ବାର୍ଦ୍ଧକ୍ୟ ସେବା ଷ୍ଟାର୍ଟଅପ ‘ଗୁଡ୍ ଫେଲୋସ’
ପ୍ରଯୁକ୍ତି କୌଶଳ ଉପଯୋଗରେ ଜନଜୀବନର ବିଭିନ୍ନ ସେବା ପ୍ରଦାନରେ ଗୁଣବତ୍ତା ବିକାଶ ନିମନ୍ତେ ଷ୍ଟାର୍ଟଅପ ପରିବେଶ ନୂତନ ସମୀକରଣ ସୃଷ୍ଟି କରିଥାଏ । ଦୋକାନବଜାରରୁ ଗୃହଦ୍ୱାରେ ସାମଗ୍ରୀ ଯୋଗାଣଠାରୁ ଆରମ୍ଭକରି ଜଟିଳ ରୋଗ ନିଦାନ ଓ ଚିକିତ୍ସକଙ୍କ ପରାମର୍ଶ ଆୟୋଜନ ଯାଏ ବହୁସେବା ଡିଜିଟାଲ ପରିଚାଳନାରେ ଉପଲବ୍ଧ । ସରଳ, ନିର୍ଭୁଲ, ମିତବ୍ୟୟୀ, ସାର୍ବଜନୀନ ଓ ନିର୍ଭରଯୋଗ୍ୟ ସେବା ପ୍ରଦାନ ଦିଗରେ ଅତ୍ୟାଧୁନିକ ପରିଚାଳନା ଦକ୍ଷତା ମାଧ୍ୟମରେ ଅନେକ ଅସମାହିତ ସମସ୍ୟା ସମାଧାନ ସମ୍ଭବ ହୋଇପାରୁଛି । ଇଣ୍ଟରନେଟର ବ୍ୟାପ୍ତି, ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଓ ଡିଜିଟାଲ ମଞ୍ଚରେ ଜନସମୁଦାୟଙ୍କ ଦୀର୍ଘ ସମୟ ଉପସ୍ଥିତି ଦୈନନ୍ଦିନ ଜୀବନରେ ଡିଜିଟାଲ ସେବା ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିବା ସୁସ୍ପଷ୍ଟ।
ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବିଭିନ୍ନ କାରଣରୁ ବାର୍ଦ୍ଧକ୍ୟ ସେବା ସମସ୍ୟା ବହୁଳ ହୋଇପଡ଼ିଛି । ପାରମ୍ପରିକ ପାରିବାରିକ ଆଙ୍ଗିକରେ ବିଘଟନ ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟସେବା ବୃତ୍ତିଗତ ଓ ବ୍ୟାବସାୟିକ ସୋପାନରେ ଉପନୀତ । ଅର୍ଥାତ୍, ଜଣେ ବ୍ୟକ୍ତି ପରିଣତ ବୟସରେ ପହଞ୍ଚିଲା ପରେ ନିର୍ଭରଶୀଳ ଜୀବନଯାତ୍ରା ନିମନ୍ତେ ନିଜ ସନ୍ତାନସନ୍ତତି କିମ୍ୱା ପରିବାରବର୍ଗଙ୍କ ଯତ୍ନ ବଦଳରେ ମୂଲ୍ୟବିନିମୟରେ ବୃତ୍ତିଧାରୀଙ୍କ ସେବା ଗ୍ରହଣ କରିବା ସୁବିଧା ଉପଲବ୍ଧ । ସେହି ଧାରା କ୍ରମଶଃ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପ୍ରତିବିମ୍ୱିତ ହେବାରେ ଲାଗିଛି ।
ବିଂଶ ଶତାବ୍ଦୀରେ ଚ଼ିକିତ୍ସା ଓ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତି କାରଣରୁ ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ପ୍ରାୟ ଏକ ଶତ ପ୍ରତିଶତ ବୃଦ୍ଧି ପାଇଥିଲା । ଭାରତରେ ୧୯୦୧ ଜନଗଣନାରେ ହାରାହାରି ଜୀବଦ୍ଦଶା ୨୪ ବର୍ଷ ଓ ଜନସଂଖ୍ୟା ୩୦ କୋଟି ଥିବା ସ୍ଥଳେ ୨୦୨୧ ବେଳକୁ ଜୀବଦ୍ଦଶା ୭୦ ବର୍ଷ ଓ ଜନସଂଖ୍ୟା ୧୪୦ କୋଟିରେ ପହଞ୍ଚିଥିବା ହିସାବ କରାଯାଉଛି । ଏହି ପରିସଂଖ୍ୟାନ ବାର୍ଦ୍ଧକ୍ୟଗ୍ରସ୍ତ ଓ ବାର୍ଦ୍ଧକ୍ୟ ଜୀବନକାଳ ବୃଦ୍ଧିକୁ ବୁଝାଇଥାଏ । ଅତଏବ, ୮୫ ବର୍ଷୋତ୍ତର ଉତ୍ତର-ବାର୍ଦ୍ଧକ୍ୟ ଜୀବନରେ ବହୁସଂଖ୍ୟକ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଆଶ୍ରିତ ହେଉଥିବା ହେତୁ ସେହି ମାତ୍ରାରେ ସେବାପ୍ରଦାନକାରୀଙ୍କ ଆବଶ୍ୟକତା ଅନୁଭୂତ ହେବା ନିଶ୍ଚିତ । ପରିବାର ସଦସ୍ୟବର୍ଗ ଏହି ଭାର ବହନ କରିବାରେ ଅସମର୍ଥ ହେଲେ ବୃତ୍ତିଧାରୀଙ୍କ ଦ୍ୱାରା ବାର୍ଦ୍ଧକ୍ୟସେବା ଆୟୋଜନର ବିକଳ୍ପ ଖୋଜି ପାଇ ହୁଏନା ।
ବୃତ୍ତିଭିତ୍ତିରେ ବାର୍ଦ୍ଧକ୍ୟ ସେବା ସ୍ୱେଚ୍ଛାସେବୀ, ସରକାରୀ ଓ ବ୍ୟାବସାୟିକ ତିନିସ୍ତରରେ ପରିଚାଳନା କରାଯାଇପାରେ। ତେବେ ଆମଦେଶରେ ଦୀର୍ଘକାଳୀନ ଓ ବ୍ୟାପକ ବାର୍ଦ୍ଧକ୍ୟ ସେବା ଲାଗି ସ୍ୱେଚ୍ଛାସେବୀ ଓ ସରକାରୀସ୍ତରରେ ଉଦ୍ୟମ ସୀମିତ ପରିମାଣରେ ସମ୍ଭବ । ଜନଜୀବନରେ ଯାବତୀୟ ସେବା ବୃତ୍ତିଧାରୀଙ୍କ ଦ୍ୱାରା ବ୍ୟାବସାୟିକ ସ୍ତରରେ ସମ୍ପନ୍ନ ହେବା ସମୃଦ୍ଧ ଇତିହାସ ରହିଥିବା ହେତୁ ସେହି ଦିଗରେ ମନୋନିବେଶ ହିତକର ସାବ୍ୟସ୍ତ ହୋଇପାରେ । ତେବେ ମୂଲ୍ୟଯୁକ୍ତ ବାର୍ଦ୍ଧକ୍ୟସେବା ଗ୍ରହଣ ନିମନ୍ତେ ଉପଭୋକ୍ତାଙ୍କୁ ବାର୍ଦ୍ଧକ୍ୟ-ପୂର୍ବାବସ୍ଥାରୁ ଆର୍ଥିକ ସଞ୍ଚୟ ଯେତିକି ଆବଶ୍ୟକ, ଏହି ବ୍ୟବସ୍ଥାର ସୁପରିଚାଳନା ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥାପକ, ପ୍ରଶାସନିକ ଓ ନ୍ୟାୟିକ ସ୍ତରରେ ତତ୍ପରତା ସେତିକି ଗୁରୁତ୍ୱପୂର୍ଣ୍ଣ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଚଳିତ ବାର୍ଦ୍ଧକ୍ୟ ସେବାକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମତଃ, ନିଜ ବାସଗୃହରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଜୀବନଯାପନ କରୁଥିବା ହେତୁ ବୟସ ଓ ଶାରୀରିକ କ୍ଷମତାର ବିଭିନ୍ନ ସୋପାନରେ ଭିନ୍ନ ଭିନ୍ନ ଧରଣର ସହାୟତା ଆବଶ୍ୟକ ପଡ଼େ। ସାଧାରଣ ନିଃସଙ୍ଗମୋଚ଼ନ ନିମନ୍ତେ ସଙ୍ଗସେବାଠାରୁ ଆରମ୍ଭ କରି ଶାରୀରିକ ଅକ୍ଷମ ଅବସ୍ଥାରେ ନିତ୍ୟକର୍ମ ସମ୍ପାଦନ ନିମନ୍ତେ ସହାୟତା ଯାଏ ବାର୍ଦ୍ଧକ୍ୟ ଆକାଂକ୍ଷିତ ସେବା ପରିବ୍ୟାପ୍ତ । ଦ୍ୱିତୀୟତଃ, ଅବସର ବିହାରରେ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଖାଦ୍ୟପେୟ, ପରିବହନ, ସ୍ୱାସ୍ଥ୍ୟରକ୍ଷା, ମନୋରଞ୍ଜନ ଓ ସୁରକ୍ଷା ନିମନ୍ତେ ସେବା ପ୍ରଦାନକାରୀ ନିଯୁକ୍ତ ହୋଇଥାନ୍ତି । ତୃତୀୟତଃ, କେୟାର ହୋମ, ନର୍ସିଂହୋମ ଓ ହସପିସ ଭଳି ପୁନର୍ବାସ ଅନୁଷ୍ଠାନକୁ ସ୍ଥାନାନ୍ତରିତ ଉତ୍ତର-ବାର୍ଦ୍ଧକ୍ୟ ପ୍ରପୀଡ଼ିତଙ୍କୁ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଯୋଗାଇବା ନିମନ୍ତେ କୁଶଳୀ କର୍ମଚାରୀ ଆବଶ୍ୟକ ପଡ଼ିଥାନ୍ତି ।
ବାର୍ଦ୍ଧକ୍ୟ ସେବା ପ୍ରଦାନକାରୀ ଚ଼ୟନ, ତାଲିମ ଓ ପରିଚାଳନାଗତ ଦକ୍ଷତା ଗୁଣାତ୍ମକ ସେବାରେ ପ୍ରତିଫଳିତ । ଏହି କ୍ଷେତ୍ରରେ ସାଂଗଠନିକ ପ୍ରଚେଷ୍ଟାରେ ଉତ୍କର୍ଷ ହାସଲ ନିମନ୍ତେ ଉଦ୍ୟମ ଅତ୍ୟାଧୁନିକ ପରମ୍ପରା । ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଅନୁକୂଳ ସେବା ପରିଚାଳନା ନିମନ୍ତେ ସ୍ୱେଚ୍ଛାସେବୀ, ସରକାରୀ ଓ ବ୍ୟାବସାୟିକ ସ୍ତରରେ ମେଡଲମାନ ଅନୁସୃତ । ଭାରତରେ କରୋନା-ଭୂତାଣୁଜନିତ ମହାମାରୀ-ପର ପରିବେଶରେ ଏହି କ୍ଷେତ୍ରରେ ଉଦ୍ୟମ ଆଶା କରାଯାଏ । ବୈଷୟିକ କୌଶଳ ଉପଯୋଗରେ ବିଭିନ୍ନ ସେବାପ୍ରଦାନ କ୍ଷେତ୍ରରେ ଷ୍ଟାର୍ଟଅପ ବିକଶିତ ହେଉଥିବା ଅବସରରେ ବାର୍ଦ୍ଧକ୍ୟ ସେବା ନିମନ୍ତେ ଷ୍ଟାର୍ଟଅପ ଭିତ୍ତିଭୂମି ସୃଷ୍ଟି ଉଳ ଭବିଷ୍ୟତର ପ୍ରତିଶ୍ରୁତି ବହନ କରେ ।
ମୁମ୍ୱାଇଠାରେ ନିଃସଙ୍ଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସଙ୍ଗସେବା ଯୋଗାଣକାରୀ ଏକ ବ୍ୟାବସାୟିକ ଷ୍ଟାର୍ଟଅପ ‘ଗୁଡ୍ ଫେଲୋସ’ରେ ଟାଟା ଗ୍ରୁପର ପ୍ରାକ୍ତନ ଅଧ୍ୟକ୍ଷ ରତନ ଟାଟାଙ୍କ ଅଘୋଷିତ ଅର୍ଥଲଗାଣ ଅଗଷ୍ଟ ୨୦୨୨ରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ‘ଗୁଡ୍ ଫେଲୋସ’ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୨୦ ଜଣ ବରିଷ୍ଠ ନାଗରିକଙ୍କ ପାଖରେ ଚାରିଘଣ୍ଟା ଲେଖା ସପ୍ତାହରେ ଦୁଇ ଅଧିବେଶନରେ ଜଣେ ୩୦ ବର୍ଷରୁ କମ ବୟସ୍କ କର୍ମୀ ‘ଗୁଡ୍ ଫେଲୋ’ ପହଞ୍ଚିଥାନ୍ତି । ଏହି ସେବା ନିମନ୍ତେ ଦେୟ ମାସିକ ପାଞ୍ଚ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । କର୍ମୀ ଜଣକ ବରିଷ୍ଠ ନାଗରିକଙ୍କୁ ବଜାରସଉଦା, ବ୍ୟାଙ୍କ କାମ, ଡାକ୍ତରଙ୍କ ପାଖେ ପହୁଞ୍ଚାଇବାଠାରୁ ଆରମ୍ଭ କରି ପାର୍କ ବୁଲାଇବା, ସିନେମା ଦେଖାଇବା ଯାଏ ଯାବତୀୟ କାମରେ ସହାୟତା ପ୍ରଦାନ କରିଥାନ୍ତି । ପରୀକ୍ଷାମୂଳକ ଭାବେ ‘ବେଟା’ ପର୍ଯ୍ୟାୟ ୨୦୨୧ରୁ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପ ଖୁବଶୀଘ୍ର ପୁନେ, େବଙ୍ଗାଲୁରୁ ଓ ଚ଼େନ୍ନାଇ ନଗରୀକୁ ସେବା ସଂପ୍ରସାରିତ କରିବା ଲକ୍ଷ୍ୟ ରଖିଥିବା ଘୋଷଣା କରିଥିଲା।
‘ଗୁଡ୍ ଫେଲୋସ’ ଷ୍ଟାର୍ଟଅପର ବିଭିନ୍ନ ବିଶେଷତ୍ୱ ମଧ୍ୟରେ ଏକପକ୍ଷରେ ଏହାର ବ୍ୟାବସାୟିକ ମେଡଲ ଉଲ୍ଲେଖନୀୟ । ଉଦ୍ୟୋକ୍ତାଙ୍କ ବିଚାରରେ ନିରନ୍ତର ବାର୍ଦ୍ଧକ୍ୟ ସେବାକୁ ବ୍ୟାବସାୟିକ ମେଡଲ ସ୍ୱାବଲମ୍ୱୀ କରି ଗଢ଼ିତୋଳିବା, ସ୍ୱେଚ୍ଛାସେବା ମେଡଲରେ ପ୍ରାଥମିକ ଅବସ୍ଥାରେ କେତେକ ବ୍ୟକ୍ତିଙ୍କ ଉତ୍ସର୍ଗୀକୃତ ଉଦ୍ୟମ ପ୍ରକଳ୍ପକୁ ପ୍ରାଣବନ୍ତ କରିଥାଏ। ତେବେ ସମୟକ୍ରମେ ସେହି ଉଚ୍ଛ୍ୱାସ ଅପସରିଯାଏ, ବିଭିନ୍ନ କାରଣରୁ ବ୍ୟକ୍ତିବିଶେଷଙ୍କ ଯୋଗଦାନ ଶିଥିଳ ପଡ଼ିଆସେ କିମ୍ୱା ସମ୍ୱଳ ଅଭାବରୁ କାର୍ଯ୍ୟକ୍ରମ ପ୍ରଯୋଜନା ସମ୍ଭବ ହୋଇପାରେ ନାହିଁ । କିନ୍ତୁ ବ୍ୟାବସାୟିକ ମେଡଲରେ ଉପଭୋକ୍ତାଙ୍କଠାରୁ ସେବାମୂଲ୍ୟ ଗ୍ରହଣ ଓ ବୃତ୍ତିଧାରୀଙ୍କ ସେବାପ୍ରଦାନ ଆବଶ୍ୟକତା ଓ ଯୋଗାଣ ‘ଡିମାଣ୍ଡ-ଏଣ୍ଡ-ସପ୍ଳାଇ’ ନୀତିରେ ପରିଚାଳିତ ହେବା ଆଶାକରିବା ଯଥାର୍ଥ।
ପାରମ୍ପରିକ ବାର୍ଦ୍ଧକ୍ୟ ସେବା ପାରିବାରିକ ଦାୟିତ୍ୱ ବଦଳରେ ସାମାଜିକ ସହାୟତା ଲୋଡୁଥିବା ଅବସରରେ ‘ଗୁଡ୍ ଫେଲୋସ’ର ବ୍ୟାବସାୟିକ ମଡେଲର କାର୍ଯ୍ୟକାରିତା ଏହି କ୍ଷେତ୍ରରେ ପ୍ରଭାବଶାଳୀ ହେବା ବିଶ୍ୱାସ କରାଯାଇପାରେ । ଏହା ପୂର୍ବରୁ ସିନିୟର ୱାର୍ଲ୍ଡ , ୬୦ପ୍ଳସ ଇଣ୍ଡିଆ, ଆଲ-ସେରଭ, ଏଲଡର-ଏଡ-ୱେଲନେସ ଓ ଏଲଡର-ଏଡ ଭଳି କେତେକ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ବାର୍ଦ୍ଧକ୍ୟ ସେବା ଷ୍ଟାର୍ଟଅପ ଚର୍ଚ୍ଚିତ ହୋଇଛି । ତେବେ ଏ ଦିଗରେ ଅଧିକ ଗବେଷଣା, ସଂଗଠନ ଓ ପ୍ରକଳ୍ପ ରୂପାୟନ ନିମନ୍ତେ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ଯୋଗଦାନ ସମୟର ଆହ୍ୱାନ ।
Comments are closed.