ଓଡ଼ିଆ ଭାଷା ଆନ୍ଦୋଳନ ଓ କବି ଗଙ୍ଗାଧର
ଦିଲୀପ ଦାଶଶର୍ମା
ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ସ୍ୱଭାବକବି ଭାବେ ପରିଚିତ ଗଙ୍ଗାଧର ମେହେର ସମ୍ବଲପୁର ଜିଲାର ବରପାଲି ଠାରେ ୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖ ଦିନ ଶ୍ରାବଣ ପୂର୍ଣ୍ଣିମା ତିଥିରେ ପିତା ଚୈତନ୍ୟ ମେହେର ଓ ମାତା ସେବତୀ ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ। ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଭିତରେ ପାଠ ପଢି ନପାରି ନିଜ କୈାଳିକ ବୃତ୍ତିକୁ ଆପଣାଇ ନେଇଥିଲେ ମଧ୍ୟ ସେ ଭାଙ୍ଗି ପଡି ନଥିଲେ। ମାତ୍ର ୧୬ ବର୍ଷ ବୟସରେ ବିବାହ ହେବା ସହିତ ପାଠ ପଢା କମ ଥିଲେ ମଧ୍ୟ ତାଙ୍କର ଅମର ଲିଖନୀରୁ ପ୍ରଣୟ ବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, ଅଯୋଧ୍ୟା ଦୃଶ୍ୟ, କବିତା କଲ୍ଲୋଳ, ଅର୍ଘ୍ୟଥାଳି, ଅହଲ୍ୟାସ୍ତବ, ମହିମା, ଭାରତୀ ରୋଦନ, କବିତାମାଳା ଓ କୃଷକ ସଙ୍ଗୀତ ଆଦି ବହୁ କାବ୍ୟ କବିତା ନିଃସୃତ ହୋଇଛି। ଉଚ୍ଚକୋଟୀର କାବ୍ୟ କବିତା ପାଇଁ ସେତେବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ସୁଢଳ ଦେବ, କବି ରାଧାନାଥ ରାୟ ପ୍ରଭୃତିଙ୍କ ପ୍ରଶଂସା ଭାଜନ ହୋଇଥିଲେ ସ୍ୱଭାବ କବି ଗଙ୍ଗାଧର। ଡ. ମାୟାଧର ମାନସିଂହଙ୍କ ଭାଷାରେ ସେ ଥିଲେ ଓଡ଼ିଶାର ‘କାଳିଦାସ’। ତାଙ୍କ କବିତାରେ ସେ ପ୍ରକୃତିକୁ ବର୍ଣ୍ଣନା କରିବା ସହିତ ମାତୃଭାଷାକୁ ଭଲ ପାଇ ନିଜ ଜନ୍ମ ମାଟିର ଭାଷାକୁ ଉଚ୍ଚ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥି ପାଇଁ ସେ ଲେଖିଥିଲେ –
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା।
କେବଳ ସେତିକି ନୁହେଁ; ମାତୃଭାଷାକୁ ଭଲ ପାଇବାକୁ ଯାଇ ସେ ଅଧିକ ଭାବ ବିହ୍ବଳ ହୋଇ ମାତୃଭାଷା ପାଇଁ ଯାହାର ମମତା ନାହିଁ ତାକୁ ଅଜ୍ଞାନୀ ବୋଲି କହିବାକୁ ପଛାଇ ନଥିଲେ। ତାଙ୍କ ଲେଖନି ମୁନରୁ ଝରି ପଡ଼ିଛି –
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ,
ତାଙ୍କୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ।
ଗଙ୍ଗାଧର ମେହେର ନିଜ ମାତୃଭାଷାକୁ ବହୁତ ଭଲ ପାଉଥିଲେ। ସେ ନିଜ ମାତୃଭାଷାକୁ ଉଚ୍ଚ କରିବା ପାଇଁ କେବଳ ଲେଖୁ ନଥିଲେ କି କହୁ ନଥିଲେ, ସେ ଓଡ଼ିଆ ଭାଷା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ତାଙ୍କ ସମୟରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଭାଷା ଆନ୍ଦୋଳନର ଯେଉଁ ପ୍ରମୁଖ ଅଭିଯୋଗ ଥିଲା, ତାହା ହେଲା – ଓଡ଼ିଆ ଭାଷା ଉପରେ ହିନ୍ଦୀ, ବଙ୍ଗଳା ଓ ତେଲୁଗୁ ଆଦି ଭାଷାର କର୍ତ୍ତୃତ୍ୱ। ଏହାକୁ କବି ବେଶ୍ ଅନୁଭବ କରିଥିଲେ ଓ ଆନ୍ଦୋଳନରେ ନିବିଡ ଭାବେ ଜଡିତ ଥିଲେ। ମାତ୍ର ତୀବ୍ର ଅଭିଯୋଗ କିମ୍ବା ଦୃଢ ପ୍ରତିବାଦ ନକରି ବିନୟ ଭାବରେ ନିବେଦନ କରିବା ପାଇଁ କହିଛନ୍ତି। ସେ ଲେଖିଛନ୍ତି –
ବିନୟ ଭାବରେ ନିବେଦନ କର
ସର୍ବେ ହୋଇ ଏକମୁଖ,
ଧର୍ମ ଅବତାର ରାଜ ରାଜେଶ୍ୱର
ଅବଶ୍ୟ ଶୁଣିବେ ଦୁଃଖ
ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କବିତା ଓ ଏହା ଭିତରେ ଥିବା ମର୍ମ ଅତୁଳନୀୟ। ତାଙ୍କ ଲେଖା ରବୀନ୍ଦ୍ରନାଥ ଠାକୁରଙ୍କ ଲେଖାଠାରୁ ମଧ୍ୟ ଉଚ୍ଚକୋଟୀର। ଗଙ୍ଗାଧର ମେହେର ମହାତ୍ମା ଗାନ୍ଧୀଙ୍କ ଭଳି ଅହିଂସାରେ ବିଶ୍ୱାସ କରନ୍ତି, ଯାହା ତାଙ୍କର ଉପର କବିତାରୁ ବୁଝି ହେଉଛି। କାଳିଦାସ ଯେଭଳି ସାହିତ୍ୟକୁ ସୁଷମା ଓ ମାଧୁର୍ଯ୍ୟ ମଣ୍ଡିତ କରିଯାଇଛନ୍ତି, ଠିକ୍ ସେହିପରି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟକୁ ରୁଚିବନ୍ତ ଓ ରୁଦ୍ଧିମନ୍ତ କରି ଯାଇଛନ୍ତି। ତେଣୁ ଗଙ୍ଗାଧରଙ୍କୁ ଓଡ଼ିଶାର କାଳିଦାସ ବୋଲି କୁହାଯାଏ। ସ୍ୱଭାବକବି କାଳିଦାସଙ୍କ ପରି କେବଳ ଚରିତ୍ର ନୁହେଁ; ଉପମା ଓ ରୂପକର ବ୍ୟବହାର ତାଙ୍କ କାବ୍ୟ କବିତାରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଗଙ୍ଗାଧରଙ୍କୁ କାଳିଦାସଙ୍କ ସହିତ ତୁଳନା କରିବା ଯୁକ୍ତିଯୁକ୍ତ। ଗଙ୍ଗାଧର ମେହେର କୌଣସି ରାଜନୈତିକ ବ୍ୟକ୍ତି ଠାରୁ ମଧ୍ୟ କମ୍ ଚିନ୍ତା କରୁ ନଥିଲେ। ସେ ତାଙ୍କ ଲେଖନି ମାଧ୍ୟମରେ ନାରୀ ସଶକ୍ତୀକରଣ କଥା କହିବା ସହିତ ସମାଜରେ ଘଟୁଥିବା ଦୁର୍ନୀତି ତଥା ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇଛନ୍ତି। ସେ ପ୍ରକୃତିକୁ ବର୍ଣ୍ଣନା କରିବା ସହିତ କୃଷକ ସଙ୍ଗୀତ ରଚନା କରିଛନ୍ତି। ରାଜନୀତିରେ ଆଗ୍ରହ ରଖୁଥିବା ବ୍ୟକ୍ତି ଗଙ୍ଗାଧର ମେହେର ରଚନା ପାଠ କରି କାମ କଲେ ସେ ନିଶ୍ଚୟ ଜଣେ ସଫଳ ରାଜନୈତିକ ବ୍ୟକ୍ତି ଭାବରେ ପ୍ରତିଷ୍ଠା ପାଇ ପାରିବେ। ଆଧୁନିକ କଥା-ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ବ୍ୟାସକବି ଫକୀରମୋହନ ସେନାପତି ମଧ୍ୟ ଗଙ୍ଗାଧର ମେହେରଙ୍କ ପାଇଁ ଲେଖିଛନ୍ତି – ବରପାଲି ଦେଶେ ଅଛି ଗଙ୍ଗାଧର ମେହେର – ତାହାର କବିତା ପଢିଅଛି ଢେରଢେର – କବିତାଗୁଡିକ ପଢି ମନ ମାନିଯାଏ- ଆଉ ସେ ଲେଖିବେ ବୋଲି ବାଟ ଚାହୁଁଥାଏ।
Comments are closed.