କରି ଲୋକମାନଙ୍କର କଳିତକରାଳ ମେଣ୍ଟାଇବା ପୂର୍ବକ ସେମାନଙ୍କୁ ଅଯଥା କୋର୍ଟକଚେରି ଖର୍ଚ୍ଚରୁ ରକ୍ଷା କରନ୍ତି।
ସେଇପରି ପ୍ରଯୁକ୍ତିବିଦ୍ୟାର ସ୍ୱେଚ୍ଛାସେବକମାନେ କମ୍ପ୍ୟୁଟର ସାକ୍ଷରତା, ସାଇବର ଅପରାଧ, ସାମାଜିକ ଗଣମାଧ୍ୟମର ସଦୁପଯୋଗ ବିଷୟରେ ସଚେତନତା ସୃଷ୍ଟିରେ ସହାୟକ ହୋଇଥାନ୍ତି। କଳାଶ୍ରେଣୀର ସ୍ୱେଚ୍ଛାସେବୀମାନେ କୁପ୍ରଥା, ଅନ୍ଧବିଶ୍ୱାସ ଆଦି ସାମାଜିକ ବ୍ୟାଧିର ପ୍ରତିକାର ଦିଗରେ ଜନ ସଚେତନତା ସୃଷ୍ଟି କରିବା ଉଲ୍ଲେଖନୀୟ। ସାକ୍ଷରତା ଆଭିଯାନ ଓ ପରିବେଶ ସୁରକ୍ଷାରେ ମଧ୍ୟ ସେମାନଙ୍କର ସକ୍ରିୟ ସହଯୋଗ ଦେଖିବାକୁ ମିଳେ। ଶ୍ରେଣୀ କକ୍ଷରେ ଆୟତ୍ତ କରୁଥିବା ତାତ୍ତ୍ୱିକ ଜ୍ଞାନ ସହ ପ୍ରାୟୋଗିକ ବିନିଯୋଗକୁ ଏନ୍.ଏସ୍.ଏସ୍ ଅତି ଚମତ୍କାର ଭାବରେ ଯୋଡ଼ି ଦେଇଥାଏ। ଗୋଟିଏ ପଟେ ଜ୍ଞାନବିଜ୍ଞାନର ଗହନ ବନ ଅନ୍ୟ ପଟେ ସୁଖ ସୌଭାଗ୍ୟରୁ ବଞ୍ଚିତ ଜନସାଧାରଣ, ଏକ ପାଖରେ ଶିକ୍ଷାୟତନର ସଚେତନ ପରିବେଶ ଅନ୍ୟ ପାଖରେ ନିରକ୍ଷର ଜନଗୋଷ୍ଠୀର ବସବାସ – ଏ ଉଭୟ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆଗେଇ ଆସେ। ଉଚ୍ଚ ପାଠୁଆର ଅହଂକାର ବଦଳରେ ମଣିଷ ପଣିଆର ମୁକୁଳ ଧାରଣରେ ସେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରେ। ଫଳରେ ଶିକ୍ଷିତ-ଅଶିକ୍ଷିତ, ଅଭିଜାତ-ଅନଭିଜାତ ମଧ୍ୟରେ ଦୂରତା ସଂକୁଚିତ ହେବାର ଆଶା ଉଜ୍ଜୀବିତ ହୁଏ। ସମାଜ ପ୍ରତି ସମ୍ବେଦନଶୀଳ ହେବାର ଉଦାର ଭାବନା ଏହି ଛାତ୍ର ସମୟରୁ ହିଁ ବିକଶିତ ହୁଏ। ଅନ୍ୟର ଦୁଃଖସୁଖରେ ସହଭାଗୀ ହେବାପାଇଁ ଆଗ୍ରହ ଜନ୍ମେ। ଜାତୀୟ ସେବା ଯୋଜନାର ବିବିଧ କାର୍ଯ୍ୟକ୍ରମରେ ଭାଗ ନେଇ ଜନସେବାର ଉନ୍ମୁକ୍ତ ଇଲାକାରେ ବିଚରଣ କରୁ କରୁ ଛାତ୍ର-ସ୍ୱେଚ୍ଛାସେବୀଟିଏ ଅନେକ ସମସ୍ୟାକୁ ସାମ୍ନା କରେ ଏବଂ ତା’ର ସମାଧାନର ରାସ୍ତା ଖୋଜିଥାଏ। ଫଳରେ ତା’ର ବ୍ୟକ୍ତିତ୍ୱ ଟାଣହୁଏ, ସେ ନିଜ ଜୀବନରେ ଭେଟୁଥିବା ଅନେକ ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ପ୍ରେରଣା ପାଏ।
ଏନ୍.ଏସ୍.ଏସ୍ର ମୂଳମନ୍ତ୍ର ‘କେବଳ ମୁଁ ନୁହେଁ ଆପଣ’ (ନଟ୍ ମି ବଟ ୟୁ) ଏଇ ଦର୍ଶନର ଦ୍ୟୋତକ। ମାନବିକତା, ଭ୍ରାତୃତ୍ୱ, ଜୀବେଦୟା, ସତ୍ୟ ଓ ନ୍ୟାୟ ଇତ୍ୟାଦି ମାନବିକ ଗୁଣାବଳୀର ଉପାସନା ପାଇଁ ଏହାର ପରିସର ଅତ୍ୟନ୍ତ ଉର୍ବର। ଏହି ଯୁବଯୋଜନା ବିବିଧତା ଓ ଏକତା ମଧ୍ୟରେ ସଂଯୋଗ ସୃଷ୍ଟି କରେ। କଲେଜ ସ୍ତରରେ ହେଉ କି ଜିଲା ସ୍ତରରେ ହେଉ, ବିଶ୍ୱବିଦ୍ୟାଳୟ ସ୍ତରରେ ହେଉ କି ରାଜ୍ୟ ସ୍ତରରେ ହେଉ ଯେଉଁଠି ଏନ୍.ଏସ୍.ଏସ୍ ଶିବିର ଆୟୋଜିତ ହୁଏ ସେଠି ବିଭିନ୍ନ ବର୍ଗର, ରୁଚିର, ଚଳଣିର ଛାତ୍ରଛାତ୍ରୀ ଏକତ୍ର ହୋଇ କାର୍ଯ୍ୟକ୍ରମ ପରିଚାଳନା କରନ୍ତି। ଜଣେ ଅନ୍ୟ ଜଣଙ୍କର କଥାବାର୍ତ୍ତା, କାର୍ଯ୍ୟଧାରା, ଦକ୍ଷତା, କୃତିତ୍ୱ ସହ ଖାପଖୁଆଇ ସାମୂହିକ ଶୃଙ୍ଖଳାକୁ ସମ୍ମାନ ଦେବାର କଳା ଆୟତ୍ତ କରେ। ଭିନ୍ନତା ଭିତରେ ଏକତାର ଅନୁଭବ ଅଧିକ ଶାଣିତ ହୁଏ ଜାତୀୟ ସଂହତି ଶିବିରଗୁଡ଼ିକରେ। ବର୍ଷର ବିଭିନ୍ନ ସମୟରେ ଦେଶର ବହୁ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏନ୍.ଏସ୍.ଏସ୍ର ଜାତୀୟ ସଂହତି ଶିବିରଗୁଡ଼ିକ ଏକଭାବନା ବିକାଶର ଗୋଟିଏ ଗୋଟିଏ ପ୍ରକୃଷ୍ଟ ସ୍ଥଳ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଭୂଗୋଳ, ସଂପ୍ରଦାୟର ବୈଚିତ୍ର୍ୟ ସହିତ ଏକନାଗରିକତ୍ୱ ଆଦର୍ଶ ଯୋଡ଼ିଦେବା ପାଇଁ ଏହି ଯୋଜନା ସତତ ଉନ୍ମୁଖ।
ଏହାର ଚରମ ଲକ୍ଷ୍ୟ ବ୍ୟକ୍ତିବାଦ ସହ ରାଷ୍ଟ୍ରବାଦର ସଂଯୋଗ। ଛାତ୍ରଛାତ୍ରୀମାନେ ନିଜ ତଥା ନିଜ ପରିବାରର ଉନ୍ନତି ସାଧନ କରିବା ପାଇଁ ଶିକ୍ଷା ଗ୍ରହଣ କଲାବେଳେ ଜାତୀୟ ସେବା ଯୋଜନା ସେମାନଙ୍କୁ ଗୋଷ୍ଠୀସ୍ୱାର୍ଥ, ସମାଜ ସ୍ୱାର୍ଥ ସର୍ବୋପରି ରାଷ୍ଟ୍ରସ୍ୱାର୍ଥର ଜଣେ ଜଣେ ଜାଗ୍ରତ ପ୍ରହରୀ ହେବାପାଇଁ ଅଫୁରନ୍ତ ଉତ୍ସାହ ପ୍ରଦାନ କରେ। ସଂକୀର୍ଣ୍ଣ ସ୍ୱାର୍ଥପରତାରୁ ମୁକ୍ତ ହୋଇ ସେମାନେ ଉଦାର ସମୂହପରତାର ଜୟଗାନ ପାଇଁ ଆଗେଇ ଆସିବା ଦ୍ୱାରା ଦେଶ ଓ ଦଶର ଅଶେଷ କଲ୍ୟାଣ ସାଧନ ହୁଏ। ଏନ୍.ଏସ୍.ଏସ୍ର ଏହି ମହତ୍ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟକ୍ଷ, ଅଭିଭାବକ ପ୍ରମୁଖ ଅନୁଭବ କରି ଏଥିପ୍ରତି ସକାରାତ୍ମକ ମନୋଭାବ ପୋଷଣ କଲେ ‘ଛାତ୍ରଶକ୍ତି ଯେ ରାଷ୍ଟ୍ରଶକ୍ତି’ ଏ କଥା ଅଧିକ ମାତ୍ରାରେ ସାକାର ହେବ।
Comments are closed.