ସାଂସ୍କୃତିକ ସାପେକ୍ଷତା ଓ ରାଷ୍ଟ୍ରୀୟ ମୂଲ୍ୟବୋଧ
ଦାଶରଥି ଭୂୟାଁ
ଗୋଟିଏ ସମାଜର ସଂସ୍କୃତି, ବିଶ୍ୱାସ, ପରମ୍ପରା , ଭୌଗୋଳିକ ସ୍ଥିତି, ପରିବେଶ ଏବଂ ଐତିହାସିକ ପ୍ରସଙ୍ଗ ସହିତ ସେହି ସମାଜର ଜ୍ଞାନ, ସତ୍ୟ, ନୈତିକତା ଏବଂ ସାମାଜିକ ମୂଲ୍ୟବୋଧ ବିଦ୍ୟମାନ ଅଛି; କିନ୍ତୁ ଏହି ସାମାଜିକ ମୂଲ୍ୟବୋଧ ସଂପୂର୍ଣ୍ଣ ସାର୍ବଜନୀନ ନୁହେଁ। କୌଣସି କାର୍ଯ୍ୟ ଠିକ୍ କି ଭୁଲ ତାହା ଗୋଟିଏ ସମାଜର ନୈତିକ ନୀତି, ସଂସ୍କୃତି , ବିଶ୍ୱାସ, ମୂଲ୍ୟବୋଧ ଓ ପରମ୍ପରା ଉପରେ ନିର୍ଭର କରେ। କୌଣସି କାର୍ଯ୍ୟ ଗୋଟିଏ ସମାଜରେ ସାମାଜିକ ମୂଲ୍ୟବୋଧ ଭାବରେ ଠିକ୍ ହୋଇପାରେ, କିନ୍ତୁ ଅନ୍ୟ ସମାଜ ପାଇଁ ଭୁଲ ହୋଇପାରେ। ଉଦାହରଣ ସ୍ୱରୂପ- ପାଶ୍ଚାତ୍ୟ ସଂସ୍କୃତି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାପାଇଁ ପରିବାର ଯୋଜନାକୁ ଗ୍ରହଣ କରେ; କିନ୍ତୁ ଇସଲାମ ସଂସ୍କୃତି ଏହାକୁ ବିରୋଧ କରେ। ସେହିପରି ‘ଏସ୍କିମୋ’ ଜନଜାତି ତୁଷାରପାତ ଅଞ୍ଚଳରେ ବାସ କରନ୍ତି, ସେଠାରେ ଉଦ୍ଭିଦର ଅଭାବ ରହିଥାଏ, ତେଣୁ ମାଂସ ଖାଇବା ଏହି ଜନଜାତିର ଲୋକଙ୍କ ମଧ୍ୟରେ ନୈତିକ ଓ ସାମାଜିକ ମୂଲ୍ୟବୋଧ ବୋଲି ବିବେଚନା କରାଯାଉଥିବାବେଳେ ଅନ୍ୟ ସମ୍ପ୍ରଦାୟରେ ଲୋକେ ମାଂସ ଖାଇବା ଏକ ଅନୈତିକ କାର୍ଯ୍ୟ ବୋଲି ବିବେଚନା କରନ୍ତି। ଭାରତରେ କେତେକ ରାଜ୍ୟରେ ଗୋହତ୍ୟା ଉପରେ ପ୍ରତିବନ୍ଧକ ନାହିଁ । ସାଂସ୍କୃତିକ ସାପେକ୍ଷବାଦ ଏହି ଭିନ୍ନ ଆଇନ ପାଇଁ ଦାୟୀ । ସେହିପରି କେତେକ ଧର୍ମ ନାରୀ ଶିକ୍ଷାକୁ ବାରଣ କରେ । ଏହି କ୍ଷେତ୍ରରେ ମହିଳାମାନଙ୍କ ସ୍ଥିତି ଭିନ୍ନ ଭିନ୍ନ ହୋଇଥାଏ । ଏହି ଭିନ୍ନତା ଦୃଷ୍ଟିରୁ ମହିଳାମାନଙ୍କ ସାମାଜିକ ମୂଲ୍ୟବୋଧ କ୍ଷେତ୍ରରେ ସାର୍ବଜନୀନତା ସମ୍ଭବ ନୁହେଁ । ଏସୀୟ ଓ ଆଫ୍ରିକୀୟ ସମାଜ ସାମୁଦାୟିକ ନୀତି ଉପରେ ବିଶ୍ୱାସ ରଖନ୍ତି । ଏଠାରେ ବ୍ୟକ୍ତି ଅଧିକାର ଅପେକ୍ଷା ସମୂହ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ସାଂସ୍କୃତିକ ଅଧିକାର ଦ୍ୱାରା ବିବାଦର ସମାଧାନ ହୋଇଥାଏ । ଅନେକ ଧାର୍ମିକ ନେତାମାନଙ୍କର ଯୁକ୍ତି ହେଲା ଯେ ଧର୍ମ ଉପରେ ଥିବା ବିଶ୍ୱାସ ଅନୁସାରେ ମୂଲ୍ୟବୋଧ ସ୍ଥାପିତ ହେବା ଆବଶ୍ୟକ । ଧାର୍ମିକ ବିବିଧତା ଯୋଗୁଁ ମୂଲ୍ୟବୋଧ ଓ ନୈତିକତାର ସ୍ଥିତି ଜଟିଳ ଅଟେ । ପ୍ରତ୍ୟେକ ସଂସ୍କୃତିର ନିଜସ୍ୱ ନୈତିକ ସତ୍ୟ’ ଓ ସାମାଜିକ ମୂଲ୍ୟବୋଧ ଥାଏ, ଯାହା ଅନ୍ୟ ସଂସ୍କୃତିର ନୈତିକ ସତ୍ୟଠାରୁ ଭିନ୍ନ ହୋଇପାରେ। ସାଂସ୍କୃତିକ ପରିପ୍ରେକ୍ଷୀରେ ଦେଖିଲେ ସମସ୍ତ ମୂଲ୍ୟବୋଧ ସାଂସ୍କୃତିକ ଦୃଷ୍ଟିକୋଣରୁ ସଂଜ୍ଞା ନିରୂପଣ ଯାଏ ସାଂସ୍କୃତିକ ବିବିଧତା ସାମାଜିକ ମୂଲ୍ୟବୋଧକୁ ଗୋଟିଏ ଦୃଷ୍ଟିକୋଣରୁ ବିଚାର କରିନଥାଏ । ସମଗ୍ର ବିଶ୍ୱରେ ଗୋଟିଏ ପ୍ରକାରର ସଂସ୍କୃତି ନାହିଁ, ତେଣୁ ସାମାଜିକ ମୂଲ୍ୟବୋଧଗୁଡ଼ିକ ବିଶ୍ୱବ୍ୟାପୀ ନୁହେଁ । ସାମାଜିକ ମୂଲ୍ୟବୋଧ ଅଞ୍ଚଳରୁ ଅଞ୍ଚଳ, ସଂସ୍କୃତିରୁ ସଂସ୍କୃତି, ସମୂହରୁ ସମୂହ ଭିନ୍ନ ହୋଇଥାଏ । ସାମାଜିକ ମୂଲ୍ୟବୋଧଗୁଡ଼ିକ ବ୍ୟକ୍ତି ଅପେକ୍ଷା ସମୂହକୁ ଦୃଷ୍ଟିରେ ରଖି ବିତରଣ ହୋଇଥାଏ। ବ୍ୟକ୍ତିର ପରିଚୟ ବ୍ୟକ୍ତି ଏକକରେ ନଥାଏ, ବ୍ୟକ୍ତିର ପରିଚୟ ସମୁଦାୟରେ ଥାଏ । ତେଣୁ ବ୍ୟକ୍ତିର ମୂଲ୍ୟବୋଧ ଏବଂ ସମୂହ ସାମାଜିକ ମୂଲ୍ୟବୋଧ ମଧ୍ୟରେ ସମନ୍ୱୟ ଆଣିବା ଏକ କଷ୍ଟକର ବ୍ୟାପାର। ସାମାଜିକ ମୂଲ୍ୟବୋଧର ବ୍ୟାଖ୍ୟା ସାଂସ୍କୃତିକ ଦୃଷ୍ଟି କୋଣରୁ ଯାଇଥାଏ । ଗୋଟେ ସମାଜର ସାମାଜିକ ମୂଲ୍ୟବୋଧ ସ୍ଥାନୀୟ ମୂଲ୍ୟବୋଧ ସହିତ ଅନୁରୂପ ହୋଇଥାଏ । ଏହି କାରଣରୁ ସାମାଜିକ ମୂଲ୍ୟବୋଧକୁ ସାର୍ବଜନୀନ କରିହେବ ନାହିଁ । ପ୍ରତ୍ୟେକ ସମାଜ ଦ୍ୱାରା ନିଜସ୍ୱ ଲାଭ ଅନୁଯାୟୀ ସାମାଜିକ ମୂଲ୍ୟବୋଧକୁ ବ୍ୟାଖ୍ୟା କରାଯାଇଥାଏ । ଏହି କାରଣରୁ, ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ବ୍ୟବସ୍ଥାରେ ଥିବା ଲୋକମାନଙ୍କ ମୂଲ୍ୟବୋଧ ଭିନ୍ନ ଭିନ୍ନ ହୋଇଥାଏ। ଯେଉଁ ମୂଲ୍ୟବୋଧ ଦ୍ୱାରା ଗୋଟିଏ ସମାଜର ଲୋକମାନେ ବାସ କରନ୍ତି ତାହା ସେମାନଙ୍କ ନିର୍ଦ୍ଦିଷ୍ଟ ପ୍ରକାରର ସାଂସ୍କୃତିକ ମୂଲ୍ୟବୋଧ।
ବହୁ ସଂସ୍କୃତିବାଦ ସହିତ ସାର୍ବଜନୀନତାର ସହାବସ୍ଥାନ ଅତ୍ୟନ୍ତ କଠିନ । ସାଂସ୍କୃତିକ ଆପେକ୍ଷିକତା ନୈତିକ ଆପେକ୍ଷିକତା ସହିତ ସମାନ ନୁହେଁ। ଗୋଟିଏ ପଟେ ଦାବି ଅଛି ଯେ ଭିନ୍ନ ହେବାର ଅଧିକାରକୁ ସ୍ୱୀକୃତି ଦିଆଯିବା ଉଚିତ ଏବଂ ଅନ୍ୟ ପଟେ ଦାବି ହେଉଛି ଯେ ପାର୍ଥକ୍ୟ ମଧ୍ୟରେ ଥିବା ଅନ୍ତର୍ନିହିତ ମୂଲ୍ୟର ସମନ୍ୱୟକୁ ସ୍ୱୀକୃତି ଦିଆଯିବା ଉଚିତ୍। ପ୍ରତ୍ୟେକ ସଂସ୍କୃତି ନିଜର ମୂଲ୍ୟବୋଧ ଏବଂ ଆଚରଣବିଧି ଆଧାରରେ ମୂଲ୍ୟାଙ୍କନ କରାଯିବା ଉଚିତ, ଅନ୍ୟ ସଂସ୍କୃତି କିମ୍ବା ଜାତିର ଆଧାରରେ ନୁହେଁ ।
ଆମେ ସମସ୍ତେ ଭିନ୍ନ ଭିନ୍ନ ସାଂସ୍କୃତିକ ଦୁନିଆରେ ବାସକରୁ। ପ୍ରତ୍ୟେକ ବ୍ୟକ୍ତିଙ୍କର ବିଶ୍ୱାସ ଏବଂ ଅନୁଭୂତି ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଓ ଧାରଣାକୁ ଜନ୍ମ ଦେଇଥାଏ। ସମୟକ୍ରମେ ତାହା ସାମାଜିକ ମଞ୍ଜୁରୀ ହାସଲ କରେ । ଜଣେ ବ୍ୟକ୍ତିର ନୈତିକ ପ୍ରଦର୍ଶନ ତାହାର ସମ୍ପୃକ୍ତ ସମାଜ ଉପରେ ନିର୍ଭର କରେ, ତେଣୁ ଏହା ଆପେକ୍ଷିକ ଅଟେ। ପ୍ରତ୍ୟେକ ସଂସ୍କୃତିର ନୈତିକର ସଂଜ୍ଞା ଏହାର ଉଦ୍ଦେଶ୍ୟ, ପରିସ୍ଥିତି ଏବଂ ଆବଶ୍ୟକତା ଅନୁଯାୟୀ ନିର୍ଣ୍ଣୟ କରାଯାଏ।
ସାଂସ୍କୃତିକ ଆପେକ୍ଷିକତା ସେହି ଧାରଣା ଉପରେ ଆଧାରିତ ଯେ, ଭଲ କିମ୍ବା ମନ୍ଦର କୌଣସି ସର୍ବୋତ୍ତମ ପରିମାପକ ଓ ମାନ ନାହିଁ। ତେଣୁ, କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍ ତାହା ପ୍ରତ୍ୟେକ ସମାଜ ନିଜେ ସ୍ଥିର କରିପାରିବେ। ନୈତିକତା ଉପରେ ଯେ କୌଣସି ମତ ଜଣେ ବ୍ୟକ୍ତିର ନିର୍ଦ୍ଦିଷ୍ଟ ସାଂସ୍କୃତିକ ଦୃଷ୍ଟିକୋଣ ଉପରେ ଆଧାରିତ। କୌଣସି ସଂସ୍କୃତିର ମୂଲ୍ୟ ବା ବିଶ୍ୱାସ ଅନ୍ୟ ସଂସ୍କୃତିର ମାନଦଣ୍ଡ ଦ୍ୱାରା ବିଚାର କରାଯାଇପାରିବ ନାହିଁ। ସାଂସ୍କୃତିକ ଆପେକ୍ଷିକତା ଅନେକ ପ୍ରଭାବକୁ ଅନ୍ତର୍ଭୁକ୍ତ କରେ ଯାହା ସାର୍ବଜନୀନ ନୁହେଁ ଓ ସାଂସ୍କୃତିକ ଆପେକ୍ଷିକତା ନୈତିକ ଆପେକ୍ଷିକତା ସହିତ ଘନିଷ୍ଠ ଭାବରେ ଜଡିତ, ଯାହା ସତ୍ୟକୁ ନିଶ୍ଚିତ ବୋଲି ବିବେଚନା କରେ; କିନ୍ତୁ ସାର୍ବଜନୀନ ରୂପେ ନୁହେଁ। ସାଂସ୍କୃତିକ ଆପେକ୍ଷିକତା ଦୃଷ୍ଟିରୁ ନୈତିକତା ଓ ଅନୈତିକତା ସଂସ୍କୃତିରୁ ସଂସ୍କୃତି ମଧ୍ୟରେ ଭିନ୍ନ, ଏବଂ ସମାନ ଭାବରେ ବୈଧ। କୌଣସି ବ୍ୟବସ୍ଥା ଅନ୍ୟମାନଙ୍କ ତୁଳନାରେ ‘ଉତ୍ତମ’ କିମ୍ବା ‘ମନ୍ଦ’ ନୁହେଁ । ଭଲ କିମ୍ବା ମନ୍ଦ ସଂସ୍କୃତିର କୌଣସି ଚରମ ମାନଦଣ୍ଡ ନାହିଁ, ତେଣୁ ଭଲ ଏବଂ ମନ୍ଦ ପ୍ରତ୍ୟେକ ସମାଜର ଉତ୍ପାଦ ଅଟେ। ତେଣୁ, ନୈତିକତା କିମ୍ବା ଅନୈତିକତା ଉପରେ ଯେ କୌଣସି ମତ ପ୍ରତ୍ୟେକ ବ୍ୟକ୍ତିଙ୍କ ସାଂସ୍କୃତିକ ଦୃଷ୍ଟିକୋଣର ଅଧୀନ ଅଟେ। କୌଣସି ସମାଜର ସାଂସ୍କୃତିକ ମୂଲ୍ୟବୋଧକୁ ‘ଠିକ୍’ କିମ୍ବା ‘ଭୁଲ’ ଭାବରେ ବିବେଚନା କରାଯାଇପାରିବ ନାହିଁ। ବିଭିନ୍ନ ସମାଜରେ ଭିନ୍ନ ଭିନ୍ନ ନୈତିକ ମାନଦଣ୍ଡ ଅଛି। ଗୋଟିଏ ସାମାଜିକ ମୂଲ୍ୟବୋଧକୁ ଅନ୍ୟ ଅପେକ୍ଷା ଭଲ ବିଚାର କରିବା ପାଇଁ କୌଣସି ସାର୍ବଜନୀନ ପରିମାପକ ବ୍ୟବହୃତ ହୋଇପାରିବ ନାହିଁ ।
ଅପରପକ୍ଷରେ ଏହାର ଜବାବରେ ଜାତୀୟତାବାଦୀମାନେ ବିଶ୍ୱାସ କରନ୍ତି ଯେ ଦେଶରେ ବାସ କରୁଥିବା ଲୋକମାନଙ୍କର ସାଂସ୍କୃତିକ ଓ ସାମାଜିକ ପୃଷ୍ଠଭୂମି ନିର୍ବିଶେଷରେ ସମାନ ସାମାଜିକ ମୂଲ୍ୟବୋଧ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ଉଚିତ୍ । ସେମାନେ ଯୁକ୍ତି କରନ୍ତି ଯେ ସାର୍ବଜନୀନ ସାମାଜିକ ଓ ରାଷ୍ଟ୍ରୀୟ ମୂଲ୍ୟବୋଧ ସାଂସ୍କୃତିକ ସାପେକ୍ଷବାଦ ଦ୍ୱାରା ପ୍ରଭାବିତ । ସାର୍ବଜନୀନ ସାମାଜିକ ମୂଲ୍ୟବୋଧକୁ ନିର୍ଦ୍ଦିଷ୍ଟ ସାଂସ୍କୃତିକ ସମୂହର ଦାବି ଦ୍ୱାରା ପରିବର୍ତ୍ତନ କରାଯାଇ ପାରିବ ନାହିଁ । ତେଣୁ କ୍ଷତିକାରକ ସାଂସ୍କୃତିକ ଅଭ୍ୟାସକୁ ଦୂର କରାଯିବା ଉଚିତ ।
ବସ୍ତୁନିଷ୍ଠ ସତ୍ୟ ରୂପରେ ସାର୍ବଜନୀନ ମୂଲ୍ୟବୋଧ ଏବଂ ବ୍ୟକ୍ତିନିଷ୍ଠ ସତ୍ୟ ରୂପରେ ସାଂସ୍କୃତିକ ମୂଲ୍ୟମଧ୍ୟରେ ବିବାଦ ରହିଛି । ଏହି କାରଣରୁ ସାର୍ବଜନୀନ ନୈତିକତା/ମୂଲ୍ୟବୋଧ ସହିତ ଗୋଟିଏ ସମାଜର ସାଂସ୍କୃତିକ ମୂଲ୍ୟବୋଧ ମଧ୍ୟରେ ବିବାଦ ବଢି ଚାଲିଛି । ଯଦି ଏହି ବିବିଧତା କ୍ଷତିକାରକ ନୁହେଁ, ତେବେ ସେହି ବିବିଧତାକୁ ଗ୍ରହଣ କିମ୍ବା ଉତ୍ସାହିତ କରିବାରେ ଦ୍ୱିଧା ନାହିଁ। ତଥାପି, ଗୋଟିଏ ସଂସ୍କୃତିର କେତେକ ରୀତିନୀତି ଏବଂ ମୂଲ୍ୟ ପ୍ରଣାଳୀ ସେହି ସମାଜର ଅନ୍ୟ କେତେକ ସାଂସ୍କୃତିକ ସମୂହ ପାଇଁ କ୍ଷତିକାରକ ହୋଇପାରେ ।
Comments are closed.