ମା’ -ମାଟି- ମାତୃଭାଷା

ନିତ୍ୟସୁନ୍ଦର ଦାସ

ଆଜି ପବିତ୍ର ଉତ୍କଳ ଦିବସ, ସାଢ଼େ ଚାରିକୋଟି ଓଡ଼ିଆଙ୍କର ଆଜିର ଦିନ ଏକ ଗର୍ବ ଓ ଗୌରବର ଦିନ, ଓଡ଼ିଆ ଭାଷାକୁ ସରକାରୀ ଭାଷାର ମର୍ଯ୍ୟାଦା ଦେବା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ଯେଉଁ କେତେଜଣ ନେତୃତ୍ବ ନେଇଥିଲେ ସେଇମାନଙ୍କ ଭିତରୁ ବ୍ରଜସୁନ୍ଦର ଦାସ ଥିଲେ ଅନନ୍ୟ। ମାତୃଭାଷାର ବିକାଶରେ ହିଁ ମାତୃଭୂମିର ବିକାଶ ସମ୍ଭବ। ତେଣୁ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ବ୍ରଜସୁନ୍ଦର ଦାସ ଆପ୍ରାଣ ଉଦ୍ୟମ କରିଥିଲେ ଏବଂ ସମ୍ଭବ କରାଇପାରିଥିଲେ। ଯାହାର ଫଳସ୍ବରୂପ ଆଜି ଆମେ ଓଡ଼ିଆ ବୋଲି ଗର୍ବ କରୁଛେ।

ବ୍ରଜସୁନ୍ଦର ଦାସ ଥିଲେ ଓଡ଼ିଶାର ତୃତୀୟ ଗ୍ରାଜୁଏଟ୍‌। ଛାତ୍ର ଅବସ୍ଥାରୁ ​‌େଦଶ ସେବାରେ ବ୍ରତୀ ହୋଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଥିଲେ ତାଙ୍କର ଗୁରୁ ଏବଂ ମଧୁବାବୁଙ୍କର ବ୍ରଜସୁନ୍ଦର ଡାହାଣ ହାତ କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଆ ଭାଷା ପ୍ରତି ପଡ଼ୋଶୀଙ୍କ ଆକ୍ରମଣ ତାଙ୍କୁ ଖୁବ୍‌ ବାଧିଥିଲା। ତେଣୁ ସେ ଗୋପବନ୍ଧୁ ଓ ଲୋକନାଥ ପଟ୍ଟନାୟକଙ୍କ ସହ ମିଶି ‘କର୍ତ୍ତବ୍ୟବୋଧିନୀ ସଭା’ ଗଠନ କରିଥିଲେ ଏବଂ ସେହି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷାର ସ୍ବତନ୍ତ୍ରତା ପାଇଁ ଚେଷ୍ଟା କରିଥିଲେ। ଫଳରେ ବଙ୍ଗଳାର ତତ୍କାଳୀନ ଛୋଟଲାଟ୍‌ ସାର୍‌ ଜନ୍‌ ଉଡବର୍ଣ୍ଣ ସାହେବଙ୍କ ଆଦେଶରେ ୧୯୦୨ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଆଭାଷାକୁ ଏକ ସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା।

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ’ ଗଠନ ନିମନ୍ତେ ଆନ୍ଦୋଳନ କରିବାପାଇଁ ମଧୁବାବୁଙ୍କ ନେତୃତ୍ବରେ ୧୯୦୩ ମସିହାରେ ଗଠିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ ଯାହାର ମୂଳଦୁଆ ପଡ଼ିଥିଲା ବ୍ରଜସୁନ୍ଦର ଦାସଙ୍କର ବାସଭବନରେ। ବ୍ରଜସୁନ୍ଦର ‘ଉତ୍କଳ ସମ୍ମିଳନୀ’ର ସକ୍ରିୟ ସଦସ୍ୟଭାବେ କାର୍ଯ୍ୟ କରିଥିଲେ ଓ ୧୯୧୮ ମସିହାରୁ ଶେଷ ନିଃଶ୍ବାସ ତ୍ୟାଗ କରିବାଯାଏ ତାହାର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ।

ଗୋପବନ୍ଧୁ ଦାସ ଥିଲେ ବ୍ରଜସୁନ୍ଦର ଦାସଙ୍କର ସହପାଠୀ, ଘନିଷ୍ଠ ବନ୍ଧୁ ଏବଂ ଘନିଷ୍ଠ ସହଯୋଗୀ। ଦୁଇବନ୍ଧୁ ପ୍ରାୟତଃ ପ୍ରତ୍ୟେକ ଦିନ ବ୍ରଜସୁନ୍ଦର ଦାସଙ୍କ ବାସଭବନ ମୁକୁର ପ୍ରେସ ପରିସରରେ ଓଡ଼ିଆ ଭାଷା ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ବିଭିନ୍ନ ଆଲୋଚନା ଓ ରଣକୌଶଳ ତିଆରି କରୁଥିଲେ ଏବଂ ମଧୁବାବୁଙ୍କ ପରାମର୍ଶ ଲୋଡୁଥିଲେ।

୧୯୨୭ ନଭେମ୍ବର ୭ ତାରିଖରେ ଭାରତରେ ଶାସନ ସଂସ୍କାର ପାଇଁ ସାଇମନ କମିସନ ବସିଲା, କିନ୍ତୁ କମିସନକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ବର୍ଜନ କରାଗଲା। ଏହା ସତ୍ତ୍ବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କମିସନଙ୍କ ଠାରେ ଦୃଢ଼ ଭାବରେ ଉପସ୍ଥାପିତ କରିବାପାଇଁ ବ୍ରଜସୁନ୍ଦର ଦାସ ଥିଲେ ବଦ୍ଧପରିକର। ଏଥିପାଇଁ ସେ ମଧୁବାବୁଙ୍କ ପରାମର୍ଶରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରି ମଧୁବାବୁଙ୍କ ସହିତ ପାଟନା ଯାଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହାଛଡ଼ା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଫିଲିପ୍‌ ଡଫ୍‌ କମିଟି ଆଗରେ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ।

୧୯୩୨ ମସିହାରେ ଉତ୍କଳର ସୀମା ନିର୍ଦ୍ଧାରଣ ପାଇଁ ଓଡ଼ନେଲ କମିଟି ଆଗରେ ସାକ୍ଷ୍ୟ ଦେଇଥିଲେ ଏବଂ ଏକ ନକ୍ସା କମିଟିକୁ ପ୍ରଦାନ କରିଥିଲେ। ୧୯୩୪ ମସିହାରେ ରୋଗ ଶଯ୍ୟାରେ ପଡ଼ିଥିବା କୁଳବୃଦ୍ଧ ମଧୁସୂଦନ ବ୍ରଜସୁନ୍ଦରଙ୍କୁ ଡାକି କହିଥିଲେ, ବ୍ରଜ, ମୁଁ ମୋ କାମ ସାରିଦେଲି ଏଥର ତୁମକୁ ଲାଗିଲା।

ମଧୁବାବୁଙ୍କ ମୃତ୍ୟୁ ପରେ ବ୍ରଜସୁନ୍ଦର ଦାସ, ପାରଳା ମହାରାଜା, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ ଓ ବିଶ୍ବନାଥ ଦାସ, ଫକୀର ମୋହନ ସେନାପତି ପ୍ରମୁଖ ଅନେକ ନେତାମାନଙ୍କର ପରିଶ୍ରମରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା ଏବଂ ଓଡ଼ିଆ ଭାଷା ଏହାର ମୂଳଭାଷା ହୋଇ ରହିଲା।

ବ୍ରଜସୁନ୍ଦର ଦାସ ଏକାଧାରରେ ଥିଲେ ଜଣେ ଭାଷାବିତ୍‌, ଦେଶପ୍ରେମୀ, ସଙ୍ଗଠକ, ସଙ୍ଗୀତ ଓ କ୍ରୀଡ଼ାର ପ୍ରୋତ୍ସାହକ, ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗଠିତ ଓଡ଼ିଶା ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସେ ଥିଲେ ପ୍ରତିଷ୍ଠାତା ସଭାପତି, ସଙ୍ଗୀତର ଅଗ୍ରଗତି ପାଇଁ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଙ୍ଗୀତ ସମାଜ, ଜଣେ ଦକ୍ଷ ବ୍ୟବସ୍ଥାପକ ଭାବେ ୧୯୧୭ରୁ ୧୯୨୦ ବିହାର ଓଡ଼ିଶା କାଉନସିଲ ସଭ୍ୟ ୧୯୨୧ରୁ ୧୯୨୫ ଯାଏ ବଡ଼ଲାଟ୍‌ ସଭାର ସଭ୍ୟ ଓ ୧୯୩୬ରୁ ୧୯୪୪ ଓଡ଼ିଶା ବିଧାନସଭାର ସଭ୍ୟ ଥିଲେ ଏବଂ କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ମଧ୍ୟ ଥିଲେ।

ଆଜିର ପବିତ୍ର ଦିନରେ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସ, ବିଚିତ୍ରାନନ୍ଦ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କର ଅକୁଣ୍ଠ ବଳିଦାନକୁ ମନେ ପକାଇ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ‘ବନ୍ଦେ ଉତ୍କଳ ଜନନୀ’।

Comments are closed.