ମହାମାରୀ : ଉତ୍ପତ୍ତି, ପ୍ରଭାବ ଓ ପ୍ରତିକାର

ନିରଞ୍ଜନ ମହାନ୍ତି

କୌଣସି ରୋଗ ଏକ ସମୟରେ ବିଭିନ୍ନ ଦେଶ ତଥା ପୃଥିବୀର ଲୋକମାନଙ୍କୁ ବହୁସଂଖ୍ୟାରେ ପ୍ରଭାବିତ କରିଥିଲେ ତାହାକୁ ‘ମହାମାରୀ ରୋଗ’ କୁହାଯାଏ। ବିଗତ ଦିନର କୋଭିଡ-୧୯ ମହାମାରୀ ଏକ ଜ୍ବଳନ୍ତ ଉଦାହରଣ ଯାହା ବିପୁଳ ଧନ ଓ ଜୀବନ ନଷ୍ଟ କରିଦେଇଛି। ଏହି ପରିପ୍ରେକ୍ଷୀରେ ଆଉ ଦୁଇଟି ଶବ୍ଦର ସଂଜ୍ଞା ହେଲା ଏଣ୍ଡେମିକ୍‌- କୌଣସି ରୋଗ ଏକ ସ୍ଥାନରେ ସାଧାରଣ ଭାବରେ ହେଉଥିଲେ; ଏପିଡେମିକ୍‌- କୌଣସି ରୋଗ ଏକ ସ୍ଥାନରେ ସାଧାରଣ ସଂଖ୍ୟାଠାରୁ ବହୁତ ବେଶି ଲୋକଙ୍କୁ ପ୍ରଭାବିତ କଲେ। ମହାମାରୀ ରୋଗ ଏପିଡେମିକ ଭାବରେ ଆରମ୍ଭ ହୋଇ ବହୁ ସଂଖ୍ୟାରେ ଓ ଦ୍ରୁତ ଗତିରେ ଅଧିକରୁ ଅଧିକ ଦେଶକୁ ମାଡ଼ିଚା​‌େ​‌ଲ। ସାଧାରଣତଃ ସଂକ୍ରାମକ ରୋଗ ମହାମାରୀ ରୂପ ଧାରଣ କରିପାରେ। ଏହା ଜୀବାଣୁ ଜନିତ ବା ଭୂତାଣୁ ଜନିତ ହୋଇଥାଏ। ବିଗତ ଦିନର ମହାମାରୀ ମଧ୍ୟରେ ପ୍ଲେଗ୍‌, କଲେରା, ବସନ୍ତ, ଇନ୍‌ଫ୍ଲୁଏଞ୍ଜା, ସାରସ୍‌, ମରସ୍‌ ଓ କୋଭିଡ୍‌-୧୯ ଦେଖାଯାଇଛି। ମହାମାରୀ ରୋଗଗୁଡ଼ିକ ସଂକ୍ରାମକ ରୋଗ ହୋଇଥିବାରୁ ଏହା ସାଧାରଣତଃ ବାୟୁ ବାହିତ, ଖାଦ୍ୟ ଓ ପାନୀୟ ଦ୍ବାରା ବି ଛୁଆଁଛୁଇଁ ଦ୍ବାରା ସଂକ୍ରମିତ ହୋଇଥାଏ। ଭୂତାଣୁ ଜନିତ ମହାମାରୀ ବିଶେଷ ଭାବରେ ବାୟୁ ବାହିତ ହେବା ଦେଖାଯାଏ।

ମାନବ ସମାଜକୁ ମହାମାରୀ ରୋଗ ଆକ୍ରାନ୍ତ କରିବା ନୂଆ କଥା ନୁହେଁ। ଏହା ବିଭିନ୍ନ ଦଶନ୍ଧିରେ ହଜାରହଜାର ବର୍ଷଧରି ହୋଇଆସୁଛି। ଅଦ୍ୟାବଧି ସମଗ୍ର ପୃଥିବୀ ଇତିହାସରେ ପ୍ରାୟ ୨୪୯ ମହାମାରୀ ହୋଇଥିବାର ଜଣାଯାଏ। ୫୪୧ ମସିହାରେ ହୋଇଥିବା ପ୍ଲେଗ ମହାମାରୀ ବିଶ୍ବ ଇତିହାସରେ ପ୍ରଥମ ପରିଗଣିତ ହୋଇଛି। ଏହା ରୋମାନ ସମ୍ରାଟ ଜଷ୍ଟିନିୟାନ୍‌-୧ ସମୟରେ ହୋଇ ବର୍ଷବର୍ଷ ଧରି ଲାଗି ରହିଥିଲା। ବିଗତ ଶତାବ୍ଦୀରେ ସଂଗଠିତ ହୋଇଥିବା ପାଞ୍ଚଗୋଟି ମହାମାରୀର ସଂକ୍ଷିପ୍ତ ବିବରଣୀ ଉଲ୍ଲେଖଯୋଗ୍ୟ। ସ୍ପାନିସ୍‌-ଫ୍ଲୁ (H1 N1)) ପ୍ରଥମ ବିଶ୍ବଯୁଦ୍ଧ ସମୟରେ ୧୯୧୮ରେ ବ୍ୟାପିଥିଲା ଏବଂ ମାରାତ୍ମକ ଆକାର ଧାରଣ କରି ପ୍ରାୟ ୨୫-୫୦ ନିୟୁତ ଲୋକଙ୍କର ପ୍ରାଣହାନି ଘଟାଇଥିଲା।
ଏସିଆନ ଫ୍ଲୁ (H2 N2) ୧୯୫୭ରେ ବ୍ୟାପିଥିଲା ଏଥିରେ ପ୍ରାୟ ଏକ ନିୟୁତରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ହଂକଂ ଫ୍ଲୁ (H2 N2) ୧୯୬୮ରେ ବ୍ୟାପି ପ୍ରାୟ ଏକ ନିୟୁତ ଲୋକଙ୍କର ଜୀବନହାନି ଘଟାଇଥିଲା।

୨୦୦୯ରେ ସ୍ବାଇନ୍‌ଫ୍ଲୁ (H1 N1) ରେ ପ୍ରାୟ ୬୧ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ରେ କୋଭିଡ ୧୯ ବ୍ୟାପିଲା। ଏହି ମହାମାରୀ ୨୦୧୯ ମସିହା ଶେଷ ଭାଗରେ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଲାଗି ରହିଛି। ୨୮ ମାର୍ଚ୍ଚ ୨୦୨୩ ସୁଦ୍ଧା ଏହା ସମଗ୍ର ପୃଥିବୀର ୭୬୧ ନିୟୁତ ଲୋକଙ୍କୁ ଆକ୍ରାନ୍ତ କରିଛି ଓ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ହାନି ଘଟାଇଛି। କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ଚିକିତ୍ସା ବିଜ୍ଞାନର ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଆମେରିକା ମହାଦେଶରେ ସବୁଠାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁମୁଖରେ ପଡ଼ିଛନ୍ତି। ଯଦି କୋଭିଡ ଟିକା ଉଦ୍‌ଭାବନ ହୋଇ ନଥାଆନ୍ତା ଓ ଆମେ ବିଜ୍ଞାନସମ୍ମତ ପ୍ରତିକାର ମାର୍ଗ ଗ୍ରହଣ କରି ନ ଥାନ୍ତେ, ତେବେ କୋଭିଡ୍‌-୧୯ କେତେ ଯେ, କ୍ଷତି ପହଞ୍ଚାଇ ଥାଆନ୍ତା ତାହା ଅନୁମାନ କରିବା ଅସମ୍ଭବ।

ମହାମାରୀର ଉତ୍ପତ୍ତି ଉତ୍ସଗୁଡ଼ିକ ମଧ୍ୟରେ ଅପରିଷ୍କାର ପାଣି ଓ ବର୍ଜ୍ୟବସ୍ତୁ ଖୋଲାଖୋଲି ପରିବେଶ ସଂସ୍ପର୍ଶରେ ଆସିବା। ଅଧିକାଂଶ ସ୍ଥଳରେ ରୋଗଜୀବାଣୁ ବା ଭୂତାଣୁ, ପଶୁ-ପକ୍ଷୀମାନଙ୍କଠାରୁ ଆସିଥାଆନ୍ତି। ଦେଖାଯାଇଛି ପ୍ରାୟ ଦୁଇତୃତୀୟାଂଶ ସଂକ୍ରାମକ ରୋଗ ଗୃହପାଳିତ ବା ବନ୍ୟ- ପଶୁପକ୍ଷୀମାନଙ୍କଠାରୁ ମଣିଷ ପାଖକୁ ଆସିଥାଏ। ସେମାନଙ୍କ ମଧ୍ୟରେ ବାଦୁଡ଼ି, ଘୁଷୁରି, ମୂଷା, କୁକୁର, ବିରାଡ଼ି ଓ ବିଭିନ୍ନ ପକ୍ଷୀ ଇତ୍ୟାଦି ଅନ୍ତର୍ଭୁକ୍ତ। ସେମାନଙ୍କ ମାଧ୍ୟମରେ ଜୀବାଣୁ ଓ ଭୂତାଣୁ ତାଙ୍କର ଜେନେଟିକ ପରିବର୍ତ୍ତନ କରନ୍ତି ଏବଂ ଏକ ନୂଆରୋଗ ହିସାବରେ ମଣିଷମାନଙ୍କୁ ଆକ୍ରାନ୍ତ କରନ୍ତି। ଫଳରେ ମାନବ ଦେହରେ ଏହା ବିରୋଧରେ ପ୍ରତିରୋଧକ ଶକ୍ତି ନଥିବାରୁ ଏହା ମହାମାରୀ ଆକାର ଧାରଣ କରେ। ଆହୁରି ମଧ୍ୟ ଜୀବାଣୁ ନାଶ ଆଣ୍ଟିବାୟୋଟିକର ଉପଯୋଗ ଓ ଟିକା ଫଳରେ ଜୀବାଣୁ ଜନିତ ମହାମାରୀର ନହୋଇ ଭୂତାଣୁ ଜନିତ ମହାମାରୀ ବଢ଼ି ବଢ଼ି ଚାଲିଛି। କ୍ଷିପ୍ର ଜଳବାୟୁ ପରିବର୍ତ୍ତନ ଜୀବାଣୁ ଓ ଭୂତାଣୁ ସୃଷ୍ଟି ଓ ବ୍ୟାପିବା ସହିତ ପରିବେଶ ବ୍ୟବସ୍ଥାର ସନ୍ତୁଳନରେ ବ୍ୟାଘାତ ସୃଷ୍ଟି କରିଥାଏ। ଦ୍ରୁତ ଲୋକସଂଖ୍ୟା ବୃଦ୍ଧିହେତୁ, ଜଙ୍ଗଲ ନଷ୍ଟ କରିବା ଓ ବନ୍ୟଜନ୍ତୁଙ୍କ ଜୀବନ ଶୈଳୀରେ ବ୍ୟାଘାତ ସୃଷ୍ଟି କରିବା ଫଳରେ ସେମାନଙ୍କ ରୋଗ ମାନବ-ସମାଜକୁ ବ୍ୟାପିଥାଏ। ବିଜ୍ଞାନାଗାରରୁ ଜୀବାଣୁ ଓ ଭୂତାଣୁ ନିର୍ଗତ ହୋଇ ପରିବେଶକୁ ସଂକ୍ରମିତ କରେ।

ବାୟୋ-ଆତଙ୍କବାଦ ଦେଶଦେଶ ମଧ୍ୟରେ ମନୋମାଳିନ୍ୟ ଓ ଶୀତଳଯୁଦ୍ଧ ଦ୍ବାରା ଏହା ସଂଗଠିତ ହୋଇଥାଏ। ଏହାଦ୍ବାରା ଶତ୍ରୁ ବିବେଚନା କରାଯାଉଥିବା ରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରାଯାଏ; ଯଦ୍ଦ୍ବାରା ମହାମାରୀ ପରିସ୍ଥିତି ସୃଷ୍ଟିହୁଏ। ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ମହାମାରୀର ବିବର୍ତ୍ତନକୁ ୬ଟି ପର୍ଯ୍ୟାୟରେ ବିଭକ୍ତ କରିଛି। ଏହାର ଚତୁର୍ଥ ପର୍ଯ୍ୟାୟ ହେଉଛି ମାନବ ସମାଜରେ ବ୍ୟାପିବା। ଏହା ପରେ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ଏହା ଦେଶ ମହାଦେଶରେ ବ୍ୟାପିଯାଏ। ତେଣୁ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହାକୁ ପ୍ରତିହତ କରିବା ସର୍ବଦା ବିଧେୟ। ବିଶେଷତଃ ଛୋଟପିଲା, ପରିଣତ ବୟସ୍କ ଓ ଦୀର୍ଘ ରୋଗଗ୍ରସ୍ତ ଲୋକମାନେ ସହଜରେ ଓ ଅଧିକ ସଂଖ୍ୟାରେ ସଂକ୍ରମିତ ହୁଅନ୍ତି। କାରଣ, ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ଫଳରେ ଏମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ନଷ୍ଟ ହୁଏ ଓ ସ୍ଥଳ ବିଶେଷରେ ଜୀବନହାନି ହୋଇଥାଏ। ଭୂତାଣୁରେ ମହାମାରୀ ଆକ୍ରାନ୍ତ ଲୋକମାନେ ଏକ ସଙ୍ଗରେ ଅନ୍ୟାନ୍ୟ ଭୂତାଣୁ ଓ ଜୀବାଣୁ ଜନିତ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ଥାଏ। ଏହାର ଜ୍ବଳନ୍ତ ଉଦାହରଣ ହେଲା ଫ୍ଲୁ ଓ କରୋନା ପରେ ଜୀବାଣୁ ଜନିତ ନିମୋନିଆରେ ଲୋକେ ଆକ୍ରାନ୍ତ ହେବା। ମହାମାରୀ ରୋଗଗ୍ରସ୍ତ ଲୋକମାନେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ବଚ୍ଛଳତା ହରାଇ ଥାଆନ୍ତି। ତା’ଛଡ଼ା ବନ୍ଧୁ, ପରିଜନଙ୍କ ମୃତ୍ୟୁ ଓ ମହାମାରୀ ଭୟରେ ଅନେକଙ୍କ ମାନସିକ ସନ୍ତୁୁଳନ ନଷ୍ଟ ହୋଇଥାଏ।

ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ବନ୍ଦହେବା ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ ଆଦି କ୍ଷେତ୍ରରେ ଅଧୋପତନ ଦେଖାଦିଏ। ଅଧିକାଂଶ ସମୟ ଗୃହବନ୍ଦୀ ଅବସ୍ଥା। ଟିଭି, ମୋବାଇଲ, କମ୍ପ୍ୟୁଟରର ବହୁଳ ବ୍ୟବହାର ଦ୍ବାରା ମଧ୍ୟ ଶାରୀରିକ ଓ ମାନସିକ ଅସ୍ଥିରତା ଦେଖାଯାଏ। ତାହାସହିତ ଏହା ଦେଶର ମୋଟ ଘରୋଇ ଉତ୍ପାଦରେ (ଜିଡିପି)ରେ ହ୍ରାସ କରିଥାଏ। ଦେଶ-ଦେଶ ମଧ୍ୟରେ ଗମନାଗମନ, ଅର୍ଥନୈତିକ ଓ ଅନ୍ୟାନ୍ୟ ସମ୍ପର୍କକୁ ପ୍ରତିକୂଳ ଭାବେ ପ୍ରଭାବିତ କରେ। ସଂକ୍ରମିତ ରୋଗଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ଦେଶରେ ଏଣ୍ଡେମିକ୍‌ ଓ ଏପିଡେମିକ ଅବସ୍ଥାରେ ଲାଗି ରହିଛି। ତେଣୁ ଦେଶରେ ଏପିଡେମିକ୍‌ ହୋଇ ସେହି ରୋଗ କେତେବେଳେ ବି ମହାମାରୀ ରୂପ ନେଇପାରେ।

ଦେଶ ଦେଶ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ତାରତମ୍ୟ ମହାମାରୀ ରୋଗର ଠିକ୍‌ ପୂର୍ବାନୁମାନ କରିବାରେ ପ୍ରଧାନ ଅନ୍ତରାୟ ସୃଷ୍ଟି କରିଛି। ଏବେ ଭୂତାଣୁ ଜନିତ ମହାମାରୀ ବେଶି ଦେଖାଯାଉଥିଲେ ମଧ୍ୟ ଆଣ୍ଟିବାଓଟିକ୍‌ର ବହୁଳ ଉପଯୋଗ ଦ୍ବାରା ଜୀବାଣୁ ଜନିତ ରୋଗ ଯାହା ପ୍ରାୟ ଦେଖାଯାଉ ନଥିଲା ତାହା କେତେବେଳେ ବି ମହାମାରୀ ରୂପ ନେଇପାରେ ବୋଲି ଚିକିତ୍ସାବିଜ୍ଞାନୀମାନେ ଚେତାଇ ଦେଲେଣି। ତେଣୁ ନିଜ ରାଜ୍ୟ ତଥା ଦେଶ ବିଦେଶକୁ କେଉଁ ରୋଗ ବ୍ୟାପୁଛି ଓ ତା’ର ପ୍ରତିକାର ନିମନ୍ତେ ବ୍ୟକ୍ତିଗତ, ପରିବାର ଓ ସାମାଜିକ କ୍ଷେତ୍ରରେ କ’ଣ କରିବା କଥା ସେ ବିଷୟରେ ଆମେ ସଚେତନ ରହିବା ଆବଶ୍ୟକ। ଆଶା କରିବା, ସମସ୍ତଙ୍କର ସହଯୋଗରେ ଭବିଷ୍ୟତ ମହାମାରୀକୁ ଏଡ଼ାଇଦେବା ବା ଆଗକୁ ବିଶେଷ କ୍ଷତି ପହଞ୍ଚାଇବାରେ ସୁଯୋଗ ଦେବା ନାହିଁ ଏବଂ ଏକ ସ୍ବରରେ କହିବା- ‘ସର୍ବେ ଭବନ୍ତୁ ନିରାମୟାଃ’।

Comments are closed.