mission shakti banner

ଅନୁମାନ ସିଦ୍ଧାନ୍ତ ନହେଉ

ସତ୍ୟନାରାୟଣ ମିଶ୍ର

BSKY banner  750×100

ଘଟଣା, ଦୁର୍ଘଟଣା, ଅନୁସନ୍ଧାନ, ଅନୁମାନ ଆଦି ଅନେକ କ୍ଷେତ୍ରରେ ମାନସିକ ଦୌର୍ବଲ୍ୟକୁ ପ୍ରମାଣିତ କରିଥାଏ ଯେଉଁଥିରେ ପ୍ରଶ୍ନ ହୋଇଥାଏ ଅନୁମାନର ସିଦ୍ଧାନ୍ତ ଓ ତାହାର ବାସ୍ତବ ରୂପରେଖ । ସମାଜରେ ବ୍ୟକ୍ତିକୁ କୌଣସି ଘଟଣାର ସିଦ୍ଧାନ୍ତରେ ଉପନୀତ ପାଇଁ ଆବଶ୍ୟକ ହୋଇଥାଏ ଉପଯୁକ୍ତ ସାମଗ୍ରିକ ପ୍ରମାଣ ତାହା ପୁଣି ଯୁକ୍ତିଯୁକ୍ତ ଓ ସତ୍ୟ ଉପରେ ଆଧାରିତ ହେବା ଆବଶ୍ୟକ । ମାତ୍ର ଅନୁମାନକୁ ଆଧାର କରି ସିଦ୍ଧାନ୍ତରେ ଉପନୀତ ହୋଇ ବିଚାର କରିବା ହେଉଛି ନିର୍ବୋଧତାର ପରିଚୟ ଯାହାର ଫଳସ୍ୱରୂପ ବ୍ୟକ୍ତି ବା ଗୋଷ୍ଠୀକୁ ପରବର୍ତ୍ତୀ ସମୟରେ ଅନେକ ଦୁର୍ଦଶା ଭୋଗ କରିବାକୁ ପଡ଼ିଥାଏ । ପ୍ରମାଣ କିମ୍ବା ସାମାନ୍ୟ ପ୍ରମାଣ ଉପରେ କିଛି ସନ୍ଦେହ କରିବାର କାର୍ଯ୍ୟ କିମ୍ବା ଉଦାହରଣ ହେଉଛି ଅନୁମାନ । ଅନୁମାନ ହେଉଛି ମାନସିକ ଅସ୍ଥିରତା ଓ ଅନିଶ୍ଚିତତାର ସନ୍ଦେହ, ଯାହା ସିଦ୍ଧାନ୍ତରେ ଉପନୀତ ହେବାପାଇଁ ଯଥେଷ୍ଟ ହୋଇ ନଥାଏ । ଯେତେବେଳେ କିଛି ସନ୍ଦେହ ହୋଇଥାଏ ଯେ କିଛି ଆନୁମାନିକ ତଥ୍ୟ ବିଦ୍ୟମାନ ଅଛି କି ନାହିଁ, ସେତେବେଳେ ତାହା ନିଷ୍କ୍ରିୟ କଳ୍ପନାଠାରୁ ଅଧିକ ବଳବତ୍ତର ହୋଇଥାଏ, ଯାହାର ଆଧାରରେ ପ୍ରକୃତ ଭୟ କିମ୍ବା ଅବିଶ୍ୱାସର ଏକ ସକାରାତ୍ମକ ଅନୁଭବ ସୃଷ୍ଟି ହୋଇଥାଏ । ମାତ୍ର ତାହା ପର୍ଯ୍ୟାପ୍ତ ପ୍ରମାଣର ସହବନ୍ଧନ ପାଇଁ ଉନ୍ମୁକ୍ତ ହୋଇନଥାଏ । ଯେକୌଣସି ଆଧୁନିକ ବୈଜ୍ଞାନିକ ପ୍ରୟାସ ସହିତ ଅନୁମାନ ଘନିଷ୍ଠ ଭାବରେ ସମନ୍ୱିତ ହୋଇଥାଏ କେବଳ ସନ୍ଦେହର ପରିସୀମାକୁ ପରିବେଷ୍ଟିତ କରି । ଅନୁମାନ ନିରୀକ୍ଷଣର ସର୍ବାଧିକ ତର୍କକୁ ସମର୍ଥନ କରେ ଓ ଯେତେବେଳେ ଅନୁମାନକୁ କାର୍ଯ୍ୟକାରୀ କରାଯାଇଥାଏ ସେତେ​‌େ​‌ବଳେ ଯେଉଁ ସିଦ୍ଧାନ୍ତ ନିଆଯାଇଥାଏ ତାହା କେବଳ ଅନୁମାନର ଭିତ୍ତିଭୂମିକୁ ଆଧାର କରି ହୋଇଥାଏ, ଯାହା ପର୍ଯ୍ୟାପ୍ତ ହୋଇନଥାଏ । ଅନେକ ସମୟରେ ଅନୁମାନକୁ ସନ୍ଦେହ ବା ପ୍ରତିରୋଧ କରି ଯେତେବେଳେ ବ୍ୟକ୍ତି ବା ଗୋଷ୍ଠୀ ଉପଯୁକ୍ତ ତଦନ୍ତ ବା ନିରୀକ୍ଷଣ କରିଥାନ୍ତି, ସେତେବେଳେ ସତ୍ୟାସତ୍ୟର ଉଦ୍‌ଘାଟନ ହୋଇଥାଏ ଓ ସେତେବେଳେ ଅନୁମାନ ହୋଇଥାଏ ଭୁଲର ନିଷ୍ପତ୍ତି ବା ସିଦ୍ଧାନ୍ତ । ନିରୀକ୍ଷଣର ଏହି ଅଭ୍ୟାସ ଓ ପ୍ରତୀକ୍ଷାର ମୂଳ ତର୍କ ସନ୍ଦେହକୁ ଆଇନଗତ କାର୍ଯ୍ୟକ୍ଷମ ବୁଦ୍ଧିରେ ପରିଣତ କରିଥାଏ ଯାହାର ସୁଫଳ ବ୍ୟକ୍ତି ପାଇଥାଏ ଯାହା ଥାଏ ଉପଯୁକ୍ତ ନ୍ୟାୟ । ଅନୁମାନକୁ ସହବନ୍ଧନ କରି ଅନୁସନ୍ଧାନରୁ କ୍ଷାନ୍ତ ହୋଇ ମଣିଷ ଯେତେବଳେ ସିଦ୍ଧାନ୍ତ ନେଇଥାଏ, ସେତେବେଳେ ମଣିଷ ନିଜର ଅନୁଧ୍ୟାନ, ଅନୁସରଣ, ଅନୁକରଣ, ଅନୁସନ୍ଧିତ୍ସୁର ପ୍ରବଳତାକୁ ଅବକ୍ଷୟ କରି ଅତି ସହଜରେ ନିଷ୍ପତ୍ତି ଆଶାର ପ୍ରତିଫଳନ କରିଥାଏ ଯାହା ଥାଏ ନୀତିହୀନ ସିଦ୍ଧାନ୍ତ । ମଣିଷର ଅନୁମାନ ଓ ଆନୁମାନିକ ନିର୍ଦିଷ୍ଟ ନକାରାତ୍ମକ ନୃତାତ୍ତ୍ୱିକ ଦୃଷ୍ଟିକୋଣ ଯେଉଁଠାରେ ସମସ୍ତେ ସର୍ବଦା ଜଣେ ସମ୍ଭାବ୍ୟ ସନ୍ଦିଗ୍ଧ, ଚିହ୍ନଟ ଓ ଯାଞ୍ଚର ସ୍ୱୟଂଚାଳିତ ପଦ୍ଧତି ଉପରେ ନିର୍ଭରଶୀଳ, ସେଠାରେ ବ୍ୟବହାର ହେଉଥିବା ବୈଜ୍ଞାନିକ ପଦ୍ଧତି ଦ୍ୱାରା ନିଶ୍ଚିତ ଭାବରେ ଅନୁମାନର ସତ୍ୟାସତ୍ୟ ଦୃଢ ଭାବରେ ନିରୂପଣ ଆଶାକରାଯାଏ ।

ସନ୍ଦେହର କୌଣସି ସୀମା ନଥାଏ ଓ ସନ୍ଦେହକୁ ଦୃଷ୍ଟିରେ ରଖି ଅନୁମାନର ସିଦ୍ଧାନ୍ତରେ ଉପନୀତ ହୋଇଗଲେ ଅନେକ କ୍ଷେତ୍ରରେ ଅନେକ ଅକ୍ଷମଣୀୟ ଭୁଲ ହୋଇଥାଏ, ଯାହା ମଣିଷ ପରବର୍ତ୍ତୀ ସମୟରେ ପରିମାର୍ଜିତ ହୋଇନଥାଏ । ଭବିଷ୍ୟତ, ଅତୀତ ଓ ବର୍ତ୍ତମାନଠାରୁ ଅପ୍ରତ୍ୟାଶିତ ଉପାୟରେ ଭିନ୍ନ ହୋଇପାରେ ବୋଲି ସମ୍ଭାବନାକୁ ଧ୍ୟାନ ଦେବାରେ ସନ୍ଦେହର କାରଣଗୁଡ଼ିକର ନିର୍ଦିଷ୍ଟ ସମ୍ଭାବନା ଉପରେ ସନ୍ଦେହ ସୃଷ୍ଟି କରେ । ଆମେ ହୁଏତ ନିର୍ଦିଷ୍ଟ ସମୟରେ ଭୁଲ୍ କରିଥାଇପାରୁ, କିନ୍ତୁ ପ୍ରକୃତରେ କ’ଣ ତାହା ବିବେକର ଅନୁମତିରେ ହୋଇଥାଏ ? ବ୍ୟକ୍ତିବିଶେଷ ହୁଏତ କୌଣସି ଭୁଲ କରିଥାନ୍ତି କିମ୍ବା ଭବିଷ୍ୟତରେ ସେ କରିପାରନ୍ତି, ମାତ୍ର ତାହାର ଅର୍ଥ ନୁହେଁ ତାହା ସ୍ବୀକାର୍ଯ୍ୟ । ସାଧାରଣ ସନ୍ଦେହ ହୁଏତ ସାମାଜିକ ଜୀବନର ଚରମ ବିନାଶକାରୀ ହୋଇପାରେ, କାରଣ ଏହା ବିଶ୍ୱାସଘାତକତାକୁ ବୃଦ୍ଧି କରିଥାଏ ଓ ପାରସ୍ପରିକ ଅବିଶ୍ୱାସ ତଥା ଅବନତି ଘଟାଇଥାଏ । ଅନୁମାନକୁ ଆଧାର କରି ପୃଥିବୀରେ ଅନେକ କିଛି କ୍ଷତି ହୋଇଯାଇଛି । କୌଣସି ହତ୍ୟା ଷଡ଼ଯନ୍ତ୍ର ଆଦିରେ ଅନୁମାନକରି କାରାଗାରର ଅନ୍ଧକାରରେ ବ୍ୟକ୍ତିକୁ ଜୀବନର ମୂଲ୍ୟବାନ ସମୟ ଅତିବାହିତ କରିବାକୁ ପଡୁଅଛି । ଆତଙ୍କବାଦୀ, ସନ୍ତ୍ରାସବାଦୀ, ଉଗ୍ରବାଦୀ, ନକ୍ସଲବାଦୀ ଆଦି ଅନୁମାନ କରି ଅନେକ ବ୍ୟକ୍ତିଙ୍କୁ ହତ୍ୟା କରାଯାଉଛି । ଅନୁମାନକୁ ଆଧାର କରି ପାରିବାରିକ ହିଂସା, ସ୍ବାମୀ-ସ୍ତ୍ରୀ କଳହ, ଭାତୃ ବିବାଦ, ଧାର୍ମିକ ଅସହିଷ୍ଣୁତା, ସାମାଜିକ ବିଭେଦ ଇତ୍ୟାଦି ସୃଷ୍ଟି ହେଉଛି । ସଭ୍ୟତାର ଉତ୍କର୍ଷରେ ମଣିଷ ଉପବେଶନ କରି ମଧ୍ୟ ଅନେକେ ଚୋର, ଡକାୟତ, ଡାହାଣୀ, ପିଲାଚୋର, ଭୂତ ପ୍ରେତ ଆଦି ବ୍ୟକ୍ତି ମଧ୍ୟରେ ଅନୁମାନ କରି ନିର୍ମମ ଭାବରେ ହତ୍ୟା ବା ମରଣାନ୍ତକ ଆକ୍ରମଣ କରିଥାନ୍ତି। ମାତ୍ର ଉପରୋକ୍ତ ଅନୁମାନ ଯେତେ​‌େ​‌ବଳେ ବିଧି ବ୍ୟବସ୍ଥା ଦ୍ବାରା ପ୍ରମାଣିତ ଓ ତର୍ଜମା ଦ୍ବାରା ଶୃଙ୍ଖଳିତ ହୋଇଥାଏ, ସେତେବେଳେ ପ୍ରକୃତ ଦୁର୍ବଳତା ପରିପ୍ରକାଶ ହୋଇଥାଏ ଓ ଦଣ୍ଡ ପ୍ରଦାନ କରିଥିବା ବ୍ୟକ୍ତି ବା ଗୋଷ୍ଠୀ ସ୍ପର୍ଦ୍ଧିତ ଆଭିଜାତ୍ୟରେ ନିମଜ୍ଜିତ ଥିବା ଅହଂକାରରେ ନିଜର ଗାଣିତିକ ସଂଜ୍ଞାକୁ ହରାଇ ବସିଥାଏ । ଅନ୍ୟପକ୍ଷରେ ଯିଏ ଅନୁମାନର ଶିକାର ହୋଇ ପରବର୍ତ୍ତୀ ସମୟରେ ଯେତେ‌େବଳେ ପ୍ରାମାଣିକ ତଥ୍ୟରେ ସିଦ୍ଧାନ୍ତ ହୋଇଥାଏ, ସେତେବେଳେ ସବୁକିଛି ଉକ୍ତ ବ୍ୟକ୍ତିର ତଥା ପରିବାରର ଅଜାଡି ଯାଇଥାଏ । ଅନେକ କ୍ଷେତ୍ରରେ ଅହମିକା, କ୍ରୋଧ, ଆଭିଜାତ୍ୟ ଆଦିର ଭାରସାମ୍ୟରେ ଉପବେଶନ କରି ବ୍ୟକ୍ତି, ରାଷ୍ଟ୍ରର ବିଶିଷ୍ଟ ବ୍ୟକ୍ତି ବା ରାଷ୍ଟ୍ରମୁଖ୍ୟମାନଙ୍କୁ ହତ୍ୟା ଆଦି କରିଥାନ୍ତି କେବଳ ଅନୁମାନକୁ ପାଥେୟ କରି । ମାତ୍ର ପରବର୍ତ୍ତୀ ସମୟରେ ଯେତେବେଳେ ସନ୍ଦେହର ଆରୋପ ଭୁଲ ପ୍ରମାଣିତ ହୋଇଥାଏ, ସେତେ​‌େ​‌ବଳେ କେବଳ ଅନୁଶୋଚନାର ବହ୍ନିରେ ଅନୁମାନକୁ ବ୍ୟବହାର କରିଥିବା ବ୍ୟକ୍ତି ଜର୍ଜରିତ ହୋଇଥାଏ । ରାମାୟଣରେ ସୀତାଦେବୀଙ୍କର ସ୍ବର୍ଣ୍ଣ ମୃଗ ଅନୁମାନ ଓ ରାମଚନ୍ଦ୍ରଙ୍କର ସିଦ୍ଧାନ୍ତ, ମହାଭାରତରେ ଦ‌ୁ‌େ‌ର୍ଯ୍ୟାଧନର ଅନୁମାନ ଓ ଧୃତରାଷ୍ଟ୍ରଙ୍କର ସିଦ୍ଧାନ୍ତ, ଦଶରଥଙ୍କର ମଣିଷକୁ ମୃଗ ଅନୁମାନ ଓ ଶିକାରର ସିଦ୍ଧାନ୍ତ, ଜାରା ଶବରର ଅନୁମାନରେ କୃଷ୍ଣଙ୍କ ନିଧନ ଇତ୍ୟାଦି କେବଳ ଅନୁମାନ ଉପରେ ସିଦ୍ଧାନ୍ତର ପ୍ରତିଫଳନ ।

ଭାରତୀୟ ଦର୍ଶନରେ ଜ୍ଞାନର ପାଞ୍ଚଟି ଉପାୟକୁ ତର୍କ ଦ୍ବାରା ସିଦ୍ଧ କରାଯାଇଥାଏ ତାହା ପ୍ରତ୍ୟକ୍ଷ, ଅନୁମାନ, ଉପମାନ, ପ୍ରମାଣ, ଅନୁପାଳବିଧି ଓ ଶବ୍ଦ ପ୍ରମାଣ ବା ନ୍ୟାୟ ବିଧି । ଅନୁମାନ ଯୁକ୍ତିଯୁକ୍ତ ସିଦ୍ଧାନ୍ତରୁ ଠିକ୍ ଜ୍ଞାନ ଆହରଣ କରିଥାଏ । ଉପମାନ (ତୁଳନା) – ସମାନତା ପାଳନ କରି ଶିଖିବା । ଅନୁମାନ ହେଉଛି ଏକ ପ୍ରକାର ଜ୍ଞାନ, ଯାହା ପୂର୍ବ ଜ୍ଞାନ ଉପରେ ଆଧାରିତ । ଅନୁମାନ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ‘ଅନୁସନ୍ଧାନ’ କିମ୍ବା ‘ଅନୁସରଣ କରୁଥିବା ଜ୍ଞାନ ।’ ଭାରତୀୟ ଦର୍ଶନରେ ଏହା ପ୍ରମାଣ ବା ଠିକ୍ ଜ୍ଞାନର ଉତ୍ସ । ଏକ ନୂତନ ସିଦ୍ଧାନ୍ତ ଏବଂ ସତ୍ୟରେ ପହଞ୍ଚିବା ପାଇଁ ଅନୁମାନ, ପର୍ଯ୍ୟବେକ୍ଷଣ, ପୂର୍ବ ସତ୍ୟ ଓ କାରଣ ବ୍ୟବହାର କରିବା ଉଚିତ । ମାତ୍ର ନିର୍ଣ୍ଣୟ ଅନୁମାନକୁ ଆପେକ୍ଷିକ କରି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ । ସିଦ୍ଧାନ୍ତ ପାଇଁ ଜରୁରୀ ହୋଇଥାଏ ଉପଯୁକ୍ତ ବିଧିବଦ୍ଧ ବୈଜ୍ଞାନିକ ପ୍ରମାଣ, ବୌଦ୍ଧିକ, ଦାର୍ଶନିକ ତଥା ଧାର୍ମିକ ପ୍ରାମାଣିକ ତଥ୍ୟ । ଉକ୍ତ ତଥ୍ୟକୁ ତର୍ଜମା କରି ସିଦ୍ଧାନ୍ତରେ ଉପନୀତ ହେଲେ ହୁଏତ ଅନୁମାନ ଏକ ସିଦ୍ଧାନ୍ତ ନହୋଇ ସହଯୋଗର ସହଚର ହୋଇପାରନ୍ତା । ଅନୁମାନ, କାରଣ (ହେତୁ), ଉଦାହରଣ, ପୁନଃନିଶ୍ଚିତକରଣ (ଉପନ୍ୟାୟ) ଓ ସିଦ୍ଧାନ୍ତ ଏକ ଏକ ସତ୍ୟର ସନ୍ଧାନରେ ବ୍ରତୀ ହୋଇ ସିଦ୍ଧାନ୍ତକୁ ପ୍ରାମାଣିକ ସାମର୍ଥ୍ୟ ଦେବାପାଇଁ ତତ୍ପର ହୋଇଥାନ୍ତି । ଯଦି ସକାରାତ୍ମକ ଉଦାହରଣ ଏବଂ ପ୍ରତିକୂଳ ପ୍ରମାଣର ଅନୁପସ୍ଥିତି ଥାଏ, ତେବେ ଅନୁମାନ କେତେକାଂଶରେ ସର୍ତ୍ତମୂଳକ ସତ୍ୟକୁ ସିଦ୍ଧାନ୍ତ କରିଥାଏ, ମାତ୍ର ସମସ୍ତ କ୍ଷେତ୍ରରେ ଅନୁମାନକୁ ଆଧାର କରି ଅନୁସନ୍ଧାନକୁ ପୂର୍ଣ୍ଣଚ୍ଛେଦ କରିବା ଓ ଅନୁଶୀଳନ ତଥା ଅନୁପାଳନକୁ ଅବଜ୍ଞା କରିବା ଉଚିତ ହୋଇ ନଥାଏ । ଏଥିରେ ସୃଷ୍ଟି ହୋଇଥାଏ ଅବିଶ୍ବାସ ଓ ଅନ୍ୟାୟର ପାରସ୍ପରିକ ଦ୍ବନ୍ଦ୍ବ । ତେଣୁ ବିବେକ ଓ ବୁଦ୍ଧିର ପରିପକ୍ବତାକୁ ବିଶ୍ଳେଷଣ କରି ଅନୁସନ୍ଧାନ ଓ ଅନୁସନ୍ଧିତ୍ସୁ ମ​‌େ​‌ନାବୃତ୍ତିରେ ନିଜକୁ ନିମଜ୍ଜିତ କରି ଯଦି ଘଟଣାର ଅନୁମାନକୁ ଏକ ଉତ୍ସ ଭାବେ ବ୍ୟବହାର କରି ସିଦ୍ଧାନ୍ତର ରୂପରେଖ ଯୁକ୍ତିଯୁକ୍ତ ପ୍ରାମାଣିକ ତଥ୍ୟ ଉପରେ ଆଧାରିତ ହୁଅନ୍ତା, ତେବେ ସିଦ୍ଧାନ୍ତରେ ବିଶ୍ବାସ ବିରାଜମାନ ନିଶ୍ଚିତ ଭାବରେ ହୋଇପାରନ୍ତା । ଅତଏବ ସିଦ୍ଧାନ୍ତ ଅନୁମାନକୁ ଅନୁସନ୍ଧାନର ଉତ୍ସ ଭାବରେ ଅନୁଧାବନ କରୁ, ମାତ୍ର ଅନୁମାନ ସିଦ୍ଧାନ୍ତ ନହେଉ ।

Comments are closed.