ଏକଦା ବାଗ୍ଦାଦ(ଇରାକ)ରେ ଥା’ନ୍ତି ଜଣେ ବଡ଼ ହାକିମ (ବୈଦ୍ୟ), ଯିଏ କି ଚମକପ୍ରଦ ଚିକିତ୍ସା ପଦ୍ଧତି ଯୋଗୁଁ ଖ୍ୟାତ ଥିଲେ ସାରା ଆରବ ଜଗତରେ। ଏକାଧିକ ବେମାରି ଯୋଗୁଁ ଯାବତୀୟ ଯନ୍ତ୍ରଣା ଭୋଗୁଥାନ୍ତି ଜଣେ ଧନାଢ୍ୟ ଜମିଦାର। ଚାରିଆଡୁ ନିରାଶ ହୋଇ ଶେଷରେ ଦିନେ ମନସ୍ଥ କଲେ ସେହି ହାକିମଙ୍କ ନିକଟକୁ ଯିବାକୁ। କିନ୍ତୁ ହାକିମଙ୍କ ଥିଲା କଠୋର ସର୍ତ୍ତ। ଅକର୍ମଣ୍ୟ ରୋଗୀଙ୍କ ବ୍ୟତୀତ ବାକି ସମସ୍ତେ ତାଙ୍କ ପାଖକୁ ପଦବ୍ରଜରେ ହିିଁ ଯିବାକୁ ହେବ, ପଥ ଯେତେଦୂର ହୋଇଥାଉ ପଛେ। ଅନ୍ୟଥା ଚିକିତ୍ସା ତ ଦୂରର କଥା, ରୋଗୀଙ୍କ ସହିତ ପଦେ ବି କଥା ହେବେନି ସେ। ଅନନ୍ୟୋପାୟ ହୋଇ ଜମିଦାର ଦିନେ ଚାଲିଚାଲି ଯାଇ ପହଞ୍ଚିଲେ ତାଙ୍କ ଘରେ। ସେତେବେଳେ ହାକିମ ଯାଇଥିଲେ ଓଟ ଚରାଇବାକୁ। ଜମିଦାର ବି ପଚାରିପଚାରି ଯାଇ ପହଞ୍ଚିଗଲେ ସେଠାରେ। କିଛି ସମୟ ପରେ ଦୁହେଁ ଆସିଲେ ଘରକୁ। ଜମିଦାରଙ୍କଠାରୁ ସବୁ ଶୁଣି ସାରିଲା ପରେ ଘରଭିତରକୁ ଯାଇ ଅତି ଛୋଟଛୋଟ ୩୦ଟି ପୁଡ଼ିଆ ଆଣି ତାଙ୍କ ହାତକୁ ବଢ଼େଇଦେଇ କହିଲେ – ପ୍ରତ୍ୟହ ସକାଳେ କପାଳରୁ ନିର୍ଗତ ବିନ୍ଦୁଏ/ଦୁଇବୁନ୍ଦା ଝାଳକୁ ହାତପାପୁଲିରେ ରଖି,ସେଥିରେ ଗୋଟେ ପୁଡ଼ିଆ ମିଶାଇ ଚାଟିଦେବ; କିନ୍ତୁ ସାବଧାନ, କପାଳରୁ ବୋହୁଥିବା ସ୍ବେଦବିନ୍ଦୁ ବ୍ୟତୀତ ସେଥିରେ ଜଳ, ମହୁ କି ଅନ୍ୟକିଛି ମିଶାଇବ ନାହିଁ। ଏପରିକି ଦେହରୁ ନିର୍ଗତ ଅନ୍ୟ ସ୍ବେଦବିନ୍ଦୁ ବି ନୁହଁ। ସେପାଇଁ ତୁମକୁ ସକାଳେ ଏମିତି ଚାଲିବାକୁ ହେବ, ଯେମିତିକି କପାଳରୁ ଝାଳ ବାହାରିବ। ଏହା ବ୍ୟତୀତ ତୁମର ଅନ୍ୟ କୌଣସି ଉପଚାର ନାହିଁ।
ବର୍ଷବର୍ଷ ଧରି ଭୋଗି ଚାଲିଥିବା ବେମାରିରେ ଏତେକଷ୍ଟ ପାଇବା ଅପେକ୍ଷା, ମାତ୍ର ୩୦ଟି ଦିନ ଟିକେ କଷ୍ଟକରି ଚାଲିଲେ ବା କ୍ଷତି କ’ଣ – ଏହା ବିଚାରକରି, ହାକିମଙ୍କ କଥାନୁଯାୟୀ ନିିିତିସକାଳେ ଚାଲିବା ସହିତ ଆରମ୍ଭ କରିଦେଲେ ଔଷଧ ସେବନ। ଚାହୁଁଚାହୁଁ ଚାଲିଯାଇଛି ୩୦ ଦିନ। ତା’ସହିତ ବି ଚାଲିଯାଇଛି ଅନେକ ଯନ୍ତ୍ରଣା। ପୂର୍ବାପେକ୍ଷା ସ୍ବାସ୍ଥ୍ୟରେ ଆସିଛି ଅନେକ ସୁଧାର। ଉଦାସ ବଦଳରେ ମନରେ ଆଜି ଖେଳୁଛି ଉଲ୍ଲାସ ଓ ସନ୍ତୋଷଭାବ। ଚାଲିଚାଲି ଯାଇ ପୁୁଣି ପହଞ୍ଚିଲେ ହାକିମଙ୍କ ନିକଟରେ। କୃତଜ୍ଞତାଭରା କଣ୍ଠରେ କହିଲେ – ଆଜ୍ଞା, ବିଭିନ୍ନ ଆଡୁ ଔଷଧ ସେବନ ସତ୍ତ୍ୱେ ଆଶାଜନକ ଫଳ ପାଉନଥିଲାବେଳେ ଆପଣଙ୍କ ୩୦ପାନ ଔଷଧରେ ମୁଁ ଏବେ ଯଥେଷ୍ଟ ସୁସ୍ଥ ଅନୁଭବ କରୁଛି। ଆପଣ ମୋତେ କ’ଣ ଏମିତି ଔଷଧ ଦେଲେ ଯେ,ତାହା ଯାଦୁଭଳିଆ କାମ ଦେଲା ? ହସିହସି ହାକିମ ସେଇଠୁ କହିଲେ – ଔଷଧର ନାଁ ହେଉଛି ସ୍ବେଦବିନ୍ଦୁ। ଅର୍ଥାତ ତୁମ ‘କପାଳଝାଳ’ ହିଁ ତୁମକୁ ସୁସ୍ଥ କରେଇଲା। ଝାଳ ବୁହାଇବା ପାଇଁ ତୁମେ ଯେହେତୁ ଚାଲିଲ, ସେଇଠୁ ତୁମ ଅଙ୍ଗର ସବୁ ଅଂଶ ବି ଚାଲିବା ଆରମ୍ଭ କଲେ। ଅର୍ଥାତ୍ ତୁମେ ଚାଲୁନଥିବା ଯୋଗୁଁ ଦେହର ନାଡ଼ିଗୁଡା ସବୁ ବସି ରହିଥିଲେ। ଧୀରେଧୀରେ ସେଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଲେ। ଫଳରେ ରକ୍ତ ସଞ୍ଚାଳନ ବ୍ୟାହତ ହେଲା। ଶରୀରର ସବୁ ଅଂଶକୁ ଠିକ୍ଭାବେ ରକ୍ତପ୍ରବାହ ହୋଇନପାରିବା କାରଣରୁ, ଗଣ୍ଠିବାତଠୁ ଆରମ୍ଭ କରି ମେଦ ବହୁଳତା ଆଦି ଅସଂଖ୍ୟ ରୋଗ ଉତ୍ପନ୍ନ ହେବାରେ ଲାଗିଲା। ଗୋଟେ ବେମାରରୁ ପୁଣି ଆଉଗୋଟେ ବେମାର ବଢ଼ିବଢ଼ି ଚାଲିଲା, ଯାହାକି ତୁମର ଯାବତୀୟ ଯନ୍ତ୍ରଣାର ଉତ୍ସ ଥିଲା। ସେଦିନ ବି ମୁଁ ଓଟ ଚରାଉଥିଲି ଏଇଥିପାଇଁ। କାରଣ ଓଟ ହେଉଛି ଏଭଳି ପ୍ରାଣୀ, ଯିଏକି ଗୋଟେ ଜାଗାରେ ସ୍ଥିର ହୋଇ ରହିପାରେନା। ଗୋଟେ ଗଛରେ ମୁହଁ ଲଗାଉଲଗାଉ ପୁଣି ଆଉଗୋଟେ ଆଡେ ମୁହାଁଏ। ମୋତେ ମଧ୍ୟ ତା’ସହିତ ଏପଟସେପଟ ହେବାକୁ ପଡେ, ଯା’ଫଳରେ ମୁଁ ଆଜି ସୁସ୍ଥ ରହିଛି। ମୁଁ ଯଦି ନିଜେ ସୁସ୍ଥ ନରହିବି, ତେବେ ତୁମମାନଙ୍କୁ ମୁଁ କେମିତି ସୁସ୍ଥ ରହିବାର ବାଟ ବତେଇବି? ସେଦିନ ଯେଉଁ ଔଷଧ ପୁଡ଼ିଆ ଦେଇଥିଲି,ସେଥିରେ କିଛି ବି ଔଷଧ ନଥିଲା। ତୁମ ମନକୁ ବୁଝାଇବାପାଇଁ କ’ଣ ଗୋଟେ ପୁଟୁଳାକରି ଦେଇଥିଲି। ଅସଲରେ ଚାଲିବା ଦ୍ୱାରା ତୁମ ଶରୀରର ଅନେକ ସମସ୍ୟା ଦୂରେଇଗଲା। ବାଗଦାଦରୁ ଏବେ ଆସନ୍ତୁ ଫେରିବା ଭାରତକୁ।
କୈଳାସ ଚନ୍ଦ୍ର ଯୋଶୀ ହେଉଛନ୍ତି ମଧ୍ୟପ୍ରଦେଶର ୯ମ ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ୧୯୭୦ରେ। ବୟାଳିଶି ବର୍ଷୀୟ ଏହି ଯୁବନେତାଙ୍କୁ କିନ୍ତୁ କଲବଲ କରୁଥିଲା ପେଟରୋଗଠୁ ଆରମ୍ଭକରି ସ୍ନାୟବିକ ସମସ୍ୟାଦି ବହୁ ବେମାର। ବିଶେଷକରି ଅତି ବିରଳ ନିଦ୍ରାଜନିତ ସମସ୍ୟା ଯୋଗୁଁ ଅନେକ ଅସୁବିଧା ଓ ଅପମାନର ସମ୍ମୁଖୀନ ହେଉଥିଲେ। ଉଚ୍ଚସ୍ତରୀୟ ବୈଠକ ହେଉଥିଲାବେଳେ ବି ନିଘୋଡ଼ ନିଦରେ ସେ ଶୋଇ ପଡ଼ୁଥିଲେ ସେଇଠି। ଯେଉଁଥିପାଇଁ କି କେଇଟା ମାସଭିତରେ ମୁଖ୍ୟମନ୍ତ୍ରୀ ଆସନରୁ ତାଙ୍କୁ ଓହ୍ଲାଇ ଯିବାକୁ ପଡ଼ିଥିଲା। ଅତ୍ୟନ୍ତ ଶାନ୍ତ,ସରଳ,ସୁଧାର ମଣିଷ ଜଣଙ୍କ ଖୁବ୍ ବ୍ୟଥିତ ଥିଲେ ନିଜର ଅସୁସ୍ଥତା ପାଇଁ। ଥରେ ପ୍ରାକୃତିକ ଓ ଆୟୁର୍ବେଦିକ ସ୍ୱାସ୍ଥ୍ୟ ପତ୍ରିକା ‘ଆରୋଗ୍ୟ‘ର ସମ୍ପାଦକ ତାଙ୍କୁ କହିଲେ – ଆପଣ ଯଦି ଇନ୍ଦୋରରୁ ଗୋରଖପୁର ପର୍ଯ୍ୟନ୍ତ ପଦବ୍ରଜରେ ଆସିପାରନ୍ତେ, ତାହେଲେ ଆପଣଙ୍କ ବେମାରିଗୁଡିକୁ ମୁଁ ନିଶ୍ଚିତ ଭଲ କରିଦିଅନ୍ତି। ନିଜର ଆରୋଗ୍ୟ ପାଇଁ ସେ ମଧ୍ୟ ବାଧ୍ୟହୋଇ ଗୋରଖପୁର ଯାଇ ପହଞ୍ଚିଲେ। ସେଠାରେ କିଛିଦିନ ରହି ଚିକିତ୍ସିତ ହେଲା ପରେ ତାଙ୍କ ସ୍ବାସ୍ଥ୍ୟରେ ଅନେକ ସୁଧାର ଆସିଥିଲା। ସେବେଠୁ ସେ ‘ସକାଳେ ଚାଲିବା’କୁ ଅତି ନିଷ୍ଠାର ସହିତ ପାଳନ କରୁଥିଲେ। ‘ସକାଳ ଚାଲି’ରେ ଯେ ଅଦ୍ଭୁତ ଯାଦୁ ରହିଛି, ସେ ସମ୍ବନ୍ଧେ ଆଲେଖ୍ୟଟିଏ ଲେଖିଥିଲେ ‘ଆରୋଗ୍ୟ’ ପତ୍ରିକାରେ, ନିଜ ଅନୁଭୂତିକୁ ସାଉଁଟି। ଯୁବାକାଳରେ ଯିଏ ରୋଗ ଜନିତ ଯନ୍ତ୍ରଣାରେ ବହୁ ହୀନସ୍ତା ହେଉଥିଲେ, ସେ କିନ୍ତୁ ପରବର୍ତ୍ତୀ ସମୟରେ ନିରାମୟ ଜୀବନ ଅତିବାହିତ କରିଥିଲେ,୯୧ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ (୨୦୧୯)। ‘ଚାଲିବା’ ଯେ ସବୁୁଠୁ ଶସ୍ତା, ଲାଭକାରୀ ଅବ୍ୟର୍ଥ ଔଷଧ,ଏକଥା କୁହନ୍ତି ବିଶ୍ୱର ବହୁ ଖ୍ୟାତନାମା ଚିନ୍ତକ ଓ ଚିକିତ୍ସକମାନେ। କେବଳ ଶାରୀରିକ ସୁସ୍ଥତା ନୁହଁ, ମାନସିକ ଓ ଭାବନାତ୍ମକ ଦୃଷ୍ଟିରୁ ମଧ୍ୟ ଏହା ଖୁବ ଲାଭକାରୀ। ସକାଳେ ଚାଳିବାବେଳେ ମନରେ ସକାରାତ୍ମକ ଭାବ ଉଦ୍ରେକ ହେବା ସହିତ ନୂଆନୂଆ ସୃଜନାତ୍ମକ ଭାବନା ମଧ୍ୟ ଜନ୍ମ ନେଇଥାଏ। ଚାଲିଲାବେକେ ପାଦସହିତ ତାଳଦେଇ ରକ୍ତ ମଧ୍ୟ ପ୍ରବାହିତ ହୁଏ। ଶରୀରର ପ୍ରତିଟି ଅଂଶ କ୍ରିୟାଶୀଳ ହୁଏ। କ୍ଷଣକୋପୀମାନଙ୍କ ପାଇଁ ତ ସବୁଠୁ ଶସ୍ତା,ସହଜ ଓ ସୁବିଧା ଉପଲବ୍ଧ ମହୋଷଧି ହେଉଛି,ଦୀର୍ଘ ପଦଯାତ୍ରା। ସକାଳର ପଦଯାତ୍ରାଟିଏ ହେଉଛି ‘ସୁନ୍ଦରଦିନ’ଟି ପାଇଁ ପ୍ରକୃଷ୍ଟ ପଦକ୍ଷେପ।
ଇଂଲଣ୍ଡର ସ୍ବନାମଧନ୍ୟ ପ୍ରେରଣାଦାୟୀ ଲେଖିକା ସି.ଡୁଡ଼ଲି କୁହନ୍ତି-’ ମୁଁ ନିତି ଚାଲିବାକୁ ଭଲ ପାଏ। କାରଣ,ଏହା ମୋ ମନକୁ ସ୍ବଚ୍ଛ ରଖେ। ଆତ୍ମାକୁ ସମୃଦ୍ଧ କରେ। ମନର ଉଦ୍ବିଗ୍ନତାକୁ ହଟେଇଦିଏ ଏବଂ ଦୃଷ୍ଟି ନେଇଯାଇଥାଏ ସୁନ୍ଦର ଏକ ନୂଆ ଦୁନିଆକୁ’। ଆଜିସମୟର ଆମେରିକାର ସୁପ୍ରସିଦ୍ଧ ଲେଖକ ଓ ଚିନ୍ତକ, ଜିମ ବଚରଙ୍କ ମତରେ-’ ମୁଁ ଯେବେ କିଂକର୍ତ୍ତବ୍ୟବିମୂଢ, ନିଃସଙ୍ଗ, ଉଦାସ ବା ଶଙ୍କାଜଡ଼ିତ ଥାଏ, ସେତେବେଳେ ଚାଲିବା ଆରମ୍ଭ କରେ। ବାସ୍, କିଛି ସମୟ ପରେ ମୋର ସବୁକିଛି ଠିକ ହୋଇଯାଏ’। ବିଶ୍ୱପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଆମେରିକୀୟ ଚିକିତ୍ସକ ପଲ ଡି. ହ୍ବାଇଟଙ୍କ କହିବାନୁଯାୟୀ-’ ଯେକୌଣସି ଦକ୍ଷ ମାନସିକ ବିଶାରଦ ବା ଭଲ ଔଷଧଠାରୁ ବି ଅଧିକ ଫଳପ୍ରଦ ଔଷଧ ଓ ଶାନ୍ତିଦାୟକ ହେଉଛି ପଦଯାତ୍ରା। ବୟସ୍କବ୍ୟକ୍ତି ଅନ୍ତତଃ ଅଧଘଣ୍ଟେ ବା ପାଞ୍ଚ କିମି. ନିତି ଚାଲିବା ଉଚିତ। ନିତ୍ୟ ଚାଲିବାଦ୍ୱାରା ଆମର ବିଷାଦଭାବ ହଟିଯିବା ସହିତ ବହୁମୂତ୍ର, ରକ୍ତଚାପ, ମାଇଗ୍ରେନ, ହୃଦ୍ରୋଗ ଆଦି ଅନେକ ରୋଗ ବି ଦୁରେଇ ଯାଏ’।


