ସମାବେଶୀ ବିଶ୍ବ ସ୍ବାସ୍ଥ୍ୟ ବ୍ୟବସ୍ଥାର ମୂଳଦୁଆ ସ୍ଥାପନ

ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଭାରତ ସରକାର

ଭାରତ ଯେତେବେଳେ ନୂଆଦିଲ୍ଲୀଠାରେ ୧୮ଶ ଜି-୨୦ ରାଷ୍ଟ୍ର ଏବଂ ସରକାରୀ ମୁଖ୍ୟମାନଙ୍କ ଶିଖର ସମ୍ମିଳନୀ ଆୟୋଜନ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରହିଛି। ବୈଶ୍ୱିକ ଦକ୍ଷିଣାର୍ଦ୍ଧ ଏବଂ ବୈଶ୍ୱିକ ଉତ୍ତରାର୍ଦ୍ଧ ମଧ୍ୟରେ ଏକ ସଂଯୋଗ ସ୍ଥାପନ ନିମନ୍ତେ ଯେଉଁ ଉପକ୍ରମ କରାଯାଉଛି ତା’ର ବାସ୍ତବଧର୍ମୀ, ସମାବେଶୀ, ସାମଗ୍ରିକ ତଥା ସାର୍ବଜନୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ ଭିତ୍ତିଭୂମିକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏହି ଭିତ୍ତିଭୂମିର ଏହି ଆଧାରଶିଳା ସ୍ଥାପନ କରିଥିଲେ ଯେତେବେଳେ ଗାନ୍ଧୀନଗରଠାରେ ଆୟୋଜିତ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକରେ ସେ କହିଥିଲେ, ‘ଜନସାଧାରଣଙ୍କ ହିତ ସାଧନ ନିମନ୍ତେ ସଭିଏଁ ନିଜ ନିଜର ନବସୃଜନକୁ ଆସନ୍ତୁ ଉନ୍ମୁକ୍ତ କରିବା। ସମସ୍ତଙ୍କ ପାଇଁ ସମାନ ଭାବେ ସକଳ ପ୍ରକାର ପ୍ରଯୁକ୍ତି ଉପଲବ୍ଧ କରାଇବା।’

କରୋନା ମହାମାରୀ ସମୟରେ ଆମେ ଯେଉଁ ଜ୍ଞାନ ଆହରଣ କରିଛେ ତାହାର ସାମୂହିକ ଭାବେ ଉପଯୋଗ କରି କାର୍ଯ୍ୟ କରିବା ଦିଗରେ ଆନ୍ତର୍ଜାତିକ ମଞ୍ଚରେ ସଦସ୍ୟ ରାଷ୍ଟ୍ରମାନେ ଏକଜୁଟ ହେବା ଖୁସିର କଥା। ଯେତେବେଳେ ସମଗ୍ର ମାନବ ସମାଜ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତୁଟ ଭାବେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆଗେଇ ଆସେ ସେତେବେଳେ ପ୍ରକୃତ ସ୍ୱାଧୀନତା ହିଁ ଅନୁଭୂତ ହେବା ଆରମ୍ଭ କରିଥାଏ। ଯେତେବେଳେ ଗୋଟିଏ ଭୂତାଣୁ ତା’ର ପ୍ରାଦୁର୍ଭାବ ଦେଖାଇଥାଏ ସେତେବେଳେ ସମାଜ ଦ୍ୱାରା ହାସଲ କରାଯାଇଥିବା କୌଣସି ପ୍ରକାର ଆର୍ଥିକ ଉନ୍ନତି କଦାପି ଉପଭୋଗ୍ୟ ହୋଇନଥାଏ ଏବଂ ଆମେ ତାହାର ମୁକାବିଲା ସକାଶେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରସ୍ତୁତ ହୋଇନଥାଉ। ଭାରତର ଅଧ୍ୟକ୍ଷତାରେ ଜି-୨୦ର ଏହି ବୈଠକରେ ଏଭଳି ଜଟିଳ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ ଅଗ୍ରାଧିକାର ଭିତ୍ତିରେ ଆଲୋଚନା କରିବା ହିଁ ମୂଳ ଉଦ୍ଦେଶ୍ୟ।

ଭାରତର ଏହି ସ୍ୱାସ୍ଥ୍ୟ ଅଗ୍ରାଧିକାର ପ୍ରସଙ୍ଗକୁ ମନ୍ତ୍ରୀଗଣ, ବରିଷ୍ଠ ନୀତିକାର ଏବଂ ବହୁରାଷ୍ଟ୍ରୀୟ ଏଜେନ୍ସିମାନେ ସର୍ବସମ୍ମତ ଭାବେ ସମର୍ଥନ ଜଣାଇ ଆସିଛନ୍ତି। ଏହି ପ୍ରସଙ୍ଗ ମଧ୍ୟରେ ଜରୁରୀ ଓ ଜଟିଳ ସ୍ୱାସ୍ଥ୍ୟ ପ୍ରସଙ୍ଗମାନଙ୍କ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ଏବଂ ସୁଲଭ ହେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଏହି ପ୍ରକ୍ରିୟାରେ, ଆମେ ଏକ ମାତ୍ରାତିରିକ୍ତ ସର୍ବସମ୍ମତ ସଫଳ ପରିଚାଳନାଗତ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ଭବିଷ୍ୟତର ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ଆପାତ ସ୍ଥିତିକୁ ପ୍ରତିହତ କରିବା, ଏଥିପାଇଁ ପ୍ରସ୍ତୁତି ଏବଂ ମୁକାବିଲା ନିମନ୍ତେ ଏକ ସାମୂହିକ ବୈଶ୍ୱିକ କାର୍ଯ୍ୟପନ୍ଥା ଲୋଡ଼ା। ଏଥିସହ ବୈଶ୍ୱିକ ମହାମାରୀରୁ ଉଦ୍ଧାର ପାଇବା ପ୍ରୟାସ ସମକକ୍ଷ ହେବା ବାଞ୍ଛନୀୟ।

ସ୍ୱାସ୍ଥ୍ୟ ସମ୍ପର୍କିତ କତିପୟ ଜଟିଳ ବୈଶ୍ୱିକ କାର୍ଯ୍ୟପନ୍ଥା ମଧ୍ୟରେ ଏକ ଚିକିତ୍ସା ପ୍ରତିରୋଧୀ ବ୍ୟବସ୍ଥା ପ୍ଲାଟଫର୍ମ ନିର୍ମାଣ ପାଇଁ ନୀତି ଏବଂ ଢାଞ୍ଚା ପ୍ରସ୍ତୁତ କରିବା ନିମନ୍ତେ ସହମତରେ ପହଞ୍ଚିବା ସାମିଲ। ଏହା ଫଳରେ ବର୍ତ୍ତମାନ ବିଶ୍ୱରେ ଦୃଶ୍ୟମାନ ପ୍ରତିଷେଧକ ଟିକା, ଚିକିତ୍ସା ଓ ଉପଚାର ଏବଂ ଅନ୍ୟାନ୍ୟ ସମାଧାନ କ୍ଷେତ୍ରରେ ଥିବା ବୈଷମ୍ୟକୁ ଦୂର କରାଯିବା ଦ୍ୱାରା ଏଭଳି ସ୍ୱାସ୍ଥ୍ୟ ସଂକଟକୁ ଦୂର କରାଯାଇପାରିବ। ଡିଜିଟାଲ ସ୍ୱାସ୍ଥ୍ୟ ଉପରେ ବୈଶ୍ୱିକ ପ୍ରୟାସ ଯାହା ଦେଶ ଦେଶମାନଙ୍କ ମଧ୍ୟରେ ଏହି ଉପକ୍ରମକୁ ଆଗେଇ ନେଇଯିବ ଯାହା ପାରସ୍ପରିକ ଦୂରତାକୁ ହ୍ରାସ କରିବ ଏବଂ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ସମାଧାନ ପନ୍ଥା ଆପଣାଇବା ଦିଗରେ ସହାୟକ ହେବ। ଜଳବାୟୁ ଏବଂ ସ୍ୱାସ୍ଥ୍ୟ କିପରି ଭାବେ ପରସ୍ପରକୁ ପ୍ରଭାବିତ କରୁଛି ତାହା ଉପରେ ଆମର ଜ୍ଞାନକୁ ବୃଦ୍ଧି କରିବାରେ ସହାୟକ ହେବ ଏବଂ ଏହାର ନିର୍ଦ୍ଦିଷ୍ଟ ସମାଧାନ ପନ୍ଥା ଉପରେ ମଧ୍ୟ ଗୁରୁତ୍ୱର ସହ କାର୍ଯ୍ୟ କରାଯାଇ ପାରିବ। ଆମର ପାରମ୍ପରିକ ଔଷଧୀୟ ଭଣ୍ଡାର ମଧ୍ୟ ଭବିଷ୍ୟତର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ଆମକୁ ଅତୀତର ଜ୍ଞାନ ମାର୍ଗ ପ୍ରଦର୍ଶନ କରିପାରିବ।

ଏକ ଚିକିତ୍ସା ପ୍ରତିକାର ବ୍ୟବସ୍ଥା ମଞ୍ଚର ଆବଶ୍ୟକତା କୋଭିଡ- ୧୯ ମହାମାରୀ ବେଳେ ସାରା ବିଶ୍ୱରେ ଆମର ଟିକାକରଣ ଏବଂ ଉପଚାର ବ୍ୟବସ୍ଥାରେ ନିହିତ ଥିବା ଅସମାନତା ଦୃଷ୍ଟିଗୋଚର ହୋଇଥିଲା ଯାହାକୁ ଆମକୁ ଅବଶ୍ୟ ଦୂର କରିବାକୁ ପଡ଼ିବ। ଧୀରେ ଧୀରେ ବିଶ୍ୱ ଯେଉଁଭଳି ଭାବେ ପରସ୍ପର ସହିତ ଜଡ଼ିତ ହୋଇପଡ଼ିବାରେ ଲାଗିଛି, ସେଥିରେ ଗୋଟିଏ ଦେଶରେ ରୋଗ ସୃଷ୍ଟିକାରୀ ଜୀବାଣୁ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଏବଂ ଏହି ଦିଗରେ ଆମକୁ ନୀତିଗତ ଭାବେ ସହମତରେ ପହଞ୍ଚିବାକୁ ପଡ଼ିବ ଏବଂ ଏକ ବୈଶ୍ୱିକ ଢାଞ୍ଚା ଗଠନ କରିବାକୁ ହେବ ଯାହା ଫଳରେ ନିର୍ଦ୍ଧାରିତ ସମୟରେ ପ୍ରତିଷେଧକ ଟିକା, ଆବଶ୍ୟକ ପରୀକ୍ଷଣ, ଔଷଧ ଓ ଅନ୍ୟାନ୍ୟ ସମାଧାନ ସାଧନ ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କ ନିକଟରେ ଉପଲବ୍ଧ ହେବ।

ଏଭଳି ଏକ ବୈଶ୍ୱିକ ମଞ୍ଚ ସମାବେଶୀ ହେବା ବାଞ୍ଛନୀୟ ଯାହାର ଅର୍ଥ ହେଲା ସମାଧାନ ଉପାୟ ଦିଗରେ ଥିବା ସମସ୍ତ ପ୍ରତିବନ୍ଧକର ସ୍ୱର ଉପରେ ବିଚାର କରାଯିବ; ସକ୍ରିୟତା, ଅର୍ଥାତ୍‍ ବର୍ତ୍ତମାନର କ୍ଷମତା ଏବଂ ନେଟୱାର୍କକୁ ଅଧିକ ତ୍ୱରାନ୍ୱିତ କରିବ; ସତର୍କତା ଓ ଅନୁକୂଳନୀୟତା ଯାହା ମଧ୍ୟରେ ସ୍ୱକୀୟ ନମନୀୟତା ରହିଥିବ ଏବଂ ତାହା ଜରିଆରେ ଆବଶ୍ୟକୀୟ ପରିବର୍ତ୍ତନ ଓ ବିଜ୍ଞାନସମ୍ମତ ପ୍ରମାଣନକୁ ଗ୍ରହଣ କରିବା ସହଜସାଧ୍ୟ ହୋଇଥିବ ଏବଂ ଉତ୍ତରଦାୟୀ ହୋଇଥିବ, ଅର୍ଥାତ୍‍ ଏକ ସ୍ପଷ୍ଟ ଏବଂ ସହଭାଗୀ ଦାୟିତ୍ୱବୋଧର ଢାଞ୍ଚା ଥିବ। ଏହା ମଧ୍ୟ ସୁଲଭ ମୂଲ୍ୟରେ ଏବଂ ତ୍ୱରିତ ବେଗରେ ଚିକିତ୍ସା ସମାଧାନ ପନ୍ଥା ଉପଲବ୍ଧ କରାଉଥିବ। ଜି-୨୦ ମାଧ୍ୟମରେ, ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ନେତୃତ୍ୱାଧୀନ ପରାମର୍ଶ ପାଇଁ ବଚନବଦ୍ଧ ଏବଂ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱଳ୍ପ ଏବଂ ମଧ୍ୟମ ଧରଣର ଉପାର୍ଜନକ୍ଷମ ରାଷ୍ଟ୍ରମାନେ ପ୍ରତିନିଧିତ୍ୱ କରୁଥିଲେ ଯେଉଁମାନେ ବିଳମ୍ବ ବିନା ଏଭଳି ମଧ୍ୟବର୍ତ୍ତୀ ବ୍ୟବସ୍ଥାକୁ ପ୍ରବର୍ତ୍ତନ କରିବାକୁ ସକ୍ଷମ ହୋଇପାରୁଥିବେ ଯଦ୍ଦ୍ବାରା ଯେତେବେଳେ ପରବର୍ତ୍ତୀ କୌଣସି ସ୍ୱାସ୍ଥ୍ୟ ଆପାତ ସ୍ଥିତିର ଆମେ ସମ୍ମୁଖୀନ ହେବା ସେତେବେକଳୁ ଆଉ ଆମେ ଅପ୍ରସ୍ତୁତ ଅବସ୍ଥାରେ ନଥିବା।

prayash

ଜି-୨୦ ରାଷ୍ଟ୍ରସମୂହ କ୍ଷେତ୍ରୀୟ ଟିକା, ଚିକିତ୍ସା ଏବଂ ଉପଚାର ଉତ୍ପାଦ ଉତ୍ପାଦନ କ୍ଷମତା ବୃଦ୍ଧି ବ୍ୟବସ୍ଥାକୁ ମଜଭୁତ କରିବା, ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହା କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ସାମୂହିକ ଭାବେ ଗବେଷଣା ଓ ବିକାଶ ବାତାବରଣ ସୃଷ୍ଟି ଉପରେ ପ୍ରାଧାନ୍ୟ ଦେଇଛନ୍ତି ଯାହା ଫଳରେ ସ୍ୱାସ୍ଥ୍ୟ ଆପାତ ସ୍ଥିତିରେ ବଜାର ବ୍ୟବସ୍ଥା ବିଫଳକୁ ଆଗୁଆ ଆକଳନ କରାଯାଇ ପାରିବ।

ଡିଜିଟାଲ ସ୍ୱାସ୍ଥ୍ୟ ବୈଶ୍ୱିକ ଉପକ୍ରମର ଶୁଭାରମ୍ଭ
ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ କରିବା ଦିଗରେ ଡିଜିଟାଲ ସ୍ୱାସ୍ଥ୍ୟ ସେବା ସବୁଠାରୁ ଶକ୍ତିଶାଳୀ ପ୍ରୋତ୍ସାହକର ଭୂମିକା ଗ୍ରହଣ କରିଛି। ମହାମାରୀ କାଳରେ ଆମେ ଭାରତରେ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ପଟ ପରିବର୍ତ୍ତନକାରୀ ସାମର୍ଥ୍ୟକୁ ଅଙ୍ଗେ ନିଭେଇଛେ। କୋ-ୱିନ ଆପ୍‍ ଏବଂ ଇ-ସଞ୍ଜୀବନୀ ଭଳି ଜନହିତ ସାଧନକାରୀ ଡିଜିଟାଲ ପ୍ଲାଟଫର୍ମ ସବୁଠାରୁ ସହାୟକ ବୋଲି ସାବ୍ୟସ୍ତ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ଶହ ଶହ କୋଟିରୁ ଅଧିକ ଲୋକଙ୍କୁ ଟିକା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇପାରିଥିଲା ଏବଂ ସେଥି ମଧ୍ୟରେ ସବୁଠାରୁ ଆପଦାଗ୍ରସ୍ତ ଲୋକମାନେ ସାମିଲ। ଭାରତ ଏବେ ସୁଦ୍ଧା ନିଜସ୍ୱ ଏକ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନ କରିସାରିଛି – ଆୟୁଷ୍ମାନ ଭାରତ ଡିଜିଟାଲ ମିଲନ (ଏବିଡିଏମ) ଯାହା ରୋଗୀମାନଙ୍କୁ ସେମାନଙ୍କ ମେଡିକାଲ ରେକର୍ଡ ସଂରକ୍ଷଣ ଏବଂ ଉପଲବ୍ଧତା ଦିଗରେ ସଶକ୍ତ କରେ ଏବଂ ତାହାକୁ ସ୍ୱାସ୍ଥ୍ୟସେବା ଯୋଗାଣକାରୀମାନଙ୍କ ସହିତ ବଣ୍ଟନ କରି ଉପଯୁକ୍ତ ଚିକିତ୍ସା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସୁନିଶ୍ଚିତ କରାଯାଇପାରିବ।

ବିଶ୍ୱର ୧୨୦ରୁ ଊର୍ଦ୍ଧ୍ବ ରାଷ୍ଟ୍ର ସେମାନଙ୍କର ନିଜ ନିଜର ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ନୀତି ଅଥବା ରଣନୀତିର ବିକାଶ ଘଟାଇଛନ୍ତି ଯାହା ସମଗ୍ର ପୃଥିବୀରେ ଡିଜିଟାଲ ସ୍ୱାସ୍ଥ୍ୟ ସାଧନର ଆବଶ୍ୟକତାକୁ ସୂଚିତ କରେ ଏବଂ ସେଥି ମଧ୍ୟରେ ସ୍ୱଳ୍ପ- ଆୟଯୁକ୍ତ ରାଷ୍ଟ୍ରମାନେ ମଧ୍ୟ ସାମିଲ; କିନ୍ତୁ ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ସେଭଳି ଦେଶମାନଙ୍କରେ ଏଭଳି ସାଧାରଣ ପ୍ଲାଟଫର୍ମ ଓ ଭାଷା ଉପଲବ୍ଧ ନଥିଲା, ତେଣୁ ଡିଜିଟାଲ ସ୍ୱାସ୍ଥ୍ୟ ଉପକ୍ରମ ସମ୍ବନ୍ଧିତ ଜ୍ଞାନ ବିନିମୟ କରାଯାଇ ପାରୁନଥିଲା। ଏପରି କି ଯେତେବେଳେ ସେହିସବୁ ରାଷ୍ଟ୍ରମାନେ ତାହା ଆହରଣ ପାଇଁ ଇଚ୍ଛୁକ ଥିଲେ। ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏଭଳି ଅସଂଲଗ୍ନତା ମଧ୍ୟରେ କାର୍ଯ୍ୟକରିବା ଫଳରେ ବ୍ୟାପକ ମାତ୍ରାରେ କାର୍ଯ୍ୟ ଦୋହରାକରଣ ହୋଇଥାଏ ଏବଂ ଏକା ପ୍ରକାର କାର୍ଯ୍ୟ ଏକା ସମୟରେ ଏକାଧିକ ସ୍ଥାନରେ ହୋଇଥାଏ। ଭାରତର ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ ବେଳେ ଅଗଷ୍ଟ ୧୯ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱାଧୀନ ବୈଶ୍ୱିକ ଡିଜିଟାଲ ସ୍ୱାସ୍ଥ୍ୟ ଉପକ୍ରମ (ଜିଆଇଡିଏଚ)ର ଶୁଭାରମ୍ଭ ହେବା ପରେ ଏହା ସମଗ୍ର ବ୍ୟବସ୍ଥାରେ ପଟ ପରିବର୍ତ୍ତନ ଘଟାଇବା ସୁନିଶ୍ଚିତ। ଏଭଳି ପ୍ରୟାସକୁ ଜି-୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ସର୍ବସମ୍ମତ ସମର୍ଥନ ଜ୍ଞାପନ ବିଶ୍ୱ ଏକ ବିଭାଜିତ ଡିଜିଟାଲ ସ୍ୱାସ୍ଥ୍ୟ ଅବସ୍ଥାରୁ ଏକ ବୈଶ୍ୱିକ ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିର୍ଣ୍ଣାୟକ ଭାବେ ପ୍ରବେଶକୁ ସୁନିଶ୍ଚିତ କରେ। ଫଳରେ ଦେଶ- ଦେଶ ମଧ୍ୟରେ ଥିବା ଡିଜିଟାଲ – ବିଭାଜନ ଏବଂ ବୈଷମ୍ୟ ଆପେ ଦୂର ହୋଇପାରିବ।

ଏହି ଉପକ୍ରମ ରାଷ୍ଟ୍ରମାନଙ୍କୁ ସେମାନଙ୍କର ଉଚ୍ଚ ଗୁଣାତ୍ମକ ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କିତ ଯୋଜନା ପ୍ରସ୍ତୁତ ଏବଂ ସେସବୁର ପ୍ରବର୍ତ୍ତନକୁ ସମର୍ଥନ କରିବ ଏବଂ ରୋଗୀମାନଙ୍କୁ ଜନକୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବ। ଏଥିରେ ଗୋପନୀୟତା ଓ ସକଳ ପ୍ରକାର ନୀତିଗତ ସାଧୁତା ମଧ୍ୟ କାଏମ ରହିବ। ଏଭଳି ଏକ ଢାଞ୍ଚା ବିଶ୍ୱବ୍ୟାପୀ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଡିଜିଟାଲ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନକୁ ମଧ୍ୟ ବଜାୟ ରଖିବ। ଏଥିରେ ଏକ ନିର୍ଦ୍ଦିଷ୍ଟ ମାନ କାଏମ ରଖାଯାଇପାରିବ, ଏକ ପ୍ଲାଟଫର୍ମ ସୃଷ୍ଟି କରାଯିବ ଯାହା ବିଭିନ୍ନ ରାଷ୍ଟ୍ରମାନଙ୍କର ଡିଜିଟାଲ ସ୍ୱାସ୍ଥ୍ୟ ଯାତ୍ରାକୁ ଆହରଣ କରିବା ସହିତ ସେ ସମ୍ପର୍କିତ ସୂଚନା ମଧ୍ୟ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇପାରିବ। ଏହା ସେଭଳି ପ୍ରକ୍ରିୟାକୁ ଏଭଳି ଭାବେ ପ୍ରଚାରିତ ଓ ପ୍ରସାରିତ କରିବ ଯଦ୍ଦ୍ବାରା ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରଠାରୁ ଶିକ୍ଷାଲାଭ କରିପାରିବ ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଦୁର୍ବଳତାକୁ ତୁରନ୍ତ ଦୂର କରିପାରିବ।

ଜଳବାୟୁ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ
ବର୍ତ୍ତମାନ ସବୁ କ୍ଷେତ୍ରରେ ଜଳବାୟୁ ସଚେତନତାର ପ୍ରବେଶ ସତ୍ତ୍ବେ, ଜଳବାୟୁ କିପରି ଭାବେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆକ୍ରାନ୍ତ କରୁଛି ତାହା ସମସ୍ତଙ୍କୁ ଜଣା। ତେଣୁ ଏକକ ସ୍ୱାସ୍ଥ୍ୟ ଉପକ୍ରମ ମାଧ୍ୟମରେ ମାନବ ସମାଜର ସ୍ୱାସ୍ଥ୍ୟ, ଅନ୍ୟାନ୍ୟ ପ୍ରାଣୀ ତଥା ବୃକ୍ଷଲତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆହରଣ କରାଯାଇପାରିବ ସେଥି ନିମନ୍ତେ ପ୍ରୟାସ ହେବା ଆବଶ୍ୟକ। ଭାରତର ଅଧ୍ୟକ୍ଷତା ପ୍ରଥମ ଥର ପାଇଁ ଜି-୨୦ ସଂଗଠନ ମାଧ୍ୟମରେ ଏଭଳି ଏକ ଅଦୃଶ୍ୟ ସହଯୋଗର ଆବଶ୍ୟକତାକୁ ସ୍ପଷ୍ଟ କରିଛି। ଏହା ଦ୍ୱାରା ସେସବୁ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଆରୋପ କରାଯାଇପାରିବ। ଜି- ୨୦ ରାଷ୍ଟ୍ରବର୍ଗ ସ୍ୱଳ୍ପ ଅଙ୍ଗାର ଉତ୍ସର୍ଜନ, ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ପୋଷଣୀୟ ତଥା ଜଳବାୟୁ ସହନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନ ଉପରେ ଗୁରୁତ୍ୱ ଆରୋପ କରିବେ। ଏହା ଫଳରେ ଅନ୍ୟାନ୍ୟ କ୍ଷେତ୍ର ଯେଉଁମାନେ କି ନେଟ୍‍ –ଜିରୋ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ସେମାନଙ୍କ ତୁଳନାରେ ସ୍ୱାସ୍ଥ୍ୟ କ୍ଷେତ୍ର ପଛରେ ପଡ଼ିଯିବ ନାହିଁ। ଆମର ନିର୍ଯ୍ୟାନ ନଥିରେ, ଜି- ୨୦ ରାଷ୍ଟ୍ରମାନେ ଏକକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସହନଶୀଳ ରୋଗ ସୃଷ୍ଟିକାରୀ ଭୂତାଣ (ଏଏମଆର)କୁ ମୁକାବିଲା କରିବାରେ ସକ୍ଷମ ହୋଇପାରିବୁ।

ପାରମ୍ପରିକ ଔଷଧର ଭୂମିକା
ଅଧୁନା ଯେତେବେଳେ ସାରା ବିଶ୍ୱରେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ନିରାମୟତା ନିମନ୍ତେ ସମନ୍ୱିତ ଔଷଧକୁ ପ୍ରୋତ୍ସାହନ ନିମନ୍ତେ ଏକ ବିପ୍ଳବ ଆରମ୍ଭ ହୋଇଛି, ଏକ ଉପକାରୀ ପାରମ୍ପରିକ ଔଷଧୀୟ ବ୍ୟବସ୍ଥାର ପୁନରୁତ୍ଥାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ତଦ୍ଦ୍ବାରା ଆମେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ହାସଲ କରାଯାଇ ପାରିନଥିବା ଏହାର ଉପକାରିତା ହାସଲ କରି ମାନବ ସମାଜର କଲ୍ୟାଣ ନିମନ୍ତେ ଜି-୨୦ ମାଧ୍ୟମରେ ଏହାର ଉପଯୋଗ କରାଯାଇ ପାରିବ। ଗତ ବର୍ଷ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡବ୍ଲ୍ୟୁଏଚଓ- ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ରକୁ ଗୁଜରାଟର ଜାମନଗର ଠାରେ ଉଦ୍ଘାଟନ କରିଥିଲେ ଏବଂ ଆମର ନିରାମୟ ଜ୍ଞାନର ଦ୍ୱାରକୁ ସମଗ୍ର ବିଶ୍ୱ ପାଇଁ ଉନ୍ମୁକ୍ତ କରିଦେଇଥିଲେ। ଆମେ ଏହି ଧାରାକୁ ଜି-୨୦ରେ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ଆଗକୁ ଆଗେଇ ନେଇ ସେହିସବୁ ପାରମ୍ପରିକ ଓ ସହାୟକ ଔଷଧ ଯାହାକି ପ୍ରମାଣ ଆଧାରିତ ତା’ର ସାମର୍ଥ୍ୟକୁ ଉତ୍ତମ ରୂପେ ଆହରଣ କରିପାରିବା।

“ଆରୋଗ୍ୟମ୍‍ ପରମଂ ଭାଗ୍ୟଂ, ସ୍ୱାସ୍ଥ୍ୟ ସର୍ବତ୍ର ସାଧନମ୍‍” ବୋଲି ଅମର ଶ୍ଳୋକବାଣୀରେ କୁହାଯାଇଛି। ଏହାର ଅର୍ଥ ହେଲା ‘ରୋଗମାନଙ୍କରୁ ମୁକ୍ତ ହେବା ହେଉଛି ପରମ ଲକ୍ଷ୍ୟ ଏବଂ ଅନ୍ୟ ସକଳ ସମ୍ପଦ ଅର୍ଜନ ହେଉଛି ଏହାର ଆଧାର।’ ଆମେ ଜି-୨୦ ସଂଗଠନରେ ଏକ ମହାମାରୀର ଅନୁଭୂତି ଦେଖିସାରିବା ପରେ, ଏହା ଉପରେ ଗୁରୁତ୍ୱ ଆରୋପ କରୁଛୁ ଏବଂ ଏବେ ଏ ଦିଗରେ କାର୍ଯ୍ୟ କରିବାର ଅବସର ମିଳିଛି ବୋଲି ବିବେଚନା କରୁଛୁ।

kalyan agarbati

Comments are closed.