www.samajalive.in
Monday, December 15, 2025
17.1 C
Bhubaneswar

ଭାରତୀୟ ସାଙ୍କେତିକ ଭାଷା ଓ ଆଜିର ଆବଶ୍ୟକତା

“ମୁଁ ଆର ଥରକୁ ଏତେ ଫୁଲ ତୋଲିବି,” ଦୁଇ ହାତକୁ ମେଲାଇ ପିଲାବେଳେ ବୋଧେ ଆମେ ସମସ୍ତେ କହିଥିବୁ। ତାହା ଶବ୍ଦର ଅଭାବରେ ହେଉ ବା କଥା ହେଲାବେଳେ ଉପଯୁକ୍ତ ଶବ୍ଦଟି ମନକୁ ନ ଆସି ଥିବାରୁ ହେଉ, ନିଜର ଇଚ୍ଛାବ୍ୟକ୍ତ କରିବାକୁ ଆମେ ସମସ୍ତେ ପ୍ରାୟ ସାଙ୍କେତିକ ଭାଷା ବା ଇଙ୍ଗିତ କରିଥାଉ। ପିଲାବେଳେ ଟେଲିଭିଜନ ପରଦାରେ ଦୁଇ ଲୋକଙ୍କ ଚିତ୍ର ପାଖାପାଖି ଥାଇ ଜଣେ ଟିକେ ଧୀର ଗତିରେ ଓ ଅନ୍ୟଜଣେ ସାଙ୍କେତିକ ଭାଷାରେ ଗୁରୁତ୍ବପୂର୍ଣ ସମ୍ବାଦ ପଢୁଥିବାର ଦୃଶ୍ୟ ନିଶ୍ଚୟ ସମସ୍ତେ ଦେଖିଥିବେ, ଯାହା ଏବେ ବି ଦୂରଦର୍ଶନରେ ନିର୍ଦିଷ୍ଟ ସମୟରେ ପ୍ରସାରିତ ହେବାର ଦେଖିବାକୁ ମିଳେ।

ପ୍ରକୃତ କଥାଟି ହେଲା, ଆମ ବାକ୍ୟର ସମସ୍ତ ଭାଗକୁ ଠିକ୍‌ ଭାବେ ଅନ୍ୟକୁ ବୁଝାଇବା ବା ନିଜ କଥାର ମର୍ମ ଅନ୍ୟ ଜଣେ ଠିକ୍‌ ଭାବେ ଜଣାଇବା ପାଇଁ ଆମେ ନିଜର ଭାଷା ସହ ସାଙ୍କେତିକ ଭାଷାକୁ ବ୍ୟବହାର କରିଥାଉ। ଏ ତ ଗଲା ସାଧାରଣ ଲୋକଙ୍କ କଥା। ବଧିର ବା ଶୁଣିବାରେ କଠିନତା ଥିବା ଜନସଂଖ୍ୟାଙ୍କ ବିଷୟରେ କହି ପାରିବା ଯେ ଭାରତରେ ଛ’ରୁ ସାତ ପ୍ରତିଶତ ଲୋକ ଶ୍ରବଣଶକ୍ତି ବିହୀନ, ରିପୋର୍ଟ ଅନୁସାରେ। ସେ ରିପୋର୍ଟ ଯେ ଠିକ୍‌, ତାହା କହି ହେବ ନାହିଁ, କାରଣ ଏ ପର୍ଯ୍ୟନ୍ତ ଜଣଗଣନାରେ ସବୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭିନ୍ନକ୍ଷମତା ବିଷୟରେ କାଗଜପତ୍ରରେ ଉଲ୍ଲେଖ କରାଯାଇ ନାହିଁ। ସରକାର ଏବେ ସମସ୍ତଙ୍କୁ ସାଙ୍କେତିକ ଭାଷା ଶିଖିବା ପାଇଁ ପ୍ରେରଣା ଦେଉଛନ୍ତି, ଯେମିତିକି ସମସ୍ତେ ପ୍ରାୟ ମୂକ ଓ ବଧିର ଲୋକଙ୍କ ସହ କଥା ବାର୍ତ୍ତା ହୋଇ ପାରିବେ।

- Advertisement -

ଆମ ଶ୍ରବଣ ଶକ୍ତିର ରେଞ୍ଜ ୨୦ HZ ରୁ ୨୦ KHZ ଥାଏ । ସବୁ ମଣିଷ ଜନ୍ମ ହେଲାବେଳେ ବିଭିନ୍ନ ଡିଗ୍ରୀର ଶୁଣିବା ଶକ୍ତି ନେଇ ଜନ୍ମ ହୋଇଥାନ୍ତି, କାହାର ଶ୍ରବଣ ଶକ୍ତି ପୂରା ସ୍ବାଭାବିକ ଥିବାବେଳେ କିଛି ଜଣଙ୍କର ଏହି ଶକ୍ତି କମ୍‌ ଥାଏ; କିନ୍ତୁ ପ୍ରାୟ ଅନେଶତ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କିଛିଟା ଶୁଣି ପାରିବା ଶକ୍ତିଥାଏ, ଯାହାକୁ residual hearing ବା ଅବଶିଷ୍ଟ ଶ୍ରବଣଶକ୍ତି ବୋଲି କୁହାଯାଇଥାଏ। ଯାହାର ଏଇ ଅବଶିଷ୍ଟ ଶ୍ରବଣଶକ୍ତି ନଥାଏ, ସେମାନଙ୍କୁ ପଥର-ବଧିର ବୋଲି କୁହାଯାଇଥାଏ- ସୌଭାଗ୍ୟବଶତଃ ଏ ପ୍ରକାର ଭିନ୍ନକ୍ଷମତା ଅତି କମ୍‌- ଶୁଣିବାଶକ୍ତି ଭିନ୍ନକ୍ଷମଙ୍କ ମଧ୍ୟରୁ ଏକ ପ୍ରତିଶତରୁ ବି କମ୍‌ ; କିନ୍ତୁ ବାକି ଅନେଶତ ପ୍ରତିଶତଙ୍କ କ୍ଷେତ୍ରରେ ସେଇ ଅବଶିଷ୍ଟ ଶ୍ରବଣଶକ୍ତି କିଛି ଯତ୍ନ ନ ପାଇଲେ ବା ବ୍ୟବହାର ନ ହେଲେ ପ୍ରାୟତଃ ଆସ୍ତେ ଆସ୍ତେ ନଷ୍ଟ ହୋଇ ଯାଇଥାଏ। ଆମେ ମହାଭାରତରୁ ଜାଣିଛୁ ପିଲାଙ୍କ ଶୁଣିବାଶକ୍ତି ମା’ ଗର୍ଭରୁ ହିଁ ଆରମ୍ଭ ହୋଇଥାଏ, ଯାହା ବିଜ୍ଞାନ ପ୍ରମାଣ ମଧ୍ୟ କରି ସାରିଛି। ତେଣୁ ଶୁଣିବା ଶକ୍ତି ସାଧାରଣ ଥିଲେ ଯାଇ ଜଣେ ପିଲା ଗୋଟେ ବର୍ଷ ମଧ୍ୟରେ ତା’ର ପ୍ରଥମ ଶବ୍ଦ, ପରେ ଅର୍ଥ ଥିବା ଶବ୍ଦ ଓ ଦୁଇବର୍ଷରେ ମାନେ ଥିବା ଭଙ୍ଗା ଶବ୍ଦ ଓ ପରେ ପୂରା ମାନେ ଥିବା ପୂରା ବାକ୍ୟ କହିପାରେ। ତେଣୁ ଶୁଣିବା ଓ ଭାଷା ଆରମ୍ଭ ହେବାରେ ପ୍ରଥମ ତିନି ବର୍ଷ ବହୁତ ଗୁରୁତ୍ବପୂର୍ଣ୍ଣ। ପରେ ସାତ ବର୍ଷ ଯାଏ ଏ ଭାଷା ଶିଖିବାରେ (ପ୍ରଥମ ) ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥାଏ, ଏଇ ସାତବର୍ଷ ଭିତରେ ଶିଶୁ ଜଣକ ଅନେକ ଭାଷା ଶୁଣିଥାଏ, ତା’ର ଶୁଣିବାର ପ୍ରକ୍ରିୟାଟି ଗୁରୁତ୍ବ ହୋଇଥାଏ। ମାତ୍ର ଶ୍ରବଣଶକ୍ତି କମ୍‌ ଥିବା ପିଲାମାନେ ଜାଗରୁକତା ଅଭାବରୁ ବା ଆମ ସ୍ୱାସ୍ଥ୍ୟ ବିଭାଗରେ ବ୍ୟବସ୍ଥା ନ ଥିବାରୁ ପିଲାମାନଙ୍କ ପ୍ରଥମ ତିନି ବର୍ଷର ଗୁରୁତ୍ବପୂର୍ଣ୍ଣ ସମୟ ଭଲରେ ଶୁଣି ନ ପାରି ନଷ୍ଟ ହୋଇଯାଏ: ସୁତରାଂ ସେମାନଙ୍କର ଭାଷାର ଆରମ୍ଭ ହୋଇ ପାରେ ନାହିଁ। ଡେରିରେ ଅଭିଭାବକମାନେ ତା’ର ଭିନ୍ନକ୍ଷମତାକୁ ଚିହ୍ନନ୍ତି ଓ ସାଙ୍କେତିକ ଭାଷା ବିଦ୍ୟାଳୟରେ ଭର୍ତ୍ତିକରି ଦିଅନ୍ତି। ସେମାନେ ସେଇ ସାଙ୍କେତିକ ଭାଷା ଶିଖନ୍ତି ଓ ଜୀବନଯାକ ସେଇ ଭାଷାରେ ପଢ଼ନ୍ତି, ସେଇ ଭାଷାରେ ହିଁ ଭାବର ଆଦାନ-ପ୍ରଦାନ କରନ୍ତି । ଯେହେତୁ ସାଙ୍କେତିକ ଭାଷା ଅଳ୍ପ କିଛି ଲୋକଙ୍କୁ ଜଣା, ତାଙ୍କ ଦୁନିଆ କେବଳ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଭିତରେ ସୀମିତ ହିଁ ରହିଯାଏ। ଆଉ ସବୁଠୁ ଦୁଃଖର ବିଷୟ – ସେମାନେ ଶବ୍ଦ କେମିତି ଶୁଣାଯାଏ ଓ ସଙ୍ଗୀତର ଆନନ୍ଦ କ’ଣ ତାହା ଜାଣି ପାରନ୍ତି ନାହିଁ; ମାତ୍ର, ଖୁସିର ଖବର ହେଉଛି, ସେମାନଙ୍କ ଜୀବନ ଏମିତି ନିଶବ୍ଦ ଓ ସଙ୍ଗୀତ ବିହୀନ ହେବ, ତାହା ଜରୁରୀ ନୁହେଁ। ସେମାନଙ୍କୁ ମଧ୍ୟ ବକ୍ତବ୍ୟର ଉପହାର ମିଳି ପାରିବ।

ଯଦି ଗୋଟେ ନବଜାତ ଶିଶୁ ଜନ୍ମ ହେଲା ପରେ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ତାର ଆଖି, କାନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ମାପଦଣ୍ଡ ସବୁକୁ ଯାଞ୍ଚ କରାଯାଇପାରିବ, ତା’ହେଲେ ଯଥାଶୀଘ୍ର ଶ୍ରବଣଶକ୍ତି ରହିତ ପିଲାମାନଙ୍କୁ ଉପଯୁକ୍ତ ଶ୍ରବଣ ଯନ୍ତ୍ର (hearing aid) ଦେଇ ସେମାନଙ୍କର ଅବଶିଷ୍ଟ ଶ୍ରବଣ ଶକ୍ତିକୁ ସଂରକ୍ଷିତ ରଖାଯାଇ ପାରିବ। ସେମାନଙ୍କୁ ଦୁଇ ବର୍ଷ ଭିତରେ ଉପଯୁକ୍ତ ତାଲିମ ଦେବା ଆରମ୍ଭ କଲେ ସେମାନେ କଥା କହି ପାରିବେ। ଏଥିପାଇଁ ସ୍ବତନ୍ତ୍ର ପ୍ରି-ସ୍କୁଲ ରହିଛି ଯେଉଁଠି ପିଲାଙ୍କ ସହ ତା’ର ମା’(ବା ପ୍ରାଥମିକ ଯତ୍ନ ନେଉଥିବା ବ୍ୟକ୍ତି)କୁ ମଧ୍ୟ ତାଲିମ ଦିଆଯାଏ। ତିନି-ଚାରି ବର୍ଷର ତୀବ୍ର ତାଲିମ ପରେ ସେମାନେ ସାଧାରଣ ବିଦ୍ୟାଳୟରେ ସାମିଲ ହୋଇ ପାରିବେ, ନିଜ ଜୀବନ ପ୍ରାୟ ସାଧାରଣ ଭାବେ ବଞ୍ଚି ପାରିବେ। ସେମାନଙ୍କୁ ପ୍ରଥମେ କେବଳ ଗୋଟିଏ ଭାଷାରେ ଶିକ୍ଷା ଦିଆଯାଏ ଓ ଏଥିପାଇଁ ଦ୍ବିତୀୟ ଓ ତୃତୀୟ ଭାଷା ଜାଗାରେ ଅନ୍ୟ ବିକଳ୍ପ ବିଷୟ ପଢ଼ିବାର ସୁବିଧା ସିବିଏସଇ, ଆଇସିଏସଇ ଓ ଅନେକ ରାଜ୍ୟସ୍ତରୀୟ ଶିକ୍ଷା ବୋର୍ଡମାନଙ୍କରେ ପ୍ରାବଧାନ ରହିଛି। ପ୍ରଚଳିତ ମାତୃଭାଷା ବା ଇଂରାଜୀ ମାଧ୍ୟମରେ ଶିକ୍ଷା ଶ୍ରବଣଶକ୍ତି ରହିତ ପିଲାମାନଙ୍କ ପାଇଁ ଗୋଟେ ବଡ଼ ଉପହାର ହୋଇପାରିବ। ପରେ ପିଲାର ଦକ୍ଷତା ଅନୁସାରେ ସେମାନେ ଆଉ ଗୋଟେ କଥିତ ଭାଷା ଶିଖି ପାରିବେ।
ସାଧାରଣତଃ ପିଲା ସମୟ ପୂର୍ବରୁ (premature) ଜନ୍ମ ହୋଇଥିଲେ ବା ଜନ୍ମ ଓଜନ କମ୍‌ ଥିଲେ, ମା’କୁ ଗର୍ଭ ଧାରଣ ବେଳେ ରୁବେଲ୍ଲା ନାମକ ଭୂତାଣୁ ଜ୍ବର ହୋଇଥିଲେ ବା ମାତା-ପିତା ସମ୍ପର୍କୀୟ ହୋଇଥିଲେ (ଦକ୍ଷିଣ ଭାରତରେ ପ୍ରଚଳିତ ଥିବା ସମ୍ପର୍କୀୟ ସହ ବିବାହ), ମାତା-ପିତାଙ୍କ ଜିନ୍‌ରେ କିଛି ଅସୁବିଧା ଥିଲେ ସନ୍ତାନ ଭିନ୍ନକ୍ଷମ ହେବାର ଆଶଙ୍କା ବଢ଼ିଯାଏ। ଗର୍ଭଧାରଣ ସମୟରୁ ଡାକ୍ତରଙ୍କ ପରାମର୍ଶ ନେଲେ ଏ ସବୁକୁ କିଛି କ୍ଷେତ୍ରରେ ଆଡ଼େଇ ହେବ।

ଯେଉଁ ଶିଶୁମାନଙ୍କର ଅବଶିଷ୍ଟ ଶ୍ରବଣଶକ୍ତି ବହୁତ କମ୍‌ ଥାଏ ବା ଯେଉଁମାନେ ପଥର କାଲ ଶ୍ରେଣୀରେ ଗଣା ଯାଆନ୍ତି, ତାଙ୍କ ପାଇଁ ଶ୍ରବଣଯନ୍ତ୍ର ଲାଭଦାୟକ ହୁଏ ନାହିଁ। କିନ୍ତୁ ଗତ କେତେ ଦଶନ୍ଧି ଧରି ଚାଲିଥିବା ଅନୁସନ୍ଧାନ ହିସାବରେ ଛୋଟ ବେଳୁ ଯଦି କକଲିଆର ଭିତରେ ଗୋଟେ ଛୋଟ ଯନ୍ତ୍ର ପ୍ରତିରୋପଣ (cochlear implant) କରାଯାଏ, ତାହା ସେମାନଙ୍କୁ ଶୁଣିବାରେ ସାହାଯ୍ୟ କରିଥାଏ। ଏହା କିଛି ମାତ୍ରାରେ ବ୍ୟୟବହୁଳ ହେଲେ ମଧ୍ୟ, ସରକାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ତରଫରୁ ଆର୍ଥିକ ସହାୟତା ଉପଲବ୍ଧ କରାଯାଉଛି। ଏହି ଚିକିତ୍ସା ପ୍ରଣାଳୀରେ ସାମାନ୍ୟ ବିପଦସଙ୍କୁଳ ହୋଇଥିବାରୁ, ଏଥି ପାଇଁ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଲୋଡ଼ା। ଏହି ପ୍ରତିରୋପଣ ଅତି ବେଶିରେ ପାଞ୍ଚରୁ ସାତ ବର୍ଷ ଭିତରେ କରାଇବା ଜରୁରୀ। ପ୍ରତିରୋପଣ ପରେ ଭାଷା ଶିଖିବାର ତାଲିମ ପ୍ରାୟ ଶ୍ରବଣଯନ୍ତ୍ର ବ୍ୟବହାର କରୁଥିବା ଶିଶୁ ସହିତ ସମାନ, ଉଭୟଙ୍କ ପାଇଁ ଶୁଣିବା ଟ୍ରେନିଂ ଓ ସ୍ପୀଚ ଥେରାପି ଅପରିହାର୍ଯ୍ୟ ହୋଇଥାଏ। ଜନ୍ମରୁ ସାତବର୍ଷ ଭିତରେ ଏହି ଟ୍ରେନିଂ ଅଧିକ ସହଜ ହୋଇଥାଏ। ସେ ସମୟରେ ସେମାନଙ୍କୁ ହାତରେ କିଛି ବି ଇଙ୍ଗିତ କରିବାକୁ ବାରଣ କରାଯାଇଥାଏ, କାରଣ ଥରେ ଇଙ୍ଗିତ କରିବା ଆରମ୍ଭ କଲେ ସେମାନେ ମୁହଁ ଖୋଲି ଭାଷାରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାନ୍ତି। ସାଧାରଣତଃ ଆମେ ଯେଉଁ ଭାଷା ଠିକ୍‌କରି କହିପାରି ନ ଥାଉ, ଇଙ୍ଗିତ କରି ଅପର ପକ୍ଷକୁ ବୁଝାଇବାକୁ ଚେଷ୍ଟା କରୁ; ଫଳରେ ଭାଷାର ଆଉ ପରିପ୍ରକାଶ ହୋଇପାରେ ନହିଁ। ଲେଖିବା ଓ ପଢ଼ିବା ସହ, ଶବ୍ଦକୁ ଠିକ୍‌ ଭାବେ ଉଚ୍ଚାରଣ କରିବାର ପ୍ରଶିକ୍ଷଣ ଦିଆ ଯାଇଥାଏ।

ତେଣୁ ଆମେ ସମସ୍ତେ ଯଦି ଗୋଟେ ଅନ୍ତର୍ଭୁକ୍ତ ସମାଜ ବନାଇବାକୁ ଚାହୁଁଛୁ, ଖାଲି ସଂରକ୍ଷଣ ନୁହେଁ, ଭିନ୍ନକ୍ଷମଙ୍କ ଉଚିତ ବିକାଶ, ପୁନର୍ବାସ ଓ ପକ୍ଷପାତିତା କେମିତି ନ ହେବ, ସେ ଦିଗରେ ଧ୍ୟାନ ଦେବା ଉଚିତ। ଶ୍ରବଣଶକ୍ତି ରହିତଙ୍କ ପୁନର୍ବାସ ସମ୍ଭବ ହେବା ପାଇଁ ଶୀଘ୍ର ଶ୍ରବଣ ଯନ୍ତ୍ର କି କକଲିଆର ପ୍ରତିରୋପଣ ସହିତ, ପାରିବାରିକ ସହଯୋଗ ଓ ଅଡିଓଲଜିଷ୍ଟଙ୍କ ପରାମର୍ଶ ଅପରିହାର୍ଯ୍ୟ। କେବଳ ସାଙ୍କେତିକ ଭାଷା ଶିଖିବା ନୁହେଁ, ସେମାନେ କେମିତି ପାଠ ପଢ଼ିବେ ଓ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇପାରିବେ, ଏ ବିଷୟରେ ତାମିଲନାଡୁ ସରକାର ନେଇଥିବା ପଦକ୍ଷେପ ଅନୁକରଣୀୟ। ତାମିଲନାଡୁର ପ୍ରାୟ ପ୍ରତି ଜିଲାରେ ‘ବାଲ ବିଦ୍ୟାଳୟ’ ମଡେଲରେ ଶ୍ରବଣଶକ୍ତି ରହିତ ଶିଶୁଙ୍କ ଶିକ୍ଷା ପ୍ରାପ୍ତି ପାଇଁ ପ୍ରି-ସ୍କୁଲ ସ୍ଥାପିତ ହୋଇଛି। ସବୁ ଜିଲା ସରକାରୀ ହସ୍ପିଟାଲରେ ନବଜାତକଙ୍କ ନିଃଶୁଳ୍କ ସ୍କ୍ରୀନିଂ କରାଯାଏ ଓ ଶ୍ରବଣଶକ୍ତିର ଅଭାବ ଜଣା ପଡିଲେ, ପୁନର୍ବାସ, ବକ୍ତବ୍ୟ ତାଲିମ ପାଇଁ ପ୍ରି-ସ୍କୁଲକୁ ପଠାଯାଏ। ଆମ ଦେଶର ପ୍ରତ୍ୟେକ ଜିଲାରେ ଏହି ସୁବିଧା ଉପଲବ୍ଧ ହେବା ଉଚିତ। ତା’ହେଲେ ଯାଇ ବଧିର, ମୂକ ହୋଇ ରହିଯିବେ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories