ଟଙ୍କାର ଟଳମଳ ଗତି ଟଳିବ କି?

କିଶୋର ସାମଲ

ସାଧାରଣ ଦ୍ରବ୍ୟର ଚାହିଦା ଓ ଯୋଗାଣ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ ଭଳି ଟଙ୍କାର ମଧ୍ୟ ବୈଦେଶିକ ମୁଦ୍ରା ବଜାରରେ ବିନିମୟ ମୂଲ୍ୟ, ଚାହିଦା ଓ ଯୋଗାଣର ପ୍ରଭାବ ଅନୁସାରେ ନିରୂପିତ ହୁଏ। ଚାହିଦା ଓ ଯୋଗାଣ ଦେଶ ଓ ବିଦେଶର ଅର୍ଥବ୍ୟବସ୍ଥାର ବିଭିନ୍ନ ଉପାଦାନ ଉପରେ ନିର୍ଭର କରେ। ସ୍ବାଧୀନତା ପରେ ଭାରତରେ ପ୍ରଥମେ ଟଙ୍କାର ବୈଦେଶିକ ମୁଦ୍ରା ତୁଳନାରେ ବିନିମୟ ମୂଲ୍ୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରୁଥିଲେ। ଏହା ଏକକ ମୁଦ୍ରା ସୀମା ବିନିମୟ ମୂଲ୍ୟ ବ୍ୟବସ୍ଥା ଅନୁଯାୟୀ ହେଉଥିଲା। ୧୯୪୮ ମସିହାରେ ଗୋଟିଏ ଆମେରିକା ଡଲାର ୩.୩୧ ଟଙ୍କା ଥିଲା; କିନ୍ତୁ ୧୯୬୨ରେ ଭାରତ-ଚୀନ ଯୁଦ୍ଧ, ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଓ ତା’ପରେ ୧୯୬୬ରେ ଦେଶରେ ମରୁଡ଼ି ଦେଖାଦେବାରୁ ଆମ ଦେଶର ଅର୍ଥବ୍ୟବସ୍ଥା ବହୁତ ଦୁର୍ବଳ ହୋଇଗଲା। ଦେଶ ବାହାରୁ ଋଣ ଓ ଆର୍ଥିକ ସାହାଯ୍ୟ ପାଇଁ ବାଧ୍ୟ ହୋଇ ୧୯୬୬ ଜୁନ୍‌ ମାସରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ (ଅବମୂଲ୍ୟାୟନ) କରିବାକୁ ପଡ଼ିଥିଲା।

ଆମେରିକା ଡଲାର ତୁଳନାରେ ୩୬.୫ ପ୍ରତିଶତ ମୂଲ୍ୟ ହ୍ରାସ କରାଯାଇଥିଲା ଏବଂ ଟଙ୍କାର ବିନିମୟ ମୂଲ୍ୟ ୧ ଡଲାର= ଟ.୪.୭୬ରୁ ୧ ଡଲାର= ଟ.୭.୫୦କୁ ଖସି ଯାଇଥିଲା। ଏହାଦ୍ବାରା ଦେଶରେ ମୁଦ୍ରାସ୍ଫୀତି ଦେଖା ଦେଇଥିଲା ଏବଂ ଆୟ, ଖର୍ଚ୍ଚ ଓ ସରକାରୀ ପୁଞ୍ଜି ନିବେଶ ଉପରେ ଖରାପ ପ୍ରଭାବ ପଡ଼ିଥିଲା।

୧୯୬୦ ଓ ୭୦ ଦଶକରେ ଭିଏତ୍‌ନାମ ଯୁଦ୍ଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଭୀଷଣ କ୍ଷତିଗ୍ରସ୍ତ ହୋଇ ଡଲାର ବଦଳରେ ସୁନା ଦେବାକୁ ମନା କଲା। ଅର୍ଥାତ୍‌ ‘ସୁନା ମାନକ’ (ଡଲାର ବଦଳରେ ସୁନା) ବନ୍ଦ ହୋଇଗଲା। ଏହା ପରେ ଇଉରୋପର ଓଇସିଡି ଦେଶମାନଙ୍କର ମୁଖ୍ୟ ମୁଦ୍ରା ତୁଳନାରେ ଡଲାର ଭାସମାନ ହେଲା। ଅର୍ଥାତ୍‌ ବିଶ୍ବରେ ସ୍ଥିର ବିନିମୟ ମୂଲ୍ୟ ବ୍ୟବସ୍ଥା ବଦଳରେ ଭାସମାନ ବିନିମୟ ମୂଲ୍ୟ ପଦ୍ଧତି ଆରମ୍ଭ ହେଲା। ଏହି ପରିବର୍ତ୍ତିତ ପରିସ୍ଥିତିରେ, ଭାରତରେ ରିଜର୍ଭ ବ୍ୟାଙ୍କ, ପ୍ରତିଦିନ ଟଙ୍କାର ବିନିମୟ ମୂଲ୍ୟର ସମନ୍ବୟ ସାଧନ କଲେ। ୧୯୭୧ ଅଗଷ୍ଟଠାରୁ ଡଲାର ସହ ଟଙ୍କା ସମ୍ବନ୍ଧିତ ହେଲା ଓ ସେତେବେଳେ ୧ ଡଲାର= ଟ.୭.୫୦ ରଖାଗଲା। ଭାସମାନ ପରିଚାଳନା ମୁଦ୍ରା ବ୍ୟବସ୍ଥାରେ ଗୋଟିଏ ବିଦେଶୀ ମୁଦ୍ରା ସହ ମୂଲ୍ୟ ନିର୍ଦ୍ଧାରଣ କରିବା ଅପେକ୍ଷା କେତେଗୁଡ଼ିଏ ମୁଖ୍ୟ ବିଦେଶୀ ମୁଦ୍ରାର ଝୁଡ଼ି ସହ କଲେ, ବିନିମୟ ମୂଲ୍ୟ ସ୍ଥିରତା ରହିବାର ସମ୍ଭାବନା ବେଶି ହେବ ବୋଲି ଭାବି, ୨୫ ସେପ୍ଟେମ୍ବର ୧୯୭୫ଠାରୁ ଟଙ୍କାର ବିନିମୟ ମୂଲ୍ୟ ମୁଖ୍ୟ ବିଦେଶୀ ମୁଦ୍ରା (ଯଥା: ଡଲାର, ପାଉଣ୍ଡ, ଫ୍ରାଙ୍କ୍‌, ମାର୍କ, ଓ ୟେନ)ର ଝୁଡ଼ି ଅନୁଯାୟୀ ନିର୍ଦ୍ଧାରଣ କରାଗଲା।

୧୯୮୦ ଦଶକରେ ଆମର ଅର୍ଥବ୍ୟବସ୍ଥା, ପୁଣି ଦୁର୍ବଳ ହେବାକୁ ଲାଗିଲା। ତେଣୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ଋଣ ଆଣିବାକୁ ପଡ଼ିଲା। ତା’ର ମୁଖ୍ୟ ସର୍ତ୍ତ ଥିଲା, ଭାରତର ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ହ୍ରାସ କରିବା ଓ ତାହା କରାଗଲା। ଏହାଦ୍ବାରା ୧୯୮୧-୮୬ ମଧ୍ୟରେ ଭାରତର ମୁଖ୍ୟ ବାଣିଜ୍ୟ ବେପାର କରୁଥିବା ଦେଶମାନଙ୍କ ତୁଳନାରେ, ଟଙ୍କାର ହାରାହାରି ୨୫ ପ୍ରତିଶତ ମୂଲ୍ୟ ହ୍ରାସ ହୋଇଥିଲା ଏବଂ ୧୯୮୬-୮୯ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୨୦ ପ୍ରତିଶତ ହ୍ରାସ ହୋଇଥିଲା। ଏହା ସତ୍ତ୍ବେ, ଉଦାର ଆମଦାନୀ ନୀତି ଯୋଗୁଁ ଆନ୍ତର୍ଜାତିକ ବାଣିଜ୍ୟର ଚଳନ୍ତି ଖାତାରେ ନିଅଣ୍ଟ ବଢ଼ି ଚାଲିଲା। ଅର୍ଥାତ୍‌ ଆମଦାନୀ ବଢ଼ି ଚାଲିଲା, ରପ୍ତାନି ବୃଦ୍ଧି ହେଲାନାହିଁ।

୧୯୯୦ରେ ଭାରତରେ ଦେଶ-ବିପଦ ସମ୍ମୁଖୀନ ଆଶଙ୍କା ଓ ଋଣ-ବିପଦ ପ୍ରଭୃତି ପାଇଁ ଆର୍ଥିକ ସ୍ଥିତି ବହୁତ ନିମ୍ନ ଥିଲା। ଅବସ୍ଥା ଏତେ ଖରାପ ଥିଲା ଯେ, ଭାରତ, ବିଦେଶରୁ ସରକାରୀ ଋଣ କିମ୍ବା ବାଣିଜ୍ୟ ସମ୍ବନ୍ଧୀୟ ଋଣ ପାଇ ପାରିଲା ନାହିଁ। ତେଣୁ କେନ୍ଦ୍ର ସରକାର, ସୁଇଜରଲାଣ୍ଡ ଓ ଇଂଲଣ୍ଡରେ ସୁନା ବନ୍ଧକ ରଖି ଋଣ ଆଣିଲେ। ତଥାପି ତାହା ଯଥେଷ୍ଟ ନହେବାରୁ, ଆମ ଦେଶ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ଋଣ ଭିକ୍ଷା କଲା। ଏହି ସଂସ୍ଥାରୁ ଋଣ ପାଇଁ, ମୁଖ୍ୟ ସର୍ତ୍ତ ଥିଲା ଟଙ୍କାର ବିନିମୟ ମୂଲ୍ୟ ହ୍ରାସ। ତେଣୁ ଋଣ ପାଇଁ, ଲାଗି ଲାଗି ଦୁଇ ଥର, ୧୯୯୧ ଜୁଲାଇ ୧ ଓ ୩ରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ (ଅବମୂଲ୍ୟାୟନ) କରାଗଲା। ୧୯୯୧ ଜୁଲାଇରେ ଟଙ୍କାର ଅବମୂଲ୍ୟାୟନ, ପାଞ୍ଚଟି ମୁଖ୍ୟ ବିଦେଶୀ ମୁଦ୍ରା ତୁଳନାରେ ହାରାହାରି ୨୦ ପ୍ରତିଶତ ହୋଇଥିଲା। ଏହା ପରେ ଟଙ୍କା ଓ ଡଲାରର ବିନିମୟ ମୂଲ୍ୟ ୧ ଡଲାର = ଟ.୨୧.୨୪ ହୋଇଥିଲା; କିନ୍ତୁ କେନ୍ଦ୍ର ସରକାରଙ୍କ ରପ୍ତାନି ବୃଦ୍ଧି ଓ ଆମଦାନୀ ହ୍ରାସ କରିବାର ଲକ୍ଷ୍ୟ ସଫଳ ହୋଇନଥିଲା।

ଏହା ପରେ ଆଂଶିକ ଭାସମାନ ମୁଦ୍ରା ବ୍ୟବସ୍ଥା ଚାଲୁ ରହିଲା। ଏହି ବ୍ୟବସ୍ଥା ଅନୁଯାୟୀ, ଏକ ବ୍ୟକ୍ତି କିମ୍ବା ଅନୁଷ୍ଠାନ, ବିଦେଶୀ ମୁଦ୍ରା ଆୟର ୪୦ ପ୍ରତିଶତ ସରକାରୀ ବିନିମୟ ମୂଲ୍ୟରେ ରିଜର୍ଭ ବ୍ୟାଙ୍କ୍‌କୁ ଦେବ ଏବଂ ଅବଶିଷ୍ଟ ୬୦ ପ୍ରତିଶତ ବଜାର ଦରରେ ବିକ୍ରି କରିପାରିବ। ଏହି ପଦ୍ଧତି ପ୍ରଚଳିତ ହେବା ଦ୍ବାରା ୩୦ ଜୁନ ୧୯୯୨ରେ ରିଜର୍ଭ ବ୍ୟାଙ୍କର ବିନିମୟ ମୂଲ୍ୟ ୧ ଡଲାର = ଟ.୨୫.୮୯ ଏବଂ ବଜାର ଦର ୧ ଡଲାର = ଟ.୩୦.୩୬ ହୋଇଥିଲା। ୧୯୯୩ ମାର୍ଚ୍ଚ ମାସଠାରୁ ଦେଶଦେଶ ମଧ୍ୟରେ ବାର୍ଷିକ ରପ୍ତାନି ଓ ଆମଦାନୀର ଭାରସାମ୍ୟରେ ସମ୍ପୂର୍ଣ୍ଣ ସ୍ବାଧୀନ ଭାସମାନ ମୁଦ୍ରା ବ୍ୟବସ୍ଥା ପ୍ରଚଳନ କରାଗଲା ଏବଂ ଏ ପର୍ଯ୍ୟନ୍ତ ଚାଲୁ ରହିଛି। ଏହି ମୁଦ୍ରା ବିନିମୟ ମୂଲ୍ୟ ପଦ୍ଧତିରେ, ବିଦେଶୀ ମୁଦ୍ରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, ବୈଦେଶିକ ମୁଦ୍ରା ବଜାରରେ, ଚାହିଦା, ଯୋଗାଣ ଓ ଅନ୍ୟାନ୍ୟ ପ୍ରଭାବ ଦ୍ବାରା ପ୍ରତିଦିନ ନିରୂପଣ ହୋଇଆସୁଅଛି। ଏହି ବ୍ୟବସ୍ଥା ଦ୍ବାରା, ୧୯୯୩ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନିୟନ୍ତ୍ରଣ ବଦଳରେ ରିଜର୍ଭ ବ୍ୟାଙ୍କ (ଓ ସରକାର), ବୈଦେଶିକ ମୁଦ୍ରା ବଜାରରେ ହସ୍ତକ୍ଷେପ କରି ଡଲାର ଆଦି କ୍ରୟ ଓ ବିକ୍ରୟ କରିବା ଦ୍ବାରା ବିଦେଶୀ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରି, ଟଙ୍କାର ବିନିମୟ ମୂଲ୍ୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ସରକାରୀ ବିନିମୟ ମୂଲ୍ୟ ୧ ଡଲାର = ଟ. ୨୬.୩୨ ଥିଲା। ଭାସମାନ ମୁଦ୍ରା ବ୍ୟବସ୍ଥା ପ୍ରଚଳନର ପ୍ରଥମ ଦିନରେ (୧୯୯୩ ମାର୍ଚ୍ଚ ୨) ୧ ଡଲାର = ଟ.୩୨ ହୋଇଥିଲା। ଅର୍ଥାତ୍‌ ଭାସମାନ ମୁଦ୍ରା ବିନିମୟ ବ୍ୟବସ୍ଥା ପ୍ରଚଳନ ହେବାଦ୍ବାରା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୧୯ ପ୍ରତିଶତ ହ୍ରାସ ପାଇଥିଲା। ଏହା ପରେ ଟଙ୍କାର ବିନିମୟ ମୂଲ୍ୟ, ଏକ ଡଲାର ତୁଳନାରେ ୧୯୯୩ରେ ଟ.୩୨, ୨୦୦୦ରେ ଟ.୪୪.୯୪, ୨୦୧୦ରେ ଟ.୪୫.୭୩, ୨୦୧୪ରେ ଟ. ୬୨.୩୩ ଏବଂ ୨୦୨୨ ଜୁଲାଇରେ ଟ.୭୯.୮୭କୁ ଖସିବାକୁ ଲାଗି ରହିଛି। ଅର୍ଥାତ୍‌ ଟଙ୍କାର ହଠାତ୍‌ ରିଜର୍ଭ ବ୍ୟାଙ୍କ ଦ୍ବାରା ‘ଅବମୂଲ୍ୟାୟନ’ (ଡିଭେଲ୍ୟୁଏସନ୍‌) ନହୋଇ ‘କାଳକ୍ରମେ ମୂଲ୍ୟ ହ୍ରାସ’ (ଡିପ୍ରେସିଏସନ୍‌) ହୋଇଛି, ବଜାର ଦ୍ବାରା।

୨୦୨୨ରେ ଟଙ୍କାର ବିନିମୟ ମୂଲ୍ୟ, ଡଲାର ତୁଳନାରେ କାଳକ୍ରମେ ସାତ ପ୍ରତିଶତ ହ୍ରାସ ହୋଇଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ, ଗ୍ୟାସ, ଖାଇବା ତେଲ ଓ ଅନ୍ୟାନ୍ୟ ଜିନିଷପତ୍ରର ଦରଦାମ ବୃଦ୍ଧି ହୋଇ ଅଧିକା ବ୍ୟୟ ହେଉଛି। ଏହା ସହ ବିଶ୍ବରେ ଏକ ଆସନ୍ନ ମାନ୍ଦା ଅବସ୍ଥାର ଭୟ। ଡଲାର ଗୋଟିଏ ବିଶ୍ବାସଯୋଗ୍ୟ ଓ ସ୍ଥିର ମୁଦ୍ରା ହୋଇଥିବାରୁ ଡଲାର ମୂଲ୍ୟ ସୂଚକାଙ୍କ ୧୦୦ରୁ ଅଧିକ ବୃଦ୍ଧି ହୋଇଛି। ଆମେରିକାର ଫେଡେରାଲ ରିଜର୍ଭ ସେଠାକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାପାଇଁ ଆମେରିକାର ସୁଧହାର ବୃଦ୍ଧି ଇତ୍ୟାଦି ପଦକ୍ଷେପ ଯୋଗଁୁ ବିଦେଶୀ ପୁଞ୍ଜି ନିବେଶକାରୀ ଅନ୍ୟ ଦେଶମାନଙ୍କର ଫଟକା ବଜାରରୁ କମ୍ପାନୀ ଅଂଶଧନ ବିକ୍ରିକରି, ପାଣ୍ଠି ପ୍ରତ୍ୟାହାର କରି, ଆମେରିକାର ବଜାରରେ ପୁଞ୍ଜିନିବେଶ କରୁଛନ୍ତି। କେବଳ ଭାରତରୁ ୩୧୦୦ କୋଟି ଡଲାର ପ୍ରତ୍ୟାହାର କରି ନେଇଛନ୍ତି, ଯାହାକି ୨୦୦୮ ଆର୍ଥିକ ସଙ୍କଟ ସମୟଠାରୁ ତିନିଗୁଣ ଅଧିକ। ଭାରତର ଆନ୍ତର୍ଜାତିକ ବାଣିଜ୍ୟର ଚଳନ୍ତି ହିସାବରେ ନିଅଣ୍ଟ ଓ ଆମଦାନୀକାରୀଙ୍କର ଅସ୍ବାଭାବିକ ଚାହିଦା ବୃଦ୍ଧି ଯୋଗୁଁ ଭାରତରେ ଡଲାରର ଚାହିଦା ବୃଦ୍ଧି ପାଇ ଏହାର ମୂଲ୍ୟବୃଦ୍ଧି ହେଉଛି ଏବଂ ଅନ୍ୟ ପକ୍ଷରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଉଛି।

ଟଙ୍କାର ବିନିମୟ ମୂଲ୍ୟ ଦ୍ରୁତ ହ୍ରାସ ହେବା ଦ୍ବାରା ଭାରତରେ କେତୋଟି କ୍ଷେତ୍ର କ୍ଷତିଗ୍ରସ୍ତ ଓ କେତେକ ଲାଭବାନ ହେଉଛନ୍ତି। ଆଇଟି କ୍ଷେତ୍ର (ଆୟର ୬୦ ପ୍ରତିଶତ ଡଲାରରେ ଆସେ) ଓ ଔଷଧ ନିର୍ମାତା କମ୍ପାନୀମାନେ ଅଧିକ ରପ୍ତାନି କରୁଥିବାରୁ ଅଧିକ ଲାଭବାନ ହେଉଛନ୍ତି, ଯେହେତୁ ସେମାନଙ୍କର ଡଲାର ଆୟ, ଟଙ୍କା ହିସାବରେ ବଢ଼ୁଛି। ସେହିଭଳି ଯେଉଁ ପରିବାର, ବିଦେଶରେ କାର୍ଯ୍ୟରତ ତାଙ୍କ ପରିବାର ସଦସ୍ୟଙ୍କର ଡଲାର ଆୟ ପାଉଛନ୍ତି, ଟଙ୍କାରେ ପରିବର୍ତ୍ତନ କଲେ, ପୂର୍ବ ଅପେକ୍ଷା ଅଧିକ ପାଉଛନ୍ତି। ଅଶୋଧିତ ତୈଳ ଓ ଗ୍ୟାସ ଏବଂ ଖାଇବା ତେଲ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଆମର ଇନ୍ଧନ ତେଲ ଓ ଗ୍ୟାସ୍‌ର ୮୫ ପ୍ରତିଶତ ଚାହିଦା ବିଦେଶରୁ ଆମଦାନୀ କରାଯାଏ। ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହାର ଖୁଚୁରା ଦର ବଢ଼ିବ ଓ ମୁଦ୍ରାସ୍ଫୀତି ଅଧିକ ହେବ। ବିଦେଶରେ ପାଠପଢ଼ା ଓ ବିଦେଶ ଭ୍ରମଣ କରିବାରେ ଅଧିକ ଖର୍ଚ୍ଚ ହେବ। ବିଦେଶରେ ପଢ଼ୁଥିବା ଶିକ୍ଷାର୍ଥୀମାନଙ୍କର ବର୍ଷକୁ ଖର୍ଚ୍ଚ ସାତ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଅଛି। ରାସାୟନିକ ସାର ଓ ଇନ୍ଧନର ଆମଦାନୀର ମୂଲ୍ୟ ବଢ଼ିବା ଯୋଗୁଁ କେନ୍ଦ୍ର ସରକାରଙ୍କର ଅଧିକ ଅନୁଦାନ ଖର୍ଚ୍ଚ ବଢ଼ି ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ। ଯଦି ରପ୍ତାନି ବୃଦ୍ଧି ନହେବ, ଟଙ୍କାର ବିନିମୟ ମୂଲ୍ୟ ପୁଣି କମିବାକୁ ଲାଗିବ; କିନ୍ତୁ ବର୍ତ୍ତମାନ ଯନ୍ତ୍ରପାତି, ଔଷଧପତ୍ର, ବୁଣାଲୁଗା, ପ୍ଲାଷ୍ଟିକ, ପେଟ୍ରୋଲିୟମଜାତ ଦ୍ରବ୍ୟ, ଅଳଙ୍କାର ଭଳି ପଦାର୍ଥର ରପ୍ତାନି ବୃଦ୍ଧି କମିଚାଲିଛି।

ଟଙ୍କାର ଅତ୍ୟଧିକ ବିନିମୟ ମୂଲ୍ୟ ହ୍ରାସକୁ ରୋକିବାପାଇଁ ରିଜର୍ଭବ୍ୟାଙ୍କ ହସ୍ତକ୍ଷେପ କରୁଛି। ଫେବୃଆରୀ ୨୦୨୨ଠାରୁ ଡଲାରର ଯୋଗାଣ ବଢ଼ାଇବା ପାଇଁ, ଡଲାର ବିକ୍ରି ଆରମ୍ଭ କରିଛି। ଏହି ପଦକ୍ଷେପ ଦ୍ବାରା ୨୦୨୨ ଜୁଲାଇ ବେଳକୁ ଆମର ବୈଦେଶିକ ମୁଦ୍ର ପାଣ୍ଠି ୫,୯୦୦ କୋଟି ଡଲାର କମି, ଗଚ୍ଛିତ ପାଣ୍ଠି, ୫୮,୦୦୦ କୋଟି ଡଲାରରେ ପହଞ୍ଚିଛି। ପ୍ରବାସୀ ଭାରତୀୟଙ୍କ ଜମା କ୍ଷେତ୍ରରେ କୋହଳନୀତି, ବିଦେଶୀ ମୁଦ୍ରା ଋଣ କାରବାରରେ ଅଧିକ ସ୍ବାଧୀନତା, କମ୍ପାନୀମାନେ ଅଧିକ ବୈଦେଶିକ ବ୍ୟାବସାୟିକ ଋଣ ଉଠାଇ ପାରିବା ଇତ୍ୟାଦି କେତୋଟି ପଦକ୍ଷେପ ରିଜର୍ଭ ବ୍ୟାଙ୍କ ନେଇଛି। ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ, କେତେକ ଦେଶ ସହ ଭାରତୀୟ ଟଙ୍କାରେ ବ୍ୟବସାୟ ଆରମ୍ଭ ହୋଇଛି ଏବଂ ଅନ୍ୟ ଦେଶମାନଙ୍କ ସହ କରିବା ପାଇଁ ଉଦ୍ୟମ ଚାଲିଛି। କେନ୍ଦ୍ର ସରକାର ମଧ୍ୟ ଅନ୍ୟ କେତୋଟି ପଦକ୍ଷେପ ନେବା ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ (୧୨ ମାସ ମଧ୍ୟରେ ପରିଶୋଧ କରାଯିବା) ସ୍ବଳ୍ପକାଳୀନ ବିଦେଶୀ ଋଣ, ସମୁଦାୟ ଭାରତର ବିଦେଶୀ ଋଣର ୪୩.୧ ପ୍ରତିଶତ। ଏହା ୬୨,୧୦୦ କୋଟି ଡଲାର। ଯଦି ବିଦେଶୀ ପୁଞ୍ଜି ଭାରତକୁ ନ ଆସେ, ଏହି ଋଣ ଡଲାରରେ ପରିଶୋଧ ବେଳେ ଡଲାରର ଚାହିଦା ବଢ଼ିବ ଓ ସେଥିପାଇଁ ଟଙ୍କାର ବିନିମୟ ମୂଲ୍ୟର ଦ୍ରୁତ ହ୍ରାସ ହେବାର ବହୁତ ଆଶଙ୍କା ଅଛି।

Comments are closed.